Unknown

 

 

 

 

 

 

 

 

୩୬ତମ ସଂଖ୍ୟା କୋଣାର୍କ ୧୯୭୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

ଓଡ଼ିଆ ଭାଷା ବିକାଶର ଇତିବୃତ୍ତ (ଅଭିଲେଖରୁ)

ଡଃ ସତ୍ୟନାରାୟଣ ରାଜଗୁରୁ

ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ

ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା

ଜଳନ୍ଧର ଜିଜ୍ଞାସା

ଡକ୍ଟର ଶ୍ରୀ କୃଷ୍ଣଚରଣ ବେହେରା

ବିରଜା କ୍ଷେତ୍ରର ପ୍ରାଚୀନକୀର୍ତ୍ତି,

ସପ୍ତମାତୃକା ଓ ଶୁଭସ୍ତମ୍ଭ

ଶ୍ରୀ କେଦାରନାଥ ମହାପାତ୍ର

ଜୟଦେବ ଓ ଗୀତଗୋବିନ୍ଦ

ଶ୍ରୀ ନୀଳମଣି ମିଶ୍ର

ଆଦିବାସୀ ଭାଷା ଓ ଦର୍ଶନ ସମ୍ପର୍କରେ ପଦେ

ଡକ୍ଟର ଶ୍ରୀଶ ପଟେଲ

ଗୋପାଳକୃଷ୍ଣ ଓ ତାଙ୍କର ପଦ୍ୟାବଳୀ ସାହିତ୍ୟ

ଅଧ୍ୟାପକ ରବୀନ୍ଦ୍ର ନାଥ ମିଶ୍ର

ହିନ୍ଦୁ ସମାଜରେ ଜାତିପ୍ରଥା ଓ ପାଟକ ଗୀତା

ଶ୍ରୀ ବସନ୍ତ କୁମାର ସାହୁ

ଗୋପବନ୍ଧୁ ସୃଷ୍ଟିରେ ଧର୍ମପଦ

(ପୂର୍ବ ପ୍ରକାଶିତ ଉତ୍ତାରୁ)

ଶ୍ରୀ ରବିନାରାୟଣ ଦାଶ

୧୦.

ଏକାଡେମୀ ସମାଚାର

 

୧୧.

ସମ୍ପାଦକୀୟ

 

 

 

ଓଡ଼ିଆ ଭାଷା ବିକାଶର ଇତିବୃତ୍ତ (ଅଭିଲେଖରୁ)

ଡଃ ସତ୍ୟନାରାୟଣ ରାଜଗୁରୁ

 

ଓଡ଼ିଶା ପରି ଏକ ପ୍ରାଚୀନ ରାଜ୍ୟର ଭୌଗୋଳିକ ପରିସ୍ଥିତି ସେଠା ଅଧିବାସୀଙ୍କର ଭାଷା ଏବଂ ସଂସ୍କୃତିକୁ ଯୁଗ ଯୁଗ ଧରି ଇତିହାସରେ ବର୍ଣ୍ଣାଢ଼୍ୟ କରି ରଖିଚି । ଉତ୍ତର-ଭାରତ ଓ ଦାକ୍ଷିଣାତ୍ୟର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ସମ୍ପାଦନ କରି ତାଙ୍କ ଧର୍ମ ଓ ଭାଷା ଯେଉଁମାନଙ୍କ ଉଦ୍ୟମରେ ଦୃଢ଼ତା ଲାଭକଲା, ସେ ହେଉଛନ୍ତି ଏଇ କଳିଙ୍ଗ-କୋଙ୍ଗଦ-ଉତ୍କଳର ଶିକ୍ଷିତ ସମ୍ପ୍ରଦାୟ । କେବଳ ଭାରତର ଗୋଟିଏ ଅଂଶରେ କଳିଙ୍ଗର ଭାଷା, ସାହିତ୍ୟ ଓ ସଂସ୍କୃତି ଆବଦ୍ଧ ନ ଥିଲା, ସେଥିରେ ପ୍ରବାହ ସୁଦୂର ସିଂହଳ, ଜାଭା, ବାଲି ବୋର୍ଣ୍ଣିଓ, ଥାଇଲେଣ୍ଡ, କାମ୍ବୋଜ, ଜାପାନ, ତିବ୍ବତ ଓ ଚୀନ ପ୍ରଭୃତି ରାଜ୍ୟମାନଙ୍କୁ ମଧ୍ୟ ପ୍ରସାରିତ ହେଲା । ରାଜନୈତିକ ଅଭିଯାନ ସମେତ ସମାଜିକ ଏବଂ ଅର୍ଥନୀତିକ ବ୍ୟାପାରରେ କଳିଙ୍ଗ ସଙ୍ଗେ ସେହି ବୈଦେଶିକ ରାଜ୍ୟମାନଙ୍କର ଅବାଧ ସମ୍ପର୍କ ହେତୁ ଏ ଦେଶର ଭାଷା ଓ ସାହିତ୍ୟ ବୈଦେଶିକ ଭାଷାକୁ ପ୍ରଭାବିତ କଲା । ସେପରି ବିଦେଶୀୟ ଭାଷା ଧର୍ମ ଓ ସାହିତ୍ୟର ଉତ୍ସ ଏ ଦେଶବାସୀଙ୍କୁ ଉତ୍‌ପ୍ଲାବିତ କରିଛି । କେବଳ ଭାଷା ଓ ସାହିତ୍ୟ ନୁହେଁ, ଲୋକଙ୍କର ରୀତି, ନୀତି, ବେଶ-ଭୂଷା, ଆଚାର ବ୍ୟବହାର କଳା ଓ ବିଜ୍ଞାନ ପ୍ରଭୃତି ବିକାଶ ମୂଳକ ବିଷୟ ଏ ଦେଶବାସୀ ବିଦେଶରୁ ଆହରଣ କରି ତାଙ୍କ ସଂସ୍କୃତିକୁ ପରିପୁଷ୍ଟ କରି ଗଢ଼ିଥିଲେ-

 

ବୌଦ୍ଧ ଧର୍ମ ସଙ୍ଗେ ଯେଉଁ ସମୟର ଭାଷାଗତ ବିପ୍ଲବ ଭାରତ ଓ ପାରିପାର୍ଶ୍ୱିକ ରାଜ୍ୟମାନଙ୍କରେ ଦେଖା ଦେଲା, ପୁଣି ସଂସ୍କୃତ ପରିବର୍ତ୍ତେ ଧର୍ମଗ୍ରନ୍ଥମାନ ପାଲି ପ୍ରକୃତ ଭାଷାରେ ରଚିତ ହେଲା, ସେତିକିବେଳେ ସିଂହଳ ତଥା ପୂର୍ବ ଦ୍ୱୀପପୁଞ୍ଜ ସଙ୍ଗେ କଳିଙ୍ଗର ଘନିଷ୍ଠ ସମ୍ପର୍କ ସ୍ଥାପିତ ହେବାରୁ ଏ ଦେଶର ଭାଷା ସଙ୍ଗେ ବୈଦେଶିକ ଭାଷାର ଆଦାନ ପ୍ରଦାନ ସମ୍ଭବ ହେଲା । ନାଟ୍ୟଶାସ୍ତ୍ରରେ ତାହାହିଁ ‘ଉଡ଼୍ର ବିଭାଷା’ ନାମରେ ଆଖ୍ୟାତ ହୋଇଛି । ଆଜି ଏ ଦେଶରେ ବ୍ୟବହୃତ ସେହି ଭାଷା ଉପରେ କାଳ ଯେଉଁ ପରିବର୍ତ୍ତନ ସୃଷ୍ଟି କରିଛି ପୁଣି ବିଭିନ୍ନ ଜାତି ଓ ସମ୍ପ୍ରଦାୟଙ୍କ ଆଗମନ ଫଳରେ ଯୁଗେ ଯୁଗେ ଭାଷାର ଯେଉଁ କ୍ରମ-ପରିବର୍ତ୍ତନ ଘଟିଛି ସେଥିର ଇତିବୃତ୍ତି ଅଦ୍ୟାପି ଅନ୍ଧକାର ଗର୍ଭରେ ଲୁଚିଛି କହିଲେ ଚଳେ । କଦାଚିତ୍‌ ଅଭିଲେଖାମାନଙ୍କରୁ ସ୍ୱଳ୍ପ ପରିମିତ ପ୍ରାଚୀନ ଶବ୍ଦ-ସମ୍ଭାର ଆତ୍ମପ୍ରକାଶ କରି ସେହି ପ୍ରାକୃତ ଭାଷାର କ୍ଷୀଣ ଆଭାସ ଦେଇଥାଏ ।

 

ଏଠାରେ କହିବା ଆବଶ୍ୟକ ଯେ, ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ ମହାରାଜ ଖାରବେଳ ଯେଉଁ ଦୀର୍ଘ ଶିଳାଲେଖ ଉଦୟଗିରିର ହାତୀଗୁମ୍ଫାରେ ଖୋଦିତ କରାଇଥିଲେ, ସେଥିରେ ଭାଷାହିଁ ଦୁଇ ହଜାର ବର୍ଷ ପୂର୍ବେ ଏ ଦେଶବାସୀ ବ୍ୟବହାର କରୁଥିଲେ । ତା’ ହୋଇ ନଥିଲେ, ସେପରି ଭାଷା ଖାରବେଳଙ୍କ ଶିଳାଲେଖାରେ ବ୍ୟବହୃତ ହେବା ଅର୍ଥଶୂନ୍ୟ । ଅଶୋକଙ୍କ ସମୟରେ ଯେଉଁ ପାଲି ପ୍ରାକୃତ ଏ ଦେଶରେ ପ୍ରଚଳିତ ଥିଲା, ଖାରବେଳଙ୍କ ରାଜତ୍ୱ ବେଳକୁ ପ୍ରାୟ ୨୦୦ ବର୍ଷ ମଧ୍ୟରେ ସେଥିରେ ପରିବର୍ତ୍ତନ ଦେଖାଦେଲା । ପାଲି ଓ ଅର୍ଦ୍ଧ-ମାଗଧୀ ଭାଷା ମଧ୍ୟରେ ଥିବା ସମ୍ବନ୍ଧ ନେଇ କେତେକ ପଣ୍ଡିତଙ୍କ ଗବେଷଣା ପ୍ରଣିଧାନ ଯୋଗ୍ୟ । (୧)

 

(୧)

Ind. His Qv., Vol-IV, P.23.

 

କଳିଙ୍ଗ ଉପକୂଳରୁ ଯେଉଁମାନେ ବାଣିଜ୍ୟ (୨) କିମ୍ବା ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ବର୍ମା, ଥାଇଲେଣ୍ଡ, କାମ୍ବୋଡ଼ିଆ ଉପକୂଳରେ ପହଞ୍ଚିଲେ, ସେମାନଙ୍କର ବ୍ୟବହୃତ ସଂସ୍କୃତ ଓ ପ୍ରାକୃତ ଭାଷା କିପରି ସେଠାରେ କଥିତ ଭାଷାକୁ ପ୍ରଭାବିତ କରିଛି, ଥାଇଲେଣ୍ଡ ଭାଷାରେ ପ୍ରଚଳିତ ନିମ୍ନୋକ୍ତ ଶବ୍ଦଗୁଡ଼ିକ ସେଥିର ପ୍ରମାଣ ଦିଏ ।

 

(୨)

Merchant and Navigators from Kaling. (J.B.O.R.S, Vol-X, P.235)

 

ଥାଇ ଭାଷା

ଭାରତୀୟ ସଂସ୍କୃତ-ପ୍ରାକୃତ ଭାଷା

ବିଶ୍ୱକମ୍‌

ବିଶ୍ୱକର୍ମା

ବିଶ୍ୱ କମ୍‌ସତ୍‌

ବିଶ୍ୱକର୍ମା ଶାସ୍ତ୍ର

କସେତ୍‌କର୍ମ.

କୃଷି କର୍ମ

ପିଛକନିତ.

ବୀଜଗଣିତ

ସ୍ତାପତୟ କମ.

ସ୍ଥାପତ୍ୟ କର୍ମ

ପରମନୁ.

ପରମାଣୁ

କମ୍ମକାନ.

କର୍ମକାର

ପ୍ରସିତ.

ପ୍ରସିଦ୍ଧ

ମାହା ବନ୍ଦିତ.

ମହାପଣ୍ଡିତ ଇତ୍ୟାଦି

 

କଳିଙ୍ଗ ସଙ୍ଗେ ସିଂହଳର ଘନିଷ୍ଠ ସମ୍ବନ୍ଧ ଖ୍ରୀଷ୍ଟ ପ୍ରାୟ ୩ୟ ଶତାବ୍ଦୀରୁ ପ୍ରତିଷ୍ଠା ଲାଭ କରିଥିଲା । କଥିତ ଅଛି, ସିଂହପୁରରୁ ବାହୁବଂଶୀୟ ରାଜାମାନେ ସେଠାରେ ପ୍ରଥମ ରାଜତ୍ୱ କଲେ-। କଳିଙ୍ଗର ମାଠରବଂଶୀୟ ରାଜାମାନଙ୍କ ମୁଖ୍ୟ ରାଜଧାନୀରୂପେ ସିଂହପୁର ଇତିହାସରେ ପ୍ରସିଦ୍ଧି ଲାଭ କରିଛି । ସିଂହପୁର ନିକଟବର୍ତ୍ତୀ ଦନ୍ତପୁରଠାରେ ମଧ୍ୟ ଗୋଟିଏ ବୌଦ୍ଧ ଧର୍ମ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା । ବୁଦ୍ଧଦେବଙ୍କ ନିର୍ବାଣ ପରେ ତାଙ୍କର ଗୋଟିଏ ପବିତ୍ର ଦନ୍ତ ସେଠାରେ ପୂଜିତ ହେଲା । ପରେ କଳିଙ୍ଗ ରାଜା ତାହା ସିଂହଳକୁ ପଠାଇଲେ । ଅଦ୍ୟାପି ତାହା ଅନୁରାଧାପୁର ମହାଚୈତ୍ୟରେ ସଂରକ୍ଷିତ ହୋଇଅଛି । ତତ୍ରସ୍ଥ ମହାରାଜା ତ୍ରିବିକ୍ରମ ବାହୁ ସ୍ୱୀୟ ଅଭିଲେଖରୁ ଗର୍ବର ସହିତ ଉଲ୍ଲେଖ କରିଛନ୍ତି । ତାଙ୍କ ଧମନୀରେ କଳିଙ୍ଗ ରାଜବଂଶ ରକ୍ତ ପ୍ରବାହିତ । ସିଂହଳ ଦ୍ୱୀପରେ ଥିବା ସେହି ଅଭିଲେଖରେ କେତେକ ଉଡ଼୍ର ପ୍ରାକୃତ ଶବ୍ଦର ସନ୍ଧାନ ମିଳେ । ସେହି ଭାଷା ଓ ଶବ୍ଦ ସଙ୍ଗେ ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ଭାଷାର ସମ୍ବନ୍ଧ ଥିବା ମଧ୍ୟ ଜଣାଯାଏ । (୧)

 

(୧)

Simhaleses Etymological Dictionary (I.H.Q. Vol V,P-349) କାମ୍ବୋଜର କେତେକ ଅଭିଲେଖରୁ ଜୟବର୍ମା ଓ ଇନ୍ଦ୍ରବର୍ମା ନାମକ ରାଜାଙ୍କର ନାମ ଉଲ୍ଲେଖ ଅଛି (I.H.Q. Vol-VI, P-102)

(୨)

ଏ’ ନାମ ସେଠାରେ ‘ଚେଲିଙ୍ଗ୍‍’ ‘କଲେଙ୍ଗ୍‍’, ଓ ‘କ୍ଲିଙ୍ଗ’ରୂପେ ଉଚ୍ଚାରିତ ହୁଏ, PP-41-109 Indian Antiquary, Vol-XLII, PP-4-109 ।

 

ବୋର୍ଣ୍ଣିଓ, ଜାଭା, ବାଲି ପ୍ରଭୃତି ପୂର୍ବ ଦ୍ୱୀପପୁଞ୍ଜରେ ଯେଉଁ କ୍ଲିଙ୍ଗ୍‌(୨) ନାମକ ଜାତି ବାସ କରୁଥିଲେ ସେମାନେ ନିଶ୍ଚିତ ଭାବରେ କଳିଙ୍ଗରୁ ଉଠିଯାଇ ସେଠାରେ ଉପନିବେଶ ସ୍ଥାପନ କଲେ-। ସେଠାରେ କେତେକ ଭଗ୍ନ ମନ୍ଦିର, ଦେବଦେବୀ ଏବଂ ଅଭିଲେଖ ରହିଛି, ଯାହା ପରୀକ୍ଷା କରିବାରୁ ଜଣାଯାଉଛି ଯେ, କଳିଙ୍ଗର ବ୍ୟବହୃତ ପ୍ରାଚୀନ ଅକ୍ଷର ମଧ୍ୟ ସେଠାରେ ପ୍ରଚଳିତ ଥିଲା । ଯେଉଁ ସମୟରେ ୟୁରୋପୀୟ ପଣ୍ଡିତମାନେ ତତ୍ରସ୍ଥ ପ୍ରତ୍ନତାତ୍ତ୍ୱିକ ବସ୍ତୁ ସମୂହ ଅନୁଶୀଳନ କରି ସେଠାରେ ଅଭିଲେଖ ଗୁଡ଼ିକ ସୁଦୂର ପାଣ୍ଡ୍ୟ ଓ ଚୋଳ ରାଜ୍ୟର ପ୍ରଚଳିତ ଲିପି ସଙ୍ଗେ ତୁଳନୀୟ ବୋଲି ମତ ପ୍ରକାଶ କରୁଥିଲେ, ସେତେବେଳେ କଳିଙ୍ଗ, ମାଠର, ପ୍ରାଚୀନ-ଗଙ୍ଗ ଓ ଶୈଳୋଦ୍ଭବ ବଂଶୀୟ ରାଜାମାନଙ୍କ ସମ୍ବନ୍ଧେ ବିଶେଷ ତଥ୍ୟ ଆବିଷ୍କୃତ ହୋଇ ନଥିଲା । ବର୍ତ୍ତମାନ ପୂର୍ବ ଦ୍ୱୀପପୁଞ୍ଜର ଲିପି ସଙ୍ଗେ ତୁଳନା କରି ଆମ୍ଭେ ଜାଣି ପାରିଛୁ ଯେ, ବୋର୍ଣ୍ଣିଓ ଦ୍ୱୀପରୁ ଆବିଷ୍କୃତ ଖ୍ରୀ: ୮ମ, ୯ମ ଓ ୧୦ମ ଶତାବ୍ଦୀର ବହୁ ଲିପି ସଙ୍ଗେ ତତ୍କାଳୀନ ଓଡ଼ିଶାରେ ବ୍ୟବହୃତ ଅକ୍ଷରରେ ଘନିଷ୍ଠ ସାମଞ୍ଜସ୍ୟ ବିଦ୍ୟମାନ । କେବଳ ସେତିକି ନୁହେଁ ମାନବ-ଧର୍ମ ଶାସ୍ତ୍ରୋକ୍ତ ନୀତି ଅନୁସାରେ ଆମ ଦେଶରେ ଯେଉଁପରି ଦାନ ଶାସନ ପ୍ରଦତ୍ତ ହେଉଥିଲା, ସେପରି ଇଣ୍ଡୋନେସିୟାର ଅଭିଲେଖମାନଙ୍କରେ ମଧ୍ୟ ଏକ ନିୟନ୍ତ୍ରିତ ପଦ୍ଧତି ଅନୁସୃତ ହେଉଥିଲା ।

 

ଭାରତର ପୂର୍ବ ଉପକୂଳରୁ ଯେଉଁମାନେ ସେହି ଦ୍ୱୀପପୁଞ୍ଜକୁ ନୌକାରେ ଯାତ୍ରା କରୁଥିଲେ, ସେମାନେ ପ୍ରଥମେ ବର୍ମା ଉପକୂଳରେ ରହି ସେଠାରୁ ଅନ୍ୟାନ୍ୟ ସ୍ଥାନକୁ ଯିବା ହେତୁ ବର୍ମାକୁ ‘ଶ୍ରୀକ୍ଷେତ୍ର’ ନାମରେ ଅଭିହିତ କରାଯାଇଛି । ରେଭେରେଣ୍ଡ ଏସ. ବୀଲ (Rev. S. Beal) ଇତ୍‌ ସିଂ (I-tsing)ଙ୍କ ଯାତ୍ରାପଥ ସମ୍ବନ୍ଧେ ଲେଖିବାକୁ ଯାଇ ବର୍ଣ୍ଣନା କରିଛନ୍ତି ଯେ, ଭାରତ ବର୍ଷର ନାଳନ୍ଦା ମହାବିହାରର ପୂର୍ବକୁ ୫୦୦ ଯୋଜନ ଦୀର୍ଘ ପଥରେ ସେ ତାଙ୍କ ଯାତ୍ରା ଆରମ୍ଭ କଲେ । ତାହା ପୂର୍ବ ସୀମାନ୍ତ ନାମରେ ପରିଚିତ ହୁଏ । ସେଥିରେ ଶେଷ ସୀମାରୁ ତୁ-ଫାନ (Tu-fan) ନାମକ ରାଜ୍ୟ ଆରମ୍ଭ ହୁଏ । ସେଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ଏକ ମାସ ପଥଯାତ୍ରା କରି ସେ ‘କ୍ଷି’ ଲିଙ୍ଗ (Sz-ling) ରାଜ୍ୟରେ ପ୍ରବେଶ କରିଥିଲେ । ତାହା ସମୁଦ୍ର ଉପକୂଳରେ ଅବସ୍ଥିତ । ସେ ରାଜ୍ୟକୁ ‘ଶ୍ରୀକ୍ଷେତ୍ର’ କୁହାଯାଏ । ସେଠାରୁ ଦକ୍ଷିଣ-ପୂର୍ବ ଦିଗରେ କମଳଙ୍କା (Kamalnka) ଏବଂ ତାର ପୂର୍ବକୁଦ୍ୱାରାପତି । ସେଠାରୁ ପୂର୍ବ ସୀମାରେ ଲିନ୍‌-ଇ(lin-i) ବା ଚମ୍ପା ନାମକ ରାଜ୍ୟ ଅବସ୍ଥିତ ।

 

ଇତ୍‌ ସିଂ ଅନ୍ୟତ୍ର ତାଙ୍କର ଭ୍ରମଣ ବୃତ୍ତାନ୍ତରେ ଲେଖିଛନ୍ତି–ପଶ୍ଚିମରେ ଥିବା ପୋଲୁ-ସେ (Po-lu-sse) ରାଜ୍ୟ ବା ସୁମାତ୍ରା (ଦ୍ୱୀପ) ପରେ ମଳୟ ଦେଶ ଅବସ୍ଥିତ । ତା ପରେ ‘ମହା-ସିନ୍‌’ (Maha sin) ରାଜ୍ୟ ବା ସିଂହପୁର (ଶିଙ୍ଗାପୁର) ତା’ପରେ କଳିଙ୍ଗ (Kalinga) ରାଜ୍ୟରେ ପ୍ରବେଶ କରିବାକୁ ହୁଏ । *

*Ind. Ant. Vol-X, P-174

 

ଇତ୍‌ ସିଂ ଯେଉଁ ପଥ ଦେଇ ନୌକାରେ ଭାରତକୁ ଯାତ୍ରା କରିଥିଲେ ସେଇ ପଥହିଁ କଳିଙ୍ଗର ପ୍ରଧାନ ବାଣିଜ୍ୟ ପଥ ଥିଲା । ସମ୍ଭବତଃ ଚିଲିକା ହ୍ରଦ ସମେତ ତାଳିଚେଲୋ, କଳିଙ୍ଗପତ୍ତନ, ଦନ୍ତପୁର, ତାମ୍ରଲିପ୍ତି ପ୍ରଭୃତି ପ୍ରସିଦ୍ଧ ବନ୍ଦର ଗୁଡ଼ିକ ଏ ଦେଶର ନୌ-ଯାତ୍ରୀମାନଙ୍କ ଯାତ୍ରା ସ୍ଥଳ ହୋଇଥିଲା । ସେଠାରେ ଏବଂ ଚମ୍ପା, କାମ୍ବୋଡ଼ିଆ, ଲାଓସ୍‌ ପ୍ରଭୃତି ରାଜ୍ୟରେ ସେମାନେ ଉପନିବେଶ ସ୍ଥାପନ କରି ସେହି ସେହି ରାଜ୍ୟରେ ଭାରତୀୟ ଧର୍ମଶାସ୍ତ୍ର ସଙ୍ଗେ ସାମାଜିକ ଜୀବନ ପଦ୍ଧତି ପ୍ରବର୍ତ୍ତିତ କଲେ । ମହାଯାନ ପନ୍ଥୀ ବୌଦ୍ଧମାନେ ବେଦ-ବିରୋଧୀ ହୋଇ ସୁଦ୍ଧା ବେଦାଶ୍ରିତ ଧର୍ମ ସଂପୂର୍ଣ୍ଣରୂପେ ବର୍ଜନ କରି ନଥିଲେ । ତା’ପାଇଁ ହୋଇ ନଥିଲେ ଯେଉଁମାନେ ଭାରତରୁ ଯାତ୍ରା କରି ସେହି ଦେଶମାନଙ୍କରେ ଉପନିବେଶ ସ୍ଥାପନ କଲେ, ତାଙ୍କ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ଓ ମତବାଦର ଲୋକ ଥିବାରୁ ନିଶ୍ଚୟ ସାମାଜିକ ସଂଘର୍ଷ ଦେଖା ଦେଇଥାନ୍ତା । କିନ୍ତୁ ବୌଦ୍ଧଧର୍ମ ବିପ୍ଳବାତ୍ମକ ଉପାୟରେ ଅଶାନ୍ତି ସୃଷ୍ଟି କରିବା ନୀତି ବର୍ଜନ କରିଥିଲା । ଯେଉଁ ବ୍ରାହ୍ମଣ ଧର୍ମାବଲମ୍ବୀମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ରହିଲେ ସେମାନେ ତାଙ୍କର ପୂର୍ବ ଆଚରଣ ଓ ସଂସ୍କୃତି ଏକାବେଳକେ ବର୍ଜନ କଲେ ନାହିଁ । ଫଳରେ ଭାରତର ଦେବଭାଷା ସଂସ୍କୃତ ସଙ୍ଗେ ପ୍ରାକୃତ ଭାଷାରେ ଧର୍ମଶାସ୍ତ୍ରର ବ୍ୟାଖ୍ୟାନ କରି ସାହିତ୍ୟ ବିକାଶ ପଥରେ ଅଗ୍ରସର ହେଲା । ପଣ୍ଡିତମାନଙ୍କ ମତରେ ଭାରତର ପ୍ରସିଦ୍ଧ ଧର୍ମ ଶାସ୍ତ୍ର ପ୍ରଣେତା ବୌଧାୟନ ଓ ଆପସ୍ତମ୍ଭ କଳିଙ୍ଗରେ ନିବାସ କରୁଥିଲେ । (୧) ଏ ପରିପ୍ରେକ୍ଷିରେ ବିଚାର କଲେ ଆମ୍ଭେ ଆଜି ଏହି ସିଦ୍ଧାନ୍ତରେ ଉପନୀତ ହେବୁ ଯେ କଳିଙ୍ଗ, କୋଙ୍ଗଦ, ଉତ୍କଳ ବା ତୋସଳ ରାଜ୍ୟରୁ ଯେଉଁମାନେ ବର୍ମା-ଉପକୂଳ ଦେଇ ପୂର୍ବ-ଦ୍ୱୀପପୁଞ୍ଜରେ ଉପନିବେଶ ସ୍ଥାପନ କରିଥିଲେ, ସେମାନଙ୍କର ଭାଷା ଓ ସାହିତ୍ୟକୁ ଏ’ ଦେଶର ସମସାମୟିକ ଭାଷା ଓ ଲିପି ନିଶ୍ଚୟ ପ୍ରଭାବିତ କଲା । ଏଥିରୁ ଅନୁଶୀଳନ କରିବା ପୂର୍ବରୁ ଖ୍ରୀ: ୧୦ମ ଶତାବ୍ଦୀ ପୂର୍ବରୁ ଆମ ଦେଶରେ ଯେଉଁ ଭାଷା ପ୍ରଚଳିତ ଥିଲା ସେଥିରେ ସନ୍ଧାନ ନେବା ଆବଶ୍ୟକ ।

 

(୧)

Indian Antiquary, Vol-XLI, P-230

 

ଇ. କୁହୁ (E. Kuhu) ତାଙ୍କ ‘ପାଲି-ବ୍ୟାକରଣ’ରେ ଲେଖି ଅଛନ୍ତି-ପାଲି ଭାଷାରେ ମାଗଧୀ ପ୍ରାକୃତରେ ଅସ୍ତିତ୍ୱ ବିଶ୍ୱାସଯୋଗ୍ୟ ନୁହେଁ । ଆଉ ମଧ୍ୟ ଯେଉଁ ବୌଦ୍ଧ-ଗ୍ରନ୍ଥ ଗୁଡ଼ିକ ସିଂହଳକୁ ପ୍ରଥମେ ଭାରତରୁ ନୀତ ହୋଇଥିଲା ତାହା ମାଗଧୀ-ପ୍ରାକୃତ ଭାଷାରେ ଲେଖାଥିଲା ଏବଂ ସେଠା ଲୋକଙ୍କଦ୍ୱାରା ବର୍ତ୍ତମାନ ‘ପାଲି’ ନାମରେ ଭାଷାନ୍ତରିତ କରାଗଲା । କାରଣ ପ୍ରାଚୀନ ସିଂହଳର ଭାଷା, ଯାହାକି ଅଭିଲେଖମାନଙ୍କରୁ ପ୍ରକଟିତ ହେଉଛି, ତାହା ମାଗଧୀ ପ୍ରାକୃତ ସଙ୍ଗେ ସମାନ; କିନ୍ତୁ ପାଲି ଭାଷାରୁ ପୃଥକ୍‌ ଥିବା ସ୍ପଷ୍ଟ ଜଣାଯାଏ ।(୨)

 

(୨)

E. Kuhu, Berttrage Zur Pal-Grammatik P-7

 

[Little as we can believe that in the pali we have the Magadhi Language it self, as little can we assume that the Buddhist texts were originally brought to Ceylon in Magadhi, and there, under the influence of the Simhalese, the language became changed into its present forms, known as pali language, for the ancient Simhalese languege as we at present know it from inscriptions-agrees. with the Magadhi in same of these very points which distinguish the Magadhi from the pali.]

 

ସିଂହଳରୁ ପ୍ରାପ୍ତ ‘ଦାଠ ବଂଶ’ ନାମକ ପ୍ରାକୃତ ଭାଷାରେ ଲିଖିତ ବୌଦ୍ଧ ଗ୍ରନ୍ଥର ପ୍ରଣେତା ଧର୍ମ କୀର୍ତ୍ତି (୩) ଙ୍କ ଆଶ୍ରମ କଳିଙ୍ଗରେ ଥିଲା । ବର୍ତ୍ତମାନ କୋରାପୁଟ ଜିଲ୍ଲା ଗୁଣୁପୁର ସନ୍ନିକଟ ଜଗମଣ୍ଡା ପାହାଡ଼ରୁ ଧର୍ମ-କୀର୍ତ୍ତିଙ୍କ ନାମ ସମ୍ବଳିତ ଗୋଟିଏ ଶିଳାଲେଖ ମିଳୁଛି ।

 

(୩)

Ep. Ind., vol. xxix, pp-169-174 if

 

ମହାରାଜ ଖାରବେଳଙ୍କ ହାତୀଗୁମ୍ଫା ଲିପିର ଭାଷାରେ ଯେଉଁ ପ୍ରାକୃତ ଶବ୍ଦାବଳୀର ପ୍ରୟୋଗ ହୋଇଛି, ସେଥି ସଙ୍ଗେ ସ୍ଥାନୀୟ ଓଡ଼ିଆ ପ୍ରାକୃତରେ ସମ୍ବନ୍ଧ ବିଦ୍ୟମାନ । ଯଥା:- ‘ସିରି ଖାରବେଳ ସ ଅଗ-ମହସି’-(ସଂସ୍କୃତ-ଶ୍ରୀ ଖାରବେଳସ୍ୟ ଅଗ୍ରମହିଷୀ) ଏଥିରେ ‘ଅଗ୍ର’ ଶବ୍ଦର ପ୍ରାକୃତ ପର୍ଯ୍ୟାୟ ଓଡ଼ିଆରେ ବ୍ୟବହୃତ ‘ଅଗ’ ଶବ୍ଦ ସଙ୍ଗେ ସମାନ । ତେଣୁ ତାହା ସେ ଭାଷାର ଆଦିମ ବ୍ୟବହାରକୁ ସୂଚିତ କରେ । ସର୍ପ ଗୁମ୍ଫା ଓ ପବନ ଗୁମ୍ଫାରେ ବ୍ୟବହୃତ ‘କୋଠା’ ଶବ୍ଦ ସଂସ୍କୃତ ‘କୋଷ୍ଠ’ ବା ‘ପ୍ରକୋଷ୍ଠ’ ସଙ୍ଗେ ତୁଳନୀୟ । ଏବେ ସୁଦ୍ଧା ଓଡ଼ିଆରେ ‘ଗୃହ’ ଅର୍ଥରେ ‘କୋଠା’ ବ୍ୟବହୃତ ହୁଏ । ଖାରବେଳଙ୍କ ହାତୀ ଗୁମ୍ଫା ଶିଳାଲେଖରେ ଯେଉଁ ପ୍ରାକୃତ ଭାଷା ବ୍ୟବହୃତ ହୁଏ । ଖାରବେଳଙ୍କ ହାତୀ ଗୁମ୍ଫା ଶିଲାଳେଖରେ ଯେଉଁ ପ୍ରାକୃତ ଭାଷା ବ୍ୟବହୃତ ହୋଇଅଛି, ସେଥିରେ କେତେକ ଓଡ଼ିଆ ଶବ୍ଦର ପ୍ରୟୋଗ ପରିଦୃଷ୍ଟ ହୁଏ । ଯଥା:-

 

ପ୍ରାକୃତ

ସଂସ୍କୃତ

ବଂସ

ବଂଶ

ସୁଭ

ଶୁଭ

ସିରି

ଶ୍ରୀ

ପନ୍ଦର

ପଞ୍ଚଦଶ

ସରୀର

ଶରୀର

ଦୁତିୟ

ଦ୍ୱିତୀୟ

ଘର

ଗୃହ

ବହ୍ମଣ

ବ୍ରାହ୍ମଣ

ଅଠତିସ

ଅଷ୍ଟତ୍ରିଂଶ

ଏକାଦଶ

ଏକାଦଶ

ରତନ

ରତ୍ନ

ବାର

ଦ୍ୱାଦଶ

ଉତର

ଉତ୍ତର

ହଥୀ

ହସ୍ତୀ

ତେର

ତ୍ରୟୋଦଶ

ପଚ୍ଛିମ

ପଶ୍ଚିମ

ଷଟ୍‌

ସତମ

ସପ୍ତ

ଅଠମ

ଅଷ୍ଟମ

ପବତ

ପର୍ବତ

ପୁତ

ପୁତ୍ର

ସିଳାଥଂବ

ଶିଳାସ୍ତମ୍ଭ

ଚକ

ଚକ୍ର

ସତ

ଶତ

ଦସ

ଦଶ

ଧମ

ଧର୍ମ

ଗୁଣବିସେସ

ଗୁଣବିଶେଷ

ସବ

ସର୍ବ

କୁସଳ

କୁଶଳ

 

ମହାରାଜ ଖାରବେଳଙ୍କ ପରେ ଅଳ୍ପ କେତୋଟି ପ୍ରାକୃତ ଭାଷାରେ ଲେଖା ହୋଇଥିବା ଶିଳାଲେଖ ଓଡ଼ିଶାରୁ ମିଳିଛି । ସେଥି ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ପ୍ରାପ୍ତ ‘ଭଦ୍ରକାଳୀ ମନ୍ଦିର ଶିଳାଲେଖ’ ଉଲ୍ଲେଖଯୋଗ୍ୟ । * ଲିପି-ତତ୍ତ୍ୱ ଦୃଷ୍ଟିରୁ ତାହା ଖ୍ରୀ: ୨ୟ ଶତାବ୍ଦୀ ହୋଇପାରେ । ଠିକ୍‌ ସେତିକିବେଳେ କଳିଙ୍ଗର ଦକ୍ଷିଣ ଭାଗରେ ଇକ୍ଷ୍ୱାକୁବଂଶୀୟ ରାଜାମାନେ ଯେଉଁ ପ୍ରାକୃତ ଭାଷାରେ ତାମ୍ରଶାସନ ଗୁଡ଼ିକ ଲେଖାଇଥିଲେ ସେଥିର ଭାଷା ମଧ୍ୟ କଳିଙ୍ଗରେ ପ୍ରଚଳିତ ତତ୍କାଳୀନ ପ୍ରାକୃତ ଭାଷାର ଅନୂରୁପ ।

 

ପ୍ରାକ୍‌ ମଧ୍ୟଯୁଗରୁ ଆରମ୍ଭକରି ବହୁ ଶତାବ୍ଦୀ ପର୍ଯ୍ୟନ୍ତ ପୂର୍ବ ଭାରତରେ ବର୍ଣ୍ଣମାଳାର ଆକାର ଓ ଲିଖନ ପଦ୍ଧତିରେ ସାମ୍ୟ ଯେପରି ଅକ୍ଷୁର୍ଣ୍ଣ ଥିଲା ଓ କାଳର ପ୍ରସାର ସଙ୍ଗେ ଧୀରେ ଧୀରେ ବିଭିନ୍ନ ଅଞ୍ଚଳରେ ପରିବର୍ତ୍ତନ ସୃଷ୍ଟି ହେଲା, ଠିକ୍‌ ସେପରି ପ୍ରାଚୀନ ମାଗଧୀ-ପ୍ରାକୃତ ଭାରତର ଆଞ୍ଚଳିକ ଭିତ୍ତିରେ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲା । ଖ୍ରୀ: ୭ମ ଶତାବ୍ଦୀ ଶେଷରେ ଓଡ଼ିଶାକୁ ପ୍ରାଜ୍ଞ ନାମକ ଜଣେ ବୌଦ୍ଧ ପଣ୍ଡିତ ଗଣ୍ଡବ୍ୟୂହର ‘ଅବତଂଶକ’ ନାମକ ଗ୍ରନ୍ଥ ଚୀନ ସମ୍ରାଟ ତେ-ଛାଙ୍ଗଙ୍କୁ ଉପଢ଼ୌକନ ଦେଇଥିଲେ । ଯେଉଁ ଭାଷାରେ ତାହା ଲେଖା ଯାଇଥିଲା ତାହା ସେଠାର କେହି ଜଣେ ପଣ୍ଡିତ ବୁଝି ପାରିବାରୁ ଚୀନ ଲୋକଙ୍କପାଇଁ ତାହା ଭାଷାନ୍ତରିତ ତାହା ସେଠାରେ କେହି ଜଣେ ପଣ୍ଡିତ ବୁଝି ପାରିବାରୁ ଚୀନ ଲୋକଙ୍କପାଇଁ ତାହା ଭାଷାନ୍ତରିତ ହୋଇ ପାରିଲା । ଓଡ଼ିଶାର ବହୁ ତାମ୍ରଶାସନରେ ସେତେବେଳେ ଯେଉଁ ଗ୍ରହିତାମାନେ ଭୂମିଦାନ ଗ୍ରହଣ କରି ଏ ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ହୋଇ ରହିଲେ ସେମାନଙ୍କ ମୂଳ ବାସସ୍ଥାନ ଥିଲା ଭାରତର ମଧ୍ୟ ଦେଶ ଓ ପୂର୍ବୋତ୍ତର ଅଞ୍ଚଳ ଯଥା - ଶ୍ରୀବସ୍ତି (୧), ହସ୍ତିପଦ (୨), ଟକ୍‌କ (୩), ପୁଣ୍ଡ୍ରବର୍ଦ୍ଧନ (୪), କୋଳାଞ୍ଚ (୫) ଏବଂ ରାଢ଼ । ସେହି ରାଜ୍ୟମାନଙ୍କରେ ଯେଉଁମାନେ ବାସ କରୁ ଥିଲେ, ତାଙ୍କ କଥିତ ଭାଷାହିଁ ଅଧିକାଂଶ ବୌଦ୍ଧଗ୍ରନ୍ଥରୁ ପ୍ରକଟିତ ହୁଏ । କାରଣ ବୌଦ୍ଧ ଧର୍ମର ପ୍ରଧାନ କେନ୍ଦ୍ରଗୁଡ଼ିକ ସେହି ଅଞ୍ଚଳରେ ଥିବାରୁ ବହୁ ତୀର୍ଥଯାତ୍ରୀ ଓ ପଣ୍ଡିତ ସେଠାରେ ସମବେତ ହେଉଥିଲା । ଏହା ପୂର୍ବରୁ ଆର୍ଯ୍ୟାବର୍ତ୍ତର ନୈଷ୍ଠିକ ସ୍ମୃତିକାର ଏ ଅଞ୍ଚଳ ଯାତ୍ରାପାଇଁ ନିଷିଦ୍ଧ କରିଥିଲେ ସୁଦ୍ଧା, ମଧ୍ୟ-ଯୁଗରେ କେତେକ ବୈଦେଶିକ ବିଧର୍ମୀଙ୍କ ଆଗମନ ଫଳରେ ତାହା କାର୍ଯ୍ୟକାରୀ ହେଲା ନାହିଁ ।

 

(୧)

ମହାଶିବ ଗୁପ୍ତ ଯଯାତିଙ୍କ ପାଟଣା ତାମ୍ରଶାସନ (JBORS, Vol-I (1905)P-7)

 

ମହାଶିବ ଗୁପ୍ତ ଯଯାତି (୨ୟ)ଙ୍କ ତାମ୍ର ଶାସନ (O.H.R.J. Vol XII)ସିଂହଧ୍ୱଜ

 

ରାମଦେବ (ଭୌମକର) ବାଙ୍କି ତାମ୍ରଶାସନ (ଅପ୍ରକାଶିତ)

 

(୨)

ମହାଭବ ଗୁପ୍ତଙ୍କ କୁନ୍ତପଲି ତାମ୍ରଶାସନ (Ep. Ind.,Vol-IV-254)

 

ଜନମେଜୟ ମହାଭବ ଗୁପ୍ତଙ୍କ କାଳିଭାନା ତାମ୍ରଶାସନ (Ind, His.Qr. Vol-XX, P-245)

 

ମହାଶିବ ଗୁପ୍ତ ଯଯାତିଙ୍କ ବଟେସିଙ୍ଗଡ଼ୁଙ୍ଗି ତାମ୍ରଶାସନ (JBORS., Vol-II, P-45)

 

(୩)

ଦଣ୍ଡି ମହାଦେବୀଙ୍କ ଶାନ୍ତିର ଗ୍ରାମ ତାମ୍ରଶାସନ Ep. Ind., XXIX. P-79,

 

(୪)

ଦଣ୍ଡି ମହାଦେବୀଙ୍କ ଅରୁଆଳ ତାମ୍ରଶାସନ (ଅପ୍ରକାଶିତ)

 

(୫)

କରବଂଶୀୟ ମହାରାଜା ସିଂହଧ୍ୱଜଙ୍କ ବାଙ୍କି ତାମ୍ରଶାସନ (ଅପ୍ରକାଶିତ)

 

ଧର୍ମା ମହାଦେବୀଙ୍କ ତାମ୍ରଶାସନ JASB (1915), Vol. XVII, No.3, P-245

 

ଧର୍ମା ମହାଦେବୀଙ୍କ ତାଳଚେର ତାମ୍ରଶାସନ I.H.Q., Vol-XXI, P-213

 

‘ମହାଭାରତ’ ଆଦିପର୍ବ ୧୦୪ ଅଧ୍ୟାୟରେ କଳିଙ୍ଗ ସଙ୍ଗେ ଅଙ୍ଗ, ବଙ୍ଗ ଓ ସୁହ୍ମ ରାଜ୍ୟରେ ଲୋକଙ୍କୁ ଏକତ୍ରିତ କରାଯାଇଛି । ଧର୍ମଶାସ୍ତ୍ରୋକ୍ତ ନିଷେଧାଦେଶ ସତ୍ତ୍ୱେ ବନ-ପର୍ବରେ ପାଣ୍ଡବମାନେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବୈତରଣୀ ଠାରେ ବହୁ ତପସ୍ୱୀ ଓ ସିଦ୍ଧ ପୁରୁଷଙ୍କୁ ଦର୍ଶନ କରି କଳିଙ୍ଗର କେନ୍ଦ୍ରରେ ଥିବା ମହେନ୍ଦ୍ରାଚଳକୁ ଯାତ୍ରା କରିଥିବା ଓ ପବିତ୍ର ବେଦୀ ଆରୋହଣ କରିଥିବା ପ୍ରସଙ୍ଗ ବର୍ଣ୍ଣିତ ହୋଇଅଛି । (ବନପର୍ବ, ପ୍ରଥମ ଅଧ୍ୟାୟ ୪ର୍ଥ)

 

ପ୍ରାକୃତ ଭାଷା ସଙ୍ଗେ ଅର୍ଦ୍ଧମାଗଧୀ ବିକାଶ ଲାଭକରି ଏ ଦେଶର ଭାଷା ଓ ସାହିତ୍ୟକୁ ରୂପ ଦେଉଥିବା ସମୟରେ ଶ୍ରୀବସ୍ତି, ହସ୍ତିପଦ, କୋଳାଞ୍ଚ, ପୁଣ୍ଡ୍ରବର୍ଦ୍ଧନରୁ ବ୍ରାହ୍ମଣ ପଣ୍ଡିତମାନେ ଆସି ଓଡ଼ିଶାରେ ବସତି ସ୍ଥାପନ କଲେ । ତତ୍କାଳୀନ ରାଜ ଦରବାରରେ ସେମାନେ ପ୍ରାଧାନ୍ୟ ବିସ୍ତାର କରିବା ଫଳରେ ବିଭିନ୍ନ ଅଞ୍ଚଳରେ ସାହିତ୍ୟ ଏ ଦେଶର ଭାଷାକୁ ପରିପୁଷ୍ଟ କଲା । କିନ୍ତୁ ପ୍ରାକୃତ ଭାଷାରେ ଲିଖିତ ଗ୍ରନ୍ଥଗୁଡ଼ିକ ମଧ୍ୟଯୁଗରେ ଓଡ଼ିଶାରୁ ବିଲୁପ୍ତ ହୋଇଗଲା । ଯେତେବେଳେ ସଂସ୍କୃତ ସଙ୍ଗେ ବ୍ରାହ୍ମଣ୍ ଧର୍ମର ପୁନରୁତ୍‌ଥାନ ହୋଇ ବୌଦ୍ଧଧର୍ମର ପତନ ଯୁଗ ଆରମ୍ଭ ହେଲା, ପୁର୍ବ ଭାରତର କର୍ଣ୍ଣ ସୁବର୍ଣ୍ଣର ମହାରାଜା ଶଶାଙ୍କ ପୂର୍ବଉପକୂଳଠାରୁ ଗଙ୍ଗା ପର୍ଯ୍ୟନ୍ତ ସମସ୍ତ ବୌଦ୍ଧ ମନ୍ଦିର ବିଧ୍ୱସ୍ତ କରିଥିଲେ । ଏ ପ୍ରସଙ୍ଗ ‘ଆର୍ଯ୍ୟ ମଞ୍ଜୁଶ୍ରୀମୁଳ କଳ୍ପ’ ନାମକ ବୌଦ୍ଧଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି । ଶଶାଙ୍କ ରାଜାଙ୍କ ପ୍ରଭୁତ୍ୱ ଗଞ୍ଜାମର ମହେନ୍ଦ୍ରାଚଳ ପର୍ଯ୍ୟନ୍ତ (କୋଙ୍ଗଦ) ବିସ୍ତାର ଲାଭ କରିଥିବାରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବହୁସଂଖ୍ୟାରେ ବୌଦ୍ଧ ମନ୍ଦିରକୁ ଶୈବ ମନ୍ଦିରରେ ପରିଣତ କରାଗଲା ।

 

ଶୈଳୋଦ୍‌ଭବ, ଭୌମକର, ସାମ ଓ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ସଂସ୍କୃତରେ ତତ୍କାଳୀନ ସାହିତ୍ୟ ଯଥେଷ୍ଟ ପରିମାଣରେ ସମୃଦ୍ଧ ହେବାକୁ ପ୍ରାକୃତ ଭାଷାକୁ ଏ ଦେଶର ପଣ୍ଡିତମାନେ ଘୃଣା ଓ ତାତ୍ସଲ୍ୟ କଲେ । ସମ୍ଭବତଃ ଖ୍ରୀ: ୧୫ଶ ଶତାବ୍ଦୀରେ ଓଡ଼ିଶାର ଆଦିକବି ସାରଳା ଦାସଙ୍କ ପର୍ଯ୍ୟନ୍ତ ପ୍ରାକୃତ ଭାଷାରେ ପୁରାଣ ଓ ଧର୍ମଗ୍ରନ୍ଥ ଲେଖିବାକୁ ଓଡ଼ିଶାର କେହି ସାହସ କଲେ ନାହିଁ । ରାଜକୀୟ ଶାସନ ବ୍ୟାପାରରେ ସଂସ୍କୃତ ଭାଷାହିଁ ମୁଖ୍ୟସ୍ଥାନ ଅଧିକାର କଲା । କିନ୍ତୁ ପଣ୍ଡିତ, କେହି ହେଲେ ଉଚ୍ଛେଦ କରି ପାରିଲେ ନାହିଁ । ସେ ହେଉଛି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର; ସେଥିରେ ଶ୍ରୀ ଜଗନ୍ନାଥ ନୀତି ନିୟମ ସଂଯୁକ୍ତ ଯାବତୀୟ ବିଷମ ମାଦଳାପାଞ୍ଜିରେ ଲେଖା ହୋଇ ଏ ଦେଶର ନିତ୍ୟ ବ୍ୟବହୃତ ପ୍ରାକୃତ ଭାଷାକୁ ଚିରନ୍ତନ କଲା । ଅତ୍ୟନ୍ତ ପରିତାପର ବିଷୟ; ବିଭିନ୍ନ ଧର୍ମାବଲମ୍ବୀଙ୍କ ଅତ୍ୟାଚାର ଫଳରେ ମୂଳ ‘ମାଦଳାପାଞ୍ଜି’ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇ ତା’ ସ୍ଥାନରେ ଗୋଟିଏ କିମ୍ବଦନ୍ତୀ ଭିତ୍ତିକ ‘ମାଦଳା’ ପରବର୍ତ୍ତୀ କାଳରେ ଆତ୍ମ ପ୍ରକାଶ କରି ଐତିହାସିକଙ୍କୁ ବିଭ୍ରାନ୍ତ କରୁଛି ।

 

ନେପାଳ ଦରବାର ଲାଇବ୍ରେରୀରୁ ୧୯୦୦ ମସିହାରେ ମହା ମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଯେଉଁ ‘‘ବୌଦ୍ଧଗାନ ଓ ଦୋହାଁ’’ ପୁଣି ଚର୍ଯ୍ୟାଗୀତିଗୁଡ଼ିକ ସଂଗ୍ରହ କରି ୧୯୧୦ରେ ପ୍ରକାଶ କଲେ, ତାହା ପୂର୍ବ ଭାରତୀୟ ଭାଷାମାନଙ୍କର, ସମ୍ମୁଖରେ ବହୁ ସମସ୍ୟା ସୃଷ୍ଟି କରିଛି । ପଣ୍ଡିତମାନେ ଏ ସମ୍ବନ୍ଧେ ଗବେଷଣା କରି ବିଭିନ୍ନ ମତ ପ୍ରକାଶ କରିଅଛନ୍ତି । କେତେକଙ୍କ ମତରେ ତାହା ମୈଥିଳୀ* କିମ୍ବା ବଙ୍ଗୀୟଭାଷାର ଆଦିମସ୍ୱରୂପ । କିନ୍ତୁ ପରିତାପର, ବିଷୟ ତାଙ୍କ ମଧ୍ୟରୁ ଅଧିକାଂଶ ବୋଧହୁଏ ବିଚାର କରି ନଥିଲେ ଯେ ପୂର୍ବ ଭାରତର ପ୍ରଚଳିତ ପ୍ରାକୃତ ଭାଷା ଅର୍ଥାତ୍‌ ମାଗଧୀ-ପ୍ରାକୃତହିଁ ଚର୍ଯ୍ୟାଗୀତି ଏବଂ ‘ବୌଦ୍ଧଗାନ ଓ ଦୋହାଁ’ ଲେଖା ହେବା ସମୟରେ ମୂଳ ଅର୍ଦ୍ଧ-ମାଗଧୀରେ ପ୍ରାଦେଶିକ ଭେଦ ସୃଷ୍ଟି କରିଥିବାରୁ ବିଭିନ୍ନ ଅଞ୍ଚଳର ସୁପ୍ରିସିଦ୍ଧ ଗୁରୁ ବା ସପଂପ୍ରଦାୟଙ୍କଦ୍ୱାରା ଲେଖା ଯାଇଥିବା ଗାନଗୁଡ଼ିକ ପରବର୍ତ୍ତୀକାଳରେ ଏକତ୍ରିତ କରି ଗୋଟିଏ ବା କେତୋଟି ଗ୍ରନ୍ଥରେ ସୁରକ୍ଷିତ କରା ଯାଇଥିଲା । ଏ ଦୃଷ୍ଟିରୁ ବିଚାର କଲେ ସେଥିରେ ଭାଷା ତଥ୍ୟ ଓ ସେ ସମ୍ପର୍କୀୟ ନିର୍ଦ୍ଦିଷ୍ଟ ଦିଗ ଆମ୍ଭେ ପାଇ ପାରନ୍ତୁ । ଏହା ବ୍ୟତୀତ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳର ପ୍ରଚଳିତ ଭାଷାକୁ ଆଧାର କରି ସେଥିର କେଉଁ କେଉଁ ଅଂଶ ପ୍ରଣୀତ ହୋଇଛି ସେ ବିଷୟ ମଧ୍ୟ ଆବିଷ୍କୃତ ହୋଇ ପାରନ୍ତା । ଉଦାହରଣସ୍ୱରୂପ ଶବରୀପା ଓ ପର୍ଣ୍ଣଶବରୀ* ନାମକ ଯେଉଁ ଆଦିମଜାତି ଓଡ଼ିଶାରେ ବାସ କରନ୍ତି ସେମାନେ ଅନ୍ୟତ୍ର ଦେଖାଯାନ୍ତି ନାହିଁ । ତେଣୁ ତତ୍କାଳୀନ ସମାଜରେ ନିମ୍ନ ଶ୍ରେଣୀରେ ଥିବା ଜାତିମାନଙ୍କୁ ଲକ୍ଷ୍ୟ କରି କେତେକ ସାଧାରଣ ଗାନ ସାହାଯ୍ୟରେ ତାଙ୍କୁ ଧର୍ମ ପ୍ରତି ଆକୃଷ୍ଟ କରିବା ରୀତି ବୌଦ୍ଧଚାର୍ଯ୍ୟମାନଙ୍କଦ୍ୱାରା ଗୃହୀତ ହୋଇଥିଲା-। ଡା: କରୁଣାକର ତାଙ୍କ ଗବେଷଣାତ୍ମକ ପୁସ୍ତକରେ ଏ ସମ୍ବନ୍ଧେ ବହୁ ପ୍ରମାଣ ଦେଇ ସାବ୍ୟସ୍ତ କରିଛନ୍ତି ଯେ ବୌଦ୍ଧଗାନ ଓ ଦୋହାଁର ଭାଷାରେ ଓଡ଼ିଆ ଭାଷାର ଆଦିମସ୍ୱରୂପ ଚିହ୍ନିତ ହୁଏ । ସେପରି ଜେ.କେ. ମିଶ୍ର ତାଙ୍କୁ ମୈଥିଳୀ ବୋଲି ଦାବୀ କରନ୍ତି । ଡା: ଏସ୍‌. କେ. ଚାଟାର୍ଜୀ ପ୍ରମୁଖ ବଙ୍ଗୀୟ ପଣ୍ଡିତମାନେ ବଙ୍ଗ ଭାଷାର ତାହା ମୂଳ ବୋଲି ମଧ୍ୟ କହନ୍ତି । ଏଠାରେ ଚର୍ଯ୍ୟାଗୀତିରେ ଗୋଟିଏ ଦୁଇଟି ଉଦାହରଣ ଦିଆଯାଇ ପାରେ-

 

(ଡୋମ୍ବି-ଚର୍ଯ୍ୟା)

ନଗର ବାହିରେ ରେ ଡୋମ୍ବି ତୋହରି କୁଡ଼ିଆ

ଛୋଇ ଛୋଇ ଜାହି ସୋ ବ୍ରାହ୍ମଣ ନାଡ଼ିଆ

 

ଓଡ଼ିଆ ରୂପାନ୍ତର-

ନଗର ବାହିରେ ରେ ଡୋମ୍ବି ତୋହରି କୁଡ଼ିଆ

ଛୁଇଁ ଛୁଇଁ ଯାଏ ସେ ବ୍ରାହ୍ମଣ ନାଣ୍ଡିଆ*

 

(ଶବରୀ ଶବରୀ ପ୍ରେମଚର୍ଯ୍ୟା)

ଉଁଚା ଉଁଚା ପାବତ ତହିଁ ବସଇ ଶବରୀ ବାଳୀ

ମୋ ରଙ୍ଗୀ ପିଛ ପରହିଣ ସବରୀ ଗୀବତ ଗୁଞ୍ଜରୀ ମାଳୀ

 

ଉଁଚା ଉଁଚା ପର୍ବତ ତହିଁ ବସଇ ଶବରୀ ବାଳୀ

ମୟୁର ପୁଚ୍ଛ ପରହିଣ ଶବରୀ ଗ୍ରୀବାରେ ଗୁଞ୍ଜରା ମାଳୀ ।*

 

*

Dr. J.K.Mishra, History of the Maithali Literature Pt I

*

Dr. S.K.Chatterjee, Origin and Developement of Bengali Language

*

Origin of Parnasabari, Indian Antiquary, Vol LI P-143

*

ଅଧ୍ୟାପକ ଖଗେଶ୍ୱର ମହାପାତ୍ର, ‘ଚର୍ଯାଗୀତିକା’ ପୃ-୧୪୪ ।

*

ଅଧ୍ୟାପକ ଖଗେଶ୍ୱର ମହାପାତ୍ର ‘ଚର୍ଯାଗୀତିକା’ ପୃ-୧୧୮

 

ଶବର, ହାଡ଼ି, ରେଲି ବା ଚାଚିଡ଼ି, ଡ଼ମ୍ବ ଓ ପାଣ ଜାତିରେ ଏବେ ସୁଦ୍ଧା ଯେଉଁ ପ୍ରାକୃତ ଭାଷା ପ୍ରଚଳିତ ହେଉଛି, ସେଥିରେ ଚର୍ଯ୍ୟାଗୀତିର ବହୁ ଶବ୍ଦର ସାମଞ୍ଜସ୍ୟ ଥିବା ଜଣାଯାଏ । ଦକ୍ଷିଣ-ଓଡ଼ିଶାରେ ଡୁମ୍ବ ବା ପାଣ ଏବଂ ରେଲି ବା ଚାଚିଡ଼ି ଜାତି ସେମାନଙ୍କ ମଧ୍ୟରେ ଯେପରି ପ୍ରାକୃତ ଶବ୍ଦ ପ୍ରୟୋଗ କରି କଥା କହନ୍ତି, ତାହା ଅନ୍ୟାନ୍ୟ ଅଞ୍ଚଳର ଓଡ଼ିଆଙ୍କ ପକ୍ଷରେ ବୁଝିବା ମଧ୍ୟ କଷ୍ଟକର । ଅଥଚ ସେମାନଙ୍କ କଥିତ ଭାଷାରେ ତୈଲଙ୍ଗ କିମ୍ବା ଅନ୍ୟ କେଉଁ ଭାରତୀୟ ଭାଷାର ପ୍ରଭାବ ପଡ଼ିନାହିଁ । ଏଣୁ ଚର୍ଯ୍ୟାଗୀତି ତଥା ବୌଦ୍ଧଗାନ ଓ ଦୋହାଁର ଭାଷା ସଙ୍ଗେ ସେହି ଅନୁନ୍ନତ ଶ୍ରେଣୀୟ ଲୋକଙ୍କ ଭାଷାକୁ ତୁଳନାତ୍ମକ ଭାବେ ଅନୁଶୀଳନ କଲେ ବହୁ ନୂତନ ତଥ୍ୟ ପ୍ରକାଶ ପାଇପାରେ । ମନେ ରଖିବାକୁ ହେବ ଯେ ଆଧୁନିକ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ସେମାନେ ତାଙ୍କର ପ୍ରାଚୀନ ପ୍ରଚଳିତ ଭାଷା ଧୀରେ ଧୀରେ ଭୁଲିବାକୁ ଆରମ୍ଭ କଲେଣି । ତେଣୁ ସେମାନଙ୍କ କଥିତ ଭାଷାକୋଷ ଶୀଘ୍ର ଲେଖିବା ଆବଶ୍ୟକ ।

 

ଖ୍ରୀ. ୭ମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ଯେଉଁ ସମୟରେ କୋଙ୍ଗଦ ଓ କଳିଙ୍ଗରେ ପ୍ରବିଷ୍ଟ ହୋଇ ସେଠାରେ ଭାଷା ସମ୍ବନ୍ଧେ ଲେଖିଲେ, –କୋଙ୍ଗଦର ଲୋକେ ଉତ୍ତର ଭାରତୀୟଙ୍କ ପରି ଭାଷା କହନ୍ତି ଏବଂ କଳିଙ୍ଗର ଲୋକେ ଯେଉଁ ଭାଷା ବ୍ୟବହାର କରନ୍ତି ତାହା ଶୀଘ୍ର ଓ ସ୍ପଷ୍ଟରୂପେ ଉଚ୍ଚାରିତ ହୋଇଥାଏ । ଆଧୁନିକ ପୁରୀ ଓ ଗଞ୍ଜାମର ଉତ୍ତାରଞ୍ଚଳକୁ ମିଶାଇ ‘କୋଙ୍ଗଦ’ ଗୋଟିଏ କ୍ଷୁଦ୍ର ରାଜ୍ୟ ଥିଲା ଏବଂ ଶୈଳୋଦ୍ଭବ ବଂଶୀୟ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ତାଙ୍କ ରାଜ୍ୟରେ ବହୁ ଲବ୍‌ଧ ପ୍ରତିଷ୍ଠିତ ସଂସ୍କୃତ ପଣ୍ଡିତଙ୍କ ଅବସ୍ଥିତି ହେତୁ ସେଠାରେ ସଂସ୍କୃତ ବହୁଳ ପ୍ରାକୃତ ଭାଷାର ବ୍ୟବହାର ହେଉଥିଲା । ତେଣୁ ଉତ୍ତର-ଭାରତର ଭାଷା ସଙ୍ଗେ ହୁଏନ୍‌ସାଂ ତାହା ତୁଳନୀୟ ବୋଲି ଲେଖିଲେ । କିନ୍ତୁ କୋଙ୍ଗଦରୁ ଦକ୍ଷିଣକୁ ଯାଇ ସେ ଯେଉଁ ପ୍ରାକୃତ ଭାଷା ଲୋକଙ୍କ ମୁହଁରୁ ଶୁଣିଲେ ତାହା ସ୍ପଷ୍ଟ ଓ କ୍ଷିପ୍ର ଭାବେ ଉଚ୍ଚାରିତ ହେବା କଥା ସେ ଲେଖି ଅଛନ୍ତି । ଏହାହିଁ ନିଶ୍ଚିତଭାବେ କଳିଙ୍ଗରେ ପ୍ରଚଳିତ ପ୍ରାକୃତ ଭାଷା, ଯେଉଁ ଭାଷାର ଶବ୍ଦାବଳୀ କେବେ କେବେ ପ୍ରାଚୀନ ତାମ୍ର-ଶାସନମାନଙ୍କରେ ଆତ୍ମପ୍ରକାଶ କରିଛି । କେତୋଟି ତାମ୍ରଶାସନକୁ ଅବଲମ୍ବନ କରି ନିମ୍ନରେ ସେହି ଶବ୍ଦ ସମୂହର ନମୁନାରୂପେ ଏକ ତାଲିକା ଦିଆଗଲା:-

 

ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀ ପୂର୍ବର ଅଭିଲେଖମାନଙ୍କରେ କେତେକ ପ୍ରାକୃତ ଶବ୍ଦ ପରିଦୃଷ୍ଟ ହୁଏ । ପ୍ରାଚୀନ ତାମ୍ର ଶାସନରେ ପ୍ରୟୋଗ ହୋଇଥିବା ଓଡ଼ିଆ ଶବ୍ଦର କେତୋଟି ନମୁନା:-

 

(୧) ଶୈଳୋଦ୍ଭବ ବଂଶୀୟ ମହାରାଜ ଧର୍ମରାଜଙ୍କ ନିବିନା ତାମ୍ରଶାସନ- (Ep-Ind., vol. XXI, P-24)

 

ଆଡ଼ିପା-ପାଦି

?

ବଣରାଇ

ବନରାଜି

ଉତ୍ତର କୋଣେହି

ଉତ୍ତର କୋଣେଽପି

ପୂବ

ପୂର୍ବ

ଦଖିଣ

ଦକ୍ଷିଣ

ପୁବଦିସହି

ପୂର୍ବ-ଦକ୍ଷିଣ-କୋଣେଽପି

ବାଘ ଗୁହ

ବ୍ୟାଘ୍ର ଗୃହ

ପବଦିସିଳ

ପର୍ବତ ଶିଳା

ଗାଡ଼ି

ପ୍ରସ୍ରବଣ

ତାମ୍ବ୍ର

ତାମ୍ର

ବଂସ

ବଂଶ

 

(୨) ପ୍ରାଚୀନ ଗଙ୍ଗାବଂଶୀୟ ମହାରାଜା ବଜ୍ରହସ୍ତଙ୍କ ତାମ୍ର ଶାସନ (Ep. Ind., vol III, p-220)

 

ଓଡ଼ି ବିସଈ

ଓଡ୍ର-ବିଷୟୀ

ବିଦଗଧ

ବିଦଗ୍‌ଧ

ଇନ୍ଦନନ୍ଦଣ

ଇନ୍ଦ୍ର ନନ୍ଦନ

ସାହାସ

ଶ୍ରାହି

ମିଳନ୍ତ ଦିନ

ମିଳନ ଦିବସ

ଗାମ

ଗ୍ରାମ

ଗଡ଼୍‌ଡ଼ି

ପ୍ରଶ୍ରବଣ

 

(୩) ଗଙ୍ଗାବଂଶୀ ମଧୁକାମାର୍ଣ୍ଣବଙ୍କ ତାମ୍ର ଶାସନ (JBORS., XVIII, P-272)

 

ଗାଡ଼

ଗର୍ଭ

ବଡ଼

ବୃହତ୍‌

ଦୋଳି

ଦୋଳା

ଯୋଡ଼ୀ ଭୋଇ

ଭାରବାହକ ଦ୍ୱୟ

ବେଣ୍ଟ

ପାରିଧି

ଚୁନ ଗୋଡ଼ି କୂପ

ଚୂର୍ଣ୍ଣୋପଳ କୂପମ୍‌

ଉତିକିରିତ

ଉତ୍କୀରିତମ୍‌

 

(୪) କଦମ୍ବବଂଶୀ ରାଜା ଉଦୟଖେଡ଼ିଙ୍କ ତାମ୍ର ଶାସନ- (JBORS., Vol-XXXV, P-i)

 

ଅଖେୟ ବଟ

ଅକ୍ଷୟ ବଟ

ଦେଢ଼ ବୃତି

ଅର୍ଦ୍ଧାଧିକ ମେକ-ବୃତ୍ତିଂ

ଦତ

ଦତ୍ତ

 

(୫) କଦମ୍ବ ବଂଶୀ ଭୀମ ଖେଡ଼ିଙ୍କ ତାମ୍ରଶାସନ (E.I., XXXI, P-45)

 

ଭିତରେ

ଅଭ୍ୟନ୍ତରରେ

ସଟିଂବରୀସ

ଷଷ୍ଠିଂ ବର୍ଷ

ଦିସା

ଦିଶଂ

ପାଥର

ପ୍ରସ୍ତର

ଛେଳ

ଶୈଳ

ସୀଳା

ଶିଳା

ନୌଳିୟାକଟାକୀ

ନୌବାହକ-କଟକ

ଇସାନ

ଐଶାନ୍ୟ

 

(୬) କଦମ୍ବ ବଂଶୀ ଉଦୟାଦିତ୍ୟଙ୍କ ତାମ୍ରଶାସନ (J.Bom. His So. Vol-IV, P-27)

 

ବୃକ୍ଷ ତଳେ

ବୃକ୍ଷ ପାଦେ

ସୀଳା

ଶିଳା

ମାଡ଼ ଦୁଇ

ଦ୍ୱିମାଢ଼ଂ

ଦୋଳୀ

ଦୋଳା

ବଡ଼ ବେଂଟ

ବୃହତ୍‌ ପାରିଧି

ଦୁଇଜଣକ

ଦ୍ୱୟେ

 

(୭) ପୂର୍ବ ଗଙ୍ଗାବଂଶୀ ଅନନ୍ତବର୍ମ (ଗଙ୍ଗାବ୍ଦ ୩୫୮)ଙ୍କ ତାମ୍ର ଶାସନ- (E.I., XXVI, P-17)

 

ଉପାଜିତଂ

ଉପାର୍ଜିତଂ

ସୂର୍ଜ ଗ୍ରହୋପରଗେ

ସୂର୍ଯ୍ୟଗ୍ରହୋପରାଗେ

ଦେବଣ

ଦେବନ

ସଦ ହଳ ଭୂମି

ଷଟ୍‌ହଳ ପରିମିତ ଭୂମିଂ

ସଂବଚ୍ଛର

ସଂବତ୍ସର

 

(୮) କଦମ୍ବବଂଶୀ ଧର୍ମ ଖେଡ଼ିଙ୍କ ମଞ୍ଜୁଷା ତାମ୍ର ଶାସନ       (JBORS., XVII, P-175)

 

ପଞ୍ଚପାତ୍ର ବୀସୟ

ପଞ୍ଚପାତ୍ର ବିଷୟ

ମଝି ପଥର ଖଣ୍ଡ

ମଧ୍ୟ ପ୍ରସ୍ତର ଖଣ୍ଡଂ

ଜଣକ

ଏକ ବ୍ୟକ୍ତିଂ

ତମ୍ବ୍ର

ତାମ୍ର

କାରାମୁଳ

?

ଉଭାଇ

ଉଭୟ

ଗାଡ଼ା

ପ୍ରସ୍ରବଣ

ଭିତରୁ

ଅଭ୍ୟନ୍ତରାତ୍‌

ପନ୍ଦର

ପଞ୍ଚଦଶ

 

(୯) ଭୌମକରବଂଶୀୟା ରାଣୀ ଦଣ୍ଡି ମହାଦେବୀଙ୍କର କୁମୁରଙ୍ଗା ତାମ୍ରଶାସନ (JBORS vol-v, P-564)ରେ ଗ୍ରାମର ସୀମାନିର୍ଦ୍ଦେଶ କରିବାକୁ ଯାଇ ‘ପାହାଡ଼’ ସ୍ଥାନରେ ‘ପୟାଡ଼’ ଶବ୍ଦ ବ୍ୟବହୃତ ହୋଇଅଛି । ସେପରି ବକୁଳ ମହାଦେବୀଙ୍କ ତାମ୍ରଶାସନ (EP-Ind, vol-xxxvi, P-307)ରେ ‘ବ୍ରାହ୍ମଣ’ ସ୍ଥାନରେ ‘ବାହ୍ମାଣ’ ପ୍ରାକୃତ ଶବ୍ଦ ବ୍ୟବହୃତ ହୋଇଅଛି ।

 

ସର୍ବପ୍ରଥମ ଓଡ଼ିଆ ଭାଷା ବାଲେଶ୍ୱର ଜିଲ୍ଲାର ଗଣ୍ଡିବେଢ଼ରୁ ଆବିଷ୍କୃତ କୁମାର ସେଣଙ୍କ ପ୍ରସ୍ତର ମୂର୍ତ୍ତି ତଳେ ଖୋଦିତ ହୋଇଥିବା ଦୁଇପଂକ୍ତି ଶିଳାଲେଖରୁ ପ୍ରକଟିତ ହୋଇଛି* । ଖ୍ରୀ.୧୦ମ ୧୧ଶ ଶତାବ୍ଦୀରେ ବ୍ୟବହୃତ ଅକ୍ଷରରେ ନିମ୍ନପ୍ରକାରେ ସେଥିରେ ଲେଖା ଯାଇଛି-

 

‘‘ଦେବ ଦହି ଭଗତି କରୁଣ

ଅଛନ୍ତି ଭୋ କୁମାର ସେଣ’’ ।

 

*

O.H.R.J. Vol II, No-2, PP21-22ff.

 

ଏହା ଓଡ଼ିଆ ପଦ୍ୟରେ ରଚିତ ଦୁଇଟି ପଂକ୍ତି ମାତ୍ର । ସେହି ଲିପିଟି ପ୍ରକାଶ କରିବାକୁ ଯାଇ ଏ ଲେଖକ ଦର୍ଶାଇଛନ୍ତି, ଉଗ୍ରାଦିତ୍ରଙ୍କ ‘କଲ୍ୟାଣ-କାରିକା’ ନାମକ ଗୋଟିଏ ଆୟୁର୍ବେଦ ଗ୍ରନ୍ଥର ପରିଶିଷ୍ଟାଧ୍ୟାୟରେ ଉଗ୍ରାଦିତ୍ୟ ନିଜକୁ ଜଣେ ମହାଗୁରୁ ପଣ୍ଡିତ, ମୁନୀନ୍ଦ୍ର ଓ ପୁସ୍ତକ ଗଛ ବୋଲି କହି ଅଛନ୍ତି । ସେ ‘କୁନ୍ଦ କୁନ୍ଦ’ କୁଳରେ ଜନ୍ମଲାଭ କରିଥିଲେ । ଓଡ଼ିଶାର ଭୌମବଂଶୀୟ ରାଣୀ ଦଣ୍ଡି ମହାଦେବୀଙ୍କ ସନ୍ଧିବିଗ୍ରହୀ (ମନ୍ତ୍ରୀରୂପେ) ଉଗ୍ରାଦିତ୍ୟ ନିଯୁକ୍ତ ହୋଇଥିବା ପ୍ରସଙ୍ଗ ତାଙ୍କ ଗଞ୍ଜାମ ତାମ୍ର ଶାସନରେ ଉଲ୍ଲେଖ ଅଛି* । ଦଣ୍ଡି-ମହାଦେବୀ ଭୌମାବ୍ଦ ୧୮୦, ଅର୍ଥାତ୍‌ ଖ୍ରୀ:(୧୮୦+୭୩୬=) ୯୧୬ରେ* ସେହି ତାମ୍ର ଶାସନ ଦାନ କରିଥିଲେ । ଯଦି ‘କଲ୍ୟାଣ କାରିକା’ ଗ୍ରନ୍ଥକର୍ତ୍ତାଙ୍କୁ ଦଣ୍ଡି ମହାଦେବୀଙ୍କ ସନ୍ଧିବିଗ୍ରହୀ ଉଗ୍ରାଦିତ୍ୟଙ୍କ ସଙ୍ଗେ ଚିହ୍ନିତ କରାଯାଏ, ତେବେ ସେ ସମୟରେ କିମ୍ବା ତତ୍‍ପୂର୍ବରୁ କୁମାରଷେଣ ଜୀବିତ ଥିବା ସମ୍ଭବ । ଏଣୁ ତାଙ୍କ ସମୟ ଖ୍ରୀ. ୧୦ମ ଶତାବ୍ଦୀ ଆରମ୍ଭ କାଳରେ ନିର୍ଦ୍ଦେଶ କରିବା ସମୀଚୀନ । ଉପରୋକ୍ତ ଶିଳାଲେଖ ଠିକ୍‌ ସେହି ସମୟର ବୋଲି ଲିପିତତ୍ତ୍ୱ ଦୃଷ୍ଟିରୁ ପ୍ରମାଣିତ ହେଉଛି । ସୁତରାଂ ଓଡ଼ିଆ ଭାଷା ଏବଂ ସେଥିରେ ନବାକ୍ଷରୀ ଛନ୍ଦର ଉତ୍ପତ୍ତି କାଳ ଖ୍ରୀଷ୍ଟୀୟ ନବମ ଶତାବ୍ଦୀକୁ ନିର୍ଦ୍ଦେଶ କଲେ ବୋଧହୁଏ ଅଯୌକ୍ତିକ ହେବ ନାହିଁ ।

 

*.

Ep. Ind. Vol-V1 P-133-140ff.

*

ଭୌମାବ୍ଦର ଆରମ୍ଭକାଳ ଖ୍ରୀ ୭୩୬ରେ ହୋଇଥିବା ଜଣାଯାଏ ।

 

ତାମ୍ର ଓ ଶିଳାଶାସନମାନଙ୍କରେ କେବେ କେବେ ଓଡ଼ିଆ ଶବ୍ଦ ବ୍ୟବହାର କରାଯାଇଥିଲେ ସୁଦ୍ଧା ରାଜକୀୟ ଦପ୍ତରରେ ସଂସ୍କୃତହିଁ ମୁଖ୍ୟ ଭାଗ ନେଇଥିଲା । କିନ୍ତୁ ଗଙ୍ଗବଂଶୀୟ ମହାରାଜ ଚତୁର୍ଥ ନରସିଂହ ଦେବ ତାଙ୍କର କେନ୍ଦୁଳୀ* ତାମ୍ର ଶାସନରେ ଦାନ ସମ୍ପର୍କରେ ସର୍ବପ୍ରଥମେ ଓଡ଼ିଆ ଭାଷା ପ୍ରଚଳନ କଲେ । ଏହା ୧୩୦୫ ଶକାବ୍ଦ (ଖ୍ରୀ ୧୩୮୩)ରେ ଖୋଦିତ ହୋଇଅଛି । ସେଥିରେ ବ୍ୟବହୃତ ଓଡ଼ିଆ ଭାଷାର ନମୂନା ନିମ୍ନରେ ଦିଆଗଲା-

 

*.

O.H.R.J., Vol V. No-1, PP-42-44

 

‘‘ବାରାଣସି କଟକେ ଶୁଭ ବେଦକ* ସମୟେ ଶ୍ରୀଚରଣେ ଭିତର ନବର କନ୍ୟାମଣ୍ଡପ ବାଙ୍କିଆଏ* ବିଜୟ ସମୟେ ଦୁଆର ପରୀକ୍ଷ ଗଡ଼େଶ୍ୱର ଜେନା ବୁଢ଼ା ଲେଙ୍କା ଲାଣ୍ଡୁ ସନି ମିଶ୍ର ଭଣ୍ଡୁରିଆ ଥାଉ ପୋର ପରୀକ୍ଷା ମହାପାତ୍ର ନରେନ୍ଦ୍ର ଦେବ ଚକ୍ରବର୍ତ୍ତି....ମୁଦଲେନ ମହାପାତ୍ର ନରହରି ଦାସ ପ୍ରହରାଜ-କଇ କିନରି ଗ୍ରାମର ନାମ ବିଜୟ ନରସିଂହପୁର ଚତୁଃସୀମା ସମାକ୍ରାନ୍ତ ଦାସ ପ୍ରହରାଜ-କଇ କିନରି ଗ୍ରାମର ନାମ ବିଜୟ ନରସିଂହପୁର ଚତୁଃସୀମା ସମାକ୍ରାନ୍ତ ଶାସନ କରି ଦେଷ୍ୟା କଲା ସ୍ମର ଉତ୍ତର ଚତୁଃସୀମା କିନରି ଗ୍ରାମର ନାମ ବିଜୟ ନରସିଂହପୁର । ରାଉତପଡ଼ା ପାଖର ର ସମ୍ୱନ୍ଧ ଚିଆରିସ ପଞ୍ଚାସ ମାଢ଼ ୪୫୦ ବ୍ରିହି ଅଂବଦାନ ମଧ୍ୟ କରି ଜିତ ନଅସ ୯୦୦ ମାଢ଼ କଇ ପୋରୋ-ଶ୍ରୀକରଣ ବଡ଼ ଦାସୀ ମହା ସେନାପତିର ସୀମାକଲା ପ୍ରମାଣେ....’’ ଇତ୍ୟାଦି ।

 

*

‘ଶୁଭ-ବେଦକ’ ଶବ୍ଦର ଅର୍ଥ ଠିକ୍‌ ଜଣା ଯାଉନାହିଁ । କିନ୍ତୁ ଏହା ‘ଅନୁକୂଳ ବା ‘ଶୁଭ ବୋଧକ’ ଅର୍ଥରେ ପ୍ରଯୁକ୍ତ ହୋଇଥିବା ସମ୍ଭବ ।

*

‘ବାଙ୍କିଆଏ’ ଶବ୍ଦଟି ଓଡ଼ିଶାରେ ତାତ୍କାଳୀନ ପ୍ରାକୃତ, କିନ୍ତୁ ସେଥିର ପ୍ରକୃତ ଅର୍ଥ ଦୁର୍ବୋଧ୍ୟ । ବୋଧହୁଏ ମଣ୍ଡପର କେଉଁ ଅଂଶକୁ ଲକ୍ଷ୍ୟ କରି ଏହା ବ୍ୟବହୃତ ହୋଇଛି ।

 

ଖ୍ରୀଷ୍ଟ ଚତୁର୍ଦ୍ଦଶ ଶତାବ୍ଦୀ ଶେଷ ଭାଗରେ ରାଜକୀୟ ଦଲିଲ୍‌ ପତ୍ର ଓଡ଼ିଆରେ ଲେଖା ହେବା ବ୍ୟବସ୍ଥା ଓଡ଼ିଶାରେ ଗଙ୍ଗବଂଶୀୟ ମହାରାଜ ଚତୁର୍ଥ ନରସିଂହ ଦେବ ପ୍ରବର୍ତ୍ତିତ କଲେ ।

 

ସୂର୍ଯ୍ୟବଂଶୀୟ ମହାରାଜ କପିଳେନ୍ଦ୍ରଦେବ ତାଙ୍କ ରାଜ୍ୟର ଚତୁର୍ଦ୍ଦିଗରେ ଓଡ଼ିଆ ଭାଷାର ପ୍ରସାର କରିଥିବା ଜଣାଯାଏ । ସେତେବେଳେ କେତେକ ନୂତନ ରୀତି ଓଡ଼ିଆ ଶବ୍ଦରେ ପ୍ରବର୍ତ୍ତିତ ହୋଇଥିଲା । ଦୀର୍ଘ ଶବ୍ଦକୁ ସଂକୁଚିତ କରି ଲେଖିବା ପଦ୍ଧତି ଅନୁସୃତ ହେବା ନିଦର୍ଶନ କେତେକ ଶିଳାଲେଖରୁ ମିଳେ । ଯଥା-‘ଗଜପତି’ ସ୍ଥାନରେ ‘ଗଜପ୍ତି’ ‘ଦେବଙ୍କର’ ସ୍ଥାନରେ ‘ଦେବଙ୍କ୍ର’ ‘ରତ୍ନମଣି’ ସ୍ଥାନରେ ‘ରତ୍ନମିଣ’ ‘ପରମେଶ୍ୱର’ ସ୍ଥାନରେ ‘ପ୍ରମେଶ୍ୱର’ ଇତ୍ୟାଦି ।

 

ମୁଖଲିଙ୍ଗଠାରେ ଶ୍ରୀ ମଧୁକେଶ୍ୱରଙ୍କ ମନ୍ଦିରସ୍ଥ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଖୋଦିତ ଗୋଟିଏ ଓଡ଼ିଆ ଶିଳାଲେଖର ନମୁନା ନିମ୍ନରେ ଦିଆଗଲା-

 

‘‘ଶ୍ରୀ ମଧୁକେଶ୍ୱର ଦେବଙ୍କ୍ର ଦୀପପୂର୍ଣ୍ଣ ବିମା ତେଲ ଜଗମହନ କରି ଖଇପଳେ ଭ (ଭୋ)ଗେ ଆଠଗଡ଼ ପୁରୁଥୀର ସାଇ (ଇଁ) ରାଜାଜ୍ଞା । ଧୀଲା ଜାବତ କାଳ ଗାଇ ଗଆତ ଥାଇ ତେତେକାଳ ଏ ଜତ୍ନେ ପାଳୁ ଦୁଧ୍ୟ (ଧ) ଅଭଡ଼ା ତେତେ କାଳ ହୋଇ ଏହା ଜେ ହରଇ ପ୍ରମେସ୍ୱରଙ୍କ ଦ୍ରୋହ କରଇ* । ପୁରୀ ଜଗନ୍ନାଥ ମନ୍ଦିର ଲିପି ଗୁଡ଼ିକରେ ମଧ୍ୟ ଏପରି ଭାଷା ବ୍ୟବହୃତ ହୋଇଅଛି ।

 

*

Ep.Ind., Vol.XXVI, PP. 65-17Iff.

 

ଖ୍ରୀଷ୍ଟୀୟ ୧୫ଶ ଶତାବ୍ଦୀରେ ଶୂଦ୍ରମୁନି ସାରଳା ଦାସଙ୍କ ମହାଭାରତରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଶବ୍ଦ ପ୍ରୟୋଗ ରୀତି ସ୍ପଷ୍ଟ ପ୍ରକଟିତ ହୋଇଛି ।

 

ଉପରେ ଯେଉଁ ଓଡ଼ିଆ ଶବ୍ଦ-କୁଞ୍ଚନ କଥା କୁହାଗଲା, ତାହା କପିଳେନ୍ଦ୍ରଙ୍କ ବହୁ ଶତାବ୍ଦୀ ପୁର୍ବରୁ ଆମ ଦେଶରେ ଆରମ୍ଭ ହୋଇଥିଲା । କଲିକତା ସଂଗ୍ରାହଳୟରେ ସୁରକ୍ଷିତ ସ୍ୱେତକ ଗଙ୍ଗାବଂଶୀୟ ମହାରାଜା ଇନ୍ଦ୍ରବର୍ମାଙ୍କ ତାମ୍ରଶାସନରେ ‘ସ୍ୱେତକ’ ଶବ୍ଦଟି ସଂକ୍ଷିପ୍ତ କରି ‘ସ୍ୱେତ୍‌କ’ ଲେଖାଯାଇଛି*

 

*

ସେମାନଙ୍କ କଥନ ଭଙ୍ଗି ଏବଂ ଉଚ୍ଚାରଣ ଏବେ ବଦଳି ଯାଉଥିବାରୁ ତାହା ରେକର୍ଡ଼ କରି ରଖିବା ଉଚିତ, ଭବିଷ୍ୟତରେ ସ୍ୱର ଓ ଧ୍ୱନୀତତ୍ତ୍ୱ ଗବେଷଣା ସକାଶେ ତାହା ବ୍ୟବହୃତ ହୋଇପାରିବ ।

 

ଶବ୍ଦ ସକୁଚନ ସଙ୍ଗେ ସଂସ୍କୃତ ଶବ୍ଦକୁ ପ୍ରସାରିତ କରି ଲେଖିବା ରୀତି ମଧ୍ୟ ଓଡ଼ିଆ ଭାଷାରେ ଅନୁସୃତ ହୋଇଛି ।

 

ଯଥା :-ବିଦଗ୍‌ଧ=ବିଦଗ୍‌ଧ; ମୁକ୍ତା=ମୁକୁତା; ଦର୍ଶନ=ଦରଶନ; ବର୍ଶ=ବରଷ ଇତ୍ୟାଦି ।

 

ପ୍ରବନ୍ଧର ଉପସଂହାର ପୂର୍ବରୁ ଆମ୍ଭେ ଭାଷାବିଦ୍‌ ପଣ୍ଡିତମାନଙ୍କୁ ଅନୁରୋଧ କରୁ -

 

ସୁଦୂର କଳାହାଣ୍ଡି, କରାପୁଟ, ସୁନ୍ଦରଗଡ଼ ପ୍ରଭୃତି ଉପାନ୍ତ ଅଞ୍ଚଳରେ କେତେକ ଅନୁନ୍ନତ ଶ୍ରେଣୀୟ ଲୋକଙ୍କ ମୁଖରେ ଯେଉଁ ଓଡ଼ିଆ ଶବ୍ଦଗୁଡ଼ିକ ଉଚ୍ଚାରିତ ହୋଇ ଚର୍ଯ୍ୟା ଗୀତର ଭାଷା ଆମକୁ ସ୍ମରଣ କରାଇ ଦିଏ, ସେଥିର ଗୋଟିଏ ତୁଳନାତ୍ମକ ଶବ୍ଦକୋଷ ରଚିତ ହେଲେ ଭାଷା ବିଷୟକ ଗବେଷଣା ସହଜ ଓ ସୁଗମ ହୋଇପାରିବ* । ବର୍ତ୍ତମାନ ସେହି ଅନୁନ୍ନତ ଶ୍ରେଣୀୟ ଲୋକଙ୍କ ଶିକ୍ଷାର କ୍ଷିପ୍ରତା ହେତୁ ଆଦିମ ଭାଷା ତାଙ୍କ ମୁହଁରୁ ଧୀରେ ଧୀରେ ଲୁପ୍ତ ହେଉଛି । ତେଣୁ ତାହା ପୁସ୍ତକରେ ଏତେବେଳୁ ସୁରକ୍ଷିତ କରି ରଖିବା ଆବଶ୍ୟକ ।

***

 

ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ

ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା

ମୁଖ୍ୟ ଅଧ୍ୟାପକ, ଦେବଗଡ଼ କଲେଜ

(ଓଡ଼ିଆ ବିଭାଗ)

 

ପୂର୍ବାଭାସ-

‘‘ବାମଡ଼ା’’ ଏକ ପ୍ରାଚୀନ ଶବ୍ଦ । ଏହା କ୍ରମେ ‘‘ବାମଣ୍ଡା’’ରୂପେ ପରିଚିତ । ବଳରାମ ଦାସ ତାଙ୍କ ଜଗମୋହନ ରାମାୟଣରେ ରାମଚନ୍ଦ୍ରଙ୍କ ବାନର ସେନା ସମାବେଶ ପ୍ରସଙ୍ଗରେ ବର୍ଣ୍ଣନା କଲେ,

 

ବଣା ହୋଇ ଯାଇ ଯହିଁ ରହିଲେକ୍‍ ଥାଟ

ବଣାଇ ନାମରେ ସେହୁ ହୋଇଲାକ ରାଷ୍ଟ୍ର ।

ବାମ ଆଡ଼େ ତହିଁ ପୁଣି ବାଟ ନ ପାଇଲେ

ବାମଡ଼ା ବୋଲିଣ ଯେ ତହିଁର ନାମ ଦେଲେ ।

 

ବହୁବର୍ଷ ପୂର୍ବେ ବାମଣ୍ଡାଗଡ଼ ବା ରାଜ୍ୟର ରାଜଧାନୀ ପୁରୁଣାଗଡ଼, ସୁଗୁଡ଼ା ପ୍ରଭୃତି ବିଭିନ୍ନ ସ୍ଥାନ ହେଲେ ହେଁ ଗଙ୍ଗବଂଶର ଦଶମ ରାଜା ରାମଚନ୍ଦ୍ରଦେବଙ୍କ ରାଜତ୍ୱକାଳରେ ‘‘ଦେଗାଁ’’ ରାଜଧାନୀରୂପେ ଗୃହୀତ ହେଲା । ସେହି ‘‘ଦେଗାଁ’’ କାଳକ୍ରମେ ରୂପାନ୍ତରିତ ହୋଇ ଆଜିର ଦେବଗଡ଼ରୂପେ ପରିଚିତ ଯାହାକି ଶହ ଶହ ବର୍ଷର ସଭ୍ୟତା ତଥା ସଂସ୍କୃତିର ପରିଣତି ।

 

ସାହିତ୍ୟ ସଭ୍ୟତା ତଥା ସଂସ୍କୃତିକୁ ପରିମାର୍ଜନ କରିଥାଏ । ତେଣୁ ସମାଜ ସହିତ ଏହାର ଘନିଷ୍ଠ ସମ୍ପର୍କ ସ୍ଥାପିତ ହୋଇଥାଏ । ସାହିତ୍ୟହିଁ ସମାଜର ଅଭିବ୍ୟକ୍ତ । ଓଡ଼ିଆ ସାହିତ୍ୟର ପ୍ରାରମ୍ଭ କାଳରୁ ଏ ପର୍ଯ୍ୟନ୍ତ ସମୟକୁ ୪ଟି ଯୁଗରେ ଅନ୍ତର୍ଭୁକ୍ତ କରାଯାଏ । ଯଥା- ୧-ଆଦିଯୁଗ, ୨-ମଧ୍ୟଯୁଗ, ୩-ଆଧୁନିକ ଯୁଗ, ୪-ଅତ୍ୟାଧୁନିକ ବା ସାମ୍ପ୍ରତିକ ଯୁଗ । ଚତୁର୍ଦ୍ଦଶ ଶତକର ପ୍ରଥମାର୍ଦ୍ଧରେ ଅର୍ଥାତ୍‌ (୧୩୨୦-୧୩୫୨) ମଧ୍ୟରେ ଗଙ୍ଗବଂଶର ପ୍ରତିଷ୍ଠା କାଳରେ ବାମଣ୍ଡାରେ ନୂତନ ସଭ୍ୟତା ତଥା ସଂସ୍କୃତିର ଆଲୋକ ପ୍ରବେଶ କଲା । ସଂଶିତ କାଳରେ ଭୀଷଣ ଅରଣ୍ୟ ପରିବେଷ୍ଟିତ ଥିବାରୁ ଅଖୋଜ ବାମଣ୍ଡା ସାହିତ୍ୟିକ ଭିତ୍ତିଭୂମି ସମ୍ପର୍କରେ ବିଶେଷ କିଛି ତଥ୍ୟ ମିଳେ ନାହିଁ । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ଅର୍ଥାତ୍‌ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର ଶେଷ ଦୁଇ ଦଶକ ମଧ୍ୟରେ ବାମଣ୍ଡା ସାହିତ୍ୟିକ ଭିତ୍ତିଭୂମି ପ୍ରତିଷ୍ଠିତ । ଏହି ସାହିତ୍ୟିକ ପୃଷ୍ଠଭୂମିକୁ ପ୍ରଧାନତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ । ଯଥା:-ପ୍ରଥମ ପର୍ଯ୍ୟାୟ (ବିକାଶ ବା ଉନ୍ମୋଷ କାଳ) ୧୮୮୦-୧୯୨୦, ଦ୍ୱିତୀୟ ପର୍ଯ୍ୟାୟ (ସ୍ଥିତିକାଳ) ୧୯୨୧-୧୯୪୭ ଏବଂ ତୃତୀୟ ପର୍ଯ୍ୟାୟ (ପରିଣତି କାଳ) ୧୯୪୮-୧୯୭୮ । ପ୍ରଥମ ପର୍ଯ୍ୟାୟରେ ପତ୍ରପତ୍ରିକାର ପ୍ରଭାବ ଓ ପ୍ରତିଷ୍ଠା, ଦ୍ୱିତୀୟ ପର୍ଯ୍ୟାୟରେ ସାହିତ୍ୟକଙ୍କର ସାହିତ୍ୟ କୃତି ବିଶେଷରୂପେ ଓଡ଼ିଆ ସାହିତ୍ୟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

ବାମଣ୍ଡାରେ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା-

ଶିକ୍ଷା ଓ ସାହିତ୍ୟ ପରସ୍ପର ପରିପୂରକ । ଶିକ୍ଷା, ସଭ୍ୟତା, ସଂସ୍କୃତି ତଥା ସାହିତ୍ୟକୁ ପରିମାର୍ଜିତ ରୂପ ପ୍ରଦାନ କରିଥାଏ । ୧୮୭୨ ସାଲବେଳକୁ ସମଗ୍ର ବାମଣ୍ଡାରେ ୨ଟି ମାତ୍ର ବିଦ୍ୟାଳୟ ଥିଲା । ରାଜକୁମାର ଉଚ୍ଚ ଇଂରାଜୀ ବିଦ୍ୟାଳୟ ୧୮୮୨ ସାଲରେ ପ୍ରତିଷ୍ଠିତ ହୋଇ ଶିକ୍ଷା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ସୃଷ୍ଟି କଲା । ୧୯୧୮ ବେଳକୁ ସମଗ୍ର ବାମଣ୍ଡାରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ, ୩ଟି ମଧ୍ୟଇଂରାଜୀ ବିଦ୍ୟାଳୟ ଓ ୧୨୫ଟି ନିମ୍ନ ପ୍ରାଥମିକ ବିଦ୍ୟାଳୟ ଥିଲା । ୧୯୨୨ ବେଳକୁ ସମଗ୍ର ୨୬ଟି ଦେଶୀୟ ରାଜ୍ୟ ମଧ୍ୟରୁ କେବଳ ୭ଟି ରାଜ୍ୟରେ (ବାମଣ୍ଡା, ସୋନପୁର, ପାଟଣା, କଳାହାଣ୍ଡି, ଢେଙ୍କାନାଳ, ମୟୁରଭଞ୍ଜ ଓ ତାଳଚେର) ଗୋଟିଏ ଲେଖାଁଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥିଲା । ୧୯୨୦ ମଧ୍ୟରେ ୭ଜଣ ଛାତ୍ର ଟଙ୍କଧର ଦାସ (୧୯୧୦), ଦିବ୍ୟଶଙ୍କର ଦେବ (୧୯୧୨), ସୁଶୀଳ ଦେବତା (୧୯୧୩), ରାମନାରାୟଣ ଦ୍ୱିବେଦୀ (୧୯୧୭), ସଦାଶିବ ମହାପାତ୍ର (୧୯୨୦) ମେଟ୍ରିକ୍ୟୁଲେସନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏତଦ୍‌ବ୍ୟତିତ ବିଂଶଶତାବ୍ଦୀର ପ୍ରଥମ ଦୁଇଜଣ ମଧ୍ୟରେ ବହୁ ବିଦ୍ୟାଳୟ କ୍ରମଶଃ ପ୍ରତିଷ୍ଠା ଲାଭକରି (ଅନାର୍ଯ୍ୟ ସ୍କୁଲ ୧୯୦୪), (ପ୍ରାଜ୍ଞ୍ୟ ସ୍କୁଲ ୧୯୧୦), (ମନ୍ଦାକିନୀ ବାଳିକା ବିଦ୍ୟାଳୟ ୧୯୧୦), (ଗୁରୁ ଟ୍ରେନିଂ ସ୍କୁଲ ୧୯୨୦) ପ୍ରଭୃତି ପ୍ରତିଷ୍ଠାଲାଭ କରି ଶିକ୍ଷାର ଉନ୍ନତ ସଙ୍ଗେ ସଙ୍ଗେ ସାହିତ୍ୟର ଉନ୍ନତି ବିଧାନ କଲେ । ଓଡ଼ିଆ ସାହିତ୍ୟର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ବାମଣ୍ଡାରେ ଶିକ୍ଷା କ୍ରମୋନ୍ନତି ଲାଭ କରିଛି । ସାମ୍ପ୍ରତିକ କାଳରେ ବହୁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ଓ ନିମ୍ନ ପ୍ରାଥମିକ ବିଦ୍ୟାଳୟ, ପ୍ରଶିକ୍ଷଣ ମାଧ୍ୟମିକ ବିଦ୍ୟାଳୟ ଏବଂ ୨ଟି ମହାବିଦ୍ୟାଳୟ ସ୍ଥାପିତ ହୋଇ ଶିକ୍ଷାର ଉନ୍ନତି ସଙ୍ଗେ ସଙ୍ଗେ ସାହିତ୍ୟର ପରିପ୍ରକାଶ ସାଧନ କରୁଛନ୍ତି।

 

ମୁଦ୍ରାଯନ୍ତ୍ରର ପ୍ରଭାବ ଓ ପ୍ରତିଷ୍ଠା-

ମୁଦ୍ରାଯନ୍ତ୍ର ସାହିତ୍ୟ ବିକାଶ ସାଧନ ଦିଗରେ ବିଶେଷରୂପେ ସହାୟକ ହୋଇଥାଏ । ୧୮୮୫ ସାଲରେ କଟକରେ ବାସୁଦେବଙ୍କ ପ୍ରତିଷ୍ଠିତ ‘‘ସୁଢ଼ଳ ପ୍ରେସ’’ (ସମଗ୍ର ଓଡ଼ିଶାର ୭ମ ପ୍ରେସ) ର ପରିଚାଳନା ବିଭ୍ରାଟ ଘଟିବାରୁ କେତେକାଂଶ ସ୍ଥାନାନ୍ତରିତ ହେଲା । ୧୮୮୬ରେ ଦେବଗଡ଼ରେ ଏହା ପ୍ରତିଷ୍ଠିତ ହୋଇ ‘‘ଜଗନ୍ନାଥ-ବଲ୍ଲଭ ପ୍ରେସ’’ ନାମରେ ପରିଚିତ ହେଲା । ଏହା ସମଗ୍ର ପଶ୍ଚିମ ଓଡ଼ିଶାର ଏକମାତ୍ର ମୁଦ୍ରାଯନ୍ତ୍ର ଯାହାକି ଆଲୋକବର୍ତ୍ତିକା ସଦୃଶ ଜ୍ଞାନାଲୋକ ବିତିରଣ କଲା । ପରେ ଅପରାଂଶ ସଂଯୋଜିତ ହେଲା । ପରେ କାଳିକା ପ୍ରେସର ସଂଯୋଜନା ହେଲା । ତିନୋଟିଯାକ ମୁଦ୍ରାଯନ୍ତ୍ର ହସ୍ତଦ୍ୱାରା ଚାଳିତ ହେତୁ କାର୍ଯ୍ୟ ମନ୍ଥର ହେଲା । ତେଣୁ ୧୯୧୧ ସାଲରେ ‘‘ହିତୈଷିଣୀ ଇଲେକ୍‌ଟ୍ରିକ୍ ମେସିନ୍‌ ପ୍ରେସ୍’’ ସ୍ଥାପିତ ହେଲା । ୧୯୨୩ ସାଲ ପରେ ‘‘ଇଲେକ୍‌ଟ୍ରିକ୍‌ ମେସିନ୍‌ ପ୍ରେସ’’ ନାମରେ ପରିଚିତ ହେଲା ୧୯୪୭ ଡିସେମ୍ବର ମାସ ପର୍ଯ୍ୟନ୍ତ । ପରେ ଏହା ସରକାରଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱାଧୀନ ହେଲା । ଏହି ମୁଦ୍ରାଯନ୍ତ୍ରରୁ ବହୁ ପତ୍ରପତ୍ରିକା, ପୁସ୍ତକାଦି ମୁଦ୍ରିତ ଓ ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟର ବିକାଶ ସାଧନ କଲା ।

 

ବାମଣ୍ଡାରେ ପତ୍ରପତ୍ରିକାର ପ୍ରଭାବ ଓ ପ୍ରତିଷ୍ଠା-

ଓଡ଼ିଆ ସାହିତ୍ୟର ପରିପ୍ରକାଶ ସାଧନ ଦିଗରେ ସମ୍ବଲପୁର ହିତୈଷିଣୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ୧୮୮୯ର ମେ ମାସ ୩୦ ତାରିଖରେ ଆତ୍ମପ୍ରକାଶ କରି ସମଗ୍ର ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଚାଞ୍ଚଲ୍ୟ ସୃଷ୍ଟି କଲା । ସମ୍ବଲପୁର ବିଶେଷଣ ଘେନି ଆବିର୍ଭୁତ ହେଲେ ମଧ୍ୟ ସମଗ୍ର ଓଡ଼ିଶାର ହିତ ସାଧନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା । ପତ୍ରିକାର ୧୭ଟି ସ୍ତମ୍ଭ ମଧ୍ୟରୁ ୧୨ ସ୍ତମ୍ଭ କେବଳ ପଦ୍ୟ, ଗଦ୍ୟ ତଥା ଆଲୋଚନାରେ ପରିପୂର୍ଣ୍ଣ ଥିଲା । ଏହା ସମ୍ୱଲପୁର ଭାଷା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ପ୍ରଶଂସାଭାଜନ ହୋଇଥିଲା । ଏହା କୌଣସି ସାମ୍ପ୍ରଦାୟୀକ ପତ୍ରିକା ନ ଥିଲା । କୌଣସି ବ୍ୟକ୍ତିଗତ ବା ଦଳଗତ କାର୍ଯ୍ୟକୁ ପସନ୍ଦ କରୁ ନଥିବାରୁ କେତେକଙ୍କର କଟୁ ସମାଲୋଚନର ଶରବ୍ୟ ହୋଇଥିଲା । ‘ଗଡ଼ଜାତବାସିନୀ’ ସହିତ ସମତାଳରେ ଗତି କରି ୧୯୨୨ ସାଲ ବେଳକୁ ଉଚ୍ଚକୋଟୀର ସାହିତ୍ୟିକ ବାତାବରଣ ସୃଷ୍ଟି କରିଥିଲା । ‘‘ରାଧାନାଥ’’, ‘‘ସତ୍ୟବାଦୀ’’ ଏବଂ ‘‘ସବୁଜ’’ ଏହି ତିନି ଯୁଗରେ ସ୍ୱର ଉତ୍ତୋଳନ କରି ପତ୍ରିକାଟି ଉଚ୍ଚାଙ୍ଗ ପରିବେଶ ଲାଭ କରିଥିଲା ।

 

ସମ୍ବଲପୁର ହିତୈଷିଣୀରେ ବାମଣ୍ଡା ମାନସ-

ପତ୍ରିକାଟିରେ ବାମଣ୍ଡାରେ କେତେକ ଲବ୍‌ଧ-ପ୍ରତିଷ୍ଠ ସାହିତ୍ୟିକ ଲେଖାମାନ ପ୍ରକାଶ କରି ତା’ର ଶ୍ରୀବୃଦ୍ଧି ସାଧନ କରିଥିଲେ । ଏତଦ୍‌ବ୍ୟତୀତ ବାମଣ୍ଡାର ଆଉ କେତେକ ସାହିତ୍ୟ ପ୍ରେମୀ ବ୍ୟକ୍ତିଙ୍କୁ ଏହ ପ୍ରେରଣା ପ୍ରଦାନ କରିଥିଲା । ତେଣୁ ପତ୍ରିକାଟିର ସୌଷ୍ଠବ ସମ୍ପାଦାନରେ ବାମଣ୍ଡାର ଯେଉଁ କେତେଜଣ ସାହିତ୍ୟ-ପ୍ରେମୀ ବ୍ରତି ଥିଲେ, ସେମାନେ ହେଲେ ୧-ବୃନ୍ଦାବନ ନାଥଶର୍ମା, ୨-ଲିଙ୍ଗରାଜ ପାଣିଗ୍ରାହୀ, ୩-ଦିବ୍ୟରାଜ ସିଂ, ୧୧-କାଳୀଚରଣ ଦ୍ୱିବେଦୀ, ୧୨-ରାଜୀବଲୋଚନ ଦେବ, ୧୩-ବୃନ୍ଦାବନ ନାଏକ, ୧୪-ସତ୍ୟବାଦୀ ବେହେରା, ୧୫-କୃତାର୍ଥ ପ୍ରଧାନ, ୧୬-ଦିନବନ୍ଧୁ ପ୍ରଧାନ, ୧୭-ସୁଲୋଚନା ଦେଈ, ୧୮-ରମା ଦେବୀ, ୧୯-ବାଣେଶ୍ୱର ମହାନ୍ତି, ୨୦-ଚକ୍ରଧର ସାହୁ, ୨୧-ଦୁର୍ଯୋଧନ ନାୟକ, ୨୨-ଆର୍ତ୍ତତ୍ରାଣ ମିଶ୍ର, ୨୩- ମିଲୁ ଚରଣ ପ୍ରଧାନ, ୨୪-ଦୟାନିଧି ପାଣିଗ୍ରାହୀ, ୨୫-ବଳଭଦ୍ର ଶତପଥୀ, ୨୬-ସତ୍ୟବାଦୀ ପ୍ରଧାନ, ୨୭-ଭାସ୍କର ଶର୍ମା, ୨୮-ଜଗଦାନନ୍ଦ ଦାସ, ୨୯-କରୁଣାକର ଦ୍ୱିବେଦୀ, ୩୦-ବୈରାଗୀ ପଣ୍ଡା, ୩୧-ଦୟାନିଧି ପାତ୍ର, ୩୨-ଡମ୍ବରୁଧର ଦାସ, ୩୩-ବେଣୁଧର ନନ୍ଦ, ୩୪-ରଘୁମଣି ଦେବ, ୩୫-ରବୀନ୍ଦ୍ର ନାଥ ଦେବ, ୩୬-ମଦନମୋହନ ଗୁରୁ, ୩୭-ରଘୁନାଥ ଶର୍ମା, ୩୮-ଭାଗିରଥି ଗୌନ୍ତିଆ ପ୍ରଭୃତି । ଏତଦ୍ ବ୍ୟତୀତ ଅନ୍ୟ ସ୍ଥାନରୁ ଆସି ବାମଣ୍ଡାରେ ବହୁକାଳ ଅବସ୍ଥାନ କରି ପତ୍ରିକାରେ ଲେଖା ପ୍ରଦାନ କରୁଥିଲେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା, ବ୍ରଜବନ୍ଧୁ ମିଶ୍ର । ଶର୍ମା, ସୋମନାଥ ଶତ୍‌ପଥୀ, ମଧୁସୁଦନ ମିଶ୍ର ତର୍କ ବାଚସ୍ପତି, ପଣ୍ଡିତ ସୁଦର୍ଶନ ମିଶ୍ର ନ୍ୟାୟାରତ୍ନ ପ୍ରଭୃତି ସାହିତ୍ୟକଗଣ । ଏହା ଉତ୍କଳର ଏକ ଅକ୍ଷୟ କୀର୍ତ୍ତିରୂପେ ବିବେଚିତ ହୋଇଥାଏ । ଓଡ଼ିଆ ସାହିତ୍ୟ ଜଗତରେ ଏହା ଯୁଗାନ୍ତର ସୃଷ୍ଟି କଲା, ତେଣୁ କବି ଗଙ୍ଗାଧର ବର୍ଣ୍ଣନା କଲେ-

 

‘‘ବୁଧହଂସ କେଳିସର ଦେବଦୁର୍ଗଧାମେ

ଜନମିଲା ସୁପତ୍ରିକା ହିତୈଷିଣୀ ନାମେ ।

ଉତ୍କଳରେ ହେଲା ନବଯୁଗର ଆରମ୍ଭ

ଦିଗେ ଦିଗେ ବ୍ୟାପିଗଲା ସାହିତ୍ୟ ସୌରଭ ।

X      X      X      X      X

ଫୁଟିଲା ପ୍ରବନ୍ଧ ଫୁଲ ଛୁଟିଲା ସୁବାସ

ଲାଗିଲା ପାଠକ ମଧୁଲିଟଙ୍କ ବିଳାସ ।’’

 

୧୯୨୦ ସାଲ ଜାନୁଆରୀ ମାସରେ ବାମଣ୍ଡା Court of wards (ସରକାରଙ୍କ ପ୍ରତ୍ୟକ୍ଷ) ଶାସନାଧୀନ ହେଲା । କ୍ରମେ ଏହା ପୃଷ୍ଠପୋଷକତାରୁ ବଞ୍ଚିତ ହେଲା । ଫଳତଃ ୧୯୨୩ ସାଲ ପର୍ଯ୍ୟନ୍ତ ପତ୍ରିକାଟି ଆତ୍ମପ୍ରକାଶ କରି ଓଡ଼ିଆ ସାହିତ୍ୟ ଜଗତର ଯୁଗାନ୍ତର ସୃଷ୍ଟି କଲା ଯାହା କି ‘‘ସମ୍ବଲପୁର ହିତୈଷିଣୀ’’ ଯୁଗ ନାମରେ ଅଭିହିତ ହେଲେ ଅତ୍ୟୁକ୍ତି ହେବନାହିଁ ।

 

ସମ୍ବଲପୁର ହିତୈଷିଣୀର ପୃଷ୍ଠ ପୀଠିକାରେ ଅନ୍ୟାନ୍ୟ ପତ୍ରିକାରସ୍ୱରୂପ-

(୧) ବିଜୁଳିର ଆତ୍ମପ୍ରକାଶ- ସମ୍ବଲପୁର ହିତୈଷିଣୀର ପୃଷ୍ଠ ପୀଠିକାରେ ବାମଣ୍ଡା ମୁଦ୍ରା ଯନ୍ତ୍ରରୁ ୧୮୯୩ ସେପ୍‌ଟେମ୍ବର ମାସ ୧୬ତାରିଖ ଶନିବାର ଦିନ ବିଜୁଳି ପତ୍ରିକା କଟକରୁ ପ୍ରକାଶିତ ‘ଇନ୍ଦ୍ରଧନୁ’ର ପ୍ରତିବାଦ ସ୍ୱରୁପ ଆତ୍ମପ୍ରକାଶ କଲା । ‘ଉପେନ୍ଦ୍ରଭଞ୍ଜ’ ଓ ‘ରାଧାନାଥ’କୁ କେନ୍ଦ୍ରୀଭୂତ କରି ଏହି ସାହିତ୍ୟକ ବିବାଦ ସୃଷ୍ଟି ହେଲା । ୧୮୯୩-୯୪ ସାଲରେ ଏହି ସାହିତ୍ୟିକ ବିବାଦ ଫଳରେ ଓଡ଼ିଆ ସାହିତ୍ୟ ଜଗତରେ ବହୁ ସାହିତ୍ୟିକ ଜୀବନକୁ ବିଶେଷରୂପେ ଋଦ୍ଧିମନ୍ତ କରିଥିଲା ।

 

‘‘ଆଲୋଚନା’’- ରାଜକୁମାର ଉଚ୍ଚଇଂରାଜୀ ବିଦ୍ୟାଳୟର ତଦାନୀନ୍ତନ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ୨୪ପୃଷ୍ଠା ବିଶିଷ୍ଟ ‘‘ଆଲୋଚନା’’ ନାମକ ମାସିକ ପତ୍ରିକା ୧୯୦୦ ସାଲ ମାର୍ଚ୍ଚ ମାସରେ ପ୍ରକାଶିତ ହେଲା । ମାତ୍ର କିଛି କାଳ ପରେ ଏହା ଅନ୍ତର୍ହିତ ହେଲା ।

 

      ‘‘ଉତ୍କଳ ମଧୁପ’’- ‘ଆଲୋଚନା’ ର ଠିକ୍‌ ତିନି ମାସ ପରେ ୧୯୦୦ ସାଲ ଜୁନ୍‌ ମାସରେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦକତ୍ୱରେ ଆଠ ପୃଷ୍ଠା ବିଶିଷ୍ଟ ‘ଉତ୍କଳ ମଧୁପ’ ନାମକ ଏକ ବିବିଧ ବିଷୟକ ପତ୍ରିକା ପ୍ରକାଶ ଲାଭ କଲା । ଏହି ପତ୍ରିକାରେ ନୀତିବାକ୍ୟ, ସଦୁପଦେଶ, ଦ୍ରବ୍ୟଗୁଣ, ବିଚିତ୍ରବର୍ତ୍ତା, ସାଧୁ ଦୃଷ୍ଟାନ୍ତ, ମହାଜନ ଚରିତ, ସ୍ୱାସ୍ଥ୍ୟତତ୍ତ୍ୱ, କୃଷି ପ୍ରଣାଳୀ, ରାସାୟନିକ ପ୍ରକରଣ, ସରଳ ଜ୍ୟୋତିଷ, ସହଜ ଚିକିତ୍ସା, ସ୍ମରଣୀୟ ଘଟଣାବଳୀ, ବ୍ୟବସାୟ ସଂକ୍ରାନ୍ତୀୟ ନାନା କଥା, ରନ୍ଧନ ବିବରଣ, କୌତୁକ ପ୍ରସଙ୍ଗ, ଶାସ୍ତ୍ରୀୟ ଅନୁଶାସନ, ଉଦାହରଣ ଉପଯୋଗୀ ଶ୍ଳୋକମାନ, ସଙ୍ଗୀତ, ଦେଶାଚାର, ପ୍ରବାଦ ବାକ୍ୟ ପ୍ରଭୃତି ପ୍ରକାଶିତ ହେଉଥିଲା । ତେଣୁ ଦୀନବନ୍ଧୁ ପ୍ରଧାନ ବର୍ଣ୍ଣନା କଲେ-

 

‘‘କି ବର୍ଣ୍ଣିବି ତୋ ମହିମା ଉତ୍କଳ ମଧୁପ

ଅଟୁ ତୁ ସାହିତ୍ୟକାଶେ ବିମଳ ଉଡ଼ୁପ ।

ଧରଣୀ ଜନନୀ ମୁଖ ଉଜ୍ଜ୍ୱଳ କିରଣେ

ତୋହ ସମଅଛି କିଏ ଉତ୍କଳ ଭୁବନେ ।’’

 

ମାତ୍ର ୧୯୦୨ରେ ଏହାର ସମ୍ପାଦକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ୱରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବାଦ୍ୱାରା ଏହା ମଧ୍ୟ ଏଠାରୁ ସ୍ଥାନାନ୍ତରିତ ହେଲା । ଏତଦ୍‌ବ୍ୟତୀତ ୧୯୦୯ ସାଲ ପର୍ଯ୍ୟନ୍ତ ଏକ ସମୟରେ ବାମଣ୍ଡାର ୩ଟି ପତ୍ରିକା ଆତ୍ମପ୍ରକାଶ କରି ଏକ ଉଚ୍ଚକୋଟିର ସାହିତ୍ୟିକ ବାତାବରଣ ସୃଷ୍ଟି କରିଥିଲେ ।

 

ସମ୍ବଲପୁର ହିତୈଷିଣୀର ପରବର୍ତ୍ତୀ ପତ୍ରିକା-

ସମ୍ବଲପୁର ହିତୈଷିଣୀର ତିରୋଧାନର ଠିକ୍‌ ୧୨ବର୍ଷ ପରେ ୧୯୩୫ ଜାନୁଆରୀ ମାସରେ ବାମଣ୍ଡାର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସମାଜ ଆନୁକୂଲ୍ୟରେ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବଙ୍କ ଅଭିଷେକୋତ୍ସବ ଉପଲକ୍ଷେ ଉପହାର ସଦୃଶ ‘ଉପହାର’ କ୍ରୟମାସିକ ପତ୍ରିକା ଆତ୍ମପ୍ରକାଶ କଲା । ବର୍ଷକ ମଧ୍ୟରେ ୪ଟି ସଂଖ୍ୟାରେ (ଆଶ୍ୱିନ ମାସରେ ‘ବିଜୟ’ ସଂଖ୍ୟା, ପୌଷ ମାସରେ ‘ବକୁଳ’ ସଂଖ୍ୟା, ଚୈତ୍ର ମାସରେ ‘ଅଶୁଭ’ ସଂଖ୍ୟା ଓ ଆଷାଢ଼ ମାସରେ ‘ଗୁଣ୍ଡିଚା’ ସଂଖ୍ୟା) ପତ୍ରିକାଟିରେ ପ୍ରବନ୍ଧ, କବିତା, ଜୀବନ ଚରିତ୍ର, ଗଳ୍ପ, ନାଟକ ଆଦି ପ୍ରକାଶଲାଭ କରୁଥିଲା-। ତଦାନୀନ୍ତନ ପୂର୍ବଗଡ଼ଜାତ ମଣ୍ଡଳ (Eastern States Agency) ଶିକ୍ଷା ବିଭାଗୀୟ ତତ୍ତ୍ୱାବଧାରକ, ସାଧୁଚରଣ ଜଗଦେବଙ୍କ ତତ୍ତ୍ୱାବଧାନରେ ପତ୍ରିକାଟି କିଛିକାଳ ଜୀବିତ ଥିଲା ।

 

ଶୁଭ ଶଙ୍ଖ ନିନାଦି-୧୯୪୫-୪୬ ମସିହାରେ ଡକ୍‌ଟର ମାୟାଧର ମାନସିଂ ପୂର୍ବଗଡ଼ଜାତ ମଣ୍ଡଳର ଶିକ୍ଷା ବିଭାଗୀୟ ପରାମର୍ଶଦାତା ଥିବା ସମୟରେ ୧୯୪୫ ସାଲ ଜୁଲାଇ ମାସରେ ତାଙ୍କର ପ୍ରଧାନ ସମ୍ପାଦକତ୍ତ୍ୱରେ ‘ଶଙ୍ଖ ମାସିକ ପତ୍ରିକା’ ଆତ୍ମପ୍ରକାଶ କଲା । ମାତ୍ର ବର୍ଷକ ପରେ ଉକ୍ତ ବିଭାଗରେ ସ୍ଥଗିତ ହେବାରୁ ତାଙ୍କୁ କଟକ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଲା । ଫଳତଃ ଜଳନ୍ଧର ଦେବ ପ୍ରଧାନ ସମ୍ପାଦକ ଓ ଜ୍ଞାନୀନ୍ଦ୍ର ବର୍ମା ଯୁଗ୍ମ-ସମ୍ପାଦକରୂପେ କିଛି କାଳ କାର୍ଯ୍ୟନିର୍ବାହ କଲେ । ୧୯୪୭ ସାଲ ଡିସେମ୍ବର ମାସ ପର୍ଯ୍ୟନ୍ତ ପତ୍ରିକାଟି ବାମଣ୍ଡା ପ୍ରେସରୁ ମୁଦ୍ରିତ ଓ ପ୍ରକାଶିତ ହେଉଥିଲା । ଏଥିରେ ଉଚ୍ଚକୋଟିର ପ୍ରବନ୍ଧ, ସମାଲୋଚନା, କବିତା, ଗଳ୍ପାଦି ସ୍ଥାନ ଲାଭ କରୁଥିଲା-। ଏହା ଏତେ ପ୍ରଭାବଶାଳୀ ହେଲା ଯେ ଓଡ଼ିଶା ସରକାରଙ୍କ ୧୯୪୭ ସାଲ ଫେବୃଆରୀ ୩ତାରିଖ ପତ୍ର ଅନୁସାରେ ଓଡ଼ିଆ ଶିକ୍ଷା ବିଭାଗୀୟ ପ୍ରତ୍ୟେକ ଅନୁଷ୍ଠାନ ନିମିତ୍ତ ଗୃହୀତ ହେଲା । ସାମ୍ପ୍ରତିକ ଯୁଗ କେତେକ ଶିକ୍ଷାନୁଷ୍ଠାନର ମୁଖପତ୍ର ଆତ୍ମପ୍ରକାଶ କରି (ବାଣୀ, ଦେବଗଡ଼ ମହାବିଦ୍ୟାଳୟର ପତ୍ରିକା, କୁଚିଣ୍ଡା ମହାବିଦ୍ୟାଳୟ ପତ୍ରିକା ପ୍ରଭୃତି) ଅତୀତ ପରମ୍ପରାର ପରିଚୟ ପ୍ରଦାନ କରୁଛନ୍ତି ।

 

ବାମଣ୍ଡାର ଐତିହ୍ୟ-ଓଡ଼ିଶା ବିକ୍ରମାଦିତ୍ୟ ରାଜା ବାସୁଦେବ ସୁଢ଼ଳଦେବଙ୍କ ସମୟରେ ଉତ୍କଳର ଉଜ୍ଜୟିନୀ ବାମଣ୍ଡାରେ ବହୁ ଗୁଣୀ, ପଣ୍ଡିତ, ସୁଧୀବୃନ୍ଦଙ୍କ ଆବିର୍ଭାବ ହୋଇଥିଲା ।

 

ତାଙ୍କଦ୍ୱାରା ଅନୁଷ୍ଠିତ ସାହିତ୍ୟ ସଭାରେ ବହୁ ପଣ୍ଡିତ ଶୋଭା ପାଇ ରାଜଧାନୀ ଦେବଦୁର୍ଗକୁ ‘ବୁଧହଂସ କେଳିସର’ରେ ପରିଣତ କରିଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା ବିକ୍ରମାଦିତ୍ୟଙ୍କ ନବରତ୍ନଙ୍କ ମଧ୍ୟରେ ‘କାଳିଦାସ’ ସଦୃଶ ଶୋଭା ପାଉଥିଲେ-। ଏତଦ୍‌ବ୍ୟତୀତ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ସୁଦର୍ଶନ ନ୍ୟାୟରତ୍ନ, ପଣ୍ଡିତ ମଧୁସୂଦନ ମିଶ୍ର ତର୍କ ବାଚସ୍ପତି, ପଣ୍ଡିତ କାଳୀଚରଣ ବିଦ୍ୟାଭୂଷଣ, ପଣ୍ଡିତ ଭାଗିରଥି ରଥ, ପଣ୍ଡିତ ନୀଳକଣ୍ଠ ଷଡ଼ଙ୍ଗୀ, ପଣ୍ଡିତ ଚିନ୍ତାମଣି ମିଶ୍ର ତର୍କ ବାଚସ୍ପତି, ଦାର୍ଶନିକ ପଣ୍ଡିତ ବାଚାଓଝା, ଭାରତ ମାର୍ତ୍ତଣ୍ଡ ଶିବକୁମାର ଶାସ୍ତ୍ରୀ, ଶ୍ରୀକର ଶାସ୍ତ୍ରୀ, ବଳରାମ ବିଦ୍ୟାରତ୍ନ ପ୍ରଭୃତି ପଣ୍ଡିତଗଣ ସାହିତ୍ୟ ସଭାରେ ସକ୍ରିୟ ଅଂଶ ଗ୍ରହଣ କରି ଏକ ଉଚ୍ଚକୋଟିର ସାହିତ୍ୟିକ ବାୟୁମଣ୍ଡଳ ସୃଷ୍ଟି କରିଥିଲେ।

 

ବହୁ ଲବ୍‌ଧ ପ୍ରତିଷ୍ଠ ସାହିତ୍ୟିକ ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ରାମଶଙ୍କର ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦକିଶୋର ବଳ, ବିଶ୍ୱନାଥ କର, ଗୌରୀଶଙ୍କର ରାୟ, ଗଙ୍ଗାଧର ମେହେର, ସୁଦାମଚରଣ ନାୟକ, ରମେଶ ଚନ୍ଦ୍ର ବିଦ୍ୟାରତ୍ନ, କରୁଣାକର ବନ୍ଦୋପାଧ୍ୟାୟଙ୍କ ବାମଣ୍ଡା ଆଗମନ ଏକ ଉଜ୍ଜ୍ୱଳ ସାହିତ୍ୟିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ । ଏତଦ୍‌ବ୍ୟତୀତ ଦିବ୍ୟଶଙ୍କରଙ୍କ ବ୍ରତୋତ୍ସବ (୧୯୦୫) ଉପଲକ୍ଷେ ସମଗ୍ର ଓଡ଼ିଶାରୁ ଓ ଓଡ଼ିଶା ବାହାରୁ ପ୍ରାୟ ୫୦ଜଣ ପଣ୍ଡିତ ବାମଣ୍ଡା ପଦାର୍ପଣ କରି ଏ ପବିତ୍ର ପୀଠର ମହିମା ଉପଲବ୍‌ଧି କରି ଯାଇଥିଲେ । ତେଣୁ ଲୋଚନ ପ୍ରସାଦ ପାଣ୍ଡେୟ (କାବ୍ୟ ବିନୋଦ) ତାଙ୍କର ‘ଦେବଦୁର୍ଗ’ କବିତାରେ ବର୍ଣ୍ଣନା କଲେ,

 

‘‘ଏହି କି ସେ ଦେବଦୁର୍ଗ ସୁକବି ବନ୍ଦିତ

ଏହି କି ସେ ପୁଣ୍ୟଭୂମି ପଣ୍ଡିତ ମଣ୍ଡିତ

ଏହି କି ସେ ସାରସ୍ୱତ ତୀର୍ଥ ସୁବିମଳ

ବ୍ରାହ୍ମୀଶକ୍ତି ଆବିର୍ଭାବ ଯୋଗ୍ୟ ଯୋଗ୍ୟସ୍ଥଳ ।

X      X      X      X      X

ଏହି କି ସେ ଉତ୍କଳର ପୁଣ୍ୟ ସିଂହାସନ

ବାଗ୍‌ଦେବୀଙ୍କ ଲୀଳାସ୍ଥାନ ଶାସନ ସପନ ।

 

ତେଣୁ ସ୍ୱରାଜ୍ୟ ବାଙ୍କିକୁ ପ୍ରତ୍ୟାବର୍ତ୍ତନ କରିବା କାଳରେ ୧୯୦୨ ସାଲରେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ ବିକ୍ଷୁବ୍‌ଧ ହୋଇ ପ୍ରକାଶ କଲେ ‘‘ବାମଣ୍ଡାରେ ମୋତେ କ୍ରମାଗତ ୧୫ ବର୍ଷ କାଳ ଅତିବାହତ କରିବାକୁ ପଡ଼ିଛି । ସୁତରାଂ ବାମଣ୍ଡା ନିକଟରେ ମୁଁ ଚିରଋଣୀ ଥିବାର ମୁକ୍ତ କଣ୍ଠରେ ସ୍ୱୀକାର କରୁଛି ’’ । କବିବର ରାଧାନାଥଙ୍କ ସହିତ ବାମଣ୍ଡାର ଘନିଷ୍ଠ ସମ୍ପର୍କ ତାଙ୍କର ନିମ୍ନୋକ୍ତପଂକ୍ତିରୁ ପ୍ରତୀୟମାନ ହୁଏ-‘‘ଏହି ସମୟରୁ ବାମଣ୍ଡା ସହିତ ମୋହର ସମ୍ପର୍କ କ୍ରମଶଃ ଘନଷ୍ଠ ହେବାକୁ ଲାଗିଲା ଏବଂ X X X X X ମୁଁ ଆହୁରି ଦୁଇଥର ବାମଣ୍ଡା ଯାଇ ବାମଣ୍ଡା କେତେଗୁଡ଼ିଏ ଲବ୍‌ଧ ପ୍ରତିଷ୍ଟା ବ୍ୟକ୍ତିଙ୍କ ସହିତ ପରିଚିତ ଏବଂ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଲି । ବୋଲିବାର ବାହୁଲ୍ୟ ଯେ କି ଔଦାର୍ଯ୍ୟ ମୁଦ୍ରା ଆଜୀବନ ମୋର ହୃଦୟରେ ମୁଦ୍ରିତ ରହିବି ଏବଂ ମୋହର ଆତ୍ମୀୟବର୍ଗଙ୍କ ସମ୍ୱନ୍ଧରେ ବାମଣ୍ଡା ଶବ୍ଦ ସର୍ବଦା ପ୍ରୀତିକର ଅନୁସୃତିର ଉଦ୍‌ବୋଧକ ଦେବ ।’’

 

ବାମଣ୍ଡା ରାଜସଭାରୁ ରାଧାନାଥଙ୍କୁ ‘ରାୟ ବାହାଦୁର’ ଉପାଧି (୧୮୯୭) ଓ ଫକୀର ମୋହନଙ୍କୁ ‘ସରସ୍ୱତୀ’ ଉପାଧି (୧୯୧୬) ପ୍ରଦାନ ସାହିତ୍ୟ ପ୍ରୀତିର ଶ୍ରେଷ୍ଠ ନିଦର୍ଶନ ।

 

ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ କଳାର ବିକାଶ :-

୧୮୭୮ ସାଲ ଆଡ଼କୁ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ‘‘ଖରସୁଆଁ’’ର ଉପେନ୍ଦ୍ରପତି ନାମକ ଜନୈକ ବ୍ରାହ୍ମଣ ସନ୍ତାନ ଜୀବିକାର୍ଜନ ଅଭିପ୍ରାୟରେ ଆସି ୧୯୧୯ ସାଲ ପର୍ଯ୍ୟନ୍ତ ଅବସ୍ଥାନ କରି ବହୁ ପ୍ରସାଦ, ଦେବମନ୍ଦିର, ପ୍ରମୋଦ ଉଦ୍ୟାନର ମୂର୍ତ୍ତିଆଦି ନିର୍ମାଣ କରି ସ୍ଥାପତ୍ୟ କଳାର ପରାକାଷ୍ଠା ପ୍ରଦର୍ଶନ କଲେ । ତେଣୁ ୧୯୨୦ ସାଲ ବେଳକୁ ଦେବଗଡ଼ ଏକ ମନୋରମ ସୁଦୃଶ୍ୟ ସୌଧମୟୀ ନଗରୀରେ ପରିଣତ ହେଲା । ଫକୀର ମୋହନ ଗାଇଲେ–

 

‘‘କବିତ୍ୱ-ସାହିତ୍ୟ ଚର୍ଚ୍ଚା ଶିଳ୍ପାଦି ସହିତ

ଉତ୍କଳର ଉଜ୍ଜୟିନୀ ‘ବାମଡ଼ା’ ବିଦିତ ।’’

 

ଏହାର ‘ଝାଡ଼େଶ୍ୱର ମନ୍ଦିର’ ଉଜ୍ଜୟିନୀର ‘ଚଣ୍ଡେଶ୍ୱର ମନ୍ଦିର’ ଏହାର ‘ପ୍ରଧାନ ପ୍ରପାତ’ ନିର୍ଝରିଣୀର ଜଳସ୍ରୋତ ଉଜ୍ଜୟିନୀର ଶିପ୍ରା ନଦୀର ଜଳ ସ୍ରୋତର ସାଦୃଶ୍ୟ ରକ୍ଷାକରେ । ଏତଦ୍‌ବ୍ୟତୀତ ମାନ୍ଦ୍ରାଜ ‘Art College’ (କଳା ମହାବିଦ୍ୟାଳୟ) ତୈଳଚିତ୍ରର ବିଦ୍ୟାଶିକ୍ଷା ପ୍ରଦାନ କରି ଚିତ୍ରକଳାର ବିକାଶ ସାଧନ ବାମଣ୍ଡାରେ ।

 

ବାମଣ୍ଡାରେ ସାଂସ୍କୃତିକ ପୃଷ୍ଠଭୂମିରେ ଓଡ଼ିଆ ସାହିତ୍ୟର ବିକାଶଧାରା-

ବାମଣ୍ଡାର ସାଂସ୍କୃତିକ ପୃଷ୍ଠଭୂମିରେ ବାମଣ୍ଡା ମାନସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ‘ଜଗନ୍ନାଥ ମନ୍ଦିର’ ସଂସ୍କୃତ ବିଦ୍ୟାଳୟ ଝାଡ଼େଶ୍ୱର ମନ୍ଦିର (ପୂର୍ବ) ‘ଗିରିଗୋବର୍ଦ୍ଧନ’ ମନ୍ଦିର ‘ଗୋକର୍ଣ୍ଣେଶ୍ୱର’ ମନ୍ଦିର ଏବଂ ‘ଗୋପାଳଜୀ’ ମନ୍ଦିର ଏକ ଆଧ୍ୟାତ୍ମିକ ପରମ୍ପରା ସୃଷ୍ଟି କରେ । ଏତଦ୍‌ବ୍ୟତୀତ ପରବର୍ତ୍ତୀ କାଳରେ ବିଦ୍ୟୁତ୍‌ସରବରାହ (୧୯୦୫), ଜଳଯୋଗାଣ ବ୍ୟବସ୍ଥା, ସ୍ୱାୟତ୍ତଶାସନ ବ୍ୟବସ୍ଥା, ପ୍ରମୋଦ ଉଦ୍ୟାନ ନିର୍ମାଣ, ନ୍ୟାୟାଳୟ, ଚିକିତ୍ସା ବ୍ୟବସ୍ଥା, କାରାଗୃହ ବ୍ୟବସ୍ଥା, ସମ୍ବାଦ ସରବରାହ ଆଦି ନୂତନ ଅଭିରୁଚି ଘେନି ବାମଣ୍ଡାର ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ସହାୟକ ହେଲା । ତେଣୁ ୨୬ଟି ଦେଶୀୟ ରାଜ୍ୟ ମଧ୍ୟରେ ବାମଣ୍ଡାର ସାଂସ୍କୃତିକ ଦୃଷ୍ଟି ଉଚ୍ଚକୋଟିର ପରିବେଶ ତୋଳିଥିଲା, ଯାହାକି ଓଡ଼ିଆ ସାହିତ୍ୟର ଗତିପଥକୁ ସରଳ, ସୁଗମ ଓ ପରିମାର୍ଜିତ କରିଥିଲା । ଏତଦ୍‌ବ୍ୟତୀତ ଓଡ଼ିଆ ସାହିତ୍ୟର ବିକାଶକ୍ଷେତ୍ରରେ ଏହା ଯେ ଅଗ୍ରଣୀ ଥିଲା କହିବା ବାହୁଲ୍ୟ ମାତ୍ର । ଯେଉଁ ସାହିତ୍ୟିକ କୋକିଳଗଣ ଅଖୋଜ ବାମଣ୍ଡାର ନିରଦ୍ଧ ଅନ୍ଧକାରାବୃତ ଅରଣ୍ୟାନୀ ମଧ୍ୟରେ ସାହିତ୍ୟ ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳି ମୁଖରିତ କରିଯାଇ ଅଛନ୍ତି, ଯେଉଁ ସାହିତ୍ୟ ସୁମନ ବାମଣ୍ଡାର ସାହିତ୍ୟକାନନରେ ପ୍ରସ୍ଫୁଟିତ ହୋଇ ନୂତନ ସଭ୍ୟତା ତଥା ସଂସ୍କୃତିର ସୌରଭ ବିତରଣ ପୂର୍ବକ ଦିଗ ବିଦିଗ ଆମୋଦିତ କରିଯାଇ ଅଛନ୍ତି, ଯେଉଁ ଦେଶ-ହିତୈଷୀ ସାହିତ୍ୟପ୍ରେମୀବୃନ୍ଦ ବାମଣ୍ଡାର ଜନସମାଜକୁ ଏକ ମହାଜାତୀୟ ଭାବରେ ଉଦ୍‌ବୃଦ୍ଧ କରିଅଛନ୍ତି, ଯେଉଁ ସାହିତ୍ୟକବୃନ୍ଦ ସ୍ୱୀୟ ଅମର ଲେଖନୀ ମୁନରେ ନଅତନ ସାହିତ୍ୟ ସୃଷ୍ଟିକରି ବାମଣ୍ଡାର ତଥା ସମଗ୍ର ଓଡ଼ିଶାର ହିତ ସାଧନ କରିଯାଇ ଅଛନ୍ତି, ବାମଣ୍ଡାର ସେହି ଉଦାରମନା ଲବ୍‍ଧ ପ୍ରତିଷ୍ଟା ସାହିତ୍ୟିକବୃନ୍ଦ ହେଲେ-

 

(i)

ରାଜା ବାସୁଦେବ ସୁଢ଼ଳଦେବ (୧୮୫୦-୧୯୦୩)

(ii)

ରାଜକବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ (୧୮୭୨-୧୯୧୬)

(iii)

ଜଳନ୍ଧର ଦେବ (୧୮୭୨-୧୯୫୨)

(iv)

ବିଶ୍ୱନାଥ ଶତପଥୀ (୧୮୭୬-୧୯୫୦)

(v)

ବଡ଼କୁମାର ବଳଭଦ୍ର ଦେବ (୧୮୭୮-୧୯୩୭)

(vi)

ଦୀନବନ୍ଧୁ ଗଡ଼ନାୟକ (୧୮୮୦-୧୯୩୨)

(vii)

ରାଜୀବ ଲୋଚନ ଦେବ (୧୮୮୩-୧୯୪୭)

(viii)

ବନମାଳୀ ଗୁରୁ (୧୮୮୪-୧୯୦୯)

(ix)

ହରିହର ମହାପାତ୍ର (୧୮୮୫-୧୯୬୧)

(x)

ଲଳିତ ମୋହନ ଦେବ (୧୮୮୬-୧୯୩୮)

(xi)

ବୃନ୍ଦାବନ ନାଥ ଶର୍ମା (୧୮୮୭-୧୯୫୫)

(xii)

ଶଶିଭୂଷଣ ଦେବ (୧୮୯୨-

(xiii)

ଦିବ୍ୟରାଜ ସିଂହ (୧୮୯୩-

(xiv)

ଲିଙ୍ଗରାଜ ପାଣିଗ୍ରାହୀ (୧୮୯୪-୧୯୫୭)

(xv)

ସୁଲୋଚନା ଦେଈ (୧୮୯୫-୧୯୪୨)

 

ପ୍ରବନ୍ଧ, କାବ୍ୟ, କବିତା ପ୍ରଭୃତି କ୍ଷେତ୍ରରେ ସେମାନଙ୍କର ଅବଦାନର ସୂଚନା ପ୍ରଦତ୍ତ ହେଲା । ଓଡ଼ିଆ ସାହିତ୍ୟର ‘ରାଧାନାଥ’, ‘ସତ୍ୟବାଦୀ’ ଏବଂ ‘ସବୁଜ’ ଏହି ତିନିଯୁଗର ପ୍ରଭାବ ଉପର୍ଯ୍ୟୁକ୍ତ ସାହିତ୍ୟିକଙ୍କ କୃତିତ୍ୱ ବିଶେଷରୂପେ ଅନୁପ୍ରାଣିତ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବାମଣ୍ଡା-

ଊନବିଂଶ ଶତକର ଶେଷ ଦୁଇଦଶକ ମଧ୍ୟରେ ପ୍ରବନ୍ଧ-ସାହିତ୍ୟର କ୍ରମବିକାଶ ସାଧିତ ହୋଇଅଛି । ରାଜକୁମାର ଉଚ୍ଚଇଂରାଜୀ ବିଦ୍ୟାଳୟର ‘ଛାତ୍ର ସମିତି’ (୧୮୯୦)ର ଆନୁକୂଲ୍ୟରେ ସାପ୍ତାହିକ ପ୍ରବନ୍ଧପାଠ ଓ ଆଲୋଚନା ପ୍ରବନ୍ଧ-ସାହିତ୍ୟର ଉନ୍ନତି ବିଧାନ କଲା । ଏହି ସମିତିର ସଭାପତି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏବଂ ସମ୍ପାଦକ ଥିଲେ ଜଳନ୍ଧର ଦେବ, ଯେ କି ପରେ ବିଶିଷ୍ଟ ପ୍ରାବନ୍ଧିକରୂପେ ପରିଚିତ ହେଲେ । ପ୍ରବନ୍ଧ-ସାହିତ୍ୟର ଉନ୍ନତିକଳ୍ପେ ‘ସମ୍ବଲପୁର ହିତୈଷିଣୀ’, ‘ଆଲୋଚନା’, ‘ଉତ୍କଳ ମଧୁପ’, ‘ଉପହାର’ ଓ ‘ଶଙ୍ଖ’ ପତ୍ରିକାର କର୍ତ୍ତବ୍ୟ ସର୍ବଦା ପ୍ରଶଂସନୀୟ ତଥା ସ୍ମରଣୀୟ ।

 

(୧)

ରାଜାବାସୁଦେବ ସୁଢ଼ଳ ଦେବଙ୍କ ‘ଅଳଙ୍କାର ବୋଧୋଦୟ’ (୧୮୮୬)

(୨)

ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ‘ଅଳଙ୍କାର ସାର’ (୧୮୯୯) ‘ବୃଷ୍ଟି ବିଜ୍ଞାନ’ ଓ ‘ଭ୍ରମଣ ବୃତ୍ତାନ୍ତ’ (୧୯୧୫)

(୩)

ଦୀନବନ୍ଧୁ ପ୍ରଧାନଙ୍କର ‘ବ୍ରତୋତ୍ସବ’ (୧୯୦୫)

(୪)

ଦୀନବନ୍ଧୁ ଗଡ଼ନାୟକଙ୍କର ନାରୀଶିକ୍ଷା (୧୯୧୩), ‘ଛିନ୍ନମନ୍ଦାର ମାଳା’ ଓ ‘କର୍ମପଥ’ (୧୯୨୦)

(୫)

ବୃନ୍ଦାବନ ନାଥ ଶର୍ମାଙ୍କ ‘ଶତଚିନ୍ତା’ (୧୯୩୯) ଏବଂ ବିଭିନ୍ନ ପତ୍ର-ପତ୍ରିକା ତଥା ‘ଉତ୍କଳ ସାହିତ୍ୟ’, ‘ସହକାର’, ‘ପ୍ରଦୀପ’, ‘ସାଧନା’ ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ ପ୍ରବନ୍ଧାବଳୀ

(୬)

ସୁଲୋଚନା ଦେଈଙ୍କ ‘ଦମୟନ୍ତୀ’ (୧୯୩୦) ‘ସେକ୍‌ସପିୟର’ (୧୯୩୩)

(୭)

ଜଳନ୍ଧର ଦେବଙ୍କ ‘ବିବାହ ବିଚାର’ (୧୯୨୮), ‘ଡାଏରୀର କିୟଦଂଶ’ (୧୯୫୧) ଏବଂ ବିଭିନ୍ନ ପତ୍ର-ପତ୍ରିକାରେ ତଥା ‘ଉତ୍କଳ ସାହିତ୍ୟ’ରେ ୧୪ଟି ଓ ‘ସହକାର’ରେ ୧୧ଟି ‘ଭଞ୍ଜ ପ୍ରଦୀପ’, ‘ରସଚକ୍ର’ ପ୍ରଭୃତିରେ ପ୍ରକାଶିତ ପ୍ରବନ୍ଧ ସମୂହ ବାମଣ୍ଡାରେ ପ୍ରବନ୍ଧ-ସାହିତ୍ୟ ଜଗତରେ ଏକ ନୂତନ ଚେତନା ଜାଗ୍ରତ କରିଥିଲେ ।


କାବ୍ୟ କବିତା କ୍ଷେତ୍ରରେ ବାମଣ୍ଡା-

ବାମଣ୍ଡାରେ ଓଡ଼ିଆ ସାହିତ୍ୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର କାବ୍ୟ କବିତାର ପୁଷ୍କଳ ଉନ୍ନତି ସାଧିତ ହେଲା । ଓଡ଼ିଆ ସାହିତ୍ୟ ଜଗତରେ ‘ବାସୁଦେବ ଗ୍ରନ୍ଥାବଳୀ’, ‘ସଚ୍ଚିଦାନନ୍ଦ ଗ୍ରନ୍ଥାବଳୀ’ ଓ ‘ବଳଭଦ୍ର ଗ୍ରନ୍ଥାବଳୀ’ ଅମ୍ଳାନ ଅକ୍ଷୟ କୀର୍ତ୍ତିରୂପେ ଚିରଦିନ ଜାଜ୍ଜ୍ୱଲ୍ୟମାନ ହୋଇ ରହିବ । ଏତଦ୍‌ବ୍ୟତୀତ ବିଶ୍ୱନାଥ ଶତ୍‌ପଥୀଙ୍କ ‘ନୀତିମୟୂଖ’ (୧୯୦୩) ଦୀନବନ୍ଧୁ ଗଡ଼ନାୟକଙ୍କ ‘ସିନ୍ଧୁମନ୍ଥନ’ (୧୯୦୨) ‘ଶୋଭାସୁନ୍ଦରୀ’ (୧୯୧୨) ରାଜୀବ ଲୋଚନ ଦେବଙ୍କ ‘ପାରିଜାତ’ ବନମାଳୀ ଗୁରୁଙ୍କ ‘ଆର୍ଯ୍ୟମିତ୍ର’ (୧୯୦୪) ହରିହର ମହାପାତ୍ରଙ୍କ ‘ହେମ କମଳିନୀ’ (୧୯୦୮) ‘କୁମାର କଣ୍ଠାଭରଣ’ (୧୯୧୩) ‘ବିବ୍ରତା ଭାରତୀ’ (୧୯୩୩) ‘ଶାନ୍ତିଭିକ୍ଷା’ (୧୯୩୩) ‘ଖଣ୍ଡାଧାର’ କାବ୍ୟ, ଲଳତିମୋହନ ଦେବଙ୍କ ‘ଲଳିତମୋହନ ଦେବଙ୍କ ‘ଲଳିତଋତୁ କଳାପ’ (୧୯୩୭) ବୃନ୍ଦାବନ ନାଥ ଶର୍ମାଙ୍କ ‘ଚିତ୍ର ପରିଚୟ’ (୧୯୧୩) ଓ ‘ଆମେ ଓଡ଼ିଆ’ (୧୯୧୬) ‘ମଦାଳସା ପରିଣୟ’ ଓ ‘ଅବସର ଗାଥା’ ଅପ୍ରକାଶିତ କାବ୍ୟ, ଦିବ୍ୟରାଜ ସିଂହଙ୍କ ‘ବିକାଶ’ (୧୯୧୬) ଲିଙ୍ଗରାଜ ପାଣିଗ୍ରାହୀଙ୍କ ‘ପୁଷ୍ପାଞ୍ଜଳି’ (୧୯୧୫) ‘କଳିକାଞ୍ଜଳି’ (୧୯୧୯) ‘ନଡ଼ିଆପଇତା’ (୧୯୧୯) ‘ବିଛୁଆତି ପତ୍ର’ (୧୯୨୨) ‘ଅମୃତେ ବିଷ’ (୧୯୨୦) ସୁଲୋଚନା ଦେଇଙ୍କ ‘ଅବକାଶ ମଞ୍ଜରୀ’ (୧୯୧୪) ‘ଚିତ୍ତବିକାଶ’ (୧୯୨୭) ‘ବଣମଲ୍ଲୀ’ (୧୯୩୧) ‘ଆନନ୍ଦ ଲହରୀ କବିତା, ଜଳନ୍ଧର ଦେବଙ୍କ ‘ମେଘଭାବନା’ (୧୯୩୪) ‘ଅସ୍ପୃଶ୍ୟା’ (୧୯୩୪) ‘ସ୍ୱର୍ଗତ ବିଶ୍ୱନାଥକ ପ୍ରତି’ (୧୯୩୫) ଶଶିଭୂଷଣ ଦେବଙ୍କ ‘ବାରାଣାସୀ’ (୧୯୧୨) ବହୁ ପ୍ରକାଶିତ ଓ ଅପ୍ରକାଶିତ ଆଧ୍ୟାତ୍ମିକ ତଥ୍ୟ ସମ୍ବଳିତ, କବିତାଦି, ସାହିତ୍ୟକୃତି ସମ୍ପଦ ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ ଚିର ପ୍ରତିଭାତ । ଗଳ୍ପ-ସାହିତ୍ୟ କ୍ଷେତ୍ରରେ ଜଳନ୍ଧର ଦେବଙ୍କ ‘ବାରଣାସୀ’ (୧୯୧୨) ବହୁ ପ୍ରକାଶିତ ଆଧ୍ୟାତ୍ମିକ ତଥ୍ୟ ସମ୍ୱଳିତ, କବିତାଦି, ସାହିତ୍ୟକୃତି ସମ୍ପଦ ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ ଚିର ପ୍ରତିଭାତ । ଗଳ୍ପ-ସାହିତ୍ୟ କ୍ଷେତ୍ରରେ ଜଳନ୍ଧର ଦେବଙ୍କ ଦାନ ଅତୁଳନୀୟ । ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ୧୪ଟି ଓ ‘ସହକାର’ ପତ୍ରିକାରେ ପ୍ରକାଶିତ ୨ଟି ଗଳ୍ପ, ତାଙ୍କ ଗାଳ୍ପିକ ପ୍ରତିଭାର ପରିଚୟ ପ୍ରଦାନ କରନ୍ତି । ଉପର୍ଯ୍ୟୁକ୍ତ ସଂକ୍ଷିପ୍ତ ସୂଚନାରୁ ବାମଣ୍ଡାର ସାହିତ୍ୟିକ ପରମ୍ପରାର ଆଦର୍ଶ ସହଜରେ ଅନୁମେୟ ।

 

ବାମଣ୍ଡାରେ ନାଟ୍ୟକଳାର ବିକାଶଧାରା-

ସାହିତ୍ୟ ସଦୃଶ ନାଟକ ମଧ୍ୟ ଏକ ସୂକ୍ଷ୍ମକଳା । ଏହା ପ୍ରାରମ୍ଭିକ ବିକାଶ ବାମଣ୍ଡାର ରାଜଧାନୀ ଦେବଗଡ଼ରେ ଯାତ୍ରା ରୂପରେ ପର୍ଯ୍ୟବେସିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୮୮୦ ସାଲରୁ ୧୯୨୦ ସାଲ ମଧ୍ୟରେ ଉନ୍ମୁକ୍ତ ପ୍ରାଙ୍ଗଣରେ ‘ରାମଲୀଳା’ ‘କୃଷ୍ଣଲୀଳା’, ‘ଭୀଷ୍ମ’, ‘ଚନ୍ଦ୍ରଭାଗା’, ‘ମାୟାଶବରୀ’ ଆଦି ପ୍ରଦର୍ଶିତ ହେଉଥିଲା । ରାଜା ବାସୁଦେବଙ୍କର ‘ମାୟାଶବରୀ’ କାବ୍ୟର ନାଟକୀୟ ରୂପ ୧୯୦୨ ସାଲ ବେଳକୁ ଏତେ ପ୍ରସିଦ୍ଧି ଲାଭ କରିଥିଲା ଯେ, ଏହା କଟକର କାଳୀଗଳିସ୍ଥିତ ଶଶିଭୂଷଣ ରାୟଙ୍କ ବାସଭବନରେ ୧୯୦୨ ସାଲରେ ପ୍ରଦର୍ଶିତ ହୋଇ ବାମଣ୍ଡାର ନାଟ୍ୟକଳାପ୍ରୀତିର ପରିଚୟପ୍ରଦାନପୂର୍ବକ ପ୍ରଶଂସାଭାଜନ ହୋଇଥିଲା । ବିଂଶ ଶତାବ୍ଦୀର ପ୍ରଥମ ଦୁଇଜଣକ ମଧ୍ୟରେ ‘ଶକୁନ୍ତଳା’, ‘କାଞ୍ଚିକାବେରୀ’, ‘ସୀତାବିବାହ’, ‘ପୁରୁଷୋତ୍ତମ ଦେବ’ ଆଦି ନାଟକ ଅଭିନିତ ହେଲା । କଲିକତାରୁ ଧୀରେନ୍ଦ୍ର ନାଥ ଗଙ୍ଗୋପାଧ୍ୟାୟ (ଧୀରେନ୍‌ ଗାଙ୍ଗୁଲି) ଦିବ୍ୟଶଙ୍କର ଦେବଙ୍କ ପ୍ରତିଷ୍ଠିତ ଗାଙ୍ଗେୟ ରଙ୍ଗମଞ୍ଚରେ ୧୯୧୯ ସାଲରେ ଦୃଶ୍ୟପଟ (Scene) ଆଦିର ସଂଯୋଜନା କରିଥିଲେ । ୧୯୨୪-୧୯୨୫ ସାଲ ବେଳକୁ ବାମଣ୍ଡାର ତଦାନୀନ୍ତନ ପ୍ରଶାସନିକ କର୍ମଚାରୀ (S.D.O) ଶ୍ରୀ ଶଶିଭୂଷଣ ଦେବଙ୍କର ପ୍ରଯତ୍ନରେ ରାମଗୋପାଳଜୀ ନାଟ୍ୟସଙ୍ଘ ପ୍ରତିଷ୍ଠିତ ହେଲା । ଶଶିଭୂଷଣଙ୍କ ଲିଖିତ କେତେକ ନାଟକ ଯଥା- ‘ପ୍ରହ୍ଲାଦ’, ‘ଧ୍ରୁବ’, ‘ରାଧାସତୀ’, ‘କୃଷ୍ଣଙ୍କର ତନୁତ୍ୟାଗ’, ‘ଦଶରଥ ମୃଗୟା’, ‘ରାଧାକୃଷ୍ଣ ଯୁଗଳ ମିଳନ’, ‘ରାମ ବନବାସ’, ‘ମଥୁରା ବିଜୟ’ ଆଦି ଏବଂ ଲିଙ୍ଗରାଜ ପାଣିଗ୍ରାହୀଙ୍କ ‘ବାଣ ହରଣ’, ‘ବସ୍ତ୍ରଦାନ’, ‘ଶ୍ରୀକୃଷ୍ଣ ଜନ୍ମ’ ଆଦି ନାଟକ ଅଭିନୀତ ହୋଇ ନାଟ୍ୟକଳାର ପରାକାଷ୍ଠା ପ୍ରଦର୍ଶନ କଲା-। ଏହି ନାଟ୍ୟସଙ୍ଘ ୧୯୩୭ ସାଲ ପର୍ଯ୍ୟନ୍ତ ଜୀବିତ ଥାଇ ଏକ ଉଚ୍ଚାଙ୍ଗ ପରିବେଶ ଲାଭ କରିଥିଲା; ଯାହାକି ଉତ୍କଳ ଦୀପିକାଙ୍କ ମତରେ ଏହା ଦ୍ୱିତୀୟ ସ୍ଥାନ ଲାଭ କରିଥିଲା । ସତ୍ୟାନନ୍ଦ ପତିଙ୍କ ଲିଖିତ ‘ଅରୁଣା’, ‘ବଂଶିଚୋରୀ’, ‘ହରିଶ୍ଚନ୍ଦ୍ର’, ‘କଂସବଧ’ ଆଦି ନାଟକ ଅଭୀନୀତ ହେଲା । ଏତଦ୍‌ବ୍ୟତୀତ ଜଳନ୍ଧର ଦେବଙ୍କ ନାଟକ ‘ଉଦୟସିଂହ’ (୧୯୩୪), ‘ବିଚ୍ଛେଦ’ (୧୯୩୨), ରାଣାସଙ୍ଘଙ୍କ ‘ମହାପ୍ରୟାଣ’ (୧୯୩୩) ଏକାଙ୍କିକା ଦ୍ୱୟ ସୁଲୋଚନା ଦେଈଙ୍କ ‘ସାବିତ୍ରୀ’ ନାଟକ’, ସୁରେନ୍ଦ୍ର ନାଥ ଶର୍ମାଙ୍କ ‘ରାଜକବି ସଚ୍ଚିଦାନନ୍ଦ’ (୧୯୪୯), ‘ମାୟାଧରୀ’ ନାଟକ (୧୯୫୧) ନାଟ୍ୟ-ସାହିତ୍ୟ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଦିବ୍ୟଶଙ୍କର ନାଟ୍ୟସଙ୍ଘ:- ଗାଙ୍ଗେୟ ରଙ୍ଗମଞ୍ଚରେ ଏହି ନାଟ୍ୟସଙ୍ଘର ଆନୁକୂଲ୍ୟରେ ଅନେକ ନାଟକ ଯଥା ‘ସେଓଜି’, ‘ସମ୍ବଲେଶ୍ୱରୀ’, ‘ସୀତା ବିବାହ’, ‘କାରାଗାର’, ‘କର୍ଣ୍ଣାଜ୍ଜୁ‘ନ’, ‘ଚକ୍ରଧାରୀ’, ‘ଶକ୍ତିର ମନ୍ତ୍ର’ ଆଦି ପ୍ରଦର୍ଶିତ ହୋଇ ୧୦ ବର୍ଷରୁ ଊର୍ଦ୍ଧ୍ୱକାଳ ନାଟ୍ୟକଳାର ଏକ ସ୍ୱଚ୍ଛଳ ବାୟୁମଣ୍ଡଳ ସୃଷ୍ଟି ହୋଇଥିଲା । ଏତଦ୍‍ବ୍ୟତୀତ ଶଂସିତ କାଳରେ ‘‘ଶ୍ରୀ ରାଧା ଗୋବିନ୍ଦ ପାଟରା’’ ନାଟ୍ୟସଙ୍ଘର ଆନୁକୂଲ୍ୟରେ ଅନେକ ନାଟକ ପ୍ରଦର୍ଶିତ ହୋଇଥିଲା । ଦେବଗଡ଼ର ‘ଗୋପୀ କିଶୋର ନାଟ୍ୟସଙ୍ଘ’ (୧୯୩୯), ‘ଡାଇମଣ୍ଡ ଏସୋସିଏସନ୍‌ (୧୯୬୬), ‘ଗୋକର୍ଣ୍ଣେଶ୍ୱର ନାଟ୍ୟସଂଘ’, ‘‘ଦେବଗଡ଼ ନ ନାଟ୍ୟକଳା ପରିଷଦ’’ ପ୍ରତ୍ୟେକ ବର୍ଷ ନାଟକ ଅଭିନୟ ପ୍ରଦର୍ଶନ-ପୂର୍ବକ ସାଂସ୍କୃତିକ ପରମ୍ପରା ରକ୍ଷଣ କରିଛନ୍ତି । ବାରକୋଟର ‘‘ରମ୍ଭାଦେବୀ କଳା ପରିଷଦ’’ (୧୯୫୧) ରମ୍ଭାଦେବୀ ଯାତ୍ରା ଉପଲକ୍ଷେ ନାଟକ ପ୍ରଦର୍ଶନ କରିଥାଏ । ଏତଦ୍‌ବ୍ୟତୀତ ‘ଦେବଗଡ଼ ମହାବିଦ୍ୟାଳୟ’, ‘କୁଚିଣ୍ଡା କଳା ପରିଷଦ’ ପ୍ରତ୍ୟେକ ବର୍ଷ ନାଟକ ଅଭିନୟ ପ୍ରଦର୍ଶନ କରି ନାଟ୍ୟକଳାର ପରିଚୟ ପ୍ରଦାନ କରନ୍ତି ।

 

ସଙ୍ଗୀତ କଳାର ବିକାଶ-

ଊନବିଂଶ ଶତାବ୍ଦୀର ଶେଷ ଦୁଇଜଣକ ମଧ୍ୟରେ ସଙ୍ଗୀତ ବିଦ୍ୟା ଦେବଗଡ଼ରେ ନୂତନ ରୂପ ଲାଭ କଲା । କଟକର ବିଶିଷ୍ଟ ସଙ୍ଗୀତଜ୍ଞ ବୃନ୍ଦାବନ ଚନ୍ଦ୍ର ପଣ୍ଡା ପଚାଶଟଙ୍କା ଦରମାରେ ନିଯୁକ୍ତି ଥାଇ ରାଜକୁମାରମାନଙ୍କୁ ଏବଂ ସଚ୍ଚିଦାନନ୍ଦଙ୍କୁ ସଙ୍ଗୀତ ବିଦ୍ୟା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର ଶିକ୍ଷା ପ୍ରଦାନ କରିଥିଲେ । ୧୮୯୮ ସାଲରେ କଲିକତା ସଙ୍ଗୀତ ସମାଜ ତାଙ୍କୁ ସଭ୍ୟରୂପେ ଗ୍ରହଣ କଲା ଓ ସେ ‘ସଙ୍ଗୀତ ସମାଜ’ ପାଣ୍ଠିକୁ ପାଞ୍ଚଶହ ଟଙ୍କା ପ୍ରଦାନ କରିଥିଲେ । ବାମଣ୍ଡାର ବିଶିଷ୍ଟ ସଙ୍ଗୀତଜ୍ଞ, ଯନ୍ତ୍ରବାଦକ, କଳାକାର ତଥା ସାହିତ୍ୟପ୍ରେମୀ ବୃନ୍ଦାବନଚନ୍ଦ୍ର ଦେବଙ୍କ ପୁତ୍ର ସୀତାକାନ୍ତ ଦେବ ‘ଦିବ୍ୟଶଙ୍କର ନାଟ୍ୟସଙ୍ଘ’ର ଅଧୀନରେ କଳାକାରମାନଙ୍କ ସଙ୍ଗୀତ ଶିକ୍ଷକରୂପେ ନିଯୁକ୍ତ ଥାଇ ସଙ୍ଗୀତ ଶିକ୍ଷା ପ୍ରଦାନ କରି ଏକାଧାରରେ ନାଟ୍ୟକଳା ଓ ସଙ୍ଗୀତ କଳାର ମଧୁର ସମନ୍ୱୟ ସମ୍ପାଦନ କରିଥିଲେ ।

 

ପ୍ରଧାନ ପ୍ରପାତର ସାହିତ୍ୟିକ ଅନୁପ୍ରେରଣା-

      ବାମଣ୍ଡାର ‘କାଳିଦାସ’ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡାଙ୍କ ‘‘ବାମଣ୍ଡା ରାଜ ବଂଶାନୁଚରିତ ଚମ୍ପୂ’’ରେ ପ୍ରଧାନ ପ୍ରପାତର ନୈସର୍ଗିକ ସୌନ୍ଦର୍ଯ୍ୟର ମନୋରମ ବର୍ଣ୍ଣନା ପ୍ରକଟିତ । ଦାମୋଦର ମିଶ୍ର ପଦ୍ୟାଳଂକାରଙ୍କ ‘ପ୍ରଧାନ ପ୍ରପାତ’ ଶୀର୍ଷକ କବିତାରୁ (୧୮୮୮) ତା’ର ସାହିତ୍ୟକ ଅଭିନିବେଶର ପରିଚୟ ମିଳେ, ତେଣୁ ସେ ବର୍ଣ୍ଣନା କଲେ-

 

‘‘ଧନ୍ୟ ତୁ ପ୍ରଧାନପାଟ ନିର୍ଝରିଣୀ

ପଞ୍ଚଖଣ୍ଡା ଗିରି ସୀମନ୍ତ ରୂପିଣୀ

x      x      x      x

ତୁ ଅଟୁ ବାମଣ୍ଡା ସୁଷମା ଭଣ୍ଡାର

ବିଶାଳ ଉତ୍କଳ ଶାନ୍ତି ଲୀଳାଗାର’’,

 

ଭକ୍ତକବି ମଧୁସୂଦନ ରାଓ ପ୍ରଧାନ ପ୍ରପାତର ‘ତପୋମୂର୍ତ୍ତି’ ସନ୍ଦର୍ଶନରେ ମୁଗ୍‌ଧ ହୋଇ ଦାର୍ଶନିକ ଭାବୋଚ୍ଛ୍ୱାସ ପ୍ରକାଶ କଲେ । ସ୍ୱଭାବ କବି ଗଙ୍ଗାଧରଙ୍କ କବି ମାନସ ଚକ୍ଷୁ ପ୍ରପାତର ସ୍ୱାଭାବିକ ସୁଷମାରେ ବିମୁଗ୍‌ଧ ହେଲା ।

 

ତେଣୁ ସେ ଗାଇଲେ,

‘‘ଆହା ସେ ପ୍ରଧାନ ପାଟ ନେତ୍ର-ପ୍ରୀତିକର

ଭାବୁକର ଭାବଭୟ ହୃଦୟ ରଞ୍ଜନ,

ଗିରିଶିର ବିଭୁଷିତ ଶୁଭ୍ର ସ୍ୱଚ୍ଛଝର

ଆତପ ତାପିତ ତନୁ ତାପ ବୁଭଞ୍ଜନ’’ ।

 

ବାମଣ୍ଡାର ଶ୍ରେଷ୍ଠ ସୌନ୍ଦର୍ଯ୍ୟ ପୀଠସ୍ଥଳୀ ‘ପ୍ରଧାନ ପ୍ରପାତ’ ଯୁଗେ ଯୁଗେ ତା’ର ସାହିତ୍ୟକ ଅନୁପ୍ରେରଣା ପ୍ରଦାନ ପୂର୍ବକ କେତେ କବି, ଭାବୁକ, ଦାର୍ଶନିକ, ରସିକ ତଥା ସାହିତ୍ୟିକଙ୍କ ମନପ୍ରାଣକୁ ବିମୋହିତ କରିଛି ଓ କରୁଛ କହିବା ବାହୁଲ୍ୟ ମାତ୍ର । ଆଜି ମଧ୍ୟ ତା’ର ମଧୁର ମୂର୍ଚ୍ଛନା ସତେ ଯେପରି ସାହିତ୍ୟକ ମୃତ ସଞ୍ଜୀବନୀ ସୁଧା ପ୍ରତିଟି ପ୍ରାଣରେ ଭରି ଦେଉଛି । ଗୌରବମୟ ଅତୀତ ବାମଣ୍ଡାର ପବିତ୍ରସ୍ମୃତି ଧାରଣ କରି ମନରେ ସଦୁତ୍ସାହ ପ୍ରଦାନ ପୂର୍ବକ ନୂତନ କର୍ମ-ପ୍ରେରଣା ଜାତ କରୁଛି । ପୂର୍ବଗୌରବ ତଥା ସମ୍ମାନ ରକ୍ଷା ପୁର୍ବକ ସାହିତ୍ୟ ସାଧନା ପଥ ସୁଗମ ଓ ନିର୍ମଳ କରିବା ଦିଗରେ ସହାୟକ ହୋଇଛି ।

 

‘‘ବସନ୍ତ ନିବାସ’’ର ସାହିତ୍ୟିକ ଅଭିନିବେଶ-

‘ବସନ୍ତ ନିବାସ’ ନାମକ ସୌଧର ନିର୍ମାଣ କାର୍ଯ୍ୟ ତିନିଜଣ ବ୍ୟକ୍ତି (ରାମଚନ୍ଦ୍ର ଦେବ, ଚକ୍ରଧର କୁଅଁର ଓ ମନବୋଧ ଦାସ)ଙ୍କ ତତ୍ତ୍ୱାବଧାନରେ ତା ୩୧-୮-୧୯୦୮ ସାଲରେ ଆରମ୍ଭ ହୋଇ ତା ୧୬-୮-୧୯୦୯ ସାଲରେ ସମାପ୍ତ ହେଲା । ‘ବସନ୍ତ ବୃତ୍ତ’ରେ ରାଜକବି ସଚ୍ଚିଦାନନ୍ଦଙ୍କ ବିରଚିତ ‘ଉଦ୍‌ବୋଧନ’ କବିତା ଏହାର ସମ୍ମୁଖ ଭାଗରେ ମର୍ମର ପ୍ରସ୍ତର ଗାତ୍ରରେ ଶୋଭାପାଉଛି । ଏତଦ୍‌ବ୍ୟତୀତ ବାମଣ୍ଡା ଓ ବାମଣ୍ଡା ଆଗତ ୨୨ଜଣ ବିଶିଷ୍ଟ କବି ପଣ୍ଡିତ ତଥା ସାହିତ୍ୟିକ ଯଥା:-(ସଚ୍ଚିଦାନନ୍ଦ ଦେବ, ଲଳିତ ମୋହନ ଦେବ, ଜୟନାରାୟଣ ଦେବ, ରାମକୃଷ୍ଣ ସାହା, ଜଳନ୍ଧର ଦେବ, କୁମୁଦ୍‌ବତୀ ଦେବୀ, ଶଶିଭୁଷଣ ରାୟ, ହରିହର ମହାପାତ୍ର, ମଧୁସୂଦନ ରାଓ, ଦୀନବନ୍ଧୁ ପ୍ରଧାନ, ବୃନ୍ଦାବନ ଚନ୍ଦ୍ର ଦେବ, ବଳଭଦ୍ର ଦେବ, ପଣ୍ଡିତ ଭାଗିରଥୀ ରଥ ଶର୍ମା, ଡମ୍ୱରୁଧର ପ୍ରିୟା ଦେବୀ, ବ୍ରଜବନ୍ଧୁ ମିଶ୍ର ଶର୍ମା, ଲାଲ ଦୁଷ୍ମନ୍ତ ଦେବ, କାଳୀଚରଣ ଦ୍ୱିବେଦୀ, ରତ୍ନାକର ଶର୍ମା, ରାଜୀବଲୋଚନ ଦେବ, କୃଷ୍ଣଚନ୍ଦ୍ର ନନ୍ଦ, ଗଦାଧର କୁଅଁର, ଜଗନ୍ନାଥ ପଟ୍ଟନାୟକ, ମୋମନାଥ ଶତପଥୀଙ୍କର ‘ବସନ୍ତ-ନିବାସ’ ପଦାବଳୀ ବସନ୍ତ ବୃତ୍ତରେ ସ୍ତମ୍ଭ ଦେହରେ ଖୋଦିତ ହୋଇ ଶୋଭାପାଉଛି ଏହାର ସାହିତ୍ୟ ଚତ୍ୱରରେ । ରାଜକବି ସଚ୍ଚିଦାନନ୍ଦଙ୍କ ‘ବସନ୍ତ ନିବାସ’ ଶୀର୍ଷକ ପଦରୁ ଏହାର ତାତ୍ପର୍ଯ୍ୟପୂର୍ଣ୍ଣ ଗୁରୁତ୍ୱ ଉପଲବ୍‌ଧ ହୁଏ ।

 

‘‘ପ୍ରକୃତି ବିଚିତ୍ର ଚାରୁ ଚିତ୍ରପଟ ମୂର୍ତ୍ତିମନ୍ତ ଯହିଁ ହୋଇଲା

ବିହଗ କାକଳି କଳ ଜଳକାଳି ବସନ୍ତ ଶୋଭାକୁ ବହିଲା

ବିଚିତ୍ର ଭଲା, ଚିତ୍ରକର ଚିତ୍ରକର ଚିତ୍ରିଲା

 

‘‘ବସନ୍ତ ‘ନିବାସ’-ନିବାଷ’’-‘ନିବାଶ’ ଏକାଧାରେ ଆଣି ଥୋଇଲା’’ ।

 

(୧)

ବସନ୍ତ-‘ନିବାଶ’-ଚିରଦିନ ପକ୍ଷୀଙ୍କର କୂଜନରେ ମୁଖରିତ ପୀଠସ୍ଥଳୀ ।

(୨)

ବସନ୍ତ-‘ନିବାଷ’-ଜଳର ଦୀପ୍ତିରେ ବାସନ୍ତିକ ଶୋଭାର ଆଧାର ।

(୩)

ବସନ୍ତ ‘ନିବାସ’-ବାସନ୍ତିକ ଶୋଭାର ନିତ୍ୟ ପୀଠସ୍ଥଳୀ ।

 

ଆଜି ମଧ୍ୟ ଏକ ମନୋଜ୍ଞ ପ୍ରାକୃତିକ ପରିବେଶ ମଧ୍ୟରେ ‘ବସନ୍ତ ନିବାସ’ ଶୋଭା ପାଉଛି-। ବହୁ ଆଗନ୍ତୁକ ବ୍ୟକ୍ତିଙ୍କ ଚିତ୍ତ-ବିନୋଦନ କରୁଛି । ଏହା ନିର୍ମିତ ହେବାର ୬୮ ବର୍ଷ ଅତିକ୍ରାନ୍ତ ହେଲାଣି । ତଥାପି ସୁଶ୍ରୀ କଳେବର ଧାରଣ କରି ପ୍ରଧାନ ପ୍ରପାତ ନିକଟରେ ଦଣ୍ଡାୟମାନ ହୋଇ ତା’ର ଗୌରବ ଗୀତି ଶ୍ରବଣ କରୁଛି ।

 

ଉପସଂହାର :

ବାମଣ୍ଡାର ସାମାଜିକ ତଥା ସାଂସ୍କୃତିକ ପରିବେଶ, ଶିକ୍ଷାର ଭୂମିକା, ବିଭିନ୍ନ ପତ୍ରପତ୍ରିକାର ପ୍ରଭାବ ଓ ପ୍ରତିଷ୍ଠା ସାହିତ୍ୟିକଙ୍କ ସାହିତ୍ୟକୃତିର ଆଭିମୁଖ୍ୟ, ସ୍ଥାପତ୍ୟ-ଭାସ୍କର୍ଯ୍ୟକଳାର ପରାକାଷ୍ଠା, ନାଟକ ଓ ସଙ୍ଗୀତ କଳାର ପ୍ରଭାବ ଓ ‘ପ୍ରଧାନପାତ’ ଏବଂ ‘ବସନ୍ତ ନିବାସ’ର ସାହିତ୍ୟିକି ଅନୁପ୍ରେରଣା ପ୍ରଭୃତି ବିଭିନ୍ନ ବିଭାବ ବାମଣ୍ଡାରେ ଓଡ଼ିଆ-ସାହିତ୍ୟର ବିକାଶ ସାଧନ ଦିଗରେ ସକ୍ରିୟ ଅଂଶ ଗ୍ରହଣ କରିଛି । ତେଣୁ ସେହି ବିଭାଗକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଏହାହିଁ ଶ୍ରେଷ୍ଠଦାନ ତଥା ଅବଦାନ; ଯାହାକି ଏକ ମହାନ କୃଷ୍ଟି ତଥା ସାଂସ୍କୃତିକ ପରମ୍ପରାର ଗୌରବୋଜ୍ଜ୍ୱଳ ନିର୍ଯ୍ୟାସ । ସମଗ୍ର ଓଡ଼ିଶା ତଥା ଭାରତ ବକ୍ଷରେ ଏହା କମ୍‌ ଗୌରବର ବିଷୟ ନୁହେଁ । ସେହି ପବିତ୍ର ସ୍ମୃତି ଆଜି ବିଂଶ ଶତାବ୍ଦୀର ଦ୍ୱିତାୟାର୍ଦ୍ଧରେ ଅନ୍ତଃସଲିଳା ଫଳଗୁଧାରା ସଦୃଶ ବିଦ୍ୟମାନ ବାମଣ୍ଡାବାସୀ ତଥା ଦେଶବାସୀଙ୍କ ହୃଦୟରେ । ଆଜିର ଏ ଅତ୍ୟାଧୁନିକ ଯୁଗର ଓଡ଼ିଆ ସାହିତ୍ୟର ଉତ୍ତାଳ ତରଙ୍ଗମାଳା ମଧ୍ୟରେ ସେହି କ୍ଷୀଣ ଫଲ୍‌ଗୁଧାରା ସମତାଳରେ ମିଳିତ ହାଇ ଯେ ଗତି କରିବ, ଏ ମହତ୍‌ ଓ ପବିତ୍ର ଆଶା ମନରେ ସର୍ବଦା ସଞ୍ଚରିତ ହେଉଛି । ତେଣୁ ଆଜିର ଆଶାବାଦୀ ବର୍ତ୍ତମାନ ତା’ର ଉଦୀୟମାନ ନବୀନ ତରୁଣ ସାହିତ୍ୟ-ସାଧକବୃନ୍ଦଙ୍କୁ ନୂତନ ଯୋଜନା, ନୂତନ କର୍ମ ପ୍ରେରଣା, ନୂତନ ଉତ୍ସାହ ତଥା ନୂତନ ଇଙ୍ଗିତ ପ୍ରଦାନ କରୁ । ନବୀନ ଭାବୀ ଦାୟାଦଗର ଲେଖନୀ ଚାଳନପୂର୍ବକ ବାମଣ୍ଡା ତଥା ଉତ୍କଳ ଜନନୀର ମୁଖମଣ୍ଡଳର ଅଜ୍ଞାନତା ବିଷାଦ କାଳିମା ଧୌତକରି ନୂତନ ତେଜ ତଥା ଦୀପ୍ତିରେ ଆଭାୟିତ କରନ୍ତୁ । ବାମଣ୍ଡାର ନଦନଦୀ, ଗଗନକାନନ, ଉପବନ, ପବନ ପ୍ରତିଟି କୋଣରେ ସାହିତ୍ୟ ରସର ସୁବିମଳ ସ୍ୱଚ୍ଛଧାରା ପ୍ରଭାବିତ ହୋଇ ଉତ୍କଳର ଜନଜୀବନକୁ ପଲ୍ଲବିତ, ମୁକୁଳିତ ତଥା ପୁଲକିତ କରୁ । ନୂତନ ସାହିତ୍ୟ ସୌରଭ ସଞ୍ଚରିତ ହୋଇ ଭାରତର ଦିଗ-ବିଦିଗ ଆମୋଦିତ କରୁ ।

 

ଆଜିର ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁକୂଲ୍ୟରେ ସେହି ବାମଣ୍ଡାରେ ଅନୁଷ୍ଠିତ ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ଶୀର୍ଷକ ସାହିତ୍ୟ ସଭାର ମଧୁର ପବିତ୍ର ସ୍ମୃତି ବାମଣ୍ଡାବାସୀ ତଥା ସମସ୍ତ ସୁଧୀବୃନ୍ଦଙ୍କ ହୃହୟରେ ଚିରଦିନ ଉଜ୍ଜ୍ୱଳରୂପେ ପ୍ରତିଭାତ ହେବ ଏଥିରେ ସନ୍ଦେହ ନାହିଁ-। ଦୁଇଦିନ ବ୍ୟାପୀ ଏହି ସାହିତ୍ୟ ସଭା ଓ ସଙ୍ଗୀତ ସମାରୋହ ବାମଣ୍ଡା ଜନନୀର ମୁଖଉଜ୍ଜ୍ୱଳ କରୁ ଏବଂ ସାହିତ୍ୟକବୃନ୍ଦଙ୍କୁ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ କରୁ । ସର୍ବୋପରି ଆଜିର ଏ ସ୍ନିଗ୍‌ଧ ମଧୁର ମିଳନ ସନ୍ଧ୍ୟାର ସାହିତ୍ୟ ସଙ୍ଗୀତ ସମାରୋହର ମନୋମୁଗ୍‌ଧକର ପରିବେଶ ସମସ୍ତଙ୍କର ଉପଯୋଗ୍ୟ ହେଉ, ଏହାହିଁ ଏକାନ୍ତ କାମନା । ତେଣୁ ଶେଷରେ କବିଙ୍କ ଭାଷାରେ ପଦେ ଗାଇ ଉପଯୋଗ୍ୟ ହେଉ, ଏହାହିଁ ଏକାନ୍ତ କାମନା । ତେଣୁ ଶେଷରେ କବିଙ୍କ ଭାଷାରେ ପଦେ ଗାଇ ଉଠେ-

 

‘‘ଚହଟୁ ଚୌଦିଗେ ସାହିତ୍ୟ ସାଧନା

      ବାମଣ୍ଡା ରାଜ୍ୟର ଲୁପ୍ତ ଆଦର୍ଶ,

ହେଉ ଉଜ୍ଜ୍ୱୟିନୀ ଦେବଦୁର୍ଗ ପୁଣି

      ସାହିତ୍ୟିକ ସମାଗମେ ସରସ । ’’

 

*ଦେବଗଡ଼ରେ ‘‘ଓଡ଼ିଶା ସାହିତ୍ୟ ଏକାଡେମୀ’’ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଯୁଗ୍ମ ଆନୁକୂଲ୍ୟରେ ଅନୁଷ୍ଠିତ ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ଶୀର୍ଷକ ସାହିତ୍ୟ ସଭାରେ ପଠିତ ।

***

 

Unknown

ଜଳନ୍ଧର ଜିଜ୍ଞାସା

(ସାହିତ୍ୟିକ ଜଳନ୍ଧର ଦେବଙ୍କର ଗୁଣୋପଲବ୍‌ଧି)

ଡକ୍‌ଟର ଶ୍ରୀ କୃଷ୍ଣଚରଣ ବେହେରା

 

ପ୍ରାକୃତିକ ଓଡ଼ିଶାର ଦୀର୍ଘ-ପ୍ରସ୍ଥ ବିଭିନ୍ନ ସ୍ଥାନରେ-ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳରେ ତଥା ପ୍ରବାସୀ ଓଡ଼ିଆ ଭୂଇଁରେ ବହୁ ସାହିତ୍ୟ-ସାଧକ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅଛନ୍ତି । ଏହି ସମସ୍ତଙ୍କର ଶୁଭଦାନରେ ଉତ୍କଳ-ଭାରତୀଙ୍କର ମଙ୍ଗଳଘଟ ପରିପୂର୍ଣ୍ଣ ହେବାର ଲାଗିଛି । ତେଣୁ ଆମ୍ଭମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ମନେ କରୁଥିଲା ଭଳି-ଓଡ଼ିଆ ସାହିତ୍ୟ କେବଳ କଟକ ଭୁବନେଶ୍ୱରର ସାହିତ୍ୟ ନୁହେଁ, ପ୍ରକୃତରେ ଏହା ସମଗ୍ର ପ୍ରାକୃତିକ ଓଡ଼ିଶାର-ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳରେ ଆବିର୍ଭୂତ ହୋଇଥିଲା । କିନ୍ତୁ ତାଙ୍କର ନିଷ୍ଠାପର ସାହିତ୍ୟ-ସାଧନାର ବାର୍ତ୍ତା ସେହି ଅରଣ୍ୟ-ପର୍ବତ ଡେଇଁ ସମଗ୍ର ଓଡ଼ିଶାରେ ଅନୁରଣିତ ହୋଇ ଉଠିଥିଲା । ସେଥିପାଇଁ ତାଙ୍କ କୃତିତ୍ୱର ମୂଲ୍ୟାଙ୍କନ ଏବେ ଶ୍ଳାଘ୍ୟ ଓ ସ୍ପୃହଣୀୟ ହୋଇପଡ଼ିଛି ।*

 

*ଗତ ୧୮।୧୧।୧୯୭୭ରେ କଟକ ଶ୍ରୀ ରାମଚନ୍ଦ୍ର ଭବନରେ ‘ଉତ୍କଳ ସାହିତ୍ୟ ସମାଜ’ ତରଫରୁ ଆୟୋଜିତ ସ୍ମାରକ ବକ୍ତୃତାମାଳାରେ ପ୍ରଦାନ କରାଯାଇଥିବା ପ୍ରଥମ ଅଭିଭାଷଣ ।

 

ଜଳନ୍ଧର-ଜିଜ୍ଞାସା ହେଉଛି=ଆଧୁନିକ ଚିନ୍ତା ଓ ଚେତନାର ଜିଜ୍ଞାସା । ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା-ଦୀକ୍ଷା ଜରିଆରେ ଆମର ଜାତୀୟ ମାନସକୁ ଏହି ଆଧୁନିକ ଚିନ୍ତା ଓ ଚେତନା ଆଲୋଡ଼ିତ କରିଥିଲା । ଊଷାକାଳର ଅରୁଣାଲୋକ ପ୍ରଥମେ ଉଚ୍ଚ ସ୍ଥାନମାନଙ୍କୁ ସ୍ପର୍ଶ କଲାପରି ଏହା ଆଗେ ସତର୍କ ସୁଧୀମଣ୍ଡଳୀଙ୍କୁ ସମାଚ୍ଛନ୍ନ କରି ପକାଇଲା । ଜଳନ୍ଧର ସେହି ସୁଧୀମଣ୍ଡଳୀ ମଧ୍ୟରେ ଥିଲା ଅନ୍ୟତମ । ପରମ୍ପରା ଓ ପୁରୋଦୃଷ୍ଟିର ସୁନ୍ଦର ସମନ୍ୱୟହିଁ ଏହି ଆଧୁନିକ ଚିନ୍ତା ଓ ଚେତନାର ମର୍ମକଥା । ସ୍ୱାଧୀନ ମନୋବୃତ୍ତିର ବିକାଶ, ଧର୍ମୀୟ ଓ କୁ-ସଂସ୍କାରଗତ ଶୃଙ୍ଖଳମୋଚନ, ଜୀବନ ଓ ସମାଜ ପ୍ରତି ବିଚାର-ସିଦ୍ଧ ଦୃଷ୍ଟିକୋଣ ପ୍ରକାଶ, ସର୍ବୋପରୀ ଉଦାର ମାନବବାଦ ଏହାର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଦିଗ । ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟ ରେନେସାଁସ୍‌ ଯେପରି ସେ ଦେଶର ଜନଜୀବନରେ ତୁମୂଳ ଆବର୍ତ୍ତନ ସୃଷ୍ଟି କରିଥିଲା, ଊନବିଂଶ ଶତାବ୍ଦୀରେ ଏହି ପାଶ୍ଚାତ୍ୟାନୁଗ ଆଧୁନିକ ଚିନ୍ତା ଓ ଚେତନା ସେହିପରି ଆମର ଜାତୀୟ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଘଟାଇଥିଲା । ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାହା ସୁନା ଫସଲ ଫଳାଇବାରେ ଲାଗିଲା । ଏ ବିଷୟ, ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସାହାଯ୍ୟରେ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ଆଗେ ଜଳନ୍ଧରଙ୍କ ଜୀବନ-ପଞ୍ଜିକା ପ୍ରତି ଦୃଷ୍ଟି ଦେବାକୁ ହେବ ।

 

ପଶ୍ଚିମ ଓଡ଼ିଶାର ଦେବଗଡ଼, ମନୀଷୀ କବିମାନଙ୍କ ଭାଷାରେ ସେତେବେଳେ ଥିଲା ‘ବୁଧହଂସ କେଳିସର’ ବା ‘ଉତ୍କଳର ଉଜ୍ଜ୍ୱୟିନୀ’ । ରାଜା ବାସୁଦେବ ସୁଢ଼ଳଦେବ (୧୮୫୦-୧୯୦୩) ଏବଂ ତାହାଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ (୧୮୭୨-୧୯୧୬)ଙ୍କ ପ୍ରେରଣା ଓ ପୃଷ୍ଠପୋଷକତାରେ ସେଠାରେ ଏକ ସୁନ୍ଦର ସାରସ୍ୱତ ପରିବେଶ ସୃଷ୍ଟି ହୋଇ ପାରିଥିଲା । ୧୮୮୩ ମସିହାରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା, ୧୮୮୬ ମସିହାରେ ମୁଦ୍ରାଯନ୍ତ୍ର ସ୍ଥାପନ, ୧୮୮୯ ମସିହାରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପ୍ରକାଶ, ୧୮୯୦ ମସିହାରେ ‘ଆଲୋଚନା ସଭା’ ପ୍ରତିଷ୍ଠା, ୧୯୧୦ ମସିହାରେ ଗୋଟିଏ ଥିଏଟର ଦଳ ସଂଗଠନ ପ୍ରଭୃତି ଘଟଣା ଏହି ସାରସ୍ୱତ ପରିବେଶର ପୃଷ୍ଠଭୂମିରୂପେ କାର୍ଯ୍ୟ କରିଥିଲା । ସେତେବେଳେ କଟକକୁ ବାଦ୍‌ ଦେଲେ, ଓଡ଼ିଶାର ଆଉ ସ୍ଥାନରେ ସେପରି ସାରସ୍ୱତ ପରିବେଶ ନ ଥିଲା । ଜଳନ୍ଧର ସେହି ପରିବେଶରେ ୧୮୭୦ ମସିହାର (ମତାନ୍ତରେ ୧୮୭୨-୭୩) ଆବିର୍ଭୂତ ହୋଇଥିଲେ । ସଂସ୍କୃତିର ଇତିହାସରେ ଆମ୍ଭେମାନେ ଦେଖିବା ଯେ-ସାଂସ୍କୃତିକ ପରିବେଶ ସୃଷ୍ଟିରେ ସହାୟତା କରିଥାଆନ୍ତି । ଜଳନ୍ଧର କ୍ଷେତ୍ରରେ ଉଭୟ କଥା ପ୍ରଯୋଜ୍ୟ । ମାତ୍ର ମେଟ୍ରୁକୁଲେସନ୍‌ ପର୍ଯ୍ୟନ୍ତ ସେ ବିଧିବନ୍ଧ ଭାବରେ ଶିକ୍ଷାଲାଭ କରିଥିଲେ । କିନ୍ତୁ ନିଜର ଅଧ୍ୟବସାୟ ଓ ଜ୍ଞାନାର୍ଜନର ବଳବତୀ ସ୍ପୃହା ଯୋଗୁ ବିଭିନ୍ନ ଗ୍ରନ୍ଥ ଅଧ୍ୟୟନ ପୂର୍ବକ ସେ ବହୁ ଶାସ୍ତ୍ରଦର୍ଶୀ ପଣ୍ଡିତବ୍ୟକ୍ତି ହୋଇପାରିଥିଲେ । ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ-‘‘ଯଦିଓ ବିଶ୍ୱବିଦ୍ୟାଳୟର ଡିଗ୍ରୀ-ପ୍ରାପ୍ତ ନ ଥିଲେ, ଚିନ୍ତା ଓ ଧାରଣାରେ ସେ ଥିଲେ ସମ୍ପୂର୍ଣ୍ଣ ଇଉରୋପୀୟ ଓ କୌଣସିପ୍ରକାର ରକ୍ଷଣଶୀଳ କୁସଂସ୍କାରକୁ କାନିଯିବାକୁ ପ୍ରସ୍ତୁତ ନଥିଲେ ।’’ (ଓଡ଼ିଆ ସାହିତ୍ୟର ଇତିହାସ, ଗ୍ରନ୍ଥ ମନ୍ଦିର, କଟକ, ୧୯୬୭, ପୃଷ୍ଠା ୩୨୮) ଜଳନ୍ଧର, ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର ସତୀର୍ଥ ଓ ସହପାଠୀ ଥିଲେ । ଫଳରେ ରାଜାଙ୍କର ସମୃଦ୍ଧ ଲାଇବ୍ରେରୀରେ ଗଭୀର ଅଧ୍ୟୟନ କରି ଆପଣା ଜ୍ଞାନ ଭଣ୍ଡାରର ଅଭିବୃଦ୍ଧି ସାଧନ କରିଥିଲେ । ସଂସ୍କୃତ,ହିନ୍ଦୀ, ବଙ୍ଗଳା, ଇଂରାଜୀ ଆଦି ଭାଷାରେ ସେ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଜଳନ୍ଧରଙ୍କ କର୍ମ ଜୀବନ ସେହି ବାମଣ୍ଡା ରାଜ୍ୟର ପ୍ରଶାସନିକ କ୍ଷେତ୍ରରେହିଁ ଅତିବାହିତ ହୋଇଥିଲା । ୧୮୯୫ ମସିହାରେ ସେ ପ୍ରଥମେ ସିରସ୍ତାଦାର ରୁପେ ନିଯୁକ୍ତି ହୋଇ ନିଜର କର୍ମଦକ୍ଷତା ବଳରେ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ ପଦକୁ ଉନ୍ନୀତ ହୋଇ ପାରିଥିଲେ ଏବଂ ୧୯୨୪ ମସିହାରେ ସେହି କର୍ମରୁ ଅବସର ଗ୍ରହଣ କରିଥିଲେ । ୧୯୨୪ରୁ ୧୯୫୨ ମସିହାରେ ପରଲୋକ ପର୍ଯ୍ୟନ୍ତ ପ୍ରାୟ ଅଠେଇଶ ବର୍ଷ କାଳ ସେ ମୁଖ୍ୟତଃ ସାହିତ୍ୟ ସାଧନରେ ଆତ୍ମନିୟୋଗ କରିଥିଲେ । ସାହିତ୍ୟ-ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସେ ଆଲୋଚନା (୧୯୦୦) ଶଙ୍ଖ (୧୯୪୬) ପ୍ରଭୃତି ପତ୍ରିକାର ସମ୍ପାଦନା କାର୍ଯ୍ୟ ମଧ୍ୟ କରିଥିଲେ ।

 

ସାହିତ୍ୟିକ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ବ୍ୟତୀତ କବି ବଡ଼କୁମାର ବଳଭଦ୍ର ଦେବ ଜଳନ୍ଧରଙ୍କର ସତୀର୍ଥ ଥିଲେ । ଏହି ରାଜପୁତ୍ରମାନଙ୍କର ବିଳାସବ୍ୟସନ ପରିବର୍ତ୍ତେ ଆୟାସସାଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧରଙ୍କୁ ଅନୁପ୍ରାଣିତ କରିଥିଲା । ଚାହିଁଥିଲେ ସେ ବୈଷୟିକ ଦିଗରୁ ଅଧିକ ସ୍ୱଚ୍ଛଳ ଓ ସୁଖୀ ଜୀବନ ଯାପନ କରିପାରି ଥାଆନ୍ତେ–ଜୀବନର ସମସ୍ତ ଅବସର ଓ ଅବକାଶ ଅର୍ଥକରୀ ବା ଅଧିକ ଲାଭଜନକ କାର୍ଯ୍ୟରେ ବିନିଯୋଗ କରିପାରିଥାଆନ୍ତେ, ଅଥବା ‘‘ବ୍ୟସନେନ, ନିଦ୍ରିୟା, କଳହେନ’’ ଅତିବାହିତ କରିପାରିଥାଆନ୍ତେ । କିନ୍ତୁ ସେ ସେହି ସାଧାରଣ ଇତର ଜନ-ସୁଲଭ କାର୍ଯ୍ୟରେ ଆଦୌସୀମାବନ୍ଧ ହୋଇ ରହି ନଥିଲେ । ସ୍ୱଦେଶ ଓ ମାତୃଭାଷା ପ୍ରତି ଏକ ଦାଇତ୍ୱ-ଜ୍ଞାନ ଓ କର୍ତ୍ତବ୍ୟ-ବୋଧ ମୂଳରୁ ତାଙ୍କ ମନରେହିଁ ଜାଗରୂକ ହୋଇଥିଲା, ଯାହା ଆମେ ସାଧାରଣତଃ ବଡ଼ ମଣିଷଙ୍କ ଜୀବନରେହିଁ ଲକ୍ଷ୍ୟ କରିଥାଉଁ । ଗତ ଶତାବ୍ଦୀର ଶେଷ ଦଶକରେ ଦେବଗଡ଼ରେ ଯେଉଁ ‘ଆଲୋଚନା ସଭା’ ପ୍ରତିଷ୍ଠିତ ହୋଇଥିଲା, ଜଳନ୍ଧର ତହିଁରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ନିଜେ ତାହାର ସମ୍ପାଦକ ଥାଇ ବିଭିନ୍ନ ଜ୍ଞାନ-ବିଜ୍ଞାନ ବିଷୟକ ଚର୍ଚ୍ଚା କରାଇବା ସଙ୍ଗେ ସଙ୍ଗେ ସେ ଆପଣାର ପୁସ୍ତକ-ଲବ୍‌ଧ ଜ୍ଞାନ ଓ ଧ୍ୟାନ ଧାରଣାକୁ ପରିମାର୍ଜିତ କରିଥିଲେ । ସେହି ଜ୍ଞାନର ଦିଗ୍‌ବଳୟ ପ୍ରାଚ୍ୟରୁ ପାଶ୍ଚାତ୍ୟ ଯାଏଁ ସମ୍ପ୍ରସାରିତ ଥିଲା ଏବଂ ସକଳ ଧ୍ୟାନ ଧାରଣା ବିଚାର-ସିଦ୍ଧ ଓ ବିଜ୍ଞାନ ସମ୍ମତ ହୋଇ ପାରିଥିଲା । କୌଣସି କ୍ଷଣିକ ମୋହ, ଉତ୍ତେଜନା ବା କ୍ଷୁଦ୍ର କ୍ଷୁଦ୍ର ସଂକୀର୍ଣ୍ଣ ପ୍ରବଣତା ତାଙ୍କର ଚିତ୍ତବୃତ୍ତିକୁ ଆଚ୍ଛନ୍ନ କରି ନଥିଲା । ସେହି ପରିପକ୍ୱ ଜ୍ଞାନ ଓ ମାର୍ଜିତ ଧ୍ୟାନ ଧାରଣାକୁ ଘେନି ସେ ସାହିତ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ତତ୍‌କାଳୀନ ଉତ୍କଳ ସାହିତ୍ୟ (୧୮୯୭), ସହକାର (୧୯୧୯), ରସଚକ୍ର (୧୯୩୩), ଭଞ୍ଜ ପ୍ରଦୀପ (୧୯୩୨), ଶଙ୍ଖ (୧୯୪୫) ପ୍ରଭୃତି ପତ୍ରପତ୍ରିକା ତାଙ୍କର ସାରସ୍ୱତ କୃତୀଦ୍ୱାରା ସମୃଦ୍ଧ ହୋଇଥିଲା । ଏଠାରେ ଲକ୍ଷ୍ୟ କରିବାର ବିଷୟ, ଜଳନ୍ଧରଙ୍କର ପ୍ରାୟ ସମସ୍ତ ସାହିତ୍ୟକ ରଚନା ୪୦ ବର୍ଷ ବୟସ ପରେ ଅର୍ଥାତ୍‌ ୧୯୧୦ ମସିହା ପରେ ସୃଷ୍ଟି ହୋଇଛି । ତତ୍‌ପୁର୍ବରୁ ତାଙ୍କର ସାହିତ୍ୟ ସୃଷ୍ଟି ଥିଲା ଅତ୍ୟନ୍ତ ଅପ୍ରତୁଳ ।

 

ଆମ ସାହିତ୍ୟକୁ ଜଳନ୍ଧରଙ୍କ ଶୁଭଦାନ ହେଉଛି ପ୍ରାୟ ୩୮ ଗୋଟି ପ୍ରବନ୍ଧ, ପ୍ରାୟ ୨୦ ଗୋଟି ଗଳ୍ପ, ଚାରି ପାଞ୍ଚୋଟି ନାଟକ ଓ ଏକାଙ୍କିକା, ତିନି ଚାରିଟି ପଦ୍ୟ ଏବଂ ଗୋଟିଏ ସ୍ମୃତିଚିତ୍ର ବା ଡାଏରି । ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ବ୍ରହ୍ମା ସମ୍ପ୍ରତି ପ୍ରକାଶିତ ନିଜର ‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’ ଶୀର୍ଷକ ଆଳୋଚନା ଗ୍ରନ୍ଥରେ ଏହି ସମସ୍ତ ରଚନାର ମୋଟାମୋଟି ଏକ ପରିଚୟ ପ୍ରଦାନ କରିଛନ୍ତି । ଜଳନ୍ଧରଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପ୍ରକାଶିତ ‘ଜଳନ୍ଧର ରଚନାବଳୀ’ର ୧ମ ଭାଗରେ ବାରଗୋଟି ଗଳ୍ପ ଏବଂ ଚାରିଗୋଟି ନାଟିକା ଓ ଏକାଙ୍କିକା ସଂକଳିତ ହୋଇଛି । ଜଳନ୍ଧରଙ୍କ ଅନ୍ୟ ସମସ୍ତ ପ୍ରକାଶିତ ଏବଂ ଅପ୍ରକାଶିତ ରଚନା ଅଙ୍ଗୀଭୂତ କରି ରଚନାବଳୀର ଅନ୍ୟାନ୍ୟ ଭାବଗୁଡ଼ିକ ଯଥାଶୀଘ୍ର ପ୍ରକାଶିତ ହେବ ବୋଲି ବିଶ୍ୱାସ । ତାହା ନ ହେଲେ, ବର୍ତ୍ତମାନର ପାଠକ-ସମାଜ ଜଳନ୍ଧରଙ୍କ ଚିନ୍ତା ଓ ଚେତନା ସହିତ ପରିଚିତ ହୋଇ ପାରିବେ ନାହିଁ ଏବଂ ଜଳନ୍ଧର-ଜିଜ୍ଞାସା ପର୍ଯ୍ୟାପ୍ତ ଓ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ।

 

ଜଳନ୍ଧର ସାହିତ୍ୟ-ସୃଷ୍ଟିପାଇଁ କାହିଁକି ପ୍ରଚୋଦିତ ବା ପ୍ରରୋଚିତ ହୋଇଥିଲେ ? ତାଙ୍କ ରଚନାବଳୀର ମୂଳ ପ୍ରେରଣା ଆସିଥିଲା କେଉଁଠୁ ? ଏହା ସତ୍ୟ ଯେ-ଅର୍ଥ ଲାଭ ବା ଜୀବିକାର୍ଜନପାଇଁ ସେ ଲେଖାଲେଖି କରୁ ନ ଥିଲେ । ଖ୍ୟାତି ବା ଯଶ ଲାଭପାଇଁ ମଧ୍ୟ ସେ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିଥିବାର ଜଣାପଡ଼େ ନାହିଁ । କାରଣ ଅର୍ଥ ଓ ଯଶଲାଭ ଊଣାଧିକେ ତାଙ୍କର ସାଧିତ ହୋଇପାରିଥିଲା । ଆତ୍ମପ୍ରକାଶପାଇଁ ମଧ୍ୟ ସେ ଠିକ୍‌ ଲେଖନୀ ଧାରଣ କରିଥିବାର ମନେ ହେଉନାହିଁ । ‘କେବଳ କଳାପାଇଁ କଳାର ସାଧନା’ ସେ କରି ନ ଥିଲେ । ହୋଇପାରେ, ଆପଣା ଅନ୍ତରର ଭାବ ଏବଂ ମନୋଗତ ଚିନ୍ତା-ରାଜି ଜାତି ସମକ୍ଷରେ ପ୍ରକାଶ ଓ ପ୍ରସାର କରିବାପାଇଁ ସେ ବେଳେ ବେଳେ ଆବେଗ - ଉନ୍ମାଦନାର ବଶବର୍ତ୍ତୀ ହୋଇ ପଡ଼ୁଥିଲେ ଏବଂ ତହିଁରେ ହୁଏତ ସାମୟିକ ତୃପ୍ତି ଓ ସନ୍ତୋଷଲାଭ କରୁଥିଲେ । କିନ୍ତୁ ତାଙ୍କ ସାହିତ୍ୟ ସୃଷ୍ଟିର ମୂଳ କାରଣ ହେଉଛି - ଆପଣା ମନ ମୁତାବକ ସୁନ୍ଦର ଐଶ୍ୱର୍ଯ୍ୟମୟ କରି ଜୀବନକୁ ରୂପଦେବା - ସମାଜକୁ ସଭ୍ୟତାର ଓ ସମୃଦ୍ଧତର କରି ଗଢ଼ି ତୋଳିବା । ପ୍ରତ୍ୟେକ ସାର୍ଥକ ଶିଳ୍ପୀ ସଦୃଶ ଜୀବନ ସମ୍ପର୍କରେ ତାଙ୍କର ନିଜସ୍ୱ ସ୍ୱପ୍ନ ରହିଥିଲା- ସମାଜ ସମ୍ପର୍କରେ ତାଙ୍କର ନିର୍ଦ୍ଦିଷ୍ଟ ପରିକଳ୍ପନା ରହିଥିଲା । ଯେପରି ରହିଥିଲା ଫକୀର ମୋହନଙ୍କର - ଯେପରି ରହିଥିଲା ଟଲଷ୍ଟୟ କିମ୍ବା ବର୍ଣ୍ଣାଡ଼ ଶ’ଙ୍କର । ସେହି ଶିଳ୍ପୀ-ସୁଲଭ ଜୀବନାଦର୍ଶ ସମସ୍ତଙ୍କ ମେଳରେ ପ୍ରସାରିତ କରିବାପାଇଁ ସେ ଲେଖନୀ ଧାରଣ କରିଥିଲେ । ଆତ୍ମପ୍ରସାରଣହିଁ ଥିଲା ତାଙ୍କ ସାହିତ୍ୟ ସୃଷ୍ଟିର ମୂଳ ପ୍ରେରଣା । ‘ଉତ୍କଳ ସାହିତ୍ୟ ସମାଜ’ର ଅଷ୍ଟବିଂଶ ବାର୍ଷିକ ଅଧିବେଶନରେ ସଭ୍ୟତା ଔ ଉନ୍ନତି ଦ୍ୱାରର କଞ୍ଚି ।’’ ଅର୍ଥାତ୍‌ ସମାଜ ଜୀବନକୁ ସଭ୍ୟତାର ଓ ଉନ୍ନତତର କରିବାପାଇଁ ସାହିତ୍ୟର ସାହାଯ୍ୟ ଆବଶ୍ୟକ । ସାହିତ୍ୟ-ସ୍ରଷ୍ଟା ତେଣୁ ଆପଣା ଧ୍ୟାନ-ଧାରଣା ଅନୁଯାୟୀ ଜୀବନକୁ ରୂପ ଦେବାକୁ ଚାହେଁ - ସମାଜକୁ ଗଢ଼ିବାପାଇଁ ଆଗ୍ରହ ପ୍ରକାଶ କରିଥାଏ । ତାହା କରିବାକୁ ଗଲାବେଳେ ସେ କ୍ଷଣିକ ମୋହ ଓ ସଂକୀର୍ଣ୍ଣ ପ୍ରବଣତା ଠାରୁ ଊର୍ଦ୍ଧ୍ୱରେ ରହିଥାଏ–ତାକୁ ବରାବର ନିର୍ଭୀକ ଭାବରେ ଆତ୍ମପ୍ରକାଶ କରିବାକୁ ପଡ଼ିଥାଏ । ମୋହମୁକ୍ତ ଓ ନିର୍ଭୀକ ନ ହେଲେ, ତାହାର ଜୀବନ-ରୂପାୟନ ତଥା ସମାଜ-ସଙ୍ଗଠନର ବାଣୀ ଏକ ଅସାର ଖିଆଲରେ ପରିଣତ ହେବ । ତାହାର ସାହିତ୍ୟ ସୃଷ୍ଟି ହେବ–ପଦ୍ମଭୁକ୍‌ର ଅଳୀକ କଳ୍ପନା-ବିଳାସ ମାତ୍ର । ସେଥିପାଇଁ ଜଳନ୍ଧର ନିଜର ‘ସାହିତ୍ୟ ଓ ଜାତି’ ଶୀର୍ଷକ ଓ ପ୍ରବନ୍ଧରେ ସ୍ପଷ୍ଟ ଘୋଷଣା କରିଛନ୍ତି- ‘‘ନିର୍ଭୀକଭାବେ ମନୋଗତ ଭାବ ପ୍ରକାଶ କଲେ, ସାହିତ୍ୟର ପ୍ରକୃତ ବିକାଶ ହୁଏ ।’’

 

ଏହି ମାନଦଣ୍ଡରୁ ଜଳନ୍ଧରଙ୍କ ସାହିତ୍ୟ ସୃଷ୍ଟି ବିଚାର କଲେ, ତାଙ୍କର ଆଧୁନିକ ଚିନ୍ତା ଓ ଚେତନାର ପରିଚୟ ମିଳେ । ଉତ୍କଳୀୟ ଜନ-ସମାଜର ଏକ ବିପୁଳ ଅଂଶ ଆମର ଆରଣ୍ୟକ ପାର୍ବତ-ପାର୍ବତୀ ଗଣ ସାରସ୍ୱତ କ୍ଷେତ୍ରରେ ବହୁକାଳ ଅପାଙ୍‌କ୍ତେୟ ହୋଇ ରହିଥିଲେ । ପ୍ରଥମେ ଶ୍ରୀ ଗୋପାଳ ବଲ୍ଲଭ ଦାସ ଆପଣ ‘ଭୀମା ଭୂଇଁୟା’ (୧୯୦୮) ଉପନ୍ୟାସରେ ସେମାନଙ୍କୁ ଏକ ମର୍ଯ୍ୟାଦାବନ୍ତ ଆସନରେ ଆସୀନ କରାଇଲେ । ତାଙ୍କ ପରେ ଜଳନ୍ଧରହିଁ ସେହି ନିମ୍ନ ବର୍ଗର ଆରଣ୍ୟକ ଜୀବନ ଚିତ୍ର ପରିବେଷଣ କଲେ ନିଜର ‘ଅତିଥି ସତ୍କାର’, ‘ଗୌରୀ ଓ କାହ୍ନୁ’, ‘ବିବାହ ଭୋଜି’, ‘ଏହା କି ଆତ୍ମହତ୍ୟା ?’ ପ୍ରଭୃତି କାହାଣୀ ମଧ୍ୟରେ । ଏ କ୍ଷେତ୍ରରେ ସର୍ବଶ୍ରୀ ଗୋପୀନାଥ ମହାନ୍ତି, କାହ୍ନୁ ଚରଣ ମହାନ୍ତି, ପରଶୁରାମ ମୁଣ୍ଡ (ମୂଲିଆ-ପିଲା) ବଳରାମ ମିଶ୍ର (ଡୁମ୍ବା ନାଟକ), ଧନେଶ୍ୱର ପଟ୍ଟନାୟକ (ଆଦିବାସୀ ନାଟକ) ପ୍ରମୁଖ ସ୍ରଷ୍ଟାଗଣ ଲେଖନୀ ଚାଳନାକଲେ ବେଶ୍‌ କିଛିକାଳ ପରେ । ଆମ ସାହିତ୍ୟର ଏହି ବିଶେଷ ବ୍ୟାପରଟିକୁ ଆଧୁନିକ ବିଶ୍ୱ ବ୍ୟାପାରଠାରୁ ବିଚ୍ଛିନ୍ନ ଓ ସ୍ୱତନ୍ତ୍ର ବୋଲି ଭାବିବା ଠିକ୍‌ ହେବନାହିଁ । ଏହି କ୍ରାନ୍ତି-କାରୀ ଆଦିବାସୀ ଚେତନା ଆମରି କେବଳ ଏକଚାଟିଆ ନୁହେଁ, ଏହା ଏକ ଆଧୁନିକ ଆନ୍ତର୍ଜାତିକ ଚେତନାର ଅଂଶ-ବିଶେଷ । ଊନବିଂଶ ଶତାବ୍ଦୀଠାରୁ ଆମେରିକାକୁ କ୍ରୀତଦାସରୂପେ ପ୍ରେରିତ ବିଭିନ୍ନ ନିଗ୍ରୋ-ଗୋଷ୍ଠୀର ମୌଖିକ ସାହିତ୍ୟ ଉଲ୍ଲିଖିତ ସମୟରେ ତ ସଂଗ୍ରହ ସଂକଳନ କରାଯାଇଥିଲା । ଅଧିକତଃ ସେହି ନିଗ୍ରୋ ଜୀବନ-ଚିତ୍ର ପରିବେଷିତ ହୋଇଥିଲା ବିଭିନ୍ନ ସାହିତ୍ୟ କୃତିରେ । ରେନେମାରାଁଙ୍କର ‘ବତୋଆଲା’, ଶ୍ରୀମତୀ ଷ୍ଟୋଙ୍କର ‘ଅଙ୍କଲ୍‌ ଟମସ୍‌ କେବିନ୍‌’, ଆର୍‌: ଏସ୍‌: ରତ୍ତ୍ରେଙ୍କର ‘ଦିଲିଓପାର୍ଡ଼ ପ୍ରିନ୍‌ସେସ୍‌’ ପ୍ରଭୃତି କଥା ଗ୍ରନ୍ଥ ଏହାର ଉଦାହରଣ । ଅଷ୍ଟ୍ରେଲିଆର ବଣ୍ୟ, ଶିକାର-ପ୍ରିୟ ଆଦିବାସୀ କିମ୍ବା ରେଡ୍‍ଇଣ୍ଡିଆନ୍‌ ଓ ଏସ୍କିମୋମାନଙ୍କ ସମ୍ପର୍କରେ ମଧ୍ୟ ସେହି ଏକା କଥା ବୋଲାଯାଇ ପାରେ । ବିଶ୍ୱର ବିଭିନ୍ନ ଅଞ୍ଚଳରେ ଯେଉଁ ଯେଉଁ ଆଦିମ ମାନବ ଗୋଷ୍ଠୀ ନିଜ ନିଜର ପ୍ରାଚୀନ ପାରମ୍ପରିକ ସଂସ୍କୃତି ଘେନି ତିଷ୍ଠି ରହିଥିଲେ, ସଭ୍ୟତାର ଇତିହାସରେ ସେମାନଙ୍କ ପ୍ରତି ପ୍ରାୟ ଏକ ସମୟରେ ସୁଧୀମଣ୍ଡଳୀର ବିଦଗ୍‌ଧ ଦୃଷ୍ଟି ଆକର୍ଷିତ ହୋଇଥିଲା । ଜଳନ୍ଧର ସେହି ଅଗ୍ରଗ୍ରାମୀ ସୁଧୀମଣ୍ଡଳୀ ମଧ୍ୟରେ ଥିଲେ ଅନ୍ୟତମ, ଯେ ଆପଣା ଚତୁଃପାର୍ଶ୍ଵରେ କୋହ, ପାଉଡ଼ିଆ ଭୂୟାଁ, କନ୍ଧ ପ୍ରଭୃତି ଜାଙ୍ଗଲିକ ଜାତିକୁ ଆଣି ଶ୍ରଦ୍ଧାର ସହିତ ସ୍ଥାନ ଦେଲେ ସାହିତ୍ୟ ସୃଷ୍ଟି ମଧ୍ୟରେ । ଆମ ସାହିତ୍ୟରେ ସେ ଏହି ଆଧୁନିକ ଆନ୍ତର୍ଜାତିକ ଚେତନାର ଅନ୍ୟତମ ଭାଗୀରଥ ବୋଲି ସ୍ୱୀକାର କରିବାକୁ ହେବ-

 

ପାରମ୍ପରିକ ଜାତି ବିଭାଗ ଭାରତ ପକ୍ଷରେ କିପରି କ୍ଷତିକାରକ ହୋଇଛି, ତାହା ଜଳନ୍ଧର ମର୍ମେ ମର୍ମେ ଉପ୍‌ଲବ୍‌ଧି କରିଥିଲେ । ସୁପ୍ରାଚୀନ, ଐତିହାସିକ ହିନ୍ଦୁ ସମାଜ ଏହା ଫଳରେ ଶତଧା ବିଭକ୍ତ ଜାତୀୟ ଐକ୍ୟ ଓ ସଂହତି ବାରମ୍ବାର ବିପନ୍ନ । ତେଣୁ ବହିଃଶତ୍ରୁ ଏ ଦେଶରେ ସହଜରେ ପ୍ରବେଶ ଲାଭ କରିଛି - ଏ ଦେଶ ଅନାୟାସରେ ପରପଦାନତ ହୋଇଛି । ଜଳନ୍ଧରଙ୍କ ପରି ସ୍ୱଦେଶପ୍ରେମୀ ମନୀଷୀଙ୍କ ପ୍ରାଣରେ ଏହା ଅତ୍ୟନ୍ତ ପୀଡ଼ାଦାୟକ ହେବା ସ୍ୱାଭାବିକ । ପୁଣି ଧର୍ମ ଓ ଦେବତାଙ୍କ ନାମରେ ଏହି ଭେଦଭାବର ପ୍ରଚଳନ ତାଙ୍କ ଦୃଷ୍ଟିରେ ଅତ୍ୟନ୍ତ ଗ୍ଲାନିକାରକ ବ୍ୟାପାର । ତେଣୁ ସେ ନିଜର ବିଭିନ୍ନ ପ୍ରବନ୍ଧ ଓ ଗଳ୍ପରେ ଏହି ଜାତିଭେଦ ବିରୁଦ୍ଧରେ ବଳିଷ୍ଠ ସ୍ୱର ଉତ୍ତୋଳନ କରିଛନ୍ତି । ସମାଜ ମଧ୍ୟରେ ଜାତି ଦିଗରୁ ଉଚ୍ଚ ନୀଚ ଭେଦ ଭାବ, ସ୍ପୃଶ୍ୟ-ଅସ୍ପଶ୍ୟର ସଂକୀର୍ଣ୍ଣ ମନୋବୃତ୍ତି ତାଙ୍କର ଶକ୍ତିଶାଳୀ ଲେଖନୀର ନିନ୍ଦିତ ଓ ଉପହସିତ ହୋଇଛି ବାରମ୍ବାର । ତାଙ୍କର ‘ବର୍ଣ୍ଣ ଓ ଜାତି ବିଚାର’, ‘କଠିନ ସମସ୍ୟା’, ‘ସ୍ୱାଧୀନ ଚିନ୍ତା’ ପ୍ରଭୃତି ପ୍ରବନ୍ଧରେ ଏହାର ଉଜ୍ଜ୍ୱଳ ଉଦାହରଣ ମିଳେ । ଶେଷୋକ୍ତ ପ୍ରବନ୍ଧରେ ସେ ଲେଖିଛନ୍ତି- ‘‘ଅଖଣ୍ଡ ପ୍ରକୃତି ଉପାସନାରେ ଭେଦାଭେଦ ଜ୍ଞାନ ନାହିଁ, ବିଧି ନିଷେଧ ନାହିଁ । ମନୁଷ୍ୟ ଜାତି ଏପରି ପୂଜା ଓ ଉପାସନା ପଦ୍ଧତି ରଚନା କଲା କାହିଁକି, ଯାହା ଭେଦଜନକ ? ପୁଣ୍ୟ ବନସ୍ଥଳୀ, ପୁଣ୍ୟତୋୟା ସ୍ରୋତସ୍ୱିନୀ, ନୀଳପାରାବାର, ନୀଳ ନଭୋମଣ୍ଡଳ, ଜୀବନ-ବର୍ଦ୍ଧକ ସୂର୍ଯ୍ୟକର, ଅଖଣ୍ଡ ପ୍ରାଣବାୟୁ, ନିତ୍ୟପୁଷ୍ଟା ବସୁନ୍ଧରାର ଶସ୍ୟକ୍ଷେତ୍ର ନିତ୍ୟ ପିବତ୍ର–ଏମାନଙ୍କୁ ସ୍ପର୍ଶ କରିବାର ସମସ୍ତଙ୍କର ଅଧିକାର । ମନୁଷ୍ୟ ପୁଣି ଏପରି ଦେବତାର ସୃଷ୍ଟିକଲା କାହିଁକି, ଯାହାକୁ ଉଦ୍ଭାବନ କର୍ତ୍ତା ବା ତାଙ୍କର ଜାତିଭାଇ ବନ୍ଧୁ ଭିନ୍ନ ଅପର ଜାତି ସ୍ପର୍ଶକଲେ, ଦେବ ବିଗ୍ରହ ଅପ୍ରତିଷ୍ଠ ହେବ ! ଏପରି ମନ୍ଦିର କଲା କାହିଁକି, ଯେଉଁଠାକୁ କେତେକ ଜାତିର ମାତ୍ର ଗତିବିଧି ଅବାଧ, ଅନ୍ୟ ଜାତି ସେଠାକୁ ଗଲେ ମନ୍ଦିର ବା ଚତ୍ୱର ଅପବିତ୍ର ହେବ । ମନୁଷ୍ୟ ଏକ । ଜାତି ଏକତ୍ୱର ନାଶକ । ଏକତ୍ୱ ହରାଇବା ଅପେକ୍ଷା ଜାତି ହରାଇବା ଉଚିତ ନୁହେଁ କି ? ମନେ ରଖିବାକୁ ହେବ–ଜଳନ୍ଧରଙ୍କର ଏହି ଉକ୍ତି ଉଚ୍ଚାରିତ ହୋଇଥିଲା ଚଳିତ ଶତାବ୍ଦୀର ଆଦ୍ୟ ଭାଗରେ, ଯେତେବେଳେ ଆମର ସମାଜ ଥିଲା ବର୍ତ୍ତମାନଠାରୁ ଅଧିକ ପ୍ରଥାବଦ୍ଧ ଓ ରକ୍ଷଣଶୀଳ । ସେତେବେଳେ ଜାତିଭେଦ ବିପକ୍ଷରେ ଏହି ମନ୍ତବ୍ୟ ତାଙ୍କର ଅତି ଦୁଃସାହସିକତାର ପରିଚାୟକ ନିଶ୍ଚୟ । ପୁଣି ନିଜର ‘ପତିତପାବନ ଡୋରି’ ଶୀର୍ଷକ ଏକ ଗଳ୍ପରେ ଜଳନ୍ଧର ଏହି ଜାତିଭେଦ ପ୍ରଥାକୁ ଯେଉଁ କଟାକ୍ଷ କରିଛନ୍ତି, ତାହା ଅତ୍ୟନ୍ତ ସ୍ୱାଦ ଓ ଉପଭୋଗ୍ୟ ହୋଇଛି । ବ୍ରାହ୍ମଣ ମିଛୁ ମିଶ୍ରେ ଓ କ୍ଷତ୍ରିୟ ଗଦେଇ ବାବୁ ଏକ ସଙ୍ଗରେ ଠାକୁର ଦର୍ଶନପାଇଁ ପୁରୀ ଯାଇଥିଲେ । ଗଦେଇ ବାବୁଙ୍କର ସେବାକାରୀ ହିସାବରେ ଭଜନା ଗଉଡ଼ ଓ ଧୁନ୍ଦିଆ ଧୋବା ମଧ୍ୟ ସଙ୍ଗରେ ଯାଇଥିଲେ । ଜଗନ୍ନାଥ ଦର୍ଶନ ପରେ ଦିନେ ମହାପ୍ରସାଦକୁ ଗଦେଇ ବାବୁ ଛୁଇଁ ପକାଇବାରୁ, ମିଛୁ ମିଶ୍ରେ ସେ ମହାପ୍ରସାଦ ସେବା ନ କରି ଗଦେଇ ବାବୁଙ୍କ ଉପରେ ବିରକ୍ତ ହେଲେ । ଗଦେଇ ବାବୁ ମିଛୁ ମିଶ୍ରଙ୍କୁ ପୁରୀରେ ଏକୁଟିଆ ଛାଡ଼ି ଦେଇ, ଭଜନା ଗଉଡ଼କୁ ସଙ୍ଗରେ ଘେନି ଗ୍ରାମକୁ ବାହୁଡ଼ିଲେ । ସେ ଛାଡ଼ି ଯାଇଥିବା ମହାପ୍ରସାଦକୁ ମିଛୁ ମିଶ୍ରେ ଲୋଭବଶତଃ ବିକ୍ରୀ କରି ଦେଇ, ଅନ୍ୟ ମହାପ୍ରସାଦ କିଣି ଭୋଜନ କଲେ । ସେତିକି ବେଳେ ଧୁନ୍ଦିଆ ଧୋବା ଜଣେ ପଣ୍ଡାକୁ) ଭଲ ଦକ୍ଷିଣା ଦେଇ ତାରି ସାହାଯ୍ୟରେ ମନ୍ଦିର ଭିତରେ ପଶି ଠାକୁର ଦର୍ଶନ କରୁଥିଲା । ଦର୍ଶନ ସାରି ମିଛୁ ମିଶ୍ରଙ୍କ ପାଖକୁ ଆସି ସେ ସବୁ କଥା କହିଲାରୁ ମିଶ୍ରେ ରାଗରେ ଜଳି ଉଠିଲେ, ଭଜନା ସହ ଗଦେଇ ବାବୁ ଗ୍ରାମକୁ ବାହୁଡ଼ି ଗଲେଣି ଜାଣି, ଧୁନ୍ଦିଆ ମଧ୍ୟ ଗାଁକୁ ଯିବାପାଇଁ ବାହାରିଲା । ଧୋବା ସାଙ୍ଗରେ କି ସାଙ୍ଗ ବୋଲି ମିଛୁ ମିଶ୍ରେ ମନେ ମନେ ଭାବିଲେ ମଧ୍ୟ ତାକୁ ସାଙ୍ଗରେ ଘେନି ଗ୍ରାମକୁ ବାହୁଡ଼ିଲେ । ବାହୁଡ଼ା ପଥରେ ମିଛୁ ମିଶ୍ରେ ରୋଗାକ୍ରାନ୍ତ ହେବାରୁ ବିକଳରେ ଧୁନ୍ଦିଆ ଧୋବା ହାତରୁ ଔଷଧ ଖାଇଲେ, ପାଣି ପିଇଲେ - ଶେଷରେ ଭୋକ ଆତୁରରେ ଧୁନ୍ଦିଆଦ୍ୱାରା ରନ୍ଧା ଭାତର ପେଜ ପିଇଲେ । ଚିକିତ୍ସାପାଇଁ ମିଛୁ ମିଶ୍ରଙ୍କୁ ଗୋଟିଏ ଡାକ୍ତରଖାନାରେ ରଖାଇ ଧୁନ୍ଦିଆ ଏକୁଟିଆ ଗ୍ରାମରେ ଯାଇ ପହଞ୍ଚିଲା । ତା’ପରେ ସ୍ୱୟଂ ଜଳନ୍ଧରଙ୍କ ବର୍ଣ୍ଣନାନୁଯାୟୀ ସୁଚିକିତ୍ସାଦ୍ୱାରା ପ୍ରାୟ ୩ ସପ୍ତାହ ପରେ ମିଛୁ ମିଶ୍ର ସଂପୂର୍ଣ୍ଣ ଆରୋଗ୍ୟ ଲାଭକଲେ । ଗତ କଥାମାନ ତାଙ୍କର ମନେପଡ଼ିଲା; ଧୁନ୍ଦିଆର ସେବାଶୁଶ୍ରୂଷା, ତା’ର ଜଳପାନ, ତା’ର ଅନ୍ନଭକ୍ଷଣ, ଧୋବାର ସ୍ପର୍ଶ, ଧୋବାର ଜଳ, ଧୋବାର ଅନ୍ନ ଶୋତ୍ରୀୟ ବ୍ରାହ୍ମଣ ପକ୍ଷରେ ବିଗର୍ହିତ କାର୍ଯ୍ୟ । ଜାତି ନାଶ, ଧର୍ମ ନାଶ । ଜଗନ୍ନାଥ ଦର୍ଶନର ଏହି ଫଳ ! ଅହୋ, ଚଣ୍ଡାଳ ପ୍ରଥମେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲା ! ପରେ ବ୍ରାହ୍ମଣକୁ ମଧ୍ୟ ଅପ୍ରତିଷ୍ଠା କଲା ! ତା’ ମୁଣ୍ଡରେ ବଜ୍ର ପଡ଼ିଲା ନାହିଁ, ତାକୁ ଡାଙ୍କୁଣୀ ସ୍ପର୍ଶ କଲା ନାହିଁ, ମଡ଼କ ଧଇଲା ମୋତେ ! ଯେବେ ନିବିଘ୍ନରେ ଘରେ ପହଞ୍ଚିଯାଏଁ, ତେବେ କିଏ କଥା କହିବାକୁ ପରାଙ୍ମୁଖ ହୋଇଥିବ । ମୁଁ ମଧ୍ୟ ମୁହଁ ଦେଖାଇବି କିପରି ? ଧୁନ୍ଦିଆ ମଲା ନାହିଁ କିଆଁ ? ନିଶ୍ଚୟ ମରିଥିବ, ଏ ଅର୍ଧମ କେବେ ସହିବନାହିଁ-?’’ ସଂକୀର୍ଣ୍ଣ ଜାତିଭେଦ ପ୍ରତି ଏପରି ଉପହାସ ଓ ବ୍ୟଙ୍ଗବିଦ୍ରୂପ ସେତେବେଳେ ଖୁବ୍‌ କମ୍‌ ଗଳ୍ପରେ ପ୍ରକାଶ ପାଇଥିଲା ।

 

କେବଳ ଜାତିଭେଦ ନୁହେଁ - ସମାଜର ନାନା କୁସଂସ୍କାର, ଅନ୍ଧବିଶ୍ୱାସ ଓ ମୂଢ଼ ଧାର୍ମିକତା ପ୍ରତି ତର୍ଜନୀ ନିର୍ଦ୍ଦେଶ କରି ଜଳନ୍ଧର ଆପଣା ଆଧୁନିକ ଦୃଷ୍ଟିକୋଣର ପରିଚୟ ଦେଇଛନ୍ତି । ‘ବିବାହ ବିଚାର’ ପ୍ରବନ୍ଧରେ ସେ ପ୍ରଚଳିତ ବିବାହ ବିଧିର ଦୋଷ ଦୁର୍ବଳତା ଦର୍ଶାଇ ବାଲ୍ୟ ବିବାହ ବିପକ୍ଷରେ ଏବଂ ବିଧବା ବିବାହ ସପକ୍ଷରେ ମତବ୍ୟକ୍ତ କରିଛନ୍ତି । ‘ରାଜା ରାମମୋହନ’ ଶୀର୍ଷକ ପ୍ରବନ୍ଧରେ ସେ ସତୀଦାହ ପ୍ରଥାର ନିନ୍ଦା କରି ଚାରିତ୍ରିକ ଉତ୍କର୍ଷ ସାଧନପାଇଁ ସମାଜକୁ ଉନ୍‌ବୋଧନ ଦେଇଛନ୍ତି । ‘ନର ଓ ନାରୀ’ ପ୍ରବନ୍ଧରେ ସ୍ତ୍ରୀ-ପୁରୁଷର ସମ୍ପର୍କ ପ୍ରସଙ୍ଗରେ ନାରୀଶିକ୍ଷାର ପ୍ରବନ୍ଧରେ ସେ ଭଣ୍ଡ ଧାର୍ମିକତାର ମୁଖା ଖୋଲି ଦେଇ ଏହାକୁ ହିନ୍ଦୁର ଆର୍ଥିକ ଓ ସାମାଜିକ ଅବନତିର କାରଣ ବୋଲି ନିର୍ଦ୍ଦେଶ କରିଛନ୍ତି । ସର୍ବୋପରି ‘ବେଦ ଓ ହିନ୍ଦୁଧର୍ମ’ ଶୀର୍ଷକ ଦୀର୍ଘ ପ୍ରବନ୍ଧରେ ସେ ଧର୍ମର ମୌଳିକ ତାତ୍ପର୍ଯ୍ୟ ଉଲ୍ଲେଖ କରି ହିନ୍ଦୁ ଧର୍ମର ଦୋଷ ଗୁଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ପ୍ରଚଳିତ ଧର୍ମ ଓ ନୈତିକତାକୁ ସେ ତିର୍ଯ୍ୟକ୍‌ ଦୃଷ୍ଟିରେ ଦେଖିଥିଲେ ହେଁ ତାଙ୍କୁ ଧର୍ମଛଡ଼ା ବା ଅନୈତିକ ବୋଲା ଯାଇ ନ ପାରେ । ବସ୍ତୁତଃ ତାଙ୍କର ନୈତିକତା ଓ ଧର୍ମଭାବ, ବୁଦ୍ଧିବାଦ ତଥା ମାନବତାବାଦ ଉପରେ ପ୍ରତିଷ୍ଠିତ ହୋଇଥିଲା । ତାଙ୍କର ଏହି ଧର୍ମୀୟ ଚିନ୍ତାଧାରା ଓ ଅଭିମତ ଗୁଡ଼ିକ ସେତେବେଳେ ଏକାନ୍ତ ଅଭିନବ ଓ କ୍ରାନ୍ତିକାରୀ ଥିଲା ଏବଂ ଆମର ଜାତୀୟ ଜୀବନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ବୋଲିବା ବାହୁଲ୍ୟ ଯେ - ଏପରି ସ୍ପଷ୍ଟ ଓ ନିର୍ଭୀକ ମତ ପ୍ରକାଶଦ୍ୱାରା ଜଳନ୍ଧର କେତେକଙ୍କର ପ୍ରେୟକୁ ରୀତିମତ ଉତ୍ତ୍ୟକ୍ତ କରିଥିଲେ । ଉଦାହରଣସ୍ୱରୂପ ତାଙ୍କର ଏହି ଉକ୍ତିଟି - ‘‘ବକ୍ତାମାନେ, ସମ୍ପାଦକମାନେ ପାଶ୍ଚାତ୍ୟ ତାତିକୁ ଜଡ଼ବାଦୀ ବୋଲି ଶତମୁଖରେ ନିନ୍ଦା କରନ୍ତି, ଗାଳି ଦିଅନ୍ତି । ଏହା ସମୀଚୀନ କି ? ଜଗତ୍‌ ମଧ୍ୟରେ ହିନ୍ଦୁହିଁ କେବଳ ଜଡ଼ବାଦୀ–ଏହାହିଁ ମୋର ସମ୍ପୂର୍ଣ୍ଣ ଧାରଣା । ଆବାଲ୍ୟରୁ ଯେଉଁମାନେ ଧାତୁ, ପାଷାଣ, କାଷ୍ଠର ବିଗ୍ରହ ପୂଜାଦ୍ୱାରା ପୁରୁଷାର୍ଥତାର ଆଶା କରନ୍ତି, ସେମାନେ ଯେବେ ଜଡ଼ବାଦୀ ନୁହଁନ୍ତି, ତେବେ ଜଡ଼ବାଦୀ କେଉଁମାନେ ? ଯେଉଁମାନେ ଧନ, ପୁତ୍ର, ଭୂମି ପାଇବା ଇଚ୍ଛାରେ ଏବଂ ମୋକଦ୍ଦମାରେ ଜୟ କରିବା ନିମନ୍ତେ କିମ୍ବା ରାଜଦ୍ୱାରରେ ପ୍ରତିଷ୍ଠା ଲାଭ କରିବା ନିମନ୍ତେ ମୃତ୍ତିକା କିମ୍ବା ପାଷାଣ ନିର୍ମିତ ଦୁର୍ଗା ବା କାଳୀ ପ୍ରତିମାଠାରେ ପଶୁପ୍ରୋକ୍ଷଣ କରନ୍ତି, ସେମାନେ ଯେବେ ଜଡ଼ବାଦୀ ନୁହଁନ୍ତି ତେବେ ଜଡ଼ବାଦୀ କିଏ ? ଯେଉଁ ଜାତି ଉଦ୍ୟୋଗର ପକ୍ଷପାତୀ ନୁହେଁ–କେବଳ ଜଡ଼ସେବାଦ୍ୱାରା ଇଷ୍ଟଲାଭର ଆଶା କରେ, ସେ ଜଡ଼ବାଦୀ ନୁହେଁ କି-?’’ (ସ୍ୱାଧୀନ ଚିନ୍ତା) ଏବେ ଆମର ସାମ୍ପ୍ରତିକ ସମାଜପାଇଁ ଜଳନ୍ଧରଙ୍କ ଏହି ବାଣୀର ଉପଯୋଗିତା ଓ ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି ମନେ ହୁଏ । ସମାଜ, ଧର୍ମ, ନୈତିକତା, ଜାତୀୟ ସଂଗଠନ ଆଦି ବିଭିନ୍ନ ବିଷୟରେ ତାଙ୍କର ଯୁକ୍ତିସମ୍ମତ ଓ ବିଚାରସିଦ୍ଧ ଆଲୋଚନା ଆମର ଗଦ୍ୟ-ସାହିତ୍ୟକୁ ନିଃସନ୍ଦେହରେ ସମୃଦ୍ଧ କରିପାରିଛି ।

 

‘ଜିଜ୍ଞାସା’ ଶୀର୍ଷକ ନିଜର ଏକ ପ୍ରବନ୍ଧରେ ଜଳନ୍ଧର ଉଲ୍ଲେଖ କରିଛନ୍ତି–‘‘ମନୁଷ୍ୟର ଜାଣିବାର ଇଚ୍ଛା ପ୍ରବଳ, ଏଣୁ ମନୁଷ୍ୟ ଅନ୍ୟ ଜୀବଠାରୁ ଶ୍ରେଷ୍ଠ’’ । ନିଶ୍ଚିତଭାବରେ ତାଙ୍କର ଏହା ଜୀବନାନୁଭୂତି । ତଟସ୍ଥ ଓ ନିରପେକ୍ଷ ଦୃଷ୍ଟିରେ ସେ ସାମାଜିକ ଓ ଜାଗତିକ ଘଟଣାବଳି ପ୍ରତ୍ୟକ୍ଷ କରିଛନ୍ତି ଏବଂ ଗଭୀର କୌତୂହଳସହ ବିଜ୍ଞାନ ସମ୍ମତ ଭାବରେ ସେଗୁଡ଼ିକର ବିଶ୍ଲେଷଣ କରିଛନ୍ତି । ଆଧୁନିକ ବିଜ୍ଞାନର ଶୁଭଦାନ ବିଷୟରେ ସେ ମଧ୍ୟ ଅବହିତ ଥିଲେ, ଏବଂ ସାଧ୍ୟମତେ ବିଜ୍ଞାନ ଚର୍ଚ୍ଚା ଆରମ୍ଭ କରିଥିଲେ । ତାଙ୍କର ‘ଜ୍ୟୋତିର୍ବିଦ୍ୟାର ଜୟ’, ‘କୃଷି’ ପ୍ରଭୃତି ପ୍ରବନ୍ଧ ଏବଂ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ନକ୍ଷତ୍ର’ ପ୍ରବନ୍ଧ ଉପରେ ଆଲୋଚନା ବିଜ୍ଞାନଭିତ୍ତିକ ଓ ମନନଶୀଳ । ଆଧୁନିକ ଗବେଷଣା–ଲବ୍‌ଧଜ୍ଞାନକୁ ସେ ଯଥାସମ୍ଭବ ବ୍ୟବହାର କରିଥିବାର ଦେଖାଯାଏ ।

 

ଊନବିଂଶ ଶତାବ୍ଦୀର ଇଂରାଜୀ ଭିକ୍ଟୋରିୟାନ୍‌ ସାହିତ୍ୟ ସଦୃଶ ଜଳନ୍ଧରଙ୍କ ସାହିତ୍ୟରେ ଭାବାବେଗ ଅପେକ୍ଷା ମନନଶୀଳତାର ସ୍ପର୍ଶ ଆମେ ଅଧିକ ଦେଖିବାକୁ ପାଇବା କଳ୍ପନାର ଉଦ୍ଦାମତା ଅପେକ୍ଷା ବସ୍ତୁନିଷ୍ଠ ଯୁକ୍ତିବାଦ ଅଧିକ ଲକ୍ଷ୍ୟ କରିପାରିବା । ଜଳନ୍ଧର ଶିଳ୍ପକଳା ସହିତ ନୀତିବୋଧର ସୁନ୍ଦର ସମବାୟ ସ୍ଥାପନ କରିଛନ୍ତି - ଭାରତୀୟ ଜୀବନଦର୍ଶନ ସହିତ ପାଶ୍ଚାତ୍ୟ ବୈଜ୍ଞାନିକ ଦୃଷ୍ଟିକୋଣର ସଫଳ ସହାବସ୍ଥାନ ବିଷୟରେ ସୂଚନା ଦେଇଛନ୍ତି । ଏହାହିଁ ତାଙ୍କର ଆଧୁନିକ ଅଗ୍ରଗାମୀ ଚିନ୍ତା ଓ ଚେତନାର ପରିଚାୟକ । ବ୍ୟାସ କବି ଫକୀର ମୋହନ ସେନାପତି, ରାମଶଙ୍କର ରାୟ, ମଧୁସୂଧନ ରାଓ ପ୍ରମୁଖଙ୍କ ସହିତ ଜଳନ୍ଧର ଏହି ଚିନ୍ତା ଓ ଚେତନାର ଫଲଗୁ-ଧାରାକୁ ଆମର ଜାତୀୟ ଜୀବନରେ ପ୍ରବାହିତ କରାଇ ଯଶସ୍ୱୀ ହୋଇଛନ୍ତି । ଊନବିଂଶ ଶତାବ୍ଦୀର ଇଂରାଜୀ ମନୀଷୀ ଜନ୍‌ ରସ୍କିନ୍‌ଙ୍କ (୧୮୧୯-୧୯୦୦) ସହ ତାଙ୍କୁ ତୁଳନା କରାଯାଇପାରେ । ରସ୍କିନ୍‌ଙ୍କ ପରି ଜଳନ୍ଧର ଥିଲେ ମୁଖ୍ୟତଃ ପ୍ରବାନ୍ଧକି ଓ ସମାଜ-ଚିନ୍ତାବିଦ୍‌ । ତାଙ୍କରି ଭଳି ସେ ଆର୍ଟ ସହିତ ନୀତିବୋଧର ନିବିଡ଼ ସମ୍ପର୍କ ସମ୍ବନ୍ଧରେ ସଚେତନ ଥିଲେ ଏବଂ ଏକ ଶକ୍ତିଶାଳୀ ସାହିତ୍ୟକ ଗଦ୍ୟଶୈଳୀ ସୃଷ୍ଟିରେ କୃତିତ୍ୱ ଅର୍ଜନ କରିଥିଲେ । ରସ୍କିନ୍‌ଙ୍କ ଭଳି ସେ ମଧ୍ୟ ଅପୂର୍ବ ବିଚାର ବୁଦ୍ଧି ଓ ବିଶ୍ଲେଷଣୀ ଶକ୍ତିର ପରିଚୟ ଦେଇଛନ୍ତି । ସର୍ବୋପରି ରସ୍କିନ୍‌ଙ୍କ ସଦୃଶ ସେ କୌଣସି ସାରସ୍ୱତ ସିଦ୍ଧିର ଅଭୀପ୍‌ସା ଘେନି ଲେଖାଲେଖି କରୁ ନ ଥିବାର ଜଣାପଡ଼େ । I tell men their plain duty, and they tell me that my style is charming. ବର୍ତ୍ତମାନ ପରଲୋକରେ ଥାଇ ଜଳନ୍ଧର ହୁଏତ ସେହିପରି ଭାବୁଥିବେ - ମୁଁ ତ ସୁନ୍ଦର ଐଶ୍ୱର୍ଯ୍ୟମୟ କରି ସମାଜ ଜୀବନକୁ ରୂପଦେବାକୁ ଚାହିଁଥିଲି ! ମୋତେ ଏବେ ସାହିତ୍ୟ -ସ୍ରଷ୍ଟା ହିସାବରେ ବିଚାର କରାଯାଉଛି କାହିଁକି ?

 

***

 

ବିରଜାକ୍ଷେତ୍ରର ପ୍ରାଚୀନକୀର୍ତ୍ତି, ସପ୍ତମାତୃକା ଓ ଶୁଭସ୍ତମ୍ଭ

ଶ୍ରୀ କେଦାରନାଥ ମହାପାତ୍ର

 

ମନ୍ଦିରମାଳିନୀ ପବିତ୍ର ଉତ୍କଳଭୂମିର ଚାରିପ୍ରସିଦ୍ଧ ତୀର୍ଥସ୍ଥାନ ଯଥା ପୁରୁଷୋତ୍ତମ କ୍ଷେତ୍ର, ନୀଳାଚଳଧାମ ବା ପୁରୀ, ଏକାମ୍ରକ୍ଷେତ୍ର ବା ଭୁବନେଶ୍ୱର, ଅର୍କ-କ୍ଷେତ୍ର ବା କୋଣାର୍କ ଓ ବିରଜାକ୍ଷେତ୍ର ବା ଯାଜପୁର ମଧ୍ୟରେ ବିରଜାକ୍ଷେତ୍ର ମହାଭାରତ ଯୁଗରୁ ଗୌରବ, ବିଭବ ଓ ପବିତ୍ରତା ଦୃଷ୍ଟିରୁ ସର୍ବାଗ୍ରଗଣ୍ୟ ଥିଲା । କିନ୍ତୁ ୧୫୬୮ ଖ୍ରୀଷ୍ଟାବ୍ଦରେ ଯାଜପୁର ନିକଟବର୍ତ୍ତୀ ଗୋହିରା-ଟିକିରି ନାମକ ସ୍ଥାନରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ପରାଜୟ ଓ ନିଧନ ପରେ ବଙ୍ଗ-ସୁଲତାନଙ୍କ ସେନାପତି କଳାପାହାଡ଼ଙ୍କଦ୍ୱାରା ପରିଚାଳିତ ବିଜୟୋନ୍ମତ୍ତ ମୁସଲମାନ ସେନାର ପ୍ରବଳ ଆକ୍ରମଣ ଫଳରେ ଉତ୍ତରଭାରତର ମଥୁରାପରି ଯାଜପୁରର ମହନୀୟ ଅପୂର୍ବ କାରୁକାର୍ଯ୍ୟ ଖଚିତ ପ୍ରାଚୀନ କୀର୍ତ୍ତିକଳାପ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତଥାପି ବିକ୍ଷପ୍ତ ଧ୍ୱଂସସ୍ତୂପ ମଧ୍ୟରେ ଅଦ୍ୟାପି ବିଦ୍ୟମାନ ସପ୍ତମାତୃକା ଓ ଶୁଭସ୍ତମ୍ଭ ପ୍ରଭୃତିର ଖୋଦନ ଶୈଳୀର ଚମତ୍କାରିତା ଓ ଅନନ୍ୟସାଧାରଣ କମନୀୟତାରେ ପ୍ରାଚୀନ ଉତ୍କଳୀୟ ଭାସ୍କର୍ଯ୍ୟର ପରକାଷ୍ଠା ପ୍ରଦର୍ଶିତ । ତେଣୁ ସେ ସମ୍ପର୍କରେ ଆଲୋଚନା ଆବଶ୍ୟକ ।

 

ମୁକ୍ତି ମଣ୍ଡପର ସପ୍ତମାତୃକା ବିଗ୍ରହ - ଯାଜପୁରର କେନ୍ଦ୍ର ସ୍ଥଳରେ ୧୦୦ ବର୍ଗଫୁଟ ପରିମିତ ଏକ ଉଚ୍ଚ ବେଦୀ ‘ମୁକ୍ତିମଣ୍ଡପ’ ନାମରେ ପ୍ରଖ୍ୟାତ । ଏହାର ସାମାନାପଟୁ ମଝିରେ ୩୩-୭’’ ଲମ୍ବ ୧୯’ ଓସାର ଗୋଟିଏ ମଣ୍ଡପ ଥିଲା । ଏହି ମଣ୍ଡପରେ ସପ୍ତମାତୃକା ମୂର୍ତ୍ତି ଅଧିଷ୍ଠିତ ଥିଲେ । କଳାପାହାଡ଼ଙ୍କ ସହକର୍ମୀ ଆଲି ବୋଖାରିଙ୍କ ଆକ୍ରମଣ ସମୟରେ ମାତୃକା ବିଗ୍ରହ ଗୁଡ଼ିକ ସ୍ଥାନଚ୍ୟୁତ ହୋଇଥିଲେ । କିମ୍ବଦନ୍ତୀ ଅନୁଯାୟୀ ପାଞ୍ଚଟି ମୂର୍ତ୍ତି ଭଙ୍ଗାଯାଇ କମାଣର ଗୋଳା ପ୍ରସ୍ତୁତ କରାଗଲା । ତିନୋଟି ମୂର୍ତ୍ତିଙ୍କ ତଳକୁ ଗଡ଼ାଇ ଦିଆଯିବାରୁ ସେଗୁଡ଼ିକର ଅଙ୍ଗପ୍ରତ୍ୟଙ୍ଗ ଭାଙ୍ଗିଗଲା । ମୁକ୍ତିମଣ୍ଡପ ନିକଟରେ ପରେ ବୋଖାରି ସାହେବଙ୍କୁ କବର ଦିଆଯାଇଥିଲା ।

 

୧୮୨୫ ଷ୍ଟାର୍ଲିଂ ସାହେବ ଫକୀର ସୟଦ ବୋଖାରିଙ୍କ କବର ପାଶ୍ୱବର୍ତ୍ତୀ ମଣ୍ଡପର ପଛପଟରେ ଥିବା ଅଳିଆ ଗଦାରେ ଏହି ତିନୋଟି ବିଗ୍ରହ-ପାଲଟ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । (୧) ୧୮୩୭ରେ ପଦଦର୍ଶନ ସମୟରେ ମଧ୍ୟ ବିଗ୍ରହତ୍ରୟ ତଦବସ୍ଥାରେ ଥିଲେ । (୨) ୧୮୬୬ରେ ଯାଜପୁରର ଏସ.ଡ଼ି.ଓ ଆର୍ମଷ୍ଟ୍ରଙ୍ଗ ସାହେବ ପ୍ରାୟ ୨୦୦ ବର୍ଷ ପରେ ମୂର୍ତ୍ତି ଗୁଡ଼ିକ ଅଳିଆ ଗଦାରୁ କାଢ଼ି ନିଜ ବଙ୍ଗଳା ହାତରେ ଯତ୍ନରେ ରଖିଥିଲେ । (୩) ତେଣୁ ସେ ଓଡ଼ିଆଜାତିର ଧନ୍ୟବାଦ୍‌ର ପାତ୍ର - ଏହି ବିଗ୍ରହ ତ୍ରୟର ବିବରଣ ନିମ୍ନରେ ପ୍ରଦତ୍ତ ହେଲା ।

 

ଚାମୁଣ୍ଡା - ଉଚ୍ଚ ୯’.୧’’ ଓଦାର ୬’ ଚତୁର୍ଭୁଜା, ବିଶ୍ୱପଦ୍ମାସନରେ ଆସୀନା ଅସ୍ଥିକଙ୍କାଳସାରା, ବିକଟବଦନା, ବେକରେ ହାଡ଼ମାଳ ଝୁଲୁଛି । କେଶଗୁଚ୍ଛ ଆଲୁଳାୟିତ ଓ ଊର୍ଦ୍ଧ୍ୱଗାମୀ, ସମସ୍ତ ଭୁଜଭଗ୍ନ ।

 

ଇନ୍ଦ୍ରାଣୀ - ଆକାର (୮.୮’’X୫’.୯’’) ଦ୍ୱିହସ୍ତା କିନ୍ତୁ ହସ୍ତଦ୍ୱୟ ଭଗ୍ନ । ପାଠପୀଠରେ ହସ୍ତୀ, ଦେବୀ କିରୀଟ, ମୁକୁଟ, କର୍ଣ୍ଣପାଶ, ରତ୍ନହାର, କଙ୍କଣ, ଖଡ଼ୁ, କଟୀସୂତ୍ର, ନୁପ୍‌ର ଓ ପାଉଜ ପ୍ରଭୃତି ଅଳଙ୍କାର ମଣ୍ଡିତା । ଦେବୀଙ୍କ ଶାଢ଼ୀ ଅତିଚମତ୍କାର ଭାବରେ ଖୋଦିତ । ଏହାର ପଣତ (ପ୍ରାନ୍ତଭାଗ) ଆସନ ତଳକୁ ଝୁଲୁଛି । କୋଳରେ ଶିଶୁବିଗ୍ରହ ଭଗ୍ନ ।

 

ବରାହୀ - ଆକାର (୮’୧୦’’ X୬’) ଦକ୍ଷିଣପାଦ ମହିଷ ଉପରେ ସ୍ଥାପିତ । ମୁଖ ଓ ତିନୋଟି ହସ୍ତ ଭଗ୍ନ । ନିମ୍ନ ବାମହସ୍ତରେ ଶିଶୁଧାରଣ କରିଛନ୍ତି । ନାନା ଅଳଙ୍କାରମଣ୍ଡିତା ଶିରୋପରି କୁଞ୍ଚିତ କେଶଗୁଚ୍ଛ । ଇନ୍ଦ୍ରାଣୀଙ୍କ ପରି ଶାଢ଼ୀ ପିନ୍ଧିଛନ୍ତି ।

 

କଳାମୁଗୁନିରେ ଖୋଦିତ ବିଶାଳକାୟ ଏହି ମୂର୍ତ୍ତିତ୍ରୟରେ ଉତ୍କଳୀୟ ଭାସ୍କର୍ଯ୍ୟର ଉତ୍କର୍ଷ ପ୍ରକଟିତ ହୋଇଅଛି । ଏପରି ସମୁଚ୍ଚ କାରୁକାର୍ଯ୍ୟମଣ୍ଡିତ ମାତୃକାବିଗ୍ରହ ଓଡ଼ିଶାର ଅନ୍ୟ କୁତ୍ରାପି ଦେଖାଯାଏ ନାହିଁ । (୪)

 

ଦଶାଶ୍ୱମେଧ ଘାଟର ସପ୍ତମାତୃକା ମନ୍ଦିର

ବୈତରଣୀ ତୀରବର୍ତ୍ତୀ ଦଶାଶ୍ୱମେଧ ଘାଟସ୍ଥ ଏକ ମନ୍ଦିରରେ ପୂର୍ବେ ସପ୍ତମାତୃକା ବିଗ୍ରହ ପୂଜିତା ହେଉଥିଲେ । ମୁସଲମାନ ଆକ୍ରମଣ ସମୟରେ ମନ୍ଦିର ଭଙ୍ଗା ଯାଇ ବିଗ୍ରହଗୁଡ଼ିକ ବିକଳାଙ୍ଗ କରାଯାଇଥିଲା । ଭାବୀ ଆକ୍ରମଣର ଆଶଙ୍କାରେ ବିଗ୍ରହଗୁଡ଼ିକୁ ନଦୀଗର୍ଭରେ ଲୁକ୍‌କାୟିତ କରାଯାଇଥିଲା । ଏହାର ଉଦାହରଣ ଅନ୍ୟତ୍ର ମିଳେ । କାକଟପୁରର ପ୍ରସିଦ୍ଧ ମଙ୍ଗଳାକୁ ପ୍ରାଚୀନଦୀରେ ଓ ଭୁବନେଶ୍ୱର ନିକଟବର୍ତ୍ତୀ ଅଲାରପୁର ଶାସନର ବିଶାଳ ଗୋପୀନାଥ ବିଗ୍ରହଙ୍କୁ ଭାର୍ଗବୀ ନଦୀରେ ପୋତି ଦିଆଯାଇଥିବାର ଜଣାଯାଏ । ଷ୍ଟାର୍ଲିଂ ସାହେବଙ୍କ ବିବରଣରୁ ଜଣାଯାଏ ଯେ କଟକର ଜଣେ ମହାଜନ ସେଗୁଡ଼ିକ ବାଲିରୁ ବାହାର କରି ବର୍ତ୍ତମାନ ମନ୍ଦିର ନିର୍ମାଣପୂର୍ବକ ସେମାନଙ୍କୁ ସେଠାରେ ସ୍ଥାପନ କରିଥିଲେ । ଏଠାରେ ବର୍ତ୍ତମାନ ଚାମୁଣ୍ଡା, ବାରାହୀ, ଇନ୍ଦ୍ରାଣୀ, ବୈଷ୍ଣବୀ, ଶିବଦୂତୀ, କୌମାରୀ ମାହେଶୀରୀ ବିଗ୍ରହମାନ ପୂଜିତ ହେଉଛି । ବାଲିରୁ ଉଦ୍ଧାର କରି ସ୍ଥାପନ କଲାବେଳେ ମୂର୍ତ୍ତିମାନଙ୍କର ଉଚିତ କ୍ରମ ରଖାଯାଇ ନାହିଁ । ମୁଗୁନିପଥରରେ ଖୋଦିତ ମାତୃଗଣ ମୁକ୍ତିମଣ୍ଡପ ମୂର୍ତ୍ତିମାନଙ୍କଠାରୁ କ୍ଷୁଦ୍ରତର ହେଲେ ମଧ୍ୟ ହାରାହାରି ପ୍ରତ୍ୟେକ ୬ ଫୁଟ ଉଚ୍ଚ ଓ ୩ ଫୁଟ ଓସାର ।

 

ଚାମୁଣ୍ଡା- ମୁଣ୍ଡମାଳାଧାରିଣୀ, ଚାମୁଣ୍ଡାମୂର୍ତ୍ତିର ଚକ୍ଷୁକୋଟରସ୍ଥ । କେଶପାଶ ଟାଙ୍କୁରିତ, ବିକଟବଦନ, ପ୍ରଶସ୍ତମୁଖ, ଲୋଳଜିହ୍ୱା, କୁଷି ସଂକୁଚିତ, ଶରୀର ମାଂସହୀନ ଓ କଙ୍କାଳସାର, ନୃମୁଣ୍ଡ କଙ୍କଣରୂପେ ପରିହିତ, ଉ:ଦ: ହସ୍ତରେ ଖଡ଼୍‌ଗ, ନି.ଦ ହସ୍ତରେ ଖର୍ପର, ଉ: ବା: ହସ୍ତରେ ଖଟ୍ୱାଙ୍ଗ, ନିମ୍ନ ବା: ହସ୍ତରେ ଛିନ୍ନମସ୍ତକ । ଦେବୀ ଶବାରୂଢ଼ା ଓ ବିଶ୍ୱପଦ୍ମାସୀନା, ମୂର୍ତ୍ତି ଗଠନରେ ଭାସ୍କର୍ଯ୍ୟର ଚମତ୍କାରିତା ପ୍ରଦର୍ଶିତ ହୋଇଛି । ବିଗ୍ରହଦର୍ଶନରେ ଚିତ୍ତରେ ଭୟ ଜାତ ହୁଏ ।

 

ବରାହୀ - ବାରାହୀଙ୍କ ମୁଖ ଓ ତିନୋଟି ହସ୍ତ ଭଗ୍ନ । କେବଳ ନିମ୍ନ ବାମ ହସ୍ତରେ ଶିଶୁଟି ଧାରଣ କରିଛନ୍ତି । ପାଦପୀଠରେ ଖୋଦିତ ମହିଷ ଅକ୍ଷୁଣ୍ଣ ଓ ଜୀବନ୍ତ ରହିଛି ।

 

କୌମାରୀ- ବିଶ୍ୱପଦ୍ମାସନରେ ଆସୀନା କୌମାରୀ ପ୍ରସନ୍ନବଦନା ଓ ରୂପଲାବଣ୍ୟସମ୍ପନ୍ନା ଓ ପୀନ ଉରଜା । ମୁକୁଟ, କିରୀଟ କର୍ଣ୍ଣପାଶ, ତ୍ରିସରି ରତ୍ନହାର, ଯଜ୍ଞୋପବୀତ, କଙ୍କଣ, କେୟୁର, କଟୀସୂତ୍ର ନୁପୂର ପାବାଜ ପ୍ରଭୃତି ସୁଗଠିତ ଅଳଙ୍କାର ଦେବୀଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଦେବୀଙ୍କ ଉ.ଦ ହସ୍ତରେ ଦଣ୍ଡ, ନି.ଦ. ହସ୍ତରେ ଅଭୟ ମୁଦ୍ରା, ଉ.ବା. ହସ୍ତରେ ତ୍ରିଶୂଳ, ନିମ୍ନ ବାମହସ୍ତରେ ସତୃଷ୍ଣ ନୟନରେ ମାତୃସ୍ତନ ଆଡ଼କୁ ଚାହିଁଥିବା ଏକ ସୁସ୍ଥସବଳ ଶିଶୁ । ପାଦପୀଠରେ ଝରାକାମ ଅତି ସୁନ୍ଦର । ଦେବୀରୂପେ-ଯୌବନ ସମ୍ପନ୍ନା ଏକ ଏକ ଉତ୍କଳୀୟ ନାରୀଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ।

 

ଶିବଦୂତୀ- ଶିବଦୂତୀ ଜଣେ ବୃଦ୍ଧାଙ୍କ ପରି ଦୁଇ ଗୋଡ଼ ମାଡ଼ି ବସିଛନ୍ତି । ତାଙ୍କର ଦକ୍ଷିଣ ହାତ ଦକ୍ଷିଣ ଆଣ୍ଠୁ ଓ ଦକ୍ଷିଣ ତଳିପା ଉପରେ ଏବଂ ବାମ ହସ୍ତ ବାମ ଆଣ୍ଠୁ ଉପରେ ରହିଛି-। ମୁଖମଣ୍ଡଳ ଶୁଷ୍କ ଓ ଶ୍ରୀହୀନ, ଚକ୍ଷୁ କୋଟରଗତ । କେଶପାଶ ଜଟା ପରି ହୋଇଛି । ସ୍ତନଯୁଗଳ ନିମ୍ନକୁ ଲମ୍ବମାନ । କୁକ୍ଷି ସଂକୁଚିତ । ଶ୍ଲଥଚର୍ମା, ହେଲେ ମଧ୍ୟ ସେ କର୍ଣ୍ଣ ଭୂଷଣ, ପତ୍ରହାର, କଙ୍କଣ, ଖଡ଼ୁ, ଗୋଡ଼ଖଡ଼ୁ, ପାଉଚି ପ୍ରଭୃତି ଅଳଙ୍କାର ଧାରଣ କରିଛନ୍ତି । ଶିଳ୍ପୀ ଅତି ନିପୁଣ ଭାବରେ ଜଣେ ରୁକ୍ଷା ଧନାଢ଼୍ୟ ବୃଦ୍ଧାର ରୂପ ପ୍ରକଟିତ କରିଛନ୍ତି ।

 

ଅନ୍ୟ ମୂର୍ତ୍ତି ଗୁଡ଼ିକର ଫଟୋ ବା ଆଲୋକ ଚିତ୍ର ଦେଖିବାର ସୁଯୋଗ ନ ଥିବାରୁ ସେମାନଙ୍କ ଆଶାପ୍ରତ୍ୟାଶାର ବର୍ଣ୍ଣନା ଦିଆଯାଇ ପାରିଲା ନାହିଁ ।

 

ମାତୃକା ମନ୍ଦିରର ଦକ୍ଷିଣରେ ଗଣେଶଙ୍କ ଏକ ମନ୍ଦିର ଅଛି । ଗଣେଶଙ୍କ ଆକାର ଓ ମାତୃଗଣଙ୍କ ଆକାର ଓ ପଥର ସମାନ । ପ୍ରଥମାବସ୍ଥାରେ ଶାସ୍ତ୍ରୀୟ ନିୟମ ଅନୁଯାୟୀ ଉକ୍ତ ଗଣେଶ ବିଗ୍ରହ । ମାତୃଗଣଙ୍କ ଶେଷରେ ସ୍ଥାପିତ ଥିଲେ ।

 

ଏ ସମ୍ପର୍କରେ ମତ୍ସ୍ୟ ପୁରାଣରେ ୨୬୨ ଅଧ୍ୟାୟର ୩୮ ଶ୍ଲୋକ ଏଠାରେ ଉଲ୍ଲେଖଯୋଗ୍ୟ ।

 

‘‘ସୁରକ୍ତଂ ପୁଷ୍ପଭୂଷଣଂ ବର୍ଦ୍ଧନୀଧ୍ୱଜ-ସଂଯୁକ୍ତଂ

ବିନାୟକଞ୍ଚ କୁର୍ବୀତ ମାତୃଣାମନ୍ତ୍ରି କେ ସଦା’’

 

ସେମାନଙ୍କ ପୁନରାଧିଷ୍ଠାନ ସମୟରେ ଏହି ଶାସ୍ତ୍ରୀୟ ନିୟମ ପ୍ରତି ଦୃଷ୍ଟି ଦିଆନଯାଇ ଗଣେଶଙ୍କୁ ଏକ ସ୍ୱତନ୍ତ୍ର ମନ୍ଦିରରେ ରଖାଯାଇଛି ।

 

ଶୁଭସ୍ତମ୍ଭ ବା ଗରୁଡ଼ସ୍ତମ୍ଭ - ବିରଜା ମନ୍ଦିର ଅଦୂରରେ ସଗର୍ବରେ ଦଣ୍ଡାୟମାନ ଶୁଭ ସ୍ତମ୍ଭ ବା ଗରୁଡ଼ ସ୍ତମ୍ଭ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଏହାର ଐତିହାସିକ ପୃଷ୍ଠଭୂମି ପ୍ରତି ଦୃଷ୍ଟିପାତ ଆବଶ୍ୟକ । ପ୍ରାଚୀନ ଭାରତରେ ପ୍ରଥିତଯଶା ମୌର୍ଯ୍ୟସମ୍ରାଟ୍‌ ‘ଦେବପ୍ରିୟ ପ୍ରିୟଦର୍ଶୀ’ ଅଶୋକ ସର୍ବପ୍ରଥମେ ବୌଦ୍ଧଧର୍ମ ପ୍ରସାରର ସ୍ମୃତି ଚିହ୍ନସ୍ୱରୂପ ସ୍ୱୀୟ ବିରାଟ ସାମ୍ରାଜ୍ୟର ନାନା ସ୍ଥାନରେ କ୍ଷୁଦ୍ର ବୃହତ୍‌ ଶିଳାସ୍ତମ୍ଭମାନ ସ୍ଥାପନ କରି ସେ ଗୁଡ଼ିକରେ ଧର୍ମଲିପି ଉତ୍‌କୀର୍ଣ୍ଣ କରିଥିଲେ । ଦୀର୍ଘ ୨୨୦୦ ବର୍ଷ ମଧ୍ୟରେ ସେଥିମଧ୍ୟରୁ ଅଧିକାଂଶ ଭଗ୍ନ ଓ ଲୁପ୍ତ ହୋଇଗଲାଣି । ଅଳ୍ପ କେତେକ ବିହାର ପ୍ରଦେଶସ୍ଥ ଚମ୍ପାରଣଜିଲାର ଉଲରିଆ ଅରରାଜ, ଲଉରିଆ ନନ୍ଦନଗଡ଼, ରାମୂପର୍ବା, ଉତ୍ତର ପ୍ରଦେଶର ସାରନାଥ, କୋଶମ (କୌଶମ୍ବି) ରୁମେଣ୍ଡି ନିଗଲସାଗର, ମିରଟ, ଛୋପ୍ରା, ମଧ୍ୟପ୍ରଦେଶର ସାଞ୍ଚୀ, ଆନ୍ଧ୍ର ପ୍ରଦେଶର ଅମରାବତୀଠାରେ ଅଦ୍ୟାବଧି ବିଦ୍ୟମାନ । (୫) ଭୁବନେଶ୍ୱରରେ ଥିବା ଅଶୋକ ସ୍ତମ୍ଭର ନିମ୍ନାଂଶ ପରବର୍ତ୍ତୀକାଳରେ ଭାସ୍କରେଶ୍ୱର ଶିବ ଲିଙ୍ଗରୂପେ ପୂଜିତ ହେଉଅଛି । (୬) ସମସ୍ତ ଅଶୋକସ୍ତମ୍ଭ ମଧ୍ୟରେ ଲାଉରିଆ ନନ୍ଦନଗଡ଼ ଠାରେ ଥିବା ସିଂହସ୍ତମ୍ଭ ଅଦ୍ୟାବଧି ଅକ୍ଷୁର୍ଣ୍ଣ ରହିଛି ।

 

ଅଶୋକଙ୍କ ସମୟରୁ ଶୁଭସ୍ତମ୍ଭ, ଭୟସ୍ତମ୍ଭ ପ୍ରଭୃତି ପ୍ରୋଥିତ କରିବା ଏକ ପରମ୍ପରାରେ ପରିଣତ ହେଲା । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ତକ୍ଷଶୀଳାରେ ରାଜତ୍ୱ କରୁଥିବା ହେଲି ଡୋଲିରସ ନାମକ ଗ୍ରୀକ୍‌ ରାଜା ବିଦିଶା ନିକଟବର୍ତ୍ତୀ ବେସନଗର ନାମ ଗ୍ରାମରେ ଦେବ ଦେବ ବାସୁଦେବଙ୍କ ଉଦ୍ଦେଶ୍ୟରେ ଏକ ଉଚ୍ଚ ଗରୁଡ଼ସ୍ତମ୍ଭ ସ୍ଥାପନ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ଯାଜପୁରର ଶୁଭସ୍ତମ୍ଭ ପରି ଏହି ଗରୁଡ଼ସ୍ତମ୍ଭର ମୂଳଭାଗ ଅଷ୍ଟକୋଣି ଓ ମଧ୍ୟଭାଗ ଷୋଡ଼ଶକୋଣି । (୭) ଏହି ପରମ୍ପରା ଅନୁସରଣକରି ଉତ୍କଳରେ ସୋମବଂଶୀ ସାମ୍ରାଜ୍ୟ ପ୍ରତିଷ୍ଠାତା ମହାରାଜାଧିରାଗ ଯଯାତି (ପ୍ରଥମ) ବିରଜାକ୍ଷେତ୍ରରେ ବ୍ରାହ୍ମଣ୍ୟ ଧର୍ମର ପୁନରତ୍‌ଥାନ ନିମିତ୍ତ ବହୁକାଳରୁ ଲୁପ୍ତ ଦଶାଶ୍ୱମେଧ ଯଜ୍ଞାନୁଷ୍ଠାନ କରି ଏହା ସ୍ମାରକସ୍ୱରୂପ ଏହି ଗରୁଡ଼ସ୍ତମ୍ଭ ସ୍ଥାପନ କରିଥିଲେ, । ସ୍ଥାପତ୍ୟ ତଥା ଭାସ୍କର୍ଯ୍ୟ ଦୃଷ୍ଟିରୁ ଏହା ଓଡ଼ିଶାର ଏକ ଶ୍ରେଷ୍ଠ କୀର୍ତ୍ତି ।

 

ତିନିଶହ ପଥରରେ ନିର୍ମିତ ଏକ ବର୍ଗାକାର ପୀଠ ଦେହରେ (ଉଚ୍ଚତା ୫’ ୪’’) ଖମ୍ବଟି ବସାଯାଇଥିଲା । ତା’ଉପରେ ୯’’ ପର୍ଯ୍ୟନ୍ତ ଖମ୍ବର ମୂଳ ଅଷ୍ଟକୋଣି, ମଧ୍ୟଭାଗରେ ବ୍ୟାସ ୩’ ୫’’ ଏବଂ ଉଚ୍ଚତା ୧୯’. ୭’’ ଏବଂ ଏହା ଷୋଳ କୋଣବିଶିଷ୍ଟ । ଶୀର୍ଷ ଭାଗରେ ପ୍ରଥମ ଚାରିଫୁଟରେ କୀର୍ତ୍ତିମୁଖ ଓ ମାଳକାମ ଅତି ଚମତ୍‌କାର ଭାବରେ ଖୋଦିତ ହୋଇଅଛି । ତା’ଉପରେ ୨ ଫୁଟ ଉଚ୍ଚର ଚାରିଆଡ଼କୁ ପାଖୁଡ଼ା ମେଳିଥିବା ଏକ ପ୍ରସ୍ଫୁଟିତ ପଦ୍ମ, ସ୍ତମ୍ଭର ଚମତ୍କାରିତା ବୃଦ୍ଧି କରୁଛି । ଏହା ଉପରେ ୨ ଫୁଟ ଉଚ୍ଚ ବର୍ଗାକାର ପୀଠରେ ଗରୁଡ଼ ବିଗ୍ରହ ସ୍ଥାପିତ ହୋଇଥିଲା । ସ୍ତମ୍ଭର ଉଚ୍ଚତା ଭୂମି ପତ୍ତନ ଠାରୁ ୩୩’ - ୮’’ ।

 

ବର୍ତ୍ତମାନ ସ୍ତମ୍ଭ ଉପରେ ଗରୁଡ଼ ନାହିଁ । କିମ୍ବଦନ୍ତୀ ଅନୁସାରେ କଳାପାହାଡ଼ଙ୍କ ଆଦେଶରେ ଲୁହା ଝିଞ୍ଜିରରେ ବନ୍ଧା ହୋଇଥିବା କେତେକ ହାତୀ ସାହାଯ୍ୟରେ ଏହାକୁ ତଳେ ପକାଇ ଦେବାପାଇଁ ଚେଷ୍ଟା କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ପୀଠ ତଡ଼ାଯାଇ ତିନି ଶହ ପଥରରେ ୧୨ଟି ବିନ୍ଧ କରାଗଲା । ବହୁ ଝିଙ୍କାଝିଙ୍କି କରିବାରୁ ଶୀର୍ଷଭାଗରେ ଥିବା ଗରୁଡ଼ ତଳେ ପଡ଼ିଗଲା ! ବର୍ତ୍ତମାନ ସେହି ଗରୁଡ଼ ବିଗ୍ରହଟି ଅନ୍ୟ ଏକ ମନ୍ଦିରରେ ରଖାଯାଇଛି । ଏହାର ଏକ ଚିତ୍ର ୧୮୩୮ରେ କିଟୋ ସାହେବ ଅଙ୍କନ କରି ତାଙ୍କ ପ୍ରବନ୍ଧରେ ପ୍ରକାଶ କରିଥିଲେ ଯେ "An elegantly executed figure of Garuda of block chlorite. It rests on a shaft (sunkout the gorund) exactly similar in dimensions to the Subhastambha and may probably have belonged to it.-(8)

 

ଅର୍ଥାତ୍‌ ଗରୁଡ଼ ମୂର୍ତ୍ତିଟି କଳା ମୁଗୁନି ପଥରରେ ଅତି ମନମୁଗ୍‍ଧକର ଭାବରେ ଖୋଦିତ ହୋଇଛି । ବର୍ତ୍ତମାନ ଏହା ଶୁଭସ୍ତମ୍ଭର ସମାନ ଆୟତନ ବିଶିଷ୍ଟ ଶୀର୍ଷଭାଗରେ ସ୍ଥାପିତ । ସମ୍ଭବତଃ ଏହା ପୂର୍ବେ ଶୁଭସ୍ତମ୍ଭର ଅଂଶ ବିଶେଷ ଥିଲା ।

 

ପ୍ରାଚୀନ ଭାରତୀୟ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସମ୍ବନ୍ଧରେ ବିଖ୍ୟାତ ବିଶେଷଜ୍ଞ ଫରଗୁସନ ସାହେବ ଲେଖିଛନ୍ତି–‘‘ଶୁଭସ୍ତମ୍ଭର ବିଭିନ୍ନ ଅଂଶର ଅନୁପାତ ଅତି ଚମତ୍‌କାର ଏବଂ ଏହାର ବହୁବିଧ ଭାସ୍କର୍ଯ୍ୟରେ ବିଶେଷ ନୈପୁଣ୍ୟ ପ୍ରକଟିତ । Its proporation are beautiful and its details in excellent taste.’’ (୯)

 

ଏହାର ଅନୁକରଣରେ ପ୍ରାୟ ତିନିଶତ ବର୍ଷ ପରେ ଗଙ୍ଗବଂଶର ଶ୍ରେଷ୍ଠ ସମ୍ରାଟ୍‌ ନରସିଂହଦେବ କୋଣାର୍କରେ ସ୍ୱକୃତ ଉତ୍ତୁଙ୍ଗ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅରୁଣସ୍ତମ୍ଭ ସ୍ଥାପନ କରିଥିଲେ-। ଏହା ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ । ଉଭୟର ଉଚ୍ଚତା ପ୍ରାୟ ସମାନ; କିନ୍ତୁ ଅରୁଣସ୍ତମ୍ଭ ସରୁ । ଏହାର ବ୍ୟାସ ମୋଟେ ୨ ଫୁଟ, କିନ୍ତୁ ଶୁଭସ୍ତମ୍ଭର ବ୍ୟାସ ୩’.୫’’ ଅର୍ଥାତ୍‌ ୧ଗୁଣରୁ ଅଧିକ । ଏହାର ଆନୁପାତିକ ପୃଥୁଳତା । ସୌନ୍ଦର୍ଯ୍ୟ ବର୍ଦ୍ଧକ ଓ ଦୃଷ୍ଟି ରୋଚକ । ୭’.୯’’ ବର୍ଗକ୍ଷେତ୍ର ବିଶିଷ୍ଟ ଅରୁଣସ୍ତମ୍ଭର ପାଦପୀଠ ଅକ୍ଷୁର୍ଣ୍ଣ ରହିଛି । କିନ୍ତୁ ଶୁଭସ୍ତମ୍ଭର ମୂଳପୀଠ ଭଙ୍ଗା ଯାଇଥିବାରୁ ଏହାର ଆୟତନ ଓ ଭାସ୍କର୍ଯ୍ୟ ଅଜ୍ଞାତ । ବିଶାଳ ଶୁଭସ୍ତମ୍ଭର ମୂଳ ଖଣ୍ଡିତ ଓ ଚୂଳ ସ୍ଥାନ ଭ୍ରଷ୍ଟ ହୋଇଥିଲେ ମଧ୍ୟ ଏହାର ଅବଶିଷ୍ଟ ଅଂଶରେ ଉତ୍କଳୀୟ ଭାସ୍କର୍ଯ୍ୟର ଚରମ ଉତ୍‌କର୍ଷ ପ୍ରକଟିତ ହୋଇଅଛି ।

 

ସହାୟକ ରଚନାବଳୀ (References)

(1)

A striling Asiatic Researches, Vol. XV 1825, p 335

(2)

Kittue Ruins and pillar of Jajpur ; J. A.S. Bengal Vol. VII, 1838 p 54.

(3)

(a) Exploration is Orissa, 1980 by R. P. Chandra p 2.

(b) Hunter’s Orissa Vol I. London 1872, p 267

(4)

List of protected annual movements in the province of Bihar and Orissa by M. M. Hamid Kuraishi. 1931. pp 2.

(5)

‘Inscriptions of Asoka’ by Dr. D.C. Sircar. 1967 pp, 34-36. °

(6)

‘Archeological Remains at Bhubaneswar by Dr. K. C. Panigrahi.

(7)

‘Ancient India’ by E. J, Rapson. 1916, p. 134.

(8)

History of India and Eastern Architecture, London 1910. Vol. II p 116 fig 321,

(9)

Kittue’s Account published in U. H. R. J. Vol II Appendix I pp 2-3. ,

 

 

ଅନ୍ୟାନ୍ୟ ଗ୍ରନ୍ଥ ଓ ପ୍ରବନ୍ଧ

(1)

‘An account of the Antiquities of Jajpur in Orissa’ by Chandrasekhara Banerjee. J. A.S.B. Vol XV 1871, part I, p 163

(2)

‘Antiquities of Orissa’ by Rajendra Lal Mitra.

(3)

‘History of Orissa’ by R. D. Banerjee 1930, Vol II

(4)

‘Orissa Review’ Oriss Movements special. 1949.

(5)

ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ । ପରମାନନ୍ଦ ଆଚାର୍ଯ୍ୟ, ଓ.ସ.ଏକାଡେମୀଦ୍ୱାରା ୧୯୭୨ରେ ପ୍ରକାଶିତ ।

 

***

 

ଜୟଦେବ ଓ ଗୀତଗୋବିନ୍ଦ

ଶ୍ରୀ ନୀଳମଣି ମିଶ୍ର

 

ଶ୍ରୀଗୀତ ଗୋବିନ୍ଦମ୍‌ ! ପୃଥିବୀର ରକ୍ଷାକାରୀ ଅଥବା ଗୋସମ୍ପଦର ପାଳନକର୍ତ୍ତା ଶ୍ରୀ ଗୋବିନ୍ଦଙ୍କର ମଙ୍ଗଳ ଗୀତ ଯେଉଁ ମହାନ୍‌ ପୁସ୍ତକରେ ବର୍ଣ୍ଣିତ ହୋଇଛି- ସେ ହେଉଛି, ଭାରତୀୟ ଜନତାର ଆଦରଣୀୟ ଗ୍ରନ୍ଥ ‘‘ଶ୍ରୀ ଗୀତଗୋବିନ୍ଦ’’ ।

 

ଆଜକୁ ଆଠଶହ ବର୍ଷତଳେ (ଖ୍ରୀ: ୧୨୦୦ରେ) ଏହା ଓଡ଼ିଶାର ‘ବଡ଼ଠାକୁର ‘‘ଶ୍ରୀଜଗନ୍ନାଥ’’ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ରଚିତ ହୋଇଥିଲା । ମହାନ୍‌ ସାଂସ୍କୃତିକ ପରିପ୍ରେକ୍ଷୀରେ ସମାଜର ସଂସ୍କାର ଉଦ୍ଦେଶ୍ୟରେ କବି ଜୟଦେବଙ୍କ ଲେଖନୀରୁ ନିଃସତ ହୋଇଥିଲା ‘‘ଶ୍ରୀଗୀତଗୋବିନ୍ଦମ’’ । ମହାକବି ଅଶ୍ୱଘୋଷ, କାଳିଦାସ, ବାଣ, ଶ୍ରୀହର୍ଷ ପ୍ରଭୃତି କବିମାନେ ବହୁ ସଂସ୍କୃତ ଗ୍ରନ୍ଥ ରଚନାକରି ଯାଇଥିଲେ ହେଁ, ଜନତାର ହୃଦୟକୁ ସ୍ପର୍ଶ କଲାଭଳି କେହି ଖଣ୍ଡିଏ ହେଲେ ଗୀତକାବ୍ୟ ରଚନା କରି ନ ଥିଲେ କିମ୍ବା ବିଶାଳ ସଂସ୍କୃତ ଗ୍ରନ୍ଥ ଭଣ୍ଡାର ମଧ୍ୟରେ ଗୀତକାବ୍ୟ ରଚନାର ପରମ୍ପରା ନଥିଲା ।

 

ଓଡ଼ିଶାର ଗଙ୍ଗ ରାଜତ୍ୱର ବିଜୟ ବୈଜୟନ୍ତୀ ସେତେବେଳେ ସମଗ୍ର ଭାରତକୁ ଥରହର କରିଥିଲା । ଗଙ୍ଗବଂଶର ରାଜାମାନେ କେବଳ ଯୋଦ୍ଧା ନ ଥିଲେ; ଥିଲେ କବି, ସାହିତ୍ୟିକ, ସଙ୍ଗୀତଜ୍ଞମାନଙ୍କର ପୃଷ୍ଠପୋଷକ । ତାଙ୍କରି ସଭାମଣ୍ଡନ କରି ଗୀତଗୋବିନ୍ଦ ପରି ଏକ ବିଶ୍ୱବିଖ୍ୟାତ ଗ୍ରନ୍ଥ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରୀତି ଉଦ୍ଦେଶ୍ୟରେ ସୁଗେୟ ଛନ୍ଦ, କାନ୍ତକୋମଳ ପଦାବଳୀ ସମନ୍ୱିତ ଗୀତ ରଚନାକଲେ ଜୟଦେବ ।

 

ଜୟଦେବ ଥିଲେ, ପୁରୀଠାରୁ ଉତ୍ତରପୁର୍ବକୋଣରେ ପ୍ରାୟ ଏକଶତ କିଲୋମିଟର ଦୂରବର୍ତ୍ତୀ ପୁଣ୍ୟ ସଳିଲା ସରସ୍ୱତୀ ରୂପିଣୀ ପ୍ରାଚୀ ନଦୀତଟବର୍ତ୍ତୀ ବିନ୍ଦୁ ବିଲ୍ୱ ଗ୍ରାମ ନିବାସୀ । ଏବଂ କବିଙ୍କ ଆରାଧ୍ୟ ଥିଲେ ଶ୍ରୀ ରାଧାମାଧବ । ତେଣୁ ସେ ତାଙ୍କ ଆରାଧନାର ଚରିତାର୍ଥପାଇଁ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ରକୁ । ସେତେବେଳକୁ ପ୍ରସିଦ୍ଧ ଧର୍ମାଚାର୍ଯ୍ୟ ଶ୍ରୀ ନିମ୍ବାର୍କଙ୍କଦ୍ୱାରା ରାଧାମାଧବ ଲୀଳାର ପ୍ରସାର ସମଗ୍ର ଦେଶରେ ଘଟିଥିଲା ଏବଂ ଶ୍ରୀକ୍ଷେତ୍ର ଧର୍ମାଚାର୍ଯ୍ୟମାନଙ୍କର ଲୀଳା କ୍ଷେତ୍ର ହୋଇଥିବାରୁ ସେଠାରେ ରାଧାମାଧବଲୀଳାର ବିକାଶ ସମୁଚିତରୂପେ ହୋଇପାରି ଥିଲା । କେବଳ ଆଚାର୍ଯ୍ୟ ନିମ୍ବାର୍କ କାହିଁକି; ବିଷ୍ଣୁସ୍ୱାମୀ, ମାଧବଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ ପ୍ରଭୃତି ପ୍ରଖ୍ୟାତ ପରିବ୍ରାଜକ ସନ୍ନ୍ୟାସୀମାନେ ଶ୍ରୀକ୍ଷେତ୍ରରେ ବୈଷ୍ଣବମତବାଦର ପ୍ରଚାର କରୁଥିଲେ । ସେଇମାନଙ୍କ ପ୍ରୟାସ ଫଳରେ ରାଧାବଲ୍ଲଭ କୃଷ୍ଣ ଓ ଲକ୍ଷ୍ମୀକାନ୍ତ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦତ୍ୱ କଳ୍ପନା ସମ୍ଭବ ହୋଇଥିଲା ।

 

ଜୟଦେବ ଥିଲେ ଅସାଧାରଣ ପଣ୍ଡିତ ଓ ଦୁରଦ୍ରଷ୍ଟା ସମାଜ ସଂସ୍କାରକ । ସେ ସମୟରେ ଆର୍ଯ୍ୟାବର୍ତ୍ତର ପୂର୍ବ ଭୂଖଣ୍ଡ ବୌଦ୍ଧ ତାନ୍ତ୍ରିକ ଓ ହିନ୍ଦୁ ତାନ୍ତ୍ରିକମାନଙ୍କର ସମ୍ମିଳିତ ଚେଷ୍ଟାରେ ବ୍ୟଭିଚାର ସମାଜର ମଜ୍ଜାଗତ ହୋଇଯାଇଥିଲା । ସାଧାରଣ ଜନତା ଓ ଶାସକମାନେ ତନ୍ତ୍ରଯାନ ଆଡ଼କୁ ଆକର୍ଷିତ ହୋଇ ମୂର୍ତ୍ତି ନିର୍ମାଣ, ମନ୍ଦିର ଗାତ୍ରରେ ଅଳଙ୍କରଣ ଏବଂ ଇନ୍ଦ୍ରଭୂତି ଆଦି କବି ଜ୍ଞାନସିଦ୍ଧି ପରି ତନ୍ତ୍ରଯାନ ପୁସ୍ତକ ପ୍ରଣୟନକରି ସମାଜକୁ ଶୃଙ୍ଗାର ରସରେ ଅପ୍ଲୁତ କରାଇଥିଲେ; କିନ୍ତୁ ଜୟଦେବଙ୍କ ଦୃଷ୍ଟିରେ ଏହା ଥିଲା ସାମାଜିକ ବ୍ୟଭିଚାର । ଏ ବ୍ୟାଧିରୁ ସମାଜକୁ ମୁକ୍ତ କରିବା ଲାଗି ଜୟଦେବ ସମାଜ ସଂସ୍କାରମାନଙ୍କର ନେତୃତ୍ୱ ଗ୍ରହଣ କରିଥିଲେ । ପରିବର୍ତ୍ତନ କରିବା ଲାଗି ଜାତିର କର୍ଣ୍ଣଧାରରୂପେ ଛିଡ଼ା ହୋଇ ରାଧା ମାଧବଙ୍କ କେଳିପ୍ରସଙ୍ଗ ବର୍ଣ୍ଣନା କରିଥିଲେ ଗୀତ ଗୋବିନ୍ଦରେ । ଏହାର ସ୍ପଷ୍ଟସୂଚନା ଗୀତଗୋବିନ୍ଦର ପ୍ରଥମ ଶ୍ଲୋକରୁହିଁ ମିଳେ । ସେ ରାଧାମାଧବଙ୍କ ପ୍ରକୃତ ଲୀଳାକୁ ସମାଜର ବନ୍ଧନୀ ମଧ୍ୟକୁ ଟାଣି ଆଣିଥିଲେ । ତେଣୁ ସେ ଗୀତଗୋବିନ୍ଦ ପ୍ରଥମ ଶ୍ଲୋକରେ ଉଚ୍ଛ୍ୱସିତ କଣ୍ଠରେ ଗାଇ ଉଠିଥିଲେ-

 

‘‘ରାଧା ମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃ କେଳୟଃ ।’’

 

କେବଳ ସେତିକି ନୁହେଁ ତତ୍‌କାଳୀନ ସମାଜରେ ଜନତାର ଅକୁଣ୍ଠ ବିଶ୍ୱାସ ରହିଥିଲା ନାସ୍ତିକବାଦର ସର୍ବଶ୍ରେଷ୍ଠ ପ୍ରଚାରକ ବୁଦ୍ଧଦେବଙ୍କ ଉପରେ । ତାଙ୍କୁ ମଧ୍ୟ ହିନ୍ଦୁର ଅବତାର ମଧ୍ୟରେ ମିଶାଇ ଦେଇ ଜଗଦୀଶ ଜଗନ୍ନାଥଙ୍କୁ ଅବତାରୀରୂପେ ପରିକଳ୍ପନା କରି ମତ୍ସ୍ୟ, କୂର୍ମ, ବରାହ ଆଦି ଅବତାରଙ୍କ ସହିତ ବୁଦ୍ଧଦେବଙ୍କ ଅନ୍ୟତମ ଅବତାରରୂପେ ବର୍ଣ୍ଣନା କରିବା ଫଳରେ ଜନମାନସକୁ ସହଜରେ ଆକୃଷ୍ଟକରି ପାରିଥିଲେ ।

 

ଜୟଦେବ ଥିଲେ, ଏକାଧାରରେ ପ୍ରସିଦ୍ଧ ସଂସ୍କୃତ ନିମ୍ବାର୍କାଚାର୍ଯ୍ୟଙ୍କ ମତାନୁଯାୟୀ ରାଧାମାନଙ୍କର ଅନନ୍ୟ ଭକ୍ତ ଓ ବୈଷ୍ଣବ କବିମଣ୍ଡଳୀର ମଉଡ଼ମଣି । ତେଣୁ ସେ ବୈଷ୍ଣବ ମତ ଅନୁସାରେ ସ୍ୱୟଂ ଭଗବାନ୍‌ ଶ୍ରୀକୃଷ୍ଣ ଓ ଆଦ୍ୟଶକ୍ତି ରାଧାଙ୍କର ପ୍ରଣୟକ୍ରୀଡ଼ା ବର୍ଣ୍ଣନା କରି ଜନସମାଜରେ ପ୍ରବାହିତ ଉଚ୍ଛୃଙ୍ଖଳ ଧାରାକୁ ବୈଷ୍ଣବ ମତାନୁଯାୟୀ ଶୃଙ୍ଖଳିତ କରିଥିଲେ । କବିତା ରଚନାରେ ଥିଲା ତାଙ୍କର ଅସାଧାରଣ ପାଣ୍ଡିତ୍ୟ; ସରଳ, ସାବଲୀଳ, କାନ୍ତ, କୋମଳ ପଦାବଳୀର ପ୍ରୟୋଗ କରିବାରେ ସେ ଅସାଧାରଣ ପ୍ରତିଭାସମ୍ପନ୍ନ ଥିଲେ । ତେଣୁ ତାଙ୍କ ରଚନାରେ ସେ ତତ୍‌କାଳୀନ କବି ମଣ୍ଡଳୀରେ ପ୍ରଖ୍ୟାତ ଉମାପତିଧର, ଗୋବର୍ଦ୍ଧନ, ଧୋଇ କବି, ଶରଣ ଓ କ୍ଷ୍ମାପତି ପ୍ରଭୃତି କବିମାନଙ୍କର କବିତା ଅପେକ୍ଷା ନିଜ କବିତାର ପ୍ରାଧାନ୍ୟ ଗୀତଗୋବିନ୍ଦର ୪ର୍ଥ ଶ୍ଲୋକରେ ଦେଖାଇଛନ୍ତି ।

 

‘‘ବାଚଃ ପଲ୍ଲବୟତ୍ୟୁମାପତିଧରଃ ସନ୍ଦର୍ଭଶୁଦ୍ଧିଂ ଗିରାଂ ।

ଜାନୀତେ ଜଦେବ ଏବ ଶରଣଃ ଶ୍ଲାଘ୍ୟୋ ଦୁରୂହଦ୍ରୁତେ ।

ଶୃଙ୍ଗାରୋତ୍ତର ସତ୍‌ ପ୍ରମେୟରଚନନୈରାଚାର୍ଯ୍ୟ ଗୋବର୍ଦ୍ଧନଃ,

ସ୍ପର୍ଦ୍ଧୀକୋଽପି ନ ବିଶ୍ରୁତଃ ଶ୍ରୁତିଧରୋ ଧୋୟୀ କବିଃ କ୍ଷ୍ମାପତିଃ ।୪।

 

ଜୟଦେବ ଗୀତଗୋବିନ୍ଦଟିକୁ ମନୋଜ୍ଞ ସୁଗେୟ ଛନ୍ଦ ଯୋଜନାରେ ସମୃଦ୍ଧ କରିଥିଲେ । ଗୀତଗୋବିନ୍ଦର ବାରଟି ସର୍ଗ ମଧ୍ୟରେ ସେ ଚବିଶଟି ଗୀତ ଯୋଜନା କରିଥିଲେ । ଏହି ଗୀତଗୁଡ଼ିକୁ ରାଗ ଓ ତାଳ ସହିତ ଗାଇବାଲାଗି ମାଳବଗୌଡ଼ା, ମଙ୍ଗଳଗୁଜ୍ଜରୀ, ଗୁଣ୍ଡକିରୀ, କର୍ଣ୍ଣାଟ, ଦେଶାକ୍ଷ, ଦେଶୀବରାଡ଼ୀ, ଭୈରବୀ, ରାମକିରୀ, ବସନ୍ତ, ବିଭାସ ଆଦି ରାଗ ଓ ତତ୍‌ସନ୍ନିବିଷ୍ଟ ରାଗିଣୀର ଯୋଜନା କରିଥିଲେ ।

 

ଏହିପରି ଭାବରେ ସର୍ବଲକ୍ଷଣ ସମନ୍ୱିତ ଗୋଟିଏ ଗୀତକାବ୍ୟ ରଚନା କରିବା ପରେ କବି ଜୟଦେବ ‘ଦଶାକୃତିକୃତ୍‌’ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦଶବିଧିରୂପରେ ପ୍ରାର୍ଥନା କରି ମଙ୍ଗଳାଚରଣ ଆରମ୍ଭ କରିଛନ୍ତି । ତା’ପରେ ଆରମ୍ଭ ହୋଇଛି, କବି ଜୟଦେବଙ୍କ ମନୋଜ୍ଞ ଆଦି ରସାତ୍ମକ ଗୀତି-

 

‘‘ଶ୍ରୀତକମଳାକୁଚମଣ୍ଡଳ !ଧୃତ କୁଣ୍ଡଳ !

କଳିତଲଲିତ ବନମାଳ ! ଜୟ ଜୟ ଦେବ ହରେ !’’

 

ବିଷ୍ଣୁଙ୍କର ବିଭିନ୍ନ ଅବତାରରେ ସେ ଯେଉଁ ଯେଉଁ କୃତିତ୍ୱ ଅର୍ଜନ କରିଥିଲେ, ତା’ର ସୂଚନା ଦେଇଛନ୍ତି ସେ ଗୀତରେ, ତା’ପରେ କବି ଜୟଦେବ ଗୀତଗୋବିନ୍ଦର ବିଷୟବସ୍ତୁରେ ବସନ୍ତ ରାସର ଅବତାରଣା କରିଛନ୍ତି-

 

‘‘ଲଳିତ ଲବଙ୍ଗଲତାପରିଶୀଳନ କୋମଳ ମଳୟସମୀରେ,

ମଧୁକରନିକର କରମ୍ବିତ କୋକିଳକୂଜିତ କୁଞ୍ଜକୀଟରେ,

ବିହରତି ହରିରିହ ସରସବସନ୍ତେ,

ନୃତ୍ୟତି ଯୁବତିଜନେନ ସମଂ ସଖି ! ବିରହିଜନସ୍ୟ ଦୂରନ୍ତେ ।’’

 

ମଳୟାନିଳ ପରି ସ୍ପନ୍ଦିତ ବସନ୍ତର ସମାଗମ ହୋଇଛି, ତରୁଲତା ପୁଷ୍ପ ଭାରରେ ବିମଣ୍ଡିତ ହୋଇଛନ୍ତି । ଲତାଗୁଡ଼ିକ ପୁଷ୍ପ ଭାଗରେ ଆନତା ହୋଇ ତରୁଗୁଡ଼ିକୁ ଆଶ୍ରୟ କରିଛନ୍ତି । ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ଗହଣରେ ନୃତ୍ୟରେ ନିମଗ୍ନ ହୋଇଛନ୍ତି-। ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ, ଚନ୍ଦନ-ଚର୍ଚ୍ଚିତ-ନୀଳ କଳେବର ପୀତବସନ ଓ ବନମାଳା ବିଭୂଷଣ କରି ଗୋପୀ ଗହଣରେ ନୃତ୍ୟରତ ହୋଇଛନ୍ତି । ନୃତ୍ୟ କରୁଥିବା ସମୟରେ ତାଙ୍କ କର୍ଣ୍ଣ ଯୁଗଳର ମଣିକୁଣ୍ଡଳ ଉଦ୍‌ଭାସିତ ହୋଇ ଉଠୁଛି । ମୁଗ୍‌ଧ ଗୋପବଧୂମାନେ କେଳିରସରେ ନିମଗ୍ନା ହୋଇ କରତାଳି ଦେଇ ବଂଶୀ ସ୍ୱନର ତାଳେ ତାଳେ ଆତ୍ମହରା ହୋଇ ଉଠିଛନ୍ତି ।

 

ପ୍ରଥମ ସର୍ଗଟିକୁ ଶେଷ କରିଛନ୍ତି କବି ‘ସାମୋଦ-ଦାମୋଦର’ ନାମରେ । ତା’ପରେ ଆରମ୍ଭ ହୋଇଛି ‘ଅକ୍ଲେଶ କେଶବ’ ଶୀର୍ଷକ ଦ୍ୱିତୀୟ ସର୍ଗ ।

 

ବ୍ରଜ ମନୋହାରିଣୀ ଶ୍ରୀରାଧା କୃଷ୍ଣ ରସରେ ନିମଗ୍ନା, କିନ୍ତୁ ଗୋପୀ ମଣ୍ଡଳୀରେ ନୃତ୍ୟ କରୁଥିବା ନିଜ ପ୍ରଣୟୀକୁ ଦେଖି ସେ ମନେ ମନେ ଈର୍ଷାନ୍ୱିତା ହୋଇ ଉଠିଛନ୍ତି । ଶ୍ରୀକୃଷ୍ଣଙ୍କ ନଟବର ବେଶ, ଗୋପୀମାନଙ୍କ ପ୍ରତି ତାଙ୍କ ଶୃଙ୍ଗାର ଚେଷ୍ଟା ବିମିଶ୍ରିତ ବ୍ୟବହାର ତଥା ନାଗରିକଙ୍କର ରସାଭିଭୂତ ଅବସ୍ଥା ଦେଖି ଶ୍ରୀରାଧା ବିଚଳିତା ହୋଇ ଉଠିଛନ୍ତି । ସଖୀ ଆଗରେ ନିଜର ମନୋଭାବ ପ୍ରକାଶ କରି, ପ୍ରିୟ ନଟବର ସହିତ ଏକାନ୍ତ କୁଞ୍ଜରେ ମିଳିତ ହେବାର ଆଶା ପୋଷଣ କରିଛନ୍ତି ।

 

ଅଭିମାନିନୀ ହୋଇ ଫେରି ଯାଉଥିବା ଶ୍ରୀରାଧାଙ୍କୁ ଦେଖିଛନ୍ତି ନରକ ରିପୁ ଶ୍ରୀକୃଷ୍ଣ । ସେ ନିଜ ଆଚରଣରେ ନିଜେ ଅନୁତପ୍ତ ହୋଇ ବିରହୀ ନାୟକରେ ପରିଣତ ହୋଇଛନ୍ତି । ଶ୍ରୀରାଧାଙ୍କ ସହିତ ତାଙ୍କର ହାସ ପରିହାସ, ଲୀଳାଖେଳା, ରସ ବିଳାସ ଚିନ୍ତା କରି ଶ୍ରୀକୃଷ୍ଣ ପ୍ରଳାପ କରିବା ସଙ୍ଗେ ସଙ୍ଗେ ପ୍ରିୟା ସହିତ ମିଳିତ ହେବା ଲାଗି ବ୍ୟାକୁଳ ହୋଇ ଉଠିଛନ୍ତି । କବି ଜୟଦେବ ଗୀତଗୋବିନ୍ଦର ଏହି ସର୍ଗଟିର ନାମ ରଖିଛନ୍ତି ମୁଗଧ୍‌ ମଧୁସୂଦନ ।

 

ବିରହ ପୀଡ଼ିତ ଶ୍ରୀକୃଷ୍ଣ ଯମୁନା ତୀରର ନିକୁଞ୍ଜ ବନରେ ବସିଥିବା ସମୟରେ ରାଧିକାଙ୍କ ସଖୀ ଆସି ନିଜ ସଖୀର ମର୍ମନ୍ତୁଦ କାମ ବିକାର ତଥା ମଦନ ଚେଷ୍ଟା ସମ୍ବନ୍ଧରେ ଜଣାଇଛି । ପ୍ରାଣପ୍ରିୟାଙ୍କ ମଦନ ବିକାର ତଥା ଐତିହାସିକ ପ୍ରେମ ବୁଝିପାରି ଶ୍ରୀକୃଷ୍ଣଙ୍କ ମନ ଆକୁଳ ହୋଇ ଉଠିଛି ଏବଂ ସେ ଶ୍ରୀରାଧାଙ୍କ ଦୁଃଖରେ ସାତିଶୟ ସ୍ନିଗ୍‌ଧ ହୋଇ ଉଠିଛନ୍ତି । ତେଣୁ କବି ଏ’ ସର୍ଗଟିର ନାମ ସ୍ନିଗ୍‌ଧ ମଧୁସୂଧନ ରଖିଛନ୍ତି ।

 

ସଖୀ ଫେରିଯାଇ ଶ୍ରୀରାଧାଙ୍କୁ ଶ୍ରୀକୃଷ୍ଣଙ୍କ ବିରହଦଶା ଜଣାଇଛି ଏବଂ ଶ୍ରୀଘ୍ର ଅଭିସାରରେ ଯାଇ ପ୍ରାଣପ୍ରିୟଙ୍କ ବିରହାନଳ ଉପଶମ କରବା ଲାଗି ପ୍ରବର୍ତ୍ତାଇ କହିଛି-

 

‘‘ରତିସୁଖସାରେ ଗତମଭିସାରେ ମଦନ ମନୋହର ବେଶଂ

ନ କୁରୁ ନିତମ୍ବିନି ଗମନ ମନୁସର ତଂ ହୃଦୟେଶମଖ ।

ଧୀରେ ସମୀରେ ଯମୁନା ତୀରେ ବସତି ବନେ ବନମାଳୀ

ପୀନ ପୟୋଧର ପରିସର ମର୍ଦ୍ଦନ ଚଞ୍ଚଳ-କର ଯୁଗଶାଳୀ ।’’

 

ଗୋବିନ୍ଦ ଆକାଙ୍‌କ୍ଷା ପୂରଣ ଲାଗି ଶୀଘ୍ର ଅଭିସାରରେ ଯିବାଲାଗି ସଖୀ ଶ୍ରୀରାଧାଙ୍କୁ ଅନୁରୋଧ କରିଛି । ତେଣୁ କବି ସର୍ଗଟିର ନାମ ରଖିଛନ୍ତି - ସାକାଙ୍‌କ୍ଷ ପୁଣ୍ଡରୀକାକ୍ଷ ।

 

ଶ୍ରୀରାଧାଙ୍କୁ ବୁଝାଇ ସଖୀ ଶ୍ରୀକୃଷ୍ଣଙ୍କ ନିକଟକୁ ପ୍ରାଣପ୍ରିୟାଙ୍କ ଆଗମନର ସଙ୍କେତ ତଥା ଶ୍ରୀରାଧାଙ୍କ ଉତ୍କଣ୍ଠା ବିଷୟରେ ଜଣାଇଛି । ଶ୍ରୀରାଧା ମଧ୍ୟ ବାସକସଜ୍ଜା ନାୟିକା ସାଜି ପ୍ରିୟଙ୍କ ଆଗମନ ଉତ୍କଣ୍ଠାରେ ରାତ୍ରି ଯାପନ କରୁଛନ୍ତି । କିନ୍ତୁ ନାଗର କୁଞ୍ଜକୁ ଗମନ କରି ନାହାନ୍ତି । ତେଣୁ କରି ସର୍ଗର ନାମ ରଖିଛନ୍ତି-ଧୃଷ୍ଟ ବୈକୁଣ୍ଠ ।

 

ନାଗରଙ୍କ ଉପେକ୍ଷାଭାବ ଜାଣି ସୁନ୍ଦରୀ ରାଧିକା ମନେ ମନେ ଅନୁତପ୍ତା ହୋଇଛନ୍ତି । ସେ ମନେ ମନେ ନାଗରଙ୍କ ଶଠତା ବିଷୟରେ ଅନେକ ଚିନ୍ତା କରିଛନ୍ତି । ଏହି ସମୟରେ ବିରସବଦନା ସଖୀ ଫେରିଆସି ଅଭିସାରିଣୀ ରାଧିକାଙ୍କର ବେଶ ବାସ ଲକ୍ଷ୍ୟ କରି ଦୁଃଖିତା ହୋଇଛି । ନାୟକଦ୍ୱାରା ଉପେକ୍ଷିତା ରାଧା ବିପ୍ରଲବ୍‌ଧା ନାୟିକାରେ ପରିଣତା ହୋଇଛି । ତେଣୁ ଜୟଦେବ ସର୍ଗଟିର ନାମ ରଖିଛନ୍ତି ନାଗର ନାରାୟଣ ।

 

ଶେଷ ଯାମରେ ଶଠ ନାଗର ପ୍ରାଣପ୍ରିୟା ରାଧିକାଙ୍କ କୁଞ୍ଜରେ ପ୍ରବେଶ କରିଛନ୍ତି । ଅଙ୍ଗରେ ଶୋଭା ପାଉଛି ସମ୍ଭୋଗର ଚିହ୍ନ । ଅଭିମାନୀ ରାଧା ପ୍ରାଣପ୍ରିୟଙ୍କ ଅଙ୍ଗରେ ସମ୍ଭୋଗ ଚିହ୍ନ ଦେଖି ଅତିଶୟ କୁପିତା ହୋଇ ଉଠିଛନ୍ତି ଏବଂ ନିର୍ଦ୍ଦୟ ଭାବରେ ତାଙ୍କୁ ଫେରିଯିବା ଲାଗି ଭର୍ତ୍ସନା କରି କହିଛନ୍ତି-

 

‘‘ହରି ହରି ଯାହି, ମାଧବ ଯାହି ମାବଦ କୈତବ ବାଦମ୍‌ ।

ତା ମନୁସର ସରସୀରୁହ ଲୋଚନ ଯା ତବ ବିଷାଦମ୍‌ ।’’

 

ଯେତେପ୍ରକାର ଅନୁନୟ କଲେ ମଧ୍ୟ ମାନିନୀର ମାନଭଞ୍ଜନ ହେଲା ନାହିଁ; ତହୁଁ ନଟ ନାଗର ସନ୍ତାପିତ ହୃଦୟରେ କାଳତିପାତ କରିଛନ୍ତି ।

 

ସଖୀ ପୁଣି ପ୍ରୟାସ କରିଛି ଉଭୟ ସନ୍ତପ ହୃଦୟର ମିଳନ ଲାଗି । ମାଧବଙ୍କଠାରେ ଅଧିକ ମାନ ନ କରିବା ଲାଗି ସଖୀ ଅନୁନୟ କରିଛି । ସଖୀର ସମସ୍ତ ପ୍ରବୋଧନାପୂର୍ଣ୍ଣ ବାଣୀ ଶୁଣି ଶ୍ରୀରାଧା ମୌନାବତୀ ହୋଇ ରହିଛନ୍ତି । ଶ୍ରୀରାଧାଙ୍କଠାରୁ ମୌନେ ସମ୍ମତି ଲକ୍ଷଣ ବୋଲିପାରି ସଖୀ ପୁଣି ଫେରିଯାଇଛି ନାୟକ ଶ୍ରୀକୃଷ୍ଣଙ୍କ ନିକଟକୁ । ସଖୀଠାରୁ ଆଶାର ବାଣୀ ଶୁଣି ବିରହୀ ନାଗର ମୁଗ୍‌ଧ ହୋଇଯାଇଥିବାରୁ ସର୍ଗଟିର ନାମ ମୁଗ୍‌ଧ ମୁକୁନ୍ଦ ରଖାଯାଇଛି ।

 

ମାନିନୀ ଶ୍ରୀରାଧାଙ୍କ ନିକଟରେ ନାଗର ଶ୍ରୀକୃଷ୍ଣ ଉପସ୍ଥିତ ହୋଇ ମାନଭଞ୍ଜନ ଲାଗି ଅନୁରୋଧ କରି କହିଛନ୍ତି-

 

‘‘ବଦସି ଯଦୀ କିଞ୍ଚିଦପି ଦନ୍ତରୁଚି କୌମୁଦୀ

      ହରିତ ଦର ତିମିର-ମତି ଘୋରଂ ।

ସ୍ପୁରଦଧର ସୀଧବେ ତବବଦନ ଚନ୍ଦ୍ରମା,

      ରୋଚୟତି ନୟନ ଚକୋରମ୍‌’’

 

ପ୍ରିୟେ ଚାରୁଶୀଳେ,

ମୁଞ୍ଚମୟୀ ମାନ ମନିଦାନମ୍‌ ।

ସପଦି ମଦନାନଳୋ ଦହତି ମମମାନସଂ

      ଦେହି ମୂଖକମଳ ମଧୁପାନମ୍‌’ ।।

 

ତଥାପି ମାନିନୀ ରାଧାଙ୍କର ମାନଭଞ୍ଜନ ହୋଇ ନାହିଁ । ଶେଷକୁ ଦକ୍ଷିଣ ନାୟକର ଶେଷ ଅସ୍ତ୍ର ସେ ପ୍ରୟୋଗ କରି ପ୍ରାଣପ୍ରିୟାଙ୍କ ପାଦରେ ପଡ଼ି କହିଛନ୍ତି-

 

ସ୍ମରଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ

      ଦେହି ପଦବଲ୍ଲବ ମୁଦାରମ୍‌’’

 

ପରିବେଶରେ ଅଭିମାନିନୀର ମାନଭଞ୍ଜନ ହୋଇଥିବାରୁ କବି ଜୟଦେବ ସର୍ଗଟିର ନାମ ଦେଇଛନ୍ତି - ମୁଗ୍‌ଧମାଧବ ।

 

ପ୍ରିୟ ନାଗରଙ୍କ ଚାଟ୍‌ରେ ମୁଗ୍‌ଧ ହୋଇ ବେଶ ବାସରେ ଭୂଷିତା ହୋଇଛନ୍ତି ଶ୍ରୀରାଧା । କିନ୍ତୁ ପ୍ରିୟ ମିଳନ ଲାଗି ସାତିଶୟ ଅଧୀରା ହୋଇ ସେ ବେଶ ଭୂଷଣଗୁଡ଼ିକ ଯଥା ସ୍ଥାନରେ ଭୂଷିତ ନ କରି ଅସ୍ଥାନରେ ଭୂଷଣ କରିଛନ୍ତି । ଏହି ସମୟରେ ସଖୀ ଆସି ଅଭିସାରରେ ଯିବା ଲାଗି ତ୍ୱରାନ୍ୱିତ କରାଇଛି ଏବଂ ଶ୍ରୀରାଧାଙ୍କୁ ନେଇ କୁଞ୍ଜ କୁଟୀରରେ ପ୍ରବେଶ କରାଇଛି । ମାନିନୀ ପ୍ରିୟାଙ୍କୁ କୁଞ୍ଜ କୁଟୀରରେ ପାଇ ଗୋବିନ୍ଦ ଅତ୍ୟଧିକ ଆନନ୍ଦରେ ନିମଗ୍ନ ହୋଇଛନ୍ତି । ତେଣୁ କବି ଏ’ ସର୍ଗଟିର ନାମ ‘ସାନନ୍ଦ ଗୋବିନ୍ଦ’ ବୋଲି ଆଖ୍ୟା ଦେଇଛନ୍ତି ।

 

ଲତା ଗୃହରେ ଶ୍ରୀରାଧାଙ୍କୁ ଛାଡ଼ି ସଖୀମାନେ ଆଡ଼ ହୋଇ ଯାଇଛନ୍ତି । ତା’ପରେ ଆରମ୍ଭ ହୋଇଛି ରସିକନାଗରଙ୍କର ଚାଟୁ ଆଳାପ । ସେ ମିଳନ ଲାଗି ବ୍ୟାକୁଳ ହୋଇ ଶ୍ରୀରାଧାଙ୍କ ଆଗରେ ମନଖୋଲି କହିଛନ୍ତି-

 

‘‘ପ୍ରିୟ ପରିରମ୍ଭଣ ରଭସ ଦଳିତ ମିବ ପୁଲକିତ ମତିଦୂର ବାପଂ ।

ମଦୁରସି କୁଚକଲାଶଂ ବିନିବେଶୟ ଶୋଷୟ ମନସିଜ ତାପମ୍‌ ।

ଅଧର ସୁଧାରସ ମୁପନୟ ଭାମିନି, ଜୀବୟ ମୃତବିୟ ଦାସଂ ।

ତ୍ୱୟି ବିନିହିତ ମାନସମ୍‌ ।

ବିରହାନଳ ଦଗ୍‌ଧବପୁଷ ବିଳାସମ୍‌’’ ।।

 

ତା’ପରେ ଆରମ୍ଭ ହୋଇଛି - ଚିରତୃଷିତ ପ୍ରାଣର ଏକାନ୍ତ ମିଳନ । ନିଧୁବନରେ ମାତି ଉଭୟେ ହଜାଇ ଦେଇଛନ୍ତି ବାହ୍ୟଜ୍ଞାନ ଓ ପରସ୍ପରର ଅସ୍ତିତ୍ୱ ! ନିଧୁବନ ଶେଷ ହୋଇଛି ତା’ପରେ ଦେଶବାସ ବିଶ୍ରସ୍ତା ଚତୁରୀ ରାଧିକା ଅନ୍ତରରେ ପ୍ରାଣପ୍ରିୟ ନାଗରଙ୍କୁ ବେଶ ଭୂଷଣରେ ସଜ୍ଜିତ କରି ଦେବାଲାଗି ଅନୁରୋଧ ଜଣାଇ କହିଛନ୍ତି-

 

‘‘କୁରୁ ଯଦୁନନ୍ଦନ ଶିଶିର ତରେଣ କରେଣ ପୟୋଧରେ ।

ମୃଗମଦପତ୍ରକ ମତ୍ର ମନୋଭାବ ମଙ୍ଗଳ କଲଶ ସହୋଦରେ ।।

ନିଜଗାଦ ସା ଯଦୁନନ୍ଦନେ ।

କ୍ରିଡ଼ିତି ହୃଦୟାନନ୍ଦନେ’ ।।

 

ଉଭୟ ନାଗର ନାଗରୀ ରତିରସରେ ପରିତୃପ୍ତ ହୋଇ କୁଞ୍ଜସଦନ ତ୍ୟାଗ କରିଛନ୍ତି ପ୍ରତ୍ୟୁଷରେ । ଶେଷ ସର୍ଗଟିକୁ ସେଇଥି ଲାଗି ନାମିତ କରିଛନ୍ତି - ସୁପ୍ରୀତ ପୀତାମ୍ବର ନାମରେ ।

 

ଏପରି ଖଣ୍ଡିଏ ଅନିର୍ବଚନୀୟ ରସପୂର୍ଣ୍ଣ ଗୀତକାବ୍ୟ ରଚନା କରି ଜୟଦେବ ତତ୍କାଳୀନ କବି ମଣ୍ଡଳୀରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ସେଇଥିପାଇଁ ତାଙ୍କର ସମସାମୟିକ କବି ଗୋବର୍ଦ୍ଧନାଚାର୍ଯ୍ୟ ମୁକ୍ତ କଣ୍ଠରେ ଉତ୍କଳ ରାଜାଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଛନ୍ତି-

 

‘‘ଯେ କେଽପ୍ୟୁତ୍କଳ ଭୂପତେ ତବସଭା ସମ୍ଭାବିତା ପଣ୍ଡିତାଃ

ପତ୍ରଂ ଶ୍ରୀ ଜୟଦେବ ପଣ୍ଡିତ କବି ସ୍ତନ୍ମୂଦ୍ଧ୍ନି ବିନ୍ୟସ୍ୟ ତେ’’ ।।

 

ଧୀରେ ଧୀରେ ଜୟଦେବଙ୍କର ଗୀତଗୋବିନ୍ଦର ପ୍ରଖ୍ୟାତି ସମଗ୍ର ଦେଶରେ ଚହଳ ପକାଇଲା । କାବ୍ୟଟିକୁ ଆହୁରି ଲୋକପ୍ରିୟ କରାଇବା ଲାଗି ଉତ୍କଳୀୟ ପଣ୍ଡିତ ଉଦୟନାଚାର୍ଯ୍ୟ କାବ୍ୟର ଗୂଢ଼ ଆଧ୍ୟାତ୍ମିକ ତତ୍ତ୍ୱ ବ୍ୟାଖ୍ୟା କରି ରଚନା କଲେ ‘ଭାବ ବିଭାବିନୀ’ ଟୀକା ।

 

କେବଳ ସେତିକିରେ ଗୀତଗୋବିନ୍ଦର ବ୍ୟାଖ୍ୟା ଶେଷ ହେଲାନାହିଁ । ମହାନ୍‌ ଆଳଂକାରିକ ପଣ୍ଡିତ ବିଶ୍ୱନାଥ କବିରାଜଙ୍କ ବୃଦ୍ଧ ପ୍ରପିତାମହ ନାରାୟଣ ଦାସ ଆଉ ଖଣ୍ଡିଏ ଟୀକା ରଚନା କଲେ । ଟୀକାଟିର ନାମ ସର୍ବାଙ୍ଗସୁନ୍ଦରୀ ଟୀକାର ଆରମ୍ଭରେ କବିରାଜ ନାରାୟଣ ଦାସ ଲେଖିଛନ୍ତି-

 

‘‘ସର୍ବାଙ୍ଗ-ସୁନ୍ଦରୀ ରାଧା କୃଷ୍ଣଃ ସର୍ବାଙ୍ଗସୁନ୍ଦରଃ ।

ତୟୋରାନନ୍ଦଜନନୀ ଟୀକା ସର୍ବାଙ୍ଗସୁନ୍ଦରୀ ।।’’

 

କେବଳ ସେତିକି ନୁହେ, ସର୍ବଭାରତୀୟ ସ୍ତରରେ ଗୀତଗୋବିନ୍ଦର ଗାନ ପଦ୍ଧତି, ସୁଲଳିତ ପଦ-ଯୋଜନା ଓ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଅପ୍ରାକୃତ ପ୍ରେମ-ଲୀଲାର ଚହଳ ପଡ଼ିଗଲା । ଭାରତର ବିଭିନ୍ନ ଅଞ୍ଚଳରେ ଗୀତଗୋବିନ୍ଦର ପ୍ରଚାର ଲାଗି ବିଭିନ୍ନ ପଣ୍ଡିତମାନେ ପ୍ରତିଯୋଗିତା ଆରମ୍ଭ କରିଦେଲେ । ତା’ରି ଫଳରେ ଆଜି ଗୀତଗୋବିନ୍ଦର ବହୁସଂଖ୍ୟକ ଟୀକା ଦେଖିବାକୁ ମିଳେ । ସେହି ଟୀକାଗୁଡ଼ିକ ମଧ୍ୟରେ ମୈଥିଳ ପଣ୍ଡିତ ଜଗଦ୍ଧରକୃତ ସାରଦୀପିକା ଟୀକା, ଧୃତି ଦାସଙ୍କ ସନ୍ଦର୍ଭ ଦୀପିକା, ମାନାଙ୍କ ନୃପତିଙ୍କ ଟିପ୍‌ପଣିକା, ବୃହସ୍ପତି ମିଶ୍ରଙ୍କ ଗୀତଗୋବିନ୍ଦ ଟୀକା, ମେବାରର ମହାରାଣା କୁମ୍ଭକର୍ଣ୍ଣଙ୍କ ରସିକପ୍ରିୟା ଟୀକା, ମହାମହୋପାଧ୍ୟାୟ ଶଙ୍କର ମିଶ୍ରଙ୍କ ରସମଞ୍ଜରୀ ଟୀକା, ଲକ୍ଷ୍ମଣ ସୂରୀଙ୍କ ଶ୍ରୁତିରଞ୍ଜନୀ ଟୀକା, ଚୈତନ୍ୟ ଦାସଙ୍କୁ ବାଳବୋଧିନୀ ଟୀକା, ନାରାୟଣ ଭଟ୍ଟଙ୍କ ପଦଦ୍ୟୋତିନିକା ଟୀକା, ଭଗବତ୍‌ ଦାସଙ୍କ ରସକଦମ୍ଭ କଲ୍ଲୋଳିନୀ ଟୀକା, ଶ୍ରୀକାନ୍ତ ମିଶ୍ରଙ୍କ ପଦଭାବାର୍ଥ ଚନ୍ଦ୍ରିକାଟୀକା, ମହାରାଷ୍ଟ୍ରୀୟ ପଣ୍ଡିତ ଶ୍ରୀ ରଙ୍ଗନାଥ ଆରଡ଼େଙ୍କ ମାଧୁରୀ ଟୀକା, ଉତ୍କଳୀୟ ପଣ୍ଡିତ ଧନଞ୍ଜୟ ଭଞ୍ଜଙ୍କ ସର୍ବାଙ୍ଗ ସୁନ୍ଦରୀ ଟୀକା, ଶ୍ରୀ କ୍ଷେତ୍ରବାସୀ ଲକ୍ଷ୍ମଣ ମିଶ୍ରଙ୍କ ରସିକ ରଙ୍ଗଦା ଟୀକା, ଅସମୀୟା ପଣ୍ଡିତ ରତ୍ନାକର କନ୍ଦଳିକୂତ ସାରଦୀପିକା ଟୀକା ଆଦି ଆଲୋଚନମାନଙ୍କ ହସ୍ତଗତ ହୁଏ ।

 

ଖଣ୍ଡିଏ ଉପାଦେୟ କାବ୍ୟ ରଚିତ ହେଲେ, ତା’ ଅନୁକରଣରେ ଅନ୍ୟାନ୍ୟ ଗ୍ରନ୍ଥ ଲିଖିତ ହେବା ସ୍ୱାଭାବିକ । ଗୀତଗୋବିନ୍ଦ ପରି ଖଣ୍ଡିଏ ଉପାଦେୟ କାବ୍ୟର ଅନୁକରଣରେ ଲିଖିତ ଯେତେଖଣ୍ଡି କାବ୍ୟ ମିଳିଛି ତନ୍ମଧ୍ୟରେ ଓଡ଼ିଶାର ରାଜା ଗଜପତି ପୁରୁଷୋତ୍ତମ ଦେବ (ଖ୍ରୀ ୧୪୬୬-୧୪୭୯)ଙ୍କ ନାମରେ ଭଣିତ ‘ଅଭିନବ ଗୀତଗୋବିନ୍ଦ’ ସର୍ବପ୍ରଥମ ଅନୁକୃତି ବୋଲି ଜଣାଯାଏ ।

 

ଅଭିନବ ଗୀତଗୋବିନ୍ଦ ପରେ ଓଡ଼ିଶାରେ ଆଉ କେତେଖଣ୍ଡ ଗୀତିକାବ୍ୟ ଗୀତଗୋବିନ୍ଦର ଅନୁକରଣରେ ଲିଖିତ ହୋଇଥିଲା । ତନ୍ମଧ୍ୟରେ ରାମାନନ୍ଦ ପଟ୍ଟନାୟକଙ୍କ କୃତ ଶ୍ରୀ ଜଗନ୍ନାଥ ବଲ୍ଲଭ ନାଟକ, ଶତଂଜୀବ ମିଶ୍ରକୃତ ମୁଦିତମାଧବ, ଯତୀନ୍ଦ୍ର ରଘୁରାମ ତୀର୍ଥକୃତ ମୁକୁନ୍ଦ ବିଳାସ, ନାରାୟଣ ଭଞ୍ଜ କୃତ ରୁକ୍ମୁଣୀ ପରିଣୟ ମହାକାବ୍ୟ, ନିତ୍ୟାନନ୍ଦ ପଣ୍ଡିତ କୃତ ଶିବ ଲୀଳାମୃତ ଓ କୃଷ୍ଣଲୀଳାମୃତ ମହାକାବ୍ୟ, କବିଚନ୍ଦ୍ର କମଳଲୋଚନ ଖଡ଼୍‌ଗରାୟ କୃତ ସଙ୍ଗୀତ ଚିନ୍ତାମଣି ଓ ଗୀତମୁକୁନ୍ଦ, ରାମଚନ୍ଦ୍ର ଖଡ଼୍‌ଗରାୟ କୃତ ନବହରି ଚରିତ, ପଣ୍ଡିତ ଶିତିକଣ୍ଠ ବିରଚିତ ‘ଗୀତ ସୀତାବଲ୍ଲଭ’ ପ୍ରଭୃତି ଆଲୋଚକମାନଙ୍କର ହସ୍ତଗତ ହୋଇଛି । କେବଳ ଓଡ଼ିଶାରେ ନୁହେ, ସର୍ବଭାରତୀୟ ସ୍ତରରେ ବିଭିନ୍ନ ପଣ୍ଡିତଙ୍କଦ୍ୱାରା ଗୀତଗୋବିନ୍ଦର ଅନୁକରଣରେ ବହୁ ଗ୍ରନ୍ଥ ରଚିତ ହୋଇଛି । ତନ୍ମଧ୍ୟରେ ମୈଥିଳ ଭାନୁକବି କୃତ ଗୀତ-ଗୌରୀଶ, ବିଟ୍‌ଠଲ ନାଥକୃତ ଶୃଙ୍ଗାର ରସମଣ୍ଡନ, ପ୍ରବୋଧାନନ୍ଦ କୃତ ଗୀତଶଙ୍କର, ଶ୍ରୀରାମ ଭଟ୍ଟ କୃତ ଗୀତଗିରୀଶ, ସଦାଶିବ ଦୀକ୍ଷିତ କୃତ ଗୀତସୁନ୍ଦର, ନଞ୍ଜରାଜ କୃତ ସଂଗୀତ ଗଙ୍ଗାଧର, କେରଳ ରାଜ ମାନବେଦନ କୃତ କୃଷ୍ଣଗୀତି, ପ୍ରିୟାଦାସ କୃତ ସଂଗୀତ ରଘୁନନ୍ଦନ, ହରିଶଙ୍କର କୃତ ଗୀତରାଘବ, ରୂପଗୋସ୍ୱାମୀ କୃତ ଗୀତାବଳୀ ଆଦି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି ।

 

ଗୀତଗୋବିନ୍ଦର ଅନୁକରଣରେ ଲିଖିତ ସଂସ୍କୃତ କାବ୍ୟଗୁଡ଼ିକ ବ୍ୟତୀତ ଓଡ଼ିଶାରେ ପ୍ରାୟ କୋଡ଼ିଏ ଖଣ୍ଡରୁ ଅଧିକ ଓଡ଼ିଆ ଅନୁବାଦ ବିଭିନ୍ନ କବିମାନଙ୍କଦ୍ୱାରା ସମ୍ପନ୍ନ ହୋଇଥିଲା । ତନ୍ମଧ୍ୟରେ ବୃନ୍ଦାବନ ଦାସଙ୍କ ରସବାରିଧି, କୃଷ୍ଣ ଦାସଙ୍କ ଅମୃତ ସାଗର ବୋଲି, ଉଦ୍ଧବ ଦାସଙ୍କ ଗୀତଗୋବିନ୍ଦ, ବଜେରି ଦାସଙ୍କ ଅର୍ଥଗୋବିନ୍ଦ, ତ୍ରିଲୋଚନ ଦାସଙ୍କ ଗୀତଗୋବିନ୍ଦ, ବାଣୀଭୂଷଣ ଅନନ୍ତ କୃତ ଗୀତଗୋବିନ୍ଦ, ବାସୁଦେବ ମିଶ୍ର କୃତ ଗୀତଗୋବିନ୍ଦ ଗଦ୍ୟାନୁବାଦ, ଜଗନ୍ନାଥ ମିଶ୍ରଙ୍କ କୃତ ଗୀତଗୋବିନ୍ଦ ଗଦ୍ୟାନୁବାଦ, ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସ, ଗୋପୀନାଥ ଧୀର କୃତ ସଂଗୀତ ଗୀତଗୋବିନ୍ଦ, ଗୌରହରି ପରିଚ୍ଛାକୃତ ସଂଗୀତ ଗୀତଗୋବିନ୍ଦ, ଶ୍ୟାମସୁନ୍ଦର ଭଞ୍ଜ କୃତ ବସନ୍ତ କ୍ରୀଡ଼ା ସମୁଜ୍ଜ୍ୱଳ ରସାବଳୀ ପ୍ରଭୃତି ଆଲୋଚକମାନଙ୍କର ହସ୍ତଗତ ହୁଏ ।

 

ଗୀତଗୋବିନ୍ଦର ପ୍ରଚାର ସମଗ୍ର ଉତ୍କଳର ପୁରପଲ୍ଲୀରେ କାହିଁକି ଶ୍ରୀଜଗନ୍ନାଥ ମନ୍ଦିରର ନିତ୍ୟ ସେବାରୂପେ ଏହା ଗଙ୍ଗ ରାଜା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ: ୧୨୭୮-୧୩୦୭)ଙ୍କ ସମୟରୁ ଆଦୃତ ହୋଇ ଆସୁଛି; କିନ୍ତୁ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ସମୟରେ ରାଜା ସ୍ୱପ୍ରଣୀତ ଅଭିନବ ଗୀତଗୋବିନ୍ଦଟିକୁ ଶ୍ରୀମନ୍ଦିରର ସେବାରେ ପ୍ରଚଳନ କରାଇବାପାଇଁ ଆଦେଶ ଦେଇଥିଲେ । ଏହା ଫଳରେ ସମଗ୍ର ଜନସମାଜ ତଥା ବିଦ୍ୱନ୍ମଣ୍ଡଳୀରେ ଏହାର ପ୍ରତିବାଦ କରାଯାଇଥିଲା । ତତ୍‌ପରେ ଗଜପତି ପ୍ରତାପରୁଦ୍ରଦେବ ଗୋଟିଏ ସ୍ୱତନ୍ତ୍ର ଆଦେଶନାମା ବଳରେ ଶ୍ରୀମନ୍ଦିର ସେବା ମଧ୍ୟରେ ଗୀତଗୋବିନ୍ଦ ସେବା ବ୍ୟତୀତ ଅନ୍ୟ କୌଣସି ଗୀତ ଗାନ କରାଯାଇ ପାରିବନି ବୋଲି ଏକ ଶିଳାଲେଖ ପ୍ରଦାନ କଲେ ।

 

ଶ୍ରୀ ଗୀତଗୋବିନ୍ଦ ଜଗନ୍ନାଥ ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଗୀତ ଥିବାର ବହୁ ପ୍ରାଚୀନ କିମ୍ବଦନ୍ତୀ ପ୍ରଚାରିତ ହୋଇଛି ଏବଂ ଶ୍ରୀ ଗୀତଗୋବିନ୍ଦ ତା’ର ରଚୟିତା ଜୟଦେବ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏତେ ପ୍ରିୟ ଥିଲେ ଯେ, ତାହା ମୈଥିଳୀ ପଣ୍ଡିତ ଚନ୍ଦ୍ର ଦତ୍ତଙ୍କ ଭକ୍ତମାଳ, ପ୍ରିୟା ଦାସଙ୍କ ପିଣ୍ଡିଭକ୍ତିମାଳ ଟୀକା, ମହାରାଷ୍ଟ୍ରୀୟ କବି ମହୀପତିଙ୍କ ଭକ୍ତ ବିଜୟ ଆଦି ଗ୍ରନ୍ଥରେ ବିସ୍ତୃତ ଭାବରେ ମିଳେ ।

 

ଜୟଦେବ କୃତ ଗୀତଗୋବିନ୍ଦ ଗ୍ରନ୍ଥ ଓଡ଼ିଶାର ଏକ ଜାତୀୟ ଗ୍ରନ୍ଥ । ଓଡ଼ିଶାର ଶହ ଶହ ବ୍ରାହ୍ମଣ ଶାସନ, ଗୋପୀନାଥ ମନ୍ଦିର ତଥା ଅନ୍ୟାନ୍ୟ ବୈଷ୍ଣବ ମନ୍ଦିରରେ ଗୀତଗୋବିନ୍ଦ ଅଦ୍ୟାପି ପ୍ରତ୍ୟହ ଗୀତ ହୁଏ । ଓଡ଼ିଶାରେ ଏପରି କୌଣସି ଗ୍ରାମ ନାହିଁ, ଯେଉଁଠି ଖଣ୍ଡିଏ ଗୀତଗୋବିନ୍ଦ ପୋଥି ନ ମିଳୁଛି । ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରାଳୟରେ ଗୀତଗୋବିନ୍ଦ ପୋଥିରେ ସଂଖ୍ୟା ପ୍ରାୟ ପାଞ୍ଚ ଶହ ।

 

ଓଡ଼ିଆ ସାହିତ୍ୟରେ ଯେଉଁ ଶହ ଶହ ଛନ୍ଦ ବ୍ୟବହୃତ ହୋଇଛି, ସେଗୁଡ଼ିକ ଗୀତଗୋବିନ୍ଦରେ ବ୍ୟବହୃତ ବାରଟି ଛନ୍ଦର ଅନୁକରଣରେ ଲିଖିତ ହୋଇଥିବାର ଜଣାଯାଏ । ଓଡ଼ିଆ ଗୀତ ଯୋଜନା, ଓଡ଼ିଆ ଗୀତର ଛନ୍ଦ ତଥା ଓଡ଼ିଆ ସାହିତ୍ୟରେ ଶ୍ରୀରାଧାକୃଷ୍ଣଙ୍କ ଅମୂର୍ତ୍ତ ଲୀଳାର ବର୍ଣ୍ଣନା ଶ୍ରୀ ଗୀତଗୋବିନ୍ଦର ଅନୁକରଣରେ କରାଯାଇଛି ।

 

କେବଳ ସେତିକି ନୁହେ, ଶ୍ରୀ ଜୟଦେବ ଉତ୍କଳ ଭାରତୀଙ୍କର କୃତୀ ସନ୍ତାନ ବୋଲି ସାର୍‌ ଉଇଲିୟମ ଜୋନ୍‌ସ (ଖ୍ରୀ: ଅ: ୧୭୯୯) ମହାରାଷ୍ଟ୍ରର ପ୍ରଖ୍ୟାତ ଆଲୋଚକ ହରିଦାସ ହୀରାଲାଲ (୧୮୬୪), ସଂସ୍କୃତ ସାହିତ୍ୟର ଆଲୋଚକ ବରଦାଚାରୀ ପ୍ରଭୃତି ଆଲୋଚକ, ଜୟଦେବ ଆଚାର୍ଯ୍ୟଙ୍କ ଜନ୍ମପୀଠ ଉତ୍କଳ ବା କଳିଙ୍ଗ ବୋଲି ଯୁକ୍ତ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି । ପ୍ରାଚୀନ ପଣ୍ଡିତ ମୈଥିଳ ଚନ୍ଦ୍ର ଓ କେଶବ ମିଶ୍ର, ହିନ୍ଦୀ କବି ପ୍ରିୟା ଦାସ, ମହାରାଷ୍ଟ୍ରର କବି ମହୀପତି ଆଦି କବିମାନେ ଶ୍ରୀ ଜୟଦେବ ଉତ୍କଳୀୟ ବୋଲି ସ୍ୱୀକାର କରିଛନ୍ତି । ସେହି ଦୃଷ୍ଟିକୋଣରୁ ଆମ ଦେଶରେ ଗବେଷଣା ଓ ଆଲୋଚନାମାନ ହେବା ସମୀଚୀତ ବୋଲି ମନେହୁଏ !

 

***

 

Unknown

ଆଦିବାସୀ ଭାଷା ଓ ଦର୍ଶନ ସମ୍ପର୍କରେ ପଦେ

ଡକ୍‌ଟର ଶ୍ରୀଶ ପଟେଲ

 

ଭାରତର ଭାଷା ସମୂହକୁ ଚାରିଗୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ । (୧) ଇଣ୍ଡୋୟୁରୋପୀୟ ତଥା ଆର୍ଯ୍ୟ (ହିନ୍ଦୀ, ବଙ୍ଗାଳୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ ଓ ଓଡ଼ିଆ); (୨) ଦ୍ରାବିଡ଼ୀୟ (ତେଲୁଗୁ, କନ୍ନଡ଼, ତାମିଲ୍‌ ଓ ମାଲୟାଲମ୍‌); (୩ କ) ଆଷ୍ଟ୍ରୋ-ଏସୀୟ (କୋହ୍ଲ, ମୁଣ୍ଡା, ଖାସୀ ଓ ନିକୋବରୀୟ ଭାଷା ତଥା ବର୍ମା, ଥାଇଲାଣ୍ଡ ଓ ଭିଏତ୍‌ନାମରେ ପ୍ରଚଳିତ ଭାଷା); (୩ ଖ) ଆଷ୍ଟ୍ରୋନେସୀୟ (ମାଲୟ ତଥା ଇଣ୍ଡୋନେସୀୟ ଭାଷା); (୪) ସିନୋ-ତିବ୍ଦତୀୟ (ମଙ୍ଗୋଲୀୟ ପ୍ରଜାତିଭୁକ୍ତ ଆଦିବାସୀମାନଙ୍କର ଭାଷା) । ଅଥଚ ଅଷ୍ଟ୍ରିକ୍‌ ଭାଷାଭାଷୀ, ମଙ୍ଗୋଲୀୟ ତଥା ଦ୍ରାବିଡ଼ୀୟ ଭାଷା ବ୍ୟବହାର କରୁଥିବା ଲୋକମାନେହିଁ ଆଜିର ଭାରତର ଆଦିବାସୀ ସମ୍ପ୍ରଦାୟଭୁକ୍ତ ।

 

କୁହାଯାଏ ଯେ, ମାଡ଼ାଗାସ୍କାର-ଆଫ୍ରିକା ସହିତ ଭାରତ ସଂଯୋଗ ଲେନୁରିଆ (Lenura) ନାମରେ ଉଦ୍ଦିଷ୍ଟ ଥିଲା । କିନ୍ତୁ ମଧ୍ୟବର୍ତ୍ତୀ ଭୂଭାଗ ସମୁଦ୍ର ଗର୍ଭରେ ବିଲୀନ ହେବାରୁ ସେଠାରେ ଥିବା ଅଧିବାସୀମାନେ ଭାରତରେ ପ୍ରବେଶ କରିଥିଲେ । ଅନ୍ୟ କେତେକଙ୍କ ମତରେ ମୁଣ୍ଡା ଅବା ମୁଣ୍ଡାରୀ ଜାତିହିଁ ଭାରତରେ ପ୍ରଥମ ବସବାସ କରିଥିଲେ । କୋଚିନ-ଚୀନା, ମାଲୟ, ନିକୋବର ଦ୍ୱୀପପୁଞ୍ଜ, ଫିଲିପାଇନ ଦ୍ୱୀପପୂଞ୍ଜ, ମାଲୟ ଏବଂ ଅଷ୍ଟ୍ରେଲିଆର କଥିତ ଭାଷା ସହିତ କେତେଟା ସାମଞ୍ଜସ୍ୟ ରହିଛି ବୋଲି ଧ୍ୱନିତତ୍ତ୍ୱବିଦ୍‌ଗଣ ଦର୍ଶାଇଥାଆନ୍ତି । ମୁଣ୍ଡାରୀ, ସାନ୍ତାଳୀ, ଭୂମିଜ, ହୋ, ବିର୍‌ହୋର, ତୋଡ଼ା, ଅସୁରୀ, କର୍ୱା, କୁଲୁ, ଖଡ଼ିଆ, ଜୁଆଙ୍ଗ, ଶବର, ଗଦବା, ପରଜାମାନଙ୍କର କଥିତ ଭାଷା ଅବା ଠାରରେ ମଧ୍ୟ ଅନେକ ମେଳ ରହିଛି । ଦ୍ୱିତୀୟତଃ Sir W. Honter ଓ Mr. A. K. Keaneଙ୍କ ମତାନୁସାରେ ମୁଣ୍ଡା ପରିବାର ପ୍ରଥମେ ଉତ୍ତର-ପୂର୍ବ ଗିରିପଥ ଦେଇ ପ୍ରବେଶ କରିଥିଲେ । ଉତ୍ତର-ପଶ୍ଚିମ ଗିରିପଥ ଦେଇ ଦ୍ରାବିଡ଼ମାନଙ୍କ ସହିତ ମିଶି ସଂଯୋଗ ସ୍ଥାପନ କରିଥିଲେ । ତୃତୀୟରେ ଏହା ମଧ୍ୟ ଦର୍ଶାଇ ଦିଆଯାଇଛି ଯେ, ମୁଣ୍ଡା ପରିବାର ପୂର୍ବତିଦ୍ଧତ ଅବା ପଶ୍ଚିମ ଚୀନ୍‌ରୁ ଆସିଛନ୍ତି ।

 

Sir Herbert Riseley କହନ୍ତି ଯେ - Munda tribes, the earliest inhabitants of whom we have any knowledge, sending weight to the arsation of the Mundas and their congeners that they are genuine auto cthotones of the Indian soil: ଅଥଚ ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିବାସୀମାନଙ୍କର ଭାଷାର ମୂଳପିଣ୍ଡ ହେଲା ମୁଣ୍ଡାରୀ ଭାଷା । ତନ୍ମଧ୍ୟରେ ଭାଷାଗତ ସାମଞ୍ଜସ୍ୟ ଉଲ୍ଲେଖଯୋଗ୍ୟ ।

 

ଓଡ଼ିଆ

ସାନ୍ତାଳୀ

ମୁଣ୍ଡାରୀ

ଖାଇବା

ଜମ୍‌

ଜମ୍‌ମେଲା

ଶୋଇବା

ଗୀତିମେ

ଗୀତିମେ

ଗୀତ ଗାଇବା

ସେରେଂଜମେ

ଦୁରାଂତାନା

ହାଣ୍ଡିଆ

ହାଣ୍ଡ

ଇଲି

ଜୁଆଳୀ

ଆରାଣ

ଆର

ମାଟି

ହାସା

ହାସା

ନାଚ

ଏନେଜ୍‌

ସୁସୁମ୍‌

ମାଂସ

ଜିଲ୍‌

ଜିଲୁ

ମାଛ

ହାକୁ

ହାକୁ

 

ଓଡ଼ିଶାର ଆଦିବାସୀମାନଙ୍କର ଭାଷାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଥିରେ କେବଳ ବକାର, ବିସର୍ଗ ଓ ଲମ୍ବ ହଳନ୍ତର୍‌ ପ୍ରୟୋଗର ଆଧିକ୍ୟ ରହିଛି ।

 

ଡକ୍‌ଟର ସୁନୀତି କୁମାର ଚଟ୍ଟୋପାଧ୍ୟାୟଙ୍କ ମତରେ, ମଧ୍ୟ ବା ପୂର୍ବ ୟୁରୋପ୍‌ ଅଥବା ରୁଷ୍‌ ଦେଶର ୟୁରାଲ୍‌ ପର୍ବତମାଳାର ପାଦଦେଶ ଅନ୍ୟୁନ ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାରରୁ ତିନି ହଜାର ବର୍ଷ ପୂର୍ବେ ଇଣ୍ଡୋ-ୟୁରୋପୀୟ ବା ଆଦି-ଆର୍ଯ୍ୟ ଜାତିର ଉତ୍ପତ୍ତି ସ୍ଥଳ ଥିଲା । ସମ୍ଭବତଃ ପ୍ରବଳ ଶୀତରୁ ରକ୍ଷା ପାଇବାପାଇଁ ଏମାନେ ଉତ୍ତର ଅଞ୍ଚଳରୁ ସମଶୀତୋଷ୍ଣ ଅଞ୍ଚଳକୁ ପଳାଇ ଆସିବାପାଇଁ ବାଧ୍ୟ ହୋଇଥିଲେ । ଏହି ଆର୍ଯ୍ୟଗଣ ସେତେବେଳେ ବହୁ ଗୋତ୍ରରେ ବିଭକ୍ତ ହୋଇଥିଲେ । ଯେଉଁମାନେ ମେସୋପଟାମିଆରେ ବସବାସ ନ କରି ପୂର୍ବଦିଗକୁ ଅଗ୍ରସର କରିଥିଲେ, ସେହିମାନେ ହେଉଛନ୍ତି ଇରାନ୍‌ ତଥା ଭାରତୀୟ ଆର୍ଯ୍ୟମାନଙ୍କର ଆଦି ବଂଶଧର । ପାର୍ଶ୍ୱ, ମଦ, ପାର୍ଥବ ଆଦି ଆର୍ଯ୍ୟ ଗୋତ୍ରିୟଗଣ ପାରସ୍ୟ ବା ଆଧୁନିକ ଇରାନ୍‌ରେ ରହିଗଲେ । କୁରୁ, ମଦ, ଶିବି ଓ ପୁରୁ ପ୍ରଭୃତି ଗୋତ୍ରର ଆର୍ଯ୍ୟଗଣ ସିନ୍ଧୁନଦୀ ପାରହୋଇ ଭାରତବର୍ଷରେ ପ୍ରବେଶ କରିଥିଲେ । ସପ୍ତସିନ୍ଧବା ଏବଂ ପଞ୍ଚକନ୍ୟା ପରିକଳ୍ପନାଦି, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ଆର୍ଯ୍ୟ ଓ ଅନାର୍ଯ୍ୟ ମଧ୍ୟରେ ସଂହତି ସ୍ଥାପନ ଉଦ୍ୟମର ଏକ ଜ୍ୱଳନ୍ତ ନିଦର୍ଶନ । ସୁତରାଂ ପଞ୍ଚନଦୀର ଦ୍ରୌପଦୀ, ଗାଙ୍ଗେୟ ଉପତ୍ୟକାର ସୀତା, ମଧ୍ୟଦେଶରେ ଅହଲ୍ୟାଙ୍କ ସହିତ ଦାକ୍ଷିଣାତ୍ୟର ମନ୍ଦୋଦରୀ ଏବଂ ତାରା ମଧ୍ୟ ଆମର ପ୍ରାତଃ ସ୍ମରଣୀୟା । ସେହିପରି ଉତ୍କଳରେ ଅନାର୍ଯ୍ୟମାନଙ୍କ ଦେବତା ‘ଜଗନ୍ନାଥ’ ଆର୍ଯ୍ୟମାନଙ୍କର ଦେବତା ‘ବିଷ୍ଣୁ’ଙ୍କ ପ୍ରତିରୂପ ସଦୃଶ ଯେଉଁଭଳି ଗୃହୀତ, ସେହିପରି ଅନାର୍ଯ୍ୟମାନେ ମଧ୍ୟ ଆର୍ଯ୍ୟମାନଙ୍କର ବେଦ, ଉପନିଷଦ ଆଦିକୁ ଗ୍ରହଣ କରିନେଇଥିଲେ ।

 

ଓଡ଼ିଶାର ଗୋଟିଏ ଆଦିବାସୀ ‘ସାନ୍ତାଳ’ମାନଙ୍କ ସମ୍ପର୍କରେ ଏହି ପରିପ୍ରେକ୍ଷୀରେ ଆଲୋଚନା ଯୋଗ୍ୟ । ଏମାନଙ୍କର ଉତ୍ପତ୍ତି ସ୍ଥଳ ବିଷୟରେ ଆଲୋଚନା କରି ଜଣାଯାଇଛି ଯେ, ଏମାନେ ପ୍ରଥମେ ଦାମୋଦର ନଦୀର ଅବବାହିକା ଅଞ୍ଚଳରେ ବସବାସ କରୁଥିଲେ । ଆର୍ଯ୍ୟମାନଙ୍କର ପ୍ରଭାବ ଫଳରେ ସେମାନେ ଘନ ଜଙ୍ଗଲ ଆଡ଼କୁ ଗତିକଲେ । ଏବେ ମଧ୍ୟ ସାନ୍ତାଳମାନେ ‘ଦାମୋଦର ଯିବା’ ପ୍ରଥା ପାଳନ କରିଥାଆନ୍ତି । ହିନ୍ଦୁମାନଙ୍କର ପ୍ରଥାନୁସାରେ, ମୃତ ବ୍ୟକ୍ତିର ଆତ୍ମାର ସଦ୍‌ଗତି ନିମିତ୍ତ ଯେପରି ‘ଗଙ୍ଗସ୍ଥି’ ପାଳନର ବିଧି ରହିଛି, ସେହିପରି ସାନ୍ତାଳମାନେ ମରିଯାଇଥିବା ବ୍ୟକ୍ତିର ଅସ୍ଥିକୁ କୌଣସି ନିର୍ଦ୍ଧାରିତ ନଦୀରେ ପକାଇଥାଆନ୍ତି । ଏହି ପ୍ରଥାକୁ ସେମାନଙ୍କ ସମାଜରେ ‘ଦାମୋଦର ଯିବା’ କୁହାଯାଇଥାଏ ।

 

ଅବଶ୍ୟ ସାନ୍ତାଳମାନେ ଓଡ଼ିଶାର ପ୍ରଥମ ଅଧିବାସୀ ନୁହନ୍ତି । ମୟୂରଭଞ୍ଜ-କେନ୍ଦୁଝର ଇତିହାସ ମଧ୍ୟ ଏ ସମ୍ପର୍କରେ କୌଣସି ମତ ପ୍ରକାଶ କରିନାହିଁ । ଏମାନଙ୍କ ପୂର୍ବରୁ ‘ଧରୁଆ’ ନାମକ ଏକ ପ୍ରବଳ ପରାକ୍ରମୀ ଯୋଦ୍ଧା ଜାତି ଏହି ଅଞ୍ଚଳରେ ନିଜର ପ୍ରତିଷ୍ଠା କରି ପାରିଥିଲା । ସେମାନଙ୍କଦ୍ୱାରା ନିର୍ମିତ ବହୁ ମନ୍ଦିର ଏବଂ ଜଳାଶୟ ଗୁଡ଼ିକ ଆଜି ମୂକସାକ୍ଷୀରୂପେ ରହିଛନ୍ତି ।

 

ପୃଥିବୀ ଓ ମାନବର ସୃଷ୍ଟି ସମ୍ପର୍କରେ ବୁଢ଼ା ବୁଢ଼ୀମାନେ ଗଳ୍ପାକାରରେ ବିବାହ ସମୟରେ ଗାଇଥାଆନ୍ତି -

 

ହା ହେ ଜଲପୁରୀରେ

ହା ହେ ନୁକିନ୍‌ ମାନେଓ୍ୱା

ହା ହେ ବସାର ଅକାନକିନ୍‌

ହା ହେ ନୁକିନ୍‌ ମାନେଓ୍ୱା ।

ହା ହେ ତକାରେ ଦହକିନ୍‌

ହା ହେ ଦୋସେ ଲାୟାବିନ୍‌

ହା ହେ ମାରାଂ ଠାକୁର ଜିଉ

ହା ହେ ବାସାର ଆକାନ୍‌କିନ୍‌ ।

ହା ହେ ନୁକିନ୍‌ ମାନେଓ୍ୱା

ହା ହେ ତୋଳୀରେ ଦହକିନ୍‌ ।

 

ଠାକୁର ଜୀଉ ବା ମାରାଙ୍ଗବୋଙ୍ଗା ଦିନେ ଦାନ୍ତ ଘଷୁଥିଲେ । ସେତେବେଳେ ଚତୁର୍ଦ୍ଦିଗରେ କେବଳ ମାଟି ଉପରେ ପାଣିହିଁ ରହିଥିଲା । ସେ ‘ହାଁସହାଁସାଲୀ’ ଦୁଇଟି ପକ୍ଷୀ ସୃଷ୍ଟି କଲେ । ସେମାନେ ପାଣି ଉପରେ ଉଡ଼ି ବୁଲିଲେ । ସେମାନେ ବସିବେ କେଉଁଠି ? ସୁତରାଂ ମାରାଙ୍ଗବୋଙ୍ଗା ଦାନ୍ତକାଠି ଗୁଡ଼ିକ ପୋତି ଦେଲେ । ସେଗୁଡ଼ିକ ହୋଇଗଲା ପାଣି ଉପରେ ଭାସୁଥିବା ଗଛ । ଦୁଇଟି ପକ୍ଷୀଙ୍କର ମିଳନରୁ ସମ୍ଭବ ହେଲା ଦୁଇଟି ଅଣ୍ଡା ଏବଂ ସେଥିରୁ ଜନ୍ମ ହେଲେ ଗୋଟିଏ ପୁରୁଷ ଏବଂ ଗୋଟିଏ ସ୍ତ୍ରୀ । ସେମାନେ ହେଲେ ସାନ୍ତାଳୀ ପିଲ୍‌ଚୁହାରାମ୍‌ ଓ ପିଲ୍‌ଚୁଆୟୋ ବା ବୁଢ଼ୀ । ତା’ପରେ ଆରମ୍ଭ ହେଲା ଧରଣୀର ସୃଷ୍ଟି । ଦେବତାଙ୍କର ଆହ୍ୱାନରେ ଜିଆ ମାଟି ଆଣି କଇଁଛ ପିଠିରେ ପକାଇଲା । ପୃଥିବୀ ସୃଷ୍ଟି ହେଲା । ତା’ ଉପରେ ଆରମ୍ଭ ହେଲା ବୃକ୍ଷ ଓ ପ୍ରାଣୀ ଜଗତ ।

 

ମାରାଙ୍ଗବୋଙ୍ଗା ଦିନେ କହିଲେ, ତାଙ୍କୁ ଭୋଗ ଦେବାକୁ ହେବ ଏବଂ ନିର୍ଦ୍ଦିଷ୍ଟ ଏକ ଝରଣାରୁ ପାଣି ଆଣି ଘାସର ମଞ୍ଜିରେ ଭାତ ଭୋଗ କରିନେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ପିଲ୍‌ଚୁହାରାମ୍‌ଓ ପିଲ୍‌ଚୁଆୟୋ ଝରଣା କୂଳେ ଦେଖିଲେ ଯେ ମାଙ୍ଗଡ଼ଟିଏ ଶୋଇଛି । ଶୋଇବାର କାରଣ ପଚାରିବାରୁ ସେ କହିଲା, ଝରଣା ପାଣିରେ ସେ ପ୍ରକାର ମାଦକତା ରହିଛି । ଦୁହେଁ ପାଣି ନେଲେ, ଭୋଗ କଲେ ଏବଂ ଝରଣା ପାଣି ପିଇଲେ । ବହୁ ସମୟ ପରେ ସେମାନେ ଉଠିଲା ବେଳକୁ ଭାତଗୁଡ଼ିକ ହାଣ୍ଡିଆ ପାଲଟି ଯାଇଛି । ତାହା ସେମାନେ ମୈଥୁନରେ ବ୍ୟାପୃତ ରହିଲେ ଏବଂ ଏମାନଙ୍କର ବାରଗୋଟି ପୁତ୍ର ଜାତ ହେଲେ । ଏମାନେ ଜଙ୍ଗଲକୁ ଶୀକାରପାଇଁ ଗଲେ । ଶୀକାରରୁ ଫେରି କିଏ ଖାଦ୍ୟ, କିଏ ପାଣି ମାଗିଲା । ମା’ ଦେଖିଲେ ଯେ ସମସ୍ତେ କିଛିନା କିଛି ହାତରେ ଧରିଛନ୍ତି ଏବଂ ସେମାନଙ୍କୁ ସେହିପରି ଭାବରେ ଡକାଗଲା । ଜଣେ ଶିଙ୍ଘ ନ ଥିବା ଜନ୍ତୁ ଆଣିଲା, ତା’ର ନାମ ହେଲା ‘ମୁର୍ମୁ’ । ଶସ୍ୟର ଚୋପା ଖାଇବାରୁ ସେ ହେଲା ମାର୍ଣ୍ଡି । ବଣ ହଂସକୁ ମାରିବାରୁ ‘ହାଁସଦା’, ବଣ କୁକୁଡ଼ା-ଝୁଡ଼ୁ, ବେସ୍ତା-ବଣୁଆ ମହିଁଷ, ବାସ୍କେ-ବାସିଭାତ, ହେମ୍ବମ୍‌-କେନ୍ଦୁଫଳ । କିସ୍‌କୁ ଓ ସୋରେନ୍‌ କ୍ଷତ୍ରୀୟ ଜାତୀୟ ଏବଂ ସେମାନେ ସମସ୍ତଗୁଡ଼ିକର ମାଲିକ ।

 

ସାନ୍ତାଳମାନଙ୍କର ଏକ ଲୋକ-କଥାରୁ ପ୍ରକାଶ ଯେ, ଲଙ୍କାର ରାବଣ ସହିତ ରାମଚନ୍ଦ୍ର ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ତାଙ୍କ ସହିତ ସନ୍ତାଳମାନେ ମଧ୍ୟ ଯୋଗ ଦେଇଥିଲେ । ସେଥିପାଇଁ ସେମାନେ ଖେରୁଆନ୍‌ ମଧ୍ୟ ବୋଲାଇଥାଆନ୍ତି । ସେଥି ନିମନ୍ତେ ଏମାନେ ମାଙ୍କଡ଼ ମାରନ୍ତି ନାହିଁ ଅବା ଖାଆନ୍ତି ନାହିଁ ବୋଲି ଦର୍ଶାଇଥାଆନ୍ତି ।

 

ସାନ୍ତାଳମାନେ ଯେଉଁ ଭାଷା କୁହନ୍ତି, ସେ ଭାଷା ଏଯାଏଁ ‘ଠାର’ ବୋଲି ରହିଛି । ଏହାର ଲିପି ବା ବ୍ୟାକରଣ ପ୍ରସ୍ତୁତ ହୋଇନାହିଁ । ବଙ୍ଗଳାର ସାନ୍ତାଳ ପ୍ରଗଣାରେ ସେମାନେ ସ୍ୱଭାଷା ଏବଂ ଅନ୍ୟ ଲିପି ଗ୍ରହଣ କରୁଛନ୍ତି । ଏମାନଙ୍କ ଉପରେ ଆର୍ଯ୍ୟର ପ୍ରଭାବ ସୁସ୍ପଷ୍ଟ । ଏମାନଙ୍କ ଭାଷାରେ, ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଭାବ ଅଧିକ । ଯଥା :- ହୁଏ - ହୁଇଆକାନ; ଚାଲିବା - ଚାଲାଓଲାନ୍‌ ପ୍ରଭୃତି । ହିନ୍ଦୁ ଧର୍ମର ବହୁ ଆଚାର ବିଚାର ଓ ସଂସ୍ଥାକୁ ଏମାନେ ଗ୍ରହଣ କରିନେଇଛନ୍ତି । ଧର୍ମ ସମ୍ପର୍କରେ ଏମାନେ କହନ୍ତି ଯେ ସେମାନଙ୍କର ‘ସାର୍‌ନା ଧର୍ମ’ । ଗାଁ ମୁଣ୍ଡ ଜାହିରାରେ ଏହି ପୂଜା କରାଯାଇଥାଏ । ଆମେ ଗାଁ ଠାକୁରାଣୀ ବୋଲି ଯେଉଁ ପୂଜା କରିଥାଉଁ, ତାହାକୁ ଏମାନେ ‘ଜାହିରାବୋଙ୍ଗା’ ବୋଲି କହିଥାଆନ୍ତି ।

 

ବିବାହ ସମୟର ଗୀତ :-

ଚାନ୍ଦ ଦାୟାଢ଼େ ଚାନ୍ଦ ମାୟାଢ଼େ

ଜିଓ୍ୱରେ ଜିଓ୍ୱଦରେ ଞ୍ଜାପା ମାକୋନ -

ମିନଟାଂ ଡାରରେ ଜଳାମାଲି ବାହାଲେକା

ହଳମ୍‌ କେସେ ଗବନ ଆପନା କାନ

 

- ଭଗବାନଙ୍କ ଦୟାରୁ ଏମାନଙ୍କର ବିବାହ ହୋଇଗଲା । ଆତ୍ମାର ମିଳନ ହେଲା । ଗୋଟିଏ ଡାଳରେ ଦୁଇଟି ମଲ୍ଲୀଫୁଲ । ଦେହ ସିନା ଫରକ୍‌, ହେଲେ ଗୋଟିଏ ବୃନ୍ତରେ ଦୁଇଟି ଫୁଲ ।

 

ଦୂର୍ଗାପୂଜା ସମୟରେ ଦାସାଁଇ ନୃତ୍ୟ ହୋଇଥାଏ । ବଡ଼ ବଡ଼ ଲାଉତୁମ୍ବାରେ ଧନୁ ଖଞ୍ଜା ହୋଇଥାଏ । ଏହି ସମୟର ଗୀତ :-

 

ଦିନିରେ ଦୂର୍ଗା ଦୁକିନ୍‌ ନଡ଼କେନାରେ

ଦିନିରେ ଦୁର୍ଗା ଦୁକିନ୍‌ ବାହେଲେନାରେ ।

କେତେ ଲାଗିଦ୍‌ ଦୁକିନ୍‌ ନଡ଼କେନାରେ

କେତେ ଲାଗିଦ୍‌ ନକିନ୍‌ ବାହାଲେନାରେ ।

 

ଦେବୀଦୁର୍ଗା ବାହାରିଲେ - ସିଂହ ପାଟି କରୁଛି - ପାନିଗର୍‌ ପକ୍ଷୀ ପାଟି କରୁଛି - ସାନ୍ତାଳର ସାଧାରଣ ଜୀବନ-କାର୍ଯ୍ୟ-ସଙ୍ଗୀତ ଓ ନୃତ୍ୟରେ ଭରପୁର - ହାଣ୍ଡିଆ ଖାଇବାଟା ନିତ୍ୟ ନୈମିତ୍ତିକ କାର୍ଯ୍ୟ ।

 

କ୍ରମଶଃ ଖ୍ରୀଷ୍ଟଧର୍ମର ପ୍ରଚାର, ଶିକ୍ଷାର ପ୍ରସାର, ଆଧୁନିକ ସଭ୍ୟତାର ସଂସ୍ପର୍ଶ ଆଦି ଆଦିବାସୀ ସମ୍ପ୍ରଦାୟର ସୁସଂହତ ଜୀବନ ପ୍ରଣାଳୀକୁ ଛିନ୍ନଭିନ୍ନ କରିଦେଉଛି । ସେମାନଙ୍କର ଭାଷା ତଥା ସଂସ୍କୃତି ଯେପରି ବ୍ୟାହତ ନ ହୁଏ ସେଥିପ୍ରତି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିଙ୍କର ଦାୟିତ୍ୱ ରହିଛି-

 

 

ଅଧ୍ୟାପକ, ନୃତତ୍ତ୍ୱ ବିଭାଗ

ବି. ଜେ. ବି. ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

ଗୋପାଳକୃଷ୍ଣ ଓ ତାଙ୍କର ପଦାବଳୀ ସାହିତ୍ୟ

ଅଧ୍ୟାପକ ରବୀନ୍ଦ୍ରନାଥ ମିଶ୍ର

 

ପ୍ରାଚୀନ ଓଡ଼ିଆ ସାହିତ୍ୟ କାବ୍ୟ ବହୁଳ । ସେହି କାବ୍ୟରୂପୀ ସୃଷ୍ଟି ସମ୍ଭାରର ସରହଦ ଡେଇଁ ଯେଉଁମାନେ ସୁଲଳିତ ଗୀତି କବିତାକୁ ନିଜର ସାରସ୍ୱତ ସମ୍ପଦର ବାହନରୂପେ ବରି ନେଇଥିଲେ, କବିକଳହଂସ ଗୋପାଳକୃଷ୍ଣ ସେମାନଙ୍କ ମଧ୍ୟରୁ ଅନ୍ୟତମ । କବି ଗୋପାଳକୃଷ୍ଣ ଯେତେବେଳେ ଲେଖନୀ ଧାରଣ କରନ୍ତି, ସେତେବେଳେ କାବ୍ୟ ଯୁଗର ଜୀବନ ଗୋଧୂଳି ଉପଗତ ଅଥଚ ନବୀନ ଯୁଗର ନୂତନ ପ୍ରଭାତ ଆଗତ ପ୍ରାୟ । ଏହିପରି ଏକ ଘଡ଼ିସନ୍ଧି କାଳରେ ଗୋପାଳକୃଷ୍ଣଙ୍କ କାବ୍ୟକଳାର ପରିପ୍ରକାଶ ଘଟିଛି । ସେଇଥିପାଇଁ ହୁଏତ କବିଙ୍କ କବିତାର ଆତ୍ମା ଯେପରି ନୂତନ ତା’ର ଆଙ୍ଗିକ ସେହିପରି ପୁରୁଣା । ଏକ ପକ୍ଷରେ କଳାତ୍ମକ ବିଭବ ଗୌରବ ଓ ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ଅଭୀପ୍‌ସାର ପରିତୃପ୍ତି ସାଧନରେ ବୈଷ୍ଣବ କାବ୍ୟ କବିତା ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା । କବିଙ୍କ କବିତାରେ ଆଧୁନିକ ଯୁଗ-ସୁଲଭ ବାସ୍ତବତାର ପ୍ରାଣ ଫଲ୍‌ଗୁ ଦେଖାଗଲେ ହେଁ ତା’ର ପରିପ୍ରକାଶ ରୀତି ସେହି ପ୍ରାଚୀନ ବୃତ୍ତ ଓ ରାଗ-ରାଗିଣୀକୁ ନେଇ ଗଢ଼ିଉଠିଛି । ଏଣୁ କୁହାଯାଇପାରେ ଯେ ଗୋପାଳକୃଷ୍ଣ ହେଉଛନ୍ତି ଭଞ୍ଜଯୁଗ ବା କାବ୍ୟଯୁଗର କାବ୍ୟତାରା ଅଥଚ କାବ୍ୟତାରା ଯେପରି ପାହାନ୍ତି ତାରା ବା କୁଆଁତାରାରୂପେ ଦେଖାଦେଇ ପ୍ରଭାତର ସୂଚନା ଦିଏ–ମାତ୍ର ତାହା ଦିନର ଅଂଶବିଶେଷ ନୁହେଁ; ବରଂ ରାତିର ଶେଷାଂଶରୂପେ ତା’ର ସ୍ଥାନ ରହିଛି–ସେହିପରି ଗୋପାଳକୃଷ୍ଣ ଊନବିଂଶ ଶତକର ଆଦ୍ୟ ଭାଗରେ ଜନ୍ମିଥିଲେହେଁ ସେ ପ୍ରାଚୀନ–ପ୍ରାଚୀନ ଯୁଗର ଅନ୍ୟତମ ଶେଷ ପ୍ରତିଭାବନ୍ତ କବି ।

 

କବି ଗୋପାଳକୃଷ୍ଣ ଯେଉଁ ବିଷୟକୁ ସ୍ୱୀୟ ସାରସ୍ୱତ ସାଧନାର ଉପଜୀବ୍ୟ ଭାବରେ ଗ୍ରହଣ କଲେ ତାହା ଏ ଦେଶର କାବ୍ୟ ରାଜ୍ୟରେ ନୂତନ ନ ଥିଲା–ଓଡ଼ିଆ ବୈଷ୍ଣବ ସାହିତ୍ୟ ପ୍ରାୟ ତିନିଶହ ବର୍ଷ ଧରି ଧର୍ମତତ୍ତ୍ୱ ଓ ମତର ପ୍ରଚାର ସଙ୍ଗେ ସଙ୍ଗେ ଆକର୍ଷଣୀୟ ରସ ସମ୍ପଦରେ ଓଡ଼ିଆ ସାହିତ୍ୟ ପରମ୍ପରାକୁ ସମୃଦ୍ଧ କରିଛି । ତାଙ୍କ ପୂର୍ବର ଦୀନକୃଷ୍ଣ, ଅଭିମନ୍ୟୁ, ଭକ୍ତଚରଣ ପ୍ରମୁଖ ବହୁ କବି ସେହି ବିଷୟରେ କେତେ କାବ୍ୟ କବିତା ରଚନା କରିଯାଇଛନ୍ତି । ଫଳରେ କବି ଗୋପାଳକୃଷ୍ଣଙ୍କ ଆଖି ଆଗରେ ରହିଛି ସୁଦୀର୍ଘ ବୈଷ୍ଣବ ସାହିତ୍ୟର ପରମ୍ପରା । ଏହିପରି ଏକ ସର୍ବଜନ ଗୃହୀତ ଏବଂ ବହୁ କବି ବର୍ଣ୍ଣିତ ବିଷୟକୁ ଗ୍ରହଣ କରିବାକୁ ହେଲେ ତହିଁରେ ନୂତନତା ଦେଖାଇବା କିପରି ଦୁରୂହ ତାହା ହୁଏତ କବି ଉତ୍ତମରୂପେ ଅବହିତ ଥିଲେ; ସୁତରାଂ ସେ ସର୍ବଜନ-ବନ୍ଦିତ ରାଧାକୃଷ୍ଣଙ୍କ ଲୀଳାମୟ ଜୀବନକୁ ସୁଦୀର୍ଘ କାବ୍ୟରେ ପ୍ରକାଶ ନ କରି ଗୀତି-କବିତା ମାଧ୍ୟମରେହିଁ ପ୍ରକାଶ କରିବାକୁ ଶ୍ରେୟସ୍କର ମନେକରିଛନ୍ତି । ଏଣେ ବଙ୍ଗ ସାହିତ୍ୟରେ ଚଣ୍ଡୀଦାସ, ବିଦ୍ୟାପତି ପ୍ରମୁଖଙ୍କ ଲଳିତ ସୃଷ୍ଟି କବିଙ୍କ ଗୀତି-କବିତା ରଚନାରେ କମ୍‌ ସହାୟତା କରି ନାହିଁ । ସେ ବରଂ ସେହି ପଦ୍ୟାବଳୀ ସାହିତ୍ୟର ନିସର୍ଗ ସୁନ୍ଦର ଭାବ ପ୍ରକାଶରେ ମୁଗ୍‌ଧ ହୋଇଛନ୍ତି । କିନ୍ତୁ ଉଦ୍ଭିଦ ମାଟିର ସାର ନେଇ ପୁଷ୍ଟ ହେଲେ ମଧ୍ୟ ଯେପରି ସ୍ୱକୀୟ ସୌନ୍ଦର୍ଯ୍ୟ ଓ ସବୁଜଶ୍ରୀରେ ଜନମନ ହରଣ କରେ ସେହିପରି ଗୋପାଳକୃଷ୍ଣଙ୍କ ଉପରେ ଉତ୍କଳର ପୂର୍ବବର୍ତ୍ତୀ କବିଙ୍କର ତଥା ବୈଷ୍ଣବ ପଦ୍ୟାବଳୀ ସାହିତ୍ୟର ପ୍ରଭାବ ପଡ଼ିଥିଲେ ମଧ୍ୟ ସେ ତାକୁ ସ୍ୱ-ପ୍ରତିଭା ବଳରେ ନିତ୍ୟ ନୂତନ କରି ତୋଳିଛନ୍ତି; ତେଣୁ ତାଙ୍କ ସୃଷ୍ଟି ଅମ୍ଳାନ ଓ ମଧୁମୟ ହୋଇପାରିଛି ।

 

କବି ଗୋପାଳକୃଷ୍ଣ ଅନୁଭୂତିର କବି । ତାଙ୍କର ଅନୁଭୂତି ବହୁମୁଖୀ । ସେ ଯେତେବେଳେ ଯାହା ଅନୁଭବ କରିଛନ୍ତି ତାକୁ ଜୀବନ୍ତ ଭାବରେ ପ୍ରକାଶ କରିଛନ୍ତି । ଫଳରେ କବିଙ୍କ ରାଧାକୃଷ୍ଣ ଗୋପ ବା ବୃନ୍ଦାବନର ରାଧାକୃଷ୍ଣଙ୍କର ଭାବ ମୂର୍ତ୍ତି ନ ହୋଇ ସମସ୍ତ ମାନବିକ ଧର୍ମର ଏକ ଜୀବନ୍ତ ପରିପ୍ରକାଶ । ସେମାନେ ଏଇ ମାଟିର, ଏହି ଓଡ଼ିଶାର ପରିବେଶ ମଧ୍ୟରେ ସେମାନଙ୍କର ଲୀଳା ଖେଳା ରଚିଛନ୍ତି । କବି ସ୍ୱୀୟ ପଦ୍ୟାବଳୀରେ ଓଡ଼ିଶୀ ଜୀବନର ସହଜ ସୁନ୍ଦର ଚିତ୍ର ଦେବାକୁ ଯାଇ ମୁଖ୍ୟତଃ ଚାରି ପ୍ରକାର କବିତା ଲେଖିଛନ୍ତି ।

 

ପ୍ରାର୍ଥନା ମୂଳକ :- ଏଥିରେ କୀର୍ତ୍ତନ, ପ୍ରାର୍ଥନା, ମନଃଶିକ୍ଷା ଓ ଅନ୍ୟାନ୍ୟ ଭକ୍ତିମୂଳକ ଗୀତ ଅନ୍ତର୍ଗତ ।

ବାତ୍ସଲ୍ୟ ରସାତ୍ମକ :- କୋଇଲି, ଦୋଳିଗୀତଠାରୁ ଆଉ ଯେତେ ଧରଣର ବାତ୍ସଲ୍ୟ ଭାବାତ୍ମକ କବିତା ରହିଛି ସବୁ ଏହି ପର୍ଯ୍ୟାୟଭୁକ୍ତ ।

ପ୍ରେମମୂଳକ :- ଏଥିରେ ନବାନୁରାଗ, ପ୍ରେମାନୁରାଗ, କୈଶୋର ଲୀଳା କିମ୍ବା ରାଧାକୃଷ୍ଣଙ୍କ କଥୋପକଥନ ଜନିତ ଯେତେ ମଧୁର ରସାତ୍ମକ କବିତା ଅଛି ସବୁ ଏହାର ଅନ୍ତର୍ଗତ ।

ଗ୍ରାମ୍ୟରସ ଶୀର୍ଷକ :- ଏଥିରେ ସାଧାରଣ ପ୍ରେମ ଜୀବନର ଆଲେଖ୍ୟ ବ୍ୟଞ୍ଜିତ ହୋଇଛି ।

 

ତେବେ ନିଶ୍ଚିତ ଭାବରେ ଏହା କୁହାଯାଇ ପାରେ ଯେ ଗୋପାଳ କୃଷ୍ଣଙ୍କ କବିତା ଗୁଡ଼ିକର ସ୍ଥାନ ହୃଦୟରେ ମସ୍ତିଷ୍କ ସହିତ ତା’ର ସମ୍ପର୍କ ନିହାତି କମ୍‌ କହିଲେ ଚଳେ । ମନେରଖିବାକୁ ହେବ ଯେ ଗୋପାଳକୃଷ୍ଣ ହେଉଛନ୍ତି ଭକ୍ତ କବି । ତଥାପି ସେ ଆପଣା କବିତାକୁ ଶୁଷ୍କ ବୈଷ୍ଣବ ତତ୍ତ୍ୱର ନିଗଡ଼ ବନ୍ଧନରେ ବନ୍ଦିନୀ ନ କରି ପ୍ରେମର ନିସର୍ଗ ରାଜ୍ୟରେ ଖେଳାଲୀଳା କରିବାର ସୁଯୋଗ ଦେଇଛନ୍ତି - ଫଳରେ ଗୋପାଳକୃଷ୍ଣ ବୈଷ୍ଣବ ଆଖିରେ ଯେପରି ପୂଜ୍ୟ ବୈଷ୍ଣବେତର ପାଠକ ପାଖରେ ସେହିପରି ବନ୍ଦନୀୟ; ଅର୍ଥାତ୍‌ କବିତାର ଯେଉଁ ବିଭାବରେ ସେ ଲେଖନୀ ଚାଳନା କରିଛନ୍ତି ତାହା ଅନୁଭୂତିର ରସରେ ରସାଣିତ ହୋଇ ଉଠିଛି ।

 

ଦେଖନ୍ତୁ :- କବିଙ୍କ କୃଷ୍ଣ ବିଶ୍ୱ ଜୀବନର ପ୍ରାଣକେନ୍ଦ୍ର । ସେ ଶାନ୍ତ ଜୀବନ ମଧ୍ୟରେ ଅନନ୍ତ ଶୋଭାର ଆଧାର ଅଥଚ ତାଙ୍କର ବାଲ୍ୟଲୀଳା ସବୁ ଦେଶର, ସବୁ ସ୍ଥାନର ଶିଶୁର ଶୈଶବ ଖେଳ ପରି ବାସ୍ତବ ଏବଂ ଚିରନ୍ତନ । ତାଙ୍କର ଶିଶୁ-କୃଷ୍ଣ ଅବୁଝା ଏବଂ ଅଝଟ । ସେ ଏହି ଓଡ଼ିଆ ଘର ସାଧାରଣ ଶିଶୁପରି ମାଆ ଯଶୋଦାଙ୍କୁ କରାଇ ଦିଅନ୍ତି ନାହିଁ । ତେଣୁ ସ୍ନେହଶୀଳା ଜନନୀ କହିଛନ୍ତି-:-

 

‘‘ଉଠିଲୁ ଏଡ଼େ ବେଗେ କାହିଁକି ରେ

ଦଧିମନ୍ଥାଇ ଦେବୁ ନାହିଁକି ରେ ...’’

 

ପୁଣି ସେ ନିଦରୁ ଉଠିଲା ପରେ ମା’ଙ୍କ ହାତ ଗୋଡ଼ ଛନ୍ଦି ପକାନ୍ତି, କେତେବେଳେ ଦହିହାଣ୍ଡିରେ ହାତ ପୁରାଇ ଦହି ଖାଇ ଥେଇ ଥେଇ ନାଚି ଉଠନ୍ତି କେତେବେଳେ ବା ଛାଇ ଦେଖି ବିଭୋର ହୁଅନ୍ତି - ସେତେବେଳେ ମା’ର ସ୍ନେହ ଓ ବିରକ୍ତି ସଙ୍ଗେ ଆଶଙ୍କାର ଚିତ୍ର ମଞ୍ଜୁଳରୂପେ ଫୁଟି ଉଠେ -

 

‘‘ମନ୍ଥିବି ମୁଁ କେମନ୍ତ ଖୁଆଦଣ୍ଡରୁ ହାତ

ଛାଡ଼ ଦେଉଛି ସର ଖୋଇକିରେ

ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ

ଡାକ ଯା ବଳରାମ ଭାଇକିରେ

 

ମଥନ ଘଟେ ହାତ ପୁରାଇ ନବନୀତ

କାଢ଼ୁ ବୋଲନ୍ତେ ହେଲୁ ବାଇକିରେ

ତୁଛା ହାତଟା ଖାଇ ନାଚୁଛୁ କାହିଁପାଇଁ

ଶୁଖିଯିବୁ ନ ଚାହାଁ ଛାଇକି ରେ -

 

କେତେବେଳେ ଅଥବା ପୂତ୍ର ଗରବିଣୀ ଯଶୋଦା ମୋ କୃଷ୍ଣ ଚନ୍ଦ୍ରମା ପରି ଅନ୍ୟଟି କେ ଅଛି ମା’ପରି କବିତାରେ ପୁଅକୁ ଅନ୍ୟମାନଙ୍କୁ ଦେଖାଇବାରେ ଆନନ୍ଦ ପାଇଛନ୍ତି । ଯାହାକି ଆମ ଓଡ଼ିଶାର ପ୍ରତି ଗାଁର ଛବିପ୍ରତି ଗାଁରକଥା, ଏଇଥିପାଇଁ କବିଙ୍କ ଯଶୋଦା ଯେପରି ଜୀବନ୍ତ ସେହିପରି ବାସ୍ତବ ।

 

ଏ କବିତା ଗୁଡ଼ିକ ସଙ୍ଗେ ଅଭିମନ୍ୟୁଙ୍କ କଳାମାଣିକ ଛାନ୍ଦ, ଭକ୍ତ ଚରଣଙ୍କ ଆରେବାବୁ ଶ୍ୟାମଘନ ଛାନ୍ଦ ସଙ୍ଗେ ତୁଳନୀୟ ହେଲେହେଁ ଏପରି ସଜୀବତା, ଏପରି ସତେଜତା ସେଥିରେ ନାହିଁ, ବଙ୍ଗ କବି ରବିଠାକୁରଙ୍କ ଅମର ଲେଖନୀରେ ଶିଶୁ ସୃଷ୍ଟି ହୋଇଛି ସତ–ତାହା ରକ୍ତମାଂସର ଶିଶୁ ନୁହେଁ; ତାହା ‘ଭାବଶିଶୁ’, ତାକୁ ଅନୁଭବ କରାଯାଇ ପାରେ କିନ୍ତୁ ସେ ଧରାଛୁଆଁର ବାହାରେ, ଅଥଚ ବୈଷ୍ଣବ କବିତାର ଶିଶୁକୁ ଆମେ ନିତି କୋଳ କରିପାରୁ । ବସ୍ତୁତଃ ଗୋପାଳକୃଷ୍ଣଙ୍କ ବାତ୍ସଲ୍ୟ ରସାଶ୍ରୟୀ କବିତା ଗୁଡ଼ିକରେ ଆମେ ଓଡ଼ିଆ ଶିଶୁର ପ୍ରକୃଷ୍ଟ ନମୂନା ତ ପାଉଁ ତା ସଙ୍ଗେ ଏ ଓଡ଼ିଆଶିଶୁ ଯେ ବିଶ୍ୱ ଜଗତର ଯେକୌଣସି ଶିଶୁର ପ୍ରତୀକ ସେ ଧାରଣା ଆମର ଦୃଢ଼ ହୁଏ ।

 

କେବଳ ସେତିକି ନୁହେଁ, ଗୋପାଳକୃଷ୍ଣଙ୍କ ରାଧା କୃଷ୍ଣାଶ୍ରୟୀ ପ୍ରେମକବିତା ଗୁଡ଼ିକ ମଧ୍ୟ ଓଡ଼ିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ମଣିମାଣିକ୍ୟ ସେ ରାଧାକୃଷ୍ଣ ମାଧ୍ୟମରେ ଓଡ଼ିଶାରେ ଯେଉଁ ଶାସ୍ୱତ ପ୍ରେମର ମନ୍ଦାକିନୀ ବୁହାଇ ଦେଇଛନ୍ତି ତା’ର ପଟାନ୍ତର ନାହିଁ । କବିଙ୍କ ଦୃଷ୍ଟିରେ ରାଧାକୃଷ୍ଣ ସାଧାରଣ ଜଗତର ଦୁଇଜଣ ପ୍ରେମିକ ପ୍ରେମିକା । ସେମାନେ ବୈଷ୍ଣବ ଭାଷ୍ୟକାରଙ୍କ ମତରେ ଅଲୌକିକ ଓ ଅଚିନ୍ତନୀୟ ହେଲେ ବି କବି-ମାନସ ସେମାନଙ୍କୁ ସୁଖ ଦୁଃଖର ହସ କାନ୍ଦର ଦୁଇଟି ପ୍ରଣୟୀ ପ୍ରଣୟିନୀରୂପେ ଚିତ୍ରଣ କରିଛନ୍ତି । ଜଗତରେ ବିରହୀ ବିରହିଣୀ ଯେପରି ମାନ-ଅଭିମାନ କରନ୍ତି ସେମାନେ ମଧ୍ୟ ସେହିପରି ମାନ-ଅଭିମାନ କରନ୍ତି, ସେମାନେ ମଧ୍ୟ ସେହିପରି ରୁଷି ଜାଣନ୍ତି-। ପ୍ରଣୟ ଜନିତ ଅଭିମାନର କ୍ଷଣକପାଇଁ ଛଳ, ମଧ୍ୟ ପ୍ରକାଶ କରନ୍ତି । କିନ୍ତୁ ପର ମୁହୂର୍ତ୍ତରେ ପ୍ରେମାସ୍ପଦପାଇଁ ଝୁରି ପାରନ୍ତି । ଗୋଟିଏ ଦୃଷ୍ଟାନ୍ତ ନିଅନ୍ତୁ–ଏକଦା ରାଧାକୃଷ୍ଣଙ୍କ ପ୍ରଣୟ ଜନିତ କଳହରୁ କଥାବାର୍ତ୍ତା ନାହିଁ; କିନ୍ତୁ ଲଜ୍ଜାବଶତଃ ଏକଥା କେହି ଅନ୍ୟତ୍ର ପ୍ରକାଶ କରି ପାରୁନାହାନ୍ତି–ଇତ୍ୟବସରରେ ଜଣେ ସଖୀ ମାନିନୀ ରାଧାର ମାନ କଥା ଜ୍ଞାତ ହୋଇ କହିଛି -

 

‘‘ଶ୍ୟାମର ତୋର କଥା ନାହିଁ କି ରେ

ତୁ ନ କହିଲେ ମୁଁ ଜାଣୁ ନାହିଁ କିରେ

ତାଙ୍କ ସ୍ୱନକ୍ଷତ୍ର ପୂଜାଦିନ

ସବୁଦିନ କରିଛି ମୁଁ ଅନୁମାନ ରେ ।’’

 

ଏହିପରି ଅନୁଭୂତିମୟ ପ୍ରେମ ଜୀବନର କଥାରେ ଗୋପାଳକୃଷ୍ଣ ପଦ୍ୟାବଳୀ ବିଭୂଷିତ–ରାଧାକୃଷ୍ଣଙ୍କ ପ୍ରଣୟ ଲୀଳାର ଜନାପବାଦ ଆରମ୍ଭ ହୋଇ ସାରିଲାଣି, ଏହି ସମୟରେ ଲଳିତା କୃଷ୍ଣଙ୍କର ପ୍ରେମ-ନିବେଦନ ଘେନି ରାଧାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ତା’ର ଉତ୍ତରରେ ଭୀରୁ ରାଧା କହୁଛନ୍ତି :-

 

‘‘ମତେ ଲଗାନାରେ ବ୍ରଜବିଧୁ ଲଟ

ତୃଣରୁ ତୁଚ୍ଛ ଜଟିଳା କରିବ ନିପଟ

ଥରେ ହେଲେ ସ୍ୱଚ୍ଛ କରି ବିଲୋକି ନାହିଁ ମୁଁ ଡରି

କଳା କି ଗୋରା ସେ ନବ ଶିଖଣ୍ଡ ମୁକୁଟ

 

କାଲି ଗୋଷ୍ଠ ପ୍ରାଙ୍ଗଣରେ            ବୃଦ୍ଧ ଆଭୀର ସଭାରେ

ଚନ୍ଦ୍ରାବଳୀର ରଚିତ ବସିଥିଲା ହାଟ

ଚାଲୁ ପାଦ କଣ୍ଟି କଣ୍ଟି            ପଡ଼ୁଛି ନାନା ଅରିଷ୍ଟି

ତୁଚ୍ଛାକୁ ଲୋକେ ତରକି ବାନ୍ଧୁଛନ୍ତି ବାଟ ।’’

 

ଏ ପରିଚିତ ଚିତ୍ର ଓଡ଼ିଆ କବି ଦେଇପାରେ - ଓଡ଼ିଆ ପ୍ରଣୟିନୀହିଁ ଏପରି ଶଙ୍କିତା, ଭୀତା ହୋଇପାରେ । ଅପର ପକ୍ଷରେ ଏ ଶାଶ୍ୱତ ପ୍ରେମ ସ୍ପନ୍ଦନ ଦେଶ ଦେଶାନ୍ତରର ସାର୍ବଜନୀନ ପ୍ରେମିକାର ହୃଦୟ କାହାଣୀ ବା ଆତ୍ମଲିପି ବୋଲି କୁହାଯାଇପାରେ । ମୋଟ ଉପରେ କହିଲେ କବିଙ୍କ କାବ୍ୟ ସରସ୍ୱତୀ ଯେପରି ଓଡ଼ିଆ ମାଟିର, ସେହିପରି ପୃଥିବୀର ଶାଶ୍ୱତ ଜୀବନଧାରାର ଏକ ମୂର୍ତ୍ତ ପ୍ରକାଶ, ତହିଁରେ ଆବିଳତା ନାହିଁ, ସବୁ ସ୍ୱଚ୍ଛ ଏବଂ ବିଶଦ ।

 

ତେବେ ଭାବ ଯେ କବିତାର ପ୍ରାଣ ଏହା ସର୍ବଜନଗ୍ରାହ୍ୟ ଅଭ୍ରାନ୍ତ ସତ୍ୟ; କିନ୍ତୁ ଭାଷା ନ ଥିଲେ ଭାବର ସ୍ଥିତି ନାହିଁ । ଯେପରିକି ଶରୀର ନ ଥିଲେ ଆତ୍ମାର କଳ୍ପନା ଅମୂଳକ ଏବଂ ଆବାସ୍ତବ-। ସୁତରାଂ ସାହିତ୍ୟର ଯେକୌଣସି ବିଭାବର ଆଲୋଚନା କଲାବେଳେ ତା’ର ଆତ୍ମିକ ରୂପ ସଙ୍ଗେ ଆଙ୍ଗିକ ରୂପ, ଭାଷାଦିର ଚର୍ଚ୍ଚା ଏକାନ୍ତ ଅପରିହାର୍ଯ୍ୟ । ଏହା ଯଦି ସତ୍ୟ ହୁଏ ତେବେ କବି କଳହଂସ ଗୋପାଳକୃଷ୍ଣଙ୍କ ଗୀତି କବିତାର ଆତ୍ମାର ସନ୍ଧାନ ନେଲା ପରେ ତା’ର ବାହ୍ୟରୂପ ଭାଷାର ସମୀକ୍ଷା ସମୀକ୍ଷକଙ୍କର ଅନ୍ୟତମ କର୍ତ୍ତବ୍ୟ ।

 

ଗୋପାଳକୃଷ୍ଣ କବିସୂର୍ଯ୍ୟଙ୍କ ପରି ବିରାଟ ସଂସ୍କୃତଜ୍ଞ ପଣ୍ଡିତ ନ ଥିଲେ ହେଁ ସେ ଯେ ପ୍ରତିଭାଶାଳୀ ସଂସ୍କୃତ ରସିକ ଏ କଥା ତାଙ୍କ ସଂସ୍କୃତ ଶ୍ଳୋକ ରଚନାରୁ ବେଶ୍‌ ବୁଝି ହୁଏ । କିନ୍ତୁ କବିତ୍ୱ କଳା ନିର୍ଣ୍ଣୟ କାଳରେ ପାଣ୍ଡିତ୍ୟ ଅପେକ୍ଷା ପ୍ରତିଭାହିଁ ଅଧିକ ଅଭିନନ୍ଦନୀୟ । କବିଙ୍କର ଯାଦୁକରୀ ପ୍ରତିଭାର ନମୂନା ପାଇବାକୁ ହେଲେ ତାଙ୍କର ଭାଷା ବିନ୍ୟାସ ପଦ୍ଧତି ଆମର ଲକ୍ଷ୍ୟ କରିବାର କଥା । ଭାଷାରେ କ୍ଲିଷ୍ଟତା ନାହିଁ । କାନ୍ତ କୋମଳ ଶବ୍ଦାବଳୀହିଁ ତାଙ୍କ କବିତା ସୁନ୍ଦରୀର ରମ୍ୟ ପରିଚ୍ଛେଦ–ତହିଁରେ ଆଳଙ୍କାରିକତା ନାହିଁ, ଯମକ ଅନୁପ୍ରାସର ଗୁରୁଭାର ଭାବପ୍ରକାଶର ପ୍ରତିବନ୍ଧକରୂପେ ଠିଆ ହୁଏ ନାହିଁ ଗିରି ନଦୀର କଳ କଳ ରାଗିଣୀ ପରି ଓ ଚନ୍ଦ୍ରିକାର ସ୍ନିଗ୍‌ଧ ସ୍ପର୍ଶ ପରି ତାହା ସାବଲୀଳ ଓ ମଧୁର–ଗୋଟିଏ ଉଦ୍ଧତିକୁ ବିଚାର କଲେ କଥାଟି ସ୍ପଷ୍ଟ ହେବ :–

 

‘‘ନିଦ କେଣେ ଦେଲୁ ଭାଙ୍ଗିରେ

ସ୍ୱପ୍ନେ ଦେଖୁଥିଲି ପ୍ରାଣ ସଙ୍ଗୀରେ

ଭେଟିଲା କ୍ଷଣିରେ ଯାହା ବିଲୋକିଲି

ଆହା ସେ ସଜର ଭଙ୍ଗୀରେ

 

ଅଥବା ବାତ୍ସଲ୍ୟ ଭାବ ସମ୍ବଳିତ ଗୋଟିଏ ପଂକ୍ତି :-

 

‘‘ବ୍ରଜକୁ ଚୋର ଆସିଛି ଘେନି ନେବ ଶୁଅ ତୁନି ହୋଇ ରେ

ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା ନିଶି ପାଇନାହିଁ ରେ

ରାତି ଗୋଟାଯାକ ମାତିଲୁ ନାଟରେ ପଲକ ନ ପକାଇ ରେ

ଗ୍ରାମ ନିଶିବଦ ହେଲା ନି କି ତୋତେ ନିଦ ଆସୁ ନାହିଁ ରେ

 

ଗୋପାଳକୃଷ୍ଣଙ୍କ ଭାଷା ଯେପରି କୋମଳ ସେହିପରି ନମନୀୟ, ଶୁଣିଲା ମାତ୍ରେ ହୃଦରାଜ୍ୟରେ ରସର ପ୍ଳାବନ ସୃଷ୍ଟି କରେ । ଏହା ଉପେନ୍ଦ୍ର ଅଥବା କବିସୂର୍ଯ୍ୟଙ୍କ ରଚନା ପରି ଟୀକା-ଟିପ୍‌ପଣୀର ଅପେକ୍ଷା ରଖେ ନାହିଁ । ଗୋପାଳକୃଷ୍ଣଙ୍କ ସଙ୍ଗୀତମୟୀ ଭାଷା ହୃଦୟତନ୍ତ୍ରୀରେ ଭାବତରଙ୍ଗର ଉତ୍ତାଳ ଢେଉ ସୃଷ୍ଟି କରିବାରେ ସମର୍ଥ ହୋଇଥାଏ । ଗୋଟିଏ କଥାରେ ପ୍ରକାଶ କଲେ ଭାଷାରେ କୃତ୍ରିମତା ନାହିଁ, ଏହା ସ୍ୱାଭାବିକ ଓ ସାବଲୀଳ ।

 

କବି ଗୋପାଳକୃଷ୍ଣ ଭାଷା ଚୟନରେ ଯେପରି ବାସ୍ତବତାର ଆଶ୍ରୟ ନେଇଛନ୍ତି ତାଙ୍କ କବିତାର ରସ ପର୍ଯ୍ୟାୟରେ ସେହିପରି ମନୋହର ରସଲୋକ ସୃଷ୍ଟି କରିଛନ୍ତି । ସେ ମୁଖ୍ୟତଃ ବୈଷ୍ଣବ କବି । ତେଣୁ ତାଙ୍କ କବିତାର ପ୍ରାଣ କେନ୍ଦ୍ରରେ ସେହି ବୈଷ୍ଣବ ଶାସ୍ତ୍ରାନୁମୋଦିତ ଉଜ୍ଜ୍ୱଳ ବା ମଧୁର ରସର ପ୍ରବାହ ଦେଖିବାକୁ ମିଳେ । ସେ ପ୍ରଥମେ ନବାନୁରାଗ ପର୍ଯ୍ୟାୟର ପ୍ରଥମ ଶ୍ଳୋକର ରାଧାମୋହନଙ୍କ ମୋହନ ମୂରଲୀ ସ୍ୱନରେ ରାଧାଙ୍କ ମଧୁର ଚେତନାକୁ ଜାଗ୍ରତ କରିଛନ୍ତି; ଫଳରେ ରାଧାହିଁ ପ୍ରଥମେ କହିଛନ୍ତି -

 

‘‘କି ନାମ ବୋଇଲୁ ତୁହି’’ ଗୋ ଲଳିତେ

 

ତା’ର ଉତ୍ତରରେ ଲଳିତା କହିଛି –

‘ପୁଣି ଶୁଣିବାକୁ ଚିତ୍ତ ବଳିଲାକି

କୃଷ୍ଣ ବୋଲି ଥିଲି କହିରେ ପ୍ରାଣମିତ –

 

‘‘ତା’ପରେ ବୟସ କେତେ ତାଙ୍କର’’

‘‘ନବତରୁଣିମା ଅବସ୍ଥା ବୟସ ହୋଇଥିବ ବାର ତେର’’ –

 

ପ୍ରଭୃତି ଉକ୍ତି-ପ୍ରତ୍ୟୁକ୍ତି ଅନ୍ତରାଳରେ ରାଧାଙ୍କର କୃଷ୍ଣଙ୍କ ପ୍ରତି ଅନୁରାଗର ସଂକେତ ଦିଆହୋଇ ମଧୁର ରସର ପ୍ରଥମ ତରଙ୍ଗ ସୃଷ୍ଟି କରାଯାଇ ବୃନ୍ଦାର କଥୋପକଥନରେ ମଧୁର ରସର ଦ୍ୱିତୀୟ ଲହରୀ ସୃଷ୍ଟି କରାଯାଇଛି । ସେ ମଧୁର ରସ ସୃଷ୍ଟିରେ ନଗ୍ନତା ନାହିଁ, ତାହା ଦେହଜ ପ୍ରେମର ବହୁ ଊର୍ଦ୍ଧ୍ୱରେ; ତାହା ଶାଶ୍ୱତ ଯଦିଓ ବୈଷ୍ଣବ କବିର କଳ୍ପନା ଯୋଗୁ ତାହା ପାର୍ଥିବ ଓ ଅପାର୍ଥିବର ମିଳନ କିମ୍ବା ପରମାର୍ଥିକତା ଓ ଲୌକିକତାର ରାକ୍ଷୀ ବନ୍ଧନରେ ନିବିଡ଼ ଓ ସାନ୍ଧ୍ର । ଚଣ୍ଡୀଦାସଙ୍କ ଭାଷାରେ କହିଲେ -

 

‘‘ଚଣ୍ଡୀଦାସ କହେ, ଶୁଣ ବିନୋଦିନୀ

      ପୀରତି ନ କହେ କଥା

ପୀରତି ଲାଗିୟା ପରାଣ ଛାଡ଼ିଲେ

      ପୀରତି ମିଲୟେ ତଥା’’

 

ଗୋପାଳକୃଷ୍ଣ ମଧ୍ୟ ରାଧାକୃଷ୍ଣଙ୍କ ପ୍ରଣୟର ଗଭୀରତା ପ୍ରଖ୍ୟାପନ କରିବାକୁ ଯାଇ ଠିକ୍‌ ସେହି ଭାବରେ କହିଛନ୍ତି -

‘‘ସେ ଦେହତ ଏ ଜୀବନ ତହିଁରେ ଅଛି କି ଭିନ୍ନ

ଆନ ଘେନା ଘେନି ପରି ମଣୁଛୁ ତୁ ନାରେ

 

ବସ୍ତୁତଃ କବିଙ୍କ ରାଧା, କୃଷ୍ଣପ୍ରେମ ମୁଗ୍‌ଧା । କୃଷ୍ଣ ପ୍ରୀତି ତାଙ୍କୁ ଦିବ୍ୟୋନ୍ମାଦନାର ଦ୍ୱାର ଦେଶରେ ପହଞ୍ଚାଇ ଦେଇଛି । ଏଠାରେ ବ୍ୟକ୍ତିଗତ ଉପଯୋଗ କିମ୍ବା ସୁଖ ଦୁଃଖ କାମନା ଗୌଣ । ପ୍ରେମାସ୍ପଦର ପଦପ୍ରାନ୍ତରେ ଆତ୍ମୋତ୍ସର୍ଗ କରିବାହିଁ ଭାବରୂପୀ ରାଧାଙ୍କର ଏକାନ୍ତ କାମ୍ୟ । ଅନ୍ୟ ଭାବରେ କହିଲେ ରାଧାଙ୍କ ପ୍ରେମ ଅହେତୁକୀ ତହିଁରେ ଦାନ ପ୍ରତିଦାନର କିଣା ବିକା ହୁଏନା–ରାଧା କେବଳ ‘‘ଦୁଃଖ ଦେଇ ଶ୍ୟାମକୁ ରାଧା ସୁଖୀ ହେବାକୁ, ରୁଷିବ କଲୁ ଏ କି ଆଲୋଚନାରେ’’–ଯେ ତାଙ୍କ ମନୋହରୀ ତା ନଉକରୀ କରି ଦିନ ନେବି ପଛକେ ଗୁମାନ ନାଁରେ ପରି ଉକ୍ତି କରିପାରନ୍ତି–ଅଥଚ ଅନ୍ତଃଫଲ୍‌ଗୁ ପ୍ରୀତି ଉଚ୍ଛଳ ହୋଇ କୃଷ୍ଣଙ୍କ ସତ୍ତାରେ ମିଳି ଯିବାକୁ ଏକାନ୍ତ ଆଶାୟୀ ।

 

ବିଦ୍ୟାପତିଙ୍କ ଭାଷାରେ :-

‘‘ଜନମ ଅବଧି ହମ୍‌ ରୂପ ନେହ-ରନୁ

      ନୟନେ ନା ତିରପତି ଭେଲ

ସୋଇ ମଧୁର ବୋଲି ଶ୍ରବଣହିଁ ଶୁନନୁ

      ଶ୍ରୂତି ପଥେ ପରଶ ନା ଗେଲ’’ -

 

ଏହାରି ଅନୁରୂପ ଭାବନା ଗୋପାଳକୃଷ୍ଣଙ୍କ କବିତାରେ –

 

‘‘ବ୍ରଜ ବିଧୁପରି ମତେ କେ ଦିଶୁ ନାହିଁ

ମନ ପୁରୁଛି କି ହେଲେ ନିତି ଚାହିଁ ।’’

 

ବସ୍ତୁତଃ ଗୋପାଳକୃଷ୍ଣ ପଦ୍ୟାବଳୀରେ ପ୍ରେମ ନିବିଡ଼ ଓ ଗଭୀର । ଗୁରୁଜନ ପରିବେଷ୍ଟିତା ରାଧା ମୂରଲୀ ଧ୍ୱନି ଶ୍ରବଣରେ ଶିହରି ଉଠନ୍ତି –

 

‘‘ଶ୍ୟାମସୁନ୍ଦର ମୁରଲୀ ନିନାଦ ଜାତି ନେବ ମଣିଲି

ଗୁରୁଜନ ସଙ୍ଗେ କଥା ପରସଙ୍ଗେ

ବସିଥିଲିକି ଚମକି ପଡ଼ିଲି

ପୂରିଲା ପୁଲକ ଦେହ ଗୋଟାକଯାକ

ବିନା ଶୀତରେ ମୁଁ ଥରିଲି ।

 

ଏହା ସଙ୍ଗେ ଚଣ୍ଡୀଦାସଙ୍କ ଏକ ପଂକ୍ତି ତୁଳନୀୟ :-

 

‘‘ଦାଣ୍ଡାଇ ଯଦି ସଖୀଗଣ ସଙ୍ଗେ

ପୁଲକେ ପୁରୟେ ତନୁ ଶ୍ୟାମ ପରସଙ୍ଗେ

ପୁଲକ୍‌ ଟାକିତେ ନାନା କରି ପରକାର

ନୟନର ଧାରା ମୋର ବହେ ଅନିବାର ।

 

ଏହିରୂପେ ବିଚାର କଲେ ଗୋପାଳକୃଷ୍ଣ ପଦ୍ୟାବଳୀର ଛତ୍ରେ ଛତ୍ରେ ମଧୁର ରସର କଲ୍ଲୋଳ ଉଠିଛି । ଏ ମଧୁର ରସ କେତେବେଳେ ଆଶଙ୍କା, ଅନୁରାଗର ଓ କେତେବେଳେ ବିରହ ଓ ମିଳନର । ଫଳତଃ ପଦ୍ୟାବଳୀର ଛନ୍ଦେ ଛନ୍ଦେ ମଧୁର ବା ଉଜ୍ଜ୍ୱଳ ରସର ନର୍ତ୍ତନ ଦେଖିବାକୁ ମିଳେ । କିନ୍ତୁ ଗୋପାଳକୃଷ୍ଣଙ୍କ ଗୀତିଗୁଚ୍ଛ କେବଳ ମଧୁର ରସାଶ୍ରୟୀ ନୁହନ୍ତି ତହିଁରେ ବାତ୍ସଲ୍ୟ ରସର ଯେଉଁ ଆସ୍ୱାଦନ ଉପଲବ୍‌ଧ ହୁଏ ତାହା ଓଡ଼ିଆ ସାହିତ୍ୟରେ ମଧ୍ୟ ବିରଳ । ‘‘ଉଠିଲୁ ଏଡ଼େ ବେଗି କାହିଁକିରେ’’ ଅଥବା ପୁତ୍ର ଗରବିଣୀ ଯଶୋଦାଙ୍କର ‘‘ଗୋକୁଳ ଚନ୍ଦ୍ରମା ପରି ଅନ୍ୟଟି କେ ସରି ମା’’ ପ୍ରଭୃତି ପଂକ୍ତି ଉଦ୍ଧାର କଲେ ଯଥେଷ୍ଟ ହେବ ।

 

ପୂର୍ବରୁ କୁହାଯାଇଛି ଗୋପାଳକୃଷ୍ଣ ଭକ୍ତିରସର ଉପାସକ । ସେ ପ୍ରେମର ଜରିଆରେ ଭଗବତ୍‌ ପ୍ରାପ୍ତିକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ତାଙ୍କ ପ୍ରେମରେ କାମର ଗନ୍ଧ ନାହିଁ ଆବିଳତା ତ ସ୍ୱପ୍ନ-। ମଧୁର ରସାଶ୍ରୟୀ ପ୍ରେମରସ୍ୱରୂପ ନିର୍ଣ୍ଣୟ କରିବାକୁ ଯାଇ ରୂପ ଗୋସ୍ୱାମୀ କହିଛନ୍ତି -

 

ସର୍ବଥା ଧ୍ୱଂସ ରହିତଂ ସତ୍ୟପି ଧ୍ୱଂସ କାରଣେ

ଯଦ୍‌ଭାବ ବନ୍ଧନଯୂନୋ ସ ପ୍ରେମା ପରିକୀର୍ତ୍ତିତା ।

 

ଅର୍ଥାତ୍‌ ଧ୍ୱଂସର ସର୍ବଦା କାରଣ ଥିଲେ ମଧ୍ୟ ଯାହାର ଧ୍ୱଂସ ହୁଏ ନାହିଁ ଯୁବକ ଯୁବତୀର ଅନ୍ତରର ଏହି ରୂପ ଭାବ ବନ୍ଧନକୁ ପ୍ରେମ କୁହାଯାଏ । ଆଲୋଚ୍ୟ କବିଙ୍କ ପ୍ରେମ ଦର୍ଶନ ଏହାରି ଅନୁରୂପ । ତେଣୁ ନବାନୁରାଗ ପର୍ଯ୍ୟାୟରେ ରାଧା ଲଳିତାଙ୍କ ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ତା’ର ପରିପ୍ରକାଶ ଅତ୍ୟନ୍ତ ହୃଦ୍ୟ -
 

ରାଧା :–ଦିଶୁଛନ୍ତି କି ସଦୃଶ

ଲଳିତା :–ମୂର୍ତ୍ତିବନ୍ତ ହେଲା ପରି ମୁଁ ମଣୁଛି

            ନିଶ୍ଚୟ ଶୃଙ୍ଗାର ରସରେ–ପ୍ରାଣମିତ ।

 

କିମ୍ବା କୃଷ୍ଣଙ୍କ ସ୍ୱଭାବ ସମ୍ବନ୍ଧୀୟ ପ୍ରଶ୍ନରେ–

ରାଧା :–ସ୍ୱଭାବ କର ବର୍ଣ୍ଣନ

ଲଳିତା :–ସାଧୁ ସୁନ୍ଦର ଅମ୍ବୁଧିରୁ ଗଭୀର

            ପ୍ରଣୟୀ ଜନ ଅଧୀନରେ–ପ୍ରାଣମିତ

 

ଉପରୋକ୍ତ ଉକ୍ତିରେ କବିଙ୍କ ପ୍ରେମ ପ୍ରକାଶର ଆଭିମୁଖ୍ୟ ସୁସ୍ପଷ୍ଟ । ସେ ପ୍ରେମମାର୍ଗର ଉପାସକ । ତାଙ୍କର ରାଧାକୃଷ୍ଣ ଚିର କିଶୋର ଫଳତଃ କବିଙ୍କ ଅଧିକାଂଶ ରଚନାରେ ନିତ୍ୟ କିଶୋର ରାଧା କୃଷ୍ଣଙ୍କ ଲୀଳାର ବର୍ଣ୍ଣନା ରହିଛି । କବି କେତେବେଳେ ବୈଷ୍ଣବ ସୁଲଭ ଲାଲସା ପ୍ରକାଶ କରି କହିଛନ୍ତି -

 

‘‘ଏଡ଼େ ଭାଗ୍ୟ ମୋର ହେବକି

ହେବି ବୃନ୍ଦାବନେଶ୍ୱରୀ ପଦ ସେବକୀ

ଶ୍ରୀଗୁରୁ ଦତ୍ତ ବୀଜ ମନ୍ତ୍ର କଳ୍ପ ବଲ୍ଲୀରେ

      ପ୍ରେମ ଫଳ ଫଳିବ କି ।

 

ଏହିପରି ସେ ବିନୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତାଙ୍କର କୃଷ୍ଣଚିନ୍ତନ ମୀରାବାଈଙ୍କ ଚିନ୍ତାର ଅନୁରୂପ –

 

‘‘ନୈନା ଲୋଭୀରେ ବହୁରି ସକେ ନାହିଁ ଆୟ

ରୋମ ରୋମ ନଖ ଶିଖ ସବ୍‌ ନିରଖତ ଲଲଚର ହେୟ ଲଲଚାୟ ।

 

ଅର୍ଥାତ୍‌ ନୟନ ଦୁଇଟି ଲୋଭୀ ଆଉ ଫେରିଆସି ପାରେନା ସର୍ବାଙ୍ଗ ନଖରୁ ଶିଖଯାଏ ସବୁ ନିରୀକ୍ଷଣ କରି ଲାଳସା ଆହୁରି ଲୁବ୍‌ଧ ହୁଏ ।

 

ଗୋପାଳକୃଷ୍ଣଙ୍କର :–

‘‘କାହିଁକି ଶ୍ୟାମ ମୂରତି ଗୋ

ସଦା ଦିଶୁଛି ମତେ ଦିନ ରାତି ଗୋ

ପଛୁ ଆସିଲା ପରି ହୁଏ ମତି

ଚାହିଁଲେ କେ ନ ଦିଶେ ଏ କି ରୀତି ।’’

 

ଗୋପାଳକୃଷ୍ଣଙ୍କ ପ୍ରେମ ଦର୍ଶନର ବ୍ୟାପକତା ଏଇଥିରୁ ସହଜରେ ଅନୁମିତ ।

 

ଗୋପାଳକୃଷ୍ଣ ଯେତେବେଳେ ବାଣୀ ଆରାଧନା କରନ୍ତି ସେତେବେଳେ ବା ତା’ର କିୟତ କାଳପରେ, ଗୌରହରି, ଗୌରଚରଣ, ହରିବନ୍ଧୁ ଓ ବନମାଳୀ ପ୍ରମୁଖ ଗୀତିକବିମାନଙ୍କ ରଚନା ଆରବ୍‌ଧ ହୁଏ । ଏହି ସମଧର୍ମୀ ଗୀତିକାରକଙ୍କ ରଚନାର ରୀତି ଓ ଭାବର ସାମ୍ୟ ଲକ୍ଷ୍ୟ କରିବାର କଥା ଗୋପାଳକୃଷ୍ଣଙ୍କ ଲେଖନୀ ଯେଉଁ ଅନୁଭୂତିର ଅନୁକୃତିର ଥିଲା ତାହା ତତ୍‌କାଳୀନ ଲେଖକମାନଙ୍କୁ ଅନେକାଂଶରେ ପ୍ରଭାବିତ ତଥା ଅନୁପ୍ରାଣିତ କରିଥିଲା -

 

ଗୋପାଳକୃଷ୍ଣଙ୍କ :–

ପୁରିଲା ପୁଲକ ଦେହ ଗୋଟାଯାକ

ବିନା ଶୀତରେ ମୁଁ କେତେ ଥରିଲି

କାହିଁଗଲା ମନ ବୁଡ଼ିଗଲା ଜ୍ଞାନ

ବେନି ନୟନ ମୁଁ ବୁଜି ରହିଲି ।

 

ଉକ୍ତିଟି ବନମାଳୀଙ୍କ -

କାହିଁପାଇଁ ମୋର ମରମ ଭିତରେ

ଘାରିଲା ମଦନ ଶର ଲୋ ସଜନୀ

      ଜାଣିତ ନୋହୁଛି କିଛି

ବିନା ବରଷାରେ ତିନ୍ତିଗଲି ମୁହିଁ

      ସ୍ୱରୂପ ତୋତେ କହୁଛି ।

 

ଉକ୍ତିର ସଙ୍ଗେ ଯେଉଁ ଭାବଗତ ଓ ଶୈଳୀଗତ ସାମ୍ୟ ରହିଛି ତାହା ଲକ୍ଷ୍ୟଣୀୟ । ଗୋପାଳକୃଷ୍ଣଙ୍କ ରାଧା ନୂତନ ପ୍ରେମରେ ଦୀକ୍ଷିତ ଅଥଚ ଭୟଭୀତା ସୁତରାଂ ତାଙ୍କ ମୁଖରେ ଫୁଟିଛି--

 

‘‘ଶ୍ୟାମକୁ ଜୁହାର ତା’ର ପ୍ରେମକୁ ଜୁହାର

ସେ କରୁ ଗୋ ସେ ପୀରତି ଯା ଦେହ ଲୁହାର ।’’

 

ସେହିପରି ବନମାଳିଙ୍କ -

‘‘ଆଗୋ ସହଚରୀ ହେଲି ଲୌହାକାର ସଣ୍ଢୁଆସୀ ପରି

କେତେବେଳେ ଜଳେ କେବେ ବା ଅନଳେ ଦୁଇ କଥା ସମସରି -

 

ଏହିପରି ଭାବରେ ତତ୍‌କାଳୀନ ସମଧର୍ମୀ ବୈଷ୍ଣବ କବିଙ୍କ କବିତାରେ ଏକ ପ୍ରକାର ସ୍ୱରଲିପି ଶୁଣିବାକୁ ମିଳେ । ସୁତରାଂ ସମସାମୟିକ ଲେଖକଙ୍କ ଉପରେ ତାଙ୍କର ଅପ୍ରତିହତ ପ୍ରଭାବ ଲକ୍ଷ୍ୟ କରିବାର କଥା ।

 

ଓଡ଼ିଆ କାବ୍ୟ ସାହିତ୍ୟର ସମାରୋହ ଭିତରେ ଗୋପାଳକୃଷ୍ଣଙ୍କ ରଚନା ଯେ ଜନ ଚେତନାରେ ଏତେ ଗ୍ରହଣୀୟ ତା’ର କେତୋଟି ଦିଗ ଲକ୍ଷ୍ୟ କରିବାର କଥା ।

 

କବି ଗୋପାଳକୃଷ୍ଣ ସର୍ବଜନଗ୍ରାହ୍ୟ ବିଷୟବସ୍ତୁ ଗ୍ରହଣ କରି ନିଜର କବିତା ସୁମନମାଳା ଗୁନ୍ଥିଛନ୍ତି । କବି ଅତି ପରିଚିତ ରାଧାକୃଷ୍ଣଙ୍କ ଚରିତ୍ରକୁ କବିତାର ଉପଜୀବ୍ୟରୂପେ ଗ୍ରହଣ କରିଛନ୍ତି ବୋଲି ଯେ ତାଙ୍କ ରଚନା ଲୋକପ୍ରିୟ ତାହା ନୁହେଁ କାରଣ ଏହି ରାଧାକୃଷ୍ଣ କାହାଣୀ ନେଇ ତ ବହୁ କବି ବହୁ କାବ୍ୟ ଓ କବିତା ରଚନା କରିଛନ୍ତି । ଗୋପାଳକୃଷ୍ଣଙ୍କ ପଦ୍ୟାବଳୀର ଅଧିକାଂଶ କବିତାର ବିଷୟବସ୍ତୁ ରାଧାକୃଷ୍ଣଙ୍କ ପ୍ରେମମୟ ଜୀବନକୁ ନେଇ ଲିଖିତ ହେଲେହେଁ ସ୍ୱାଭାବିକ ବର୍ଣ୍ଣନାରେ କବି ଅଲୌକିକତାକୁ ଲୌକିକତାରେ ପରିଣତ କରିଛନ୍ତି । ତା’ପରେ ତାଙ୍କ କବିତାଗୁଡ଼ିକ କେବଳ ପ୍ରେମ ଗୀତିକା ଭାବରେ ଆଦୃତ ହୁଏନା–ତହିଁରେ ମାତୃ ହୃଦୟର ଅନାବିଳ ଝର ଦେଖିବାକୁ ମିଳେ-। ତାଙ୍କର କବିତାଗୁଡ଼ିକ ଗୀତି କବିତା ଭାବରେ ଯେପରି ସାର୍ଥକ ସୃଷ୍ଟି ସଂଗୀତ ହିସାବରେ ତା ଅପେକ୍ଷା ଅଧିକ ମହନୀୟ । ପୁଣି ସେ ସଂଗୀତ ଗୁଡ଼ିକରେ କବି ସୂର୍ଯ୍ୟଙ୍କ ପରି କ୍ଲିଷ୍ଟ କଳ୍ପନା ନାହିଁ - ସେଗୁଡ଼ିକ ସଂକ୍ଷିପ୍ତ ଅଥଚ ଭାବ କୈନ୍ଦ୍ରିକ । ସେଗୁଡ଼ିକର ପ୍ରକାଶ ରୀତି ବୈଚିତ୍ର୍ୟମୟ । ଅପର ପକ୍ଷରେ ତାଙ୍କର ଗୀତି କବିତା ଗୁଡ଼ିକରେ ନଗ୍ନତା ପ୍ରକାଶିତ ନ ହୋଇ ତାହା ବ୍ୟଞ୍ଜନାମୂଳକ ହୋଇଛି । ଫଳରେ ରୁଚି ଧ୍ୱଜୀଙ୍କଠାରୁ ଆବାଳ ବୃଦ୍ଧ ବନିତା ସମସ୍ତେ ଏକାଠି ବସି ସଂଗୀତ ଗୁଡ଼ିକର ରସ ଆସ୍ୱାଦନ କରି ପାରନ୍ତି । ସାଧାରଣତଃ ଅନ୍ୟାନ୍ୟ ବୈଷ୍ଣବ କାବ୍ୟମାନଙ୍କରେ ରାଧାକୃଷ୍ଣଙ୍କ ପ୍ରେମ ଚିତ୍ର ଗତାନୁଗତିକ ଧାରାରେ ବର୍ଣ୍ଣିତ ହୋଇ ଥିବାର ଦେଖାଯାଏ । ମାତ୍ର ଗୋପାଳକୃଷ୍ଣଙ୍କ ଗୀତିଗୁଚ୍ଛରେ ପ୍ରେମାନୁଭୂତିର ବୈଚିତ୍ର୍ୟତା ମନରେ ଆନନ୍ଦ ସଂଚାର କରେ ।

 

ପରିଶେଷରେ ଏତିକି କୁହାଯାଇ ପାରେ ଯେ ଗୋପାଳକୃଷ୍ଣ ପଦ୍ୟାବଳୀର ଭାଷା ବିନ୍ୟାସ ପଦ୍ଧତି ଅତି ମଧୁର । ତା’ର କମନୀୟତା ଏବଂ ତା’ର ସାରଲ୍ୟ ବହୁ ସମୟରେ ପାଠକକୁ ମୁଗ୍‌ଧ କରେ । ସେଇଥିପାଇଁ ଓଡ଼ିଆ ସାହିତ୍ୟରେ ଗୋପାଳକୃଷ୍ଣଙ୍କ ଆଦର ଏତେ ବ୍ୟାପକ । ତେବେ ଏଠାରେ ମନେ ରଖିବାକୁ ହେବ ଯେ ଏ ଦେଶରେ କାହିଁକି ଭାରତର ଅନ୍ୟ ଯେକୌଣସି ପ୍ରାନ୍ତରର ବୈଷ୍ଣବ କବିତା ମାତ୍ରେ କାନ୍ତକୋମଳ ପଦ୍ୟାବଳୀରେ ଭରପୂର । ବୈଷ୍ଣବ କବିମାନଙ୍କ ଆଖିରେ ଗୋପବାଳା ରାଧା ଚନ୍ଦ୍ରସେଣା ମହିଷୀ ରାଧା ନୁହଁନ୍ତି ସେ କୃଷ୍ଣ ପ୍ରେୟସୀ ରାଧାମୋହନଙ୍କ ରାଧା ବା ତାଙ୍କ ଲୀଳା ସଂଗିନୀ । ଫଳରେ ରାଧା ତତ୍ତ୍ୱକୁ ନେଇ ଯେଉଁଠି କାବ୍ୟ ଲେଖା ହୋଇଛି ସେଇଠି କବିତା ହୋଇଛି କମନୀୟ ଓ ମଧୁମୟ । ବସ୍ତୁତଃ ଗୋପାଳକୃଷ୍ଣ ଶହ ଶହ ବର୍ଷ ଧରି ଗଢ଼ି ଉଠିଥିବା ବୈଷ୍ଣବ କବିମାନଙ୍କର ଦାୟାଦରୂପେ ଏପରି ରସାଳ ଓ ଲୋକପ୍ରିୟ-

 

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ

ସାଲେପୁର ମହାବିଦ୍ୟାଳାୟ

 

***

 

ହିନ୍ଦୁ ସମାଜରେ ଜାତି ପ୍ରଥା ଓ ପାଟକ ଗୀତା

ଶ୍ରୀ ବସନ୍ତ କୁମାର ସାହୁ

 

ବେଦରେ ଜାତିପ୍ରଥା ନ ଥିବା କଥା ଋଗ୍‌ବେଦ ଓ ଜଜୁର୍ବେଦର ସମାଲୋଚକ ଆର. ସି. ଦତ୍ତ ଓ ଓ୍ୱେବର ଆଦି ବେଦର ସମାଲୋଚକମାନେ ଅସ୍ୱୀକାର କରିଛନ୍ତି । ମହାଭାରତ, ବାଲ୍ଲୀକି ରାମାୟଣ, ହରିବଂଶ ଓ ଶ୍ରୀମଦ୍‌ ଭଗବତ୍‌ଗୀତା ଆଦି ଗ୍ରନ୍ଥରେ ଏ ସମ୍ପର୍କରେ କେତେକ ସୂଚନା ମିଳେ । ଗୀତା ଓ ହରିବଂଶରେ କୌଳିକ ବୃତ୍ତି ବା କାର୍ଯ୍ୟରୁ କିପରି ଜାତି ସୃଷ୍ଟି ହୋଇଛି ତାହା ବର୍ଣ୍ଣିତ । ମନୁ-ସଂହିତା ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଆଦି ଚାରି ଜାତି ଭଗବାନଙ୍କ ଶରୀରର ବିଭିନ୍ନ ଅଂଶରୁ ସୃଷ୍ଟି ହୋଇଥିବା ସୂଚିତ ।

 

ଏହିପରି ଅନେକ ଗ୍ରନ୍ଥରୁ ପ୍ରଥମେ ଚାରିଜାତି ଓ ପରେ ସେହି ଚାରିଜାତିରୁ ଅନେକ ଜାତି ସୃଷ୍ଟି ହୋଇଥିବା କଥା ସ୍ୱୀକୃତ । ପୁରାଣ ଯୁଗରେ ଏ ଜାତିଆଣ ମନୋଭାବ ଏତେ ଉତ୍କଟ ନଥିଲା-। ବ୍ରାହ୍ମଣେତ୍ତର ଜାତିମାନେ ବ୍ରାହ୍ମଣ ହେବାର ଉଦାହରଣ ବିଷ୍ଣୁ ଓ ବ୍ରହ୍ମ ପୁରାଣରୁ ମିଳିଥାଏ-। ଛାନ୍ଦୋଗ୍ୟ ଉପନିଷଦରୁ ଜଣାଯାଏ ଜାବାଳ ପୁତ୍ର ସତ୍ୟକାମ ଶୁଦ୍ରଥିଲେ ବି ସେ ଗୌତମ ଋଷିଙ୍କ ନିକଟରେ ସତ୍ୟପ୍ରକାଶ କରିଥିବାରୁ ବ୍ରାହ୍ମଣ ହୋଇଥିଲେ । ସେତେବେଳେ ଜାତି ଜାତି ମଧ୍ୟରେ ବିବାହାଦି କାର୍ଯ୍ୟ ପ୍ରଚଳିତ ଥିବାର ପ୍ରମାଣ ମଧ୍ୟ ଏହି ପୁରାଣରୁ ମିଳେ । କ୍ଷତ୍ରିୟ ଯଯାତି ସହିତ ବ୍ରାହ୍ମଣ କନ୍ୟା ଦେବଜାନୀ ଓ କ୍ଷତ୍ରିୟ ଶ୍ରୀକୃଷ୍ଣଙ୍କ ସହିତ ଅନାର୍ଯ୍ୟ ଜାମ୍ବବତୀଙ୍କର ବିବାହାଦି କାର୍ଯ୍ୟ ଦେଖିବାକୁ ମିଳେ ।

 

ଜାତିଭେଦ ସମ୍ପର୍କୀୟ ହୀନ ମନୋଭାବର ସମ୍ୟକ୍‌ ସୂଚନା ମହାଭାରତରୁ ଦେଖିବାକୁ ପାଉ । ଗୁରୁ ଦ୍ରୋଣାଚାର୍ଯ୍ୟ କ୍ଷତ୍ରିୟମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଲାବେଳେ ଏକଲବ୍ୟକୁ ଶିକ୍ଷାଦାନ କରିବାକୁ ମନା କରି ଦେଇଥିଲେ । ମନେହୁଏ ଏହି ଉତ୍କଟ ବ୍ୟାଧି ପରବର୍ତ୍ତୀ ଯୁଗରେ ସାରା ସଂସାରକୁ ସଂକ୍ରମିତ କଲା ଓ ଜାତି ଜାତି ମଧ୍ୟରେ ବିଭେଦ ଓ ଅସ୍ପୃଶ୍ୟତା ଭରିଦେଲା । ତେଣୁ ବ୍ରାହ୍ମଣେତ୍ତର ଅନେକ ଜାତି ହେଲେ ଅସ୍ପୃଶ୍ୟ । ଆର୍ଯ୍ୟ ଓ ଅନାର୍ଯ୍ୟଙ୍କ ମଧ୍ୟରେ କଳହ ବିବାଦ ସୃଷ୍ଟି ହୋଇ ହିନ୍ଦୁ ଧର୍ମ ମଧ୍ୟରେ ବୈଦେଶିକ ଧର୍ମ ଧାରଣା ପ୍ରବେଶ କରିବାକୁ ଲାଗିଲା । ଇତିହାସ ଏହାର ମୂକ ସାକ୍ଷୀ ।

 

ବୌଦ୍ଧ, ଶୈବ, ଶାକ୍ତ ଆଦି ଧର୍ମରେ ଜାତି ପ୍ରଥା ଉପରେ ଜୋର ଦିଆଯାଉ ନଥିଲା । ବୈଷ୍ଣବ କବି ଅଚ୍ୟୁତାନନ୍ଦ ପ୍ରତ୍ୟେକ ଜାତି କୃଷ୍ଣଙ୍କ ଅଙ୍ଗରୁ ସୃଷ୍ଟି ଓ ସେମାନଙ୍କର କାର୍ଯ୍ୟ କୃଷ୍ଣଙ୍କ ନିମିତ୍ତ ବୋଲି କହିଛନ୍ତି । ତେଣୁ କୌଣସି ଜାତି ସାନ ବା ବଡ଼ ନୁହେଁ । ଏହି ବିଷୟ ବସ୍ତୁକୁ ଆଧାରିତ କରି ଅଚ୍ୟୁତାନନ୍ଦ ଲେଖିଛନ୍ତି ‘ପାଟକଗୀତା’ ।

 

‘ପାଟକଗୀତା’ ଗ୍ରନ୍ଥରେ କବି ଅଚ୍ୟୁତାନନ୍ଦ କୃଷ୍ଣଙ୍କ ଶରୀରକୁ ବୈଷ୍ଣବମାନଙ୍କର ଅଷ୍ଟାଦଶାକ୍ଷର ମନ୍ତ୍ର ସହିତ କଳ୍ପନା କରି ସେହି ଅଷ୍ଟାଦଶାକ୍ଷର ମନ୍ତ୍ର ବା କୃଷ୍ଣଙ୍କ ଶରୀରରୁ କିପରି ଜାତି ସୃଷ୍ଟି ହେଲେ ଓ ଏହି ଅଷ୍ଟାଦଶାକ୍ଷର ମନ୍ତ୍ରର କେଉଁ କେଉଁ ଅକ୍ଷରରୁ କୃଷ୍ଣଙ୍କର କେଉଁ କେଉଁ ଅଂଶ ତାହା ବର୍ଣ୍ଣନା କରି କବି କହିଛନ୍ତି–ଶ୍ରୀକୃ-କପାଳ, ଷ୍ଣାୟ–ଦୁଇକର୍ଣ୍ଣ, ଗୋବି–ଦୁଇ ନୟନ, ନ୍ଦାୟ–ଗଣ୍ଡସ୍ଥଳ... ଇତ୍ୟାଦି । ଏହି ଅଷ୍ଟାଦଶାକ୍ଷରର ପ୍ରତ୍ୟେକ ଅକ୍ଷରରୁ କେଉଁ କେଉଁ ଜାତି କେଉଁ କେଉଁ ଅକ୍ଷରରୁ ସୃଷ୍ଟ ତାହା ବର୍ଣ୍ଣନା କରିଛନ୍ତି । ଯେପରି–କ୍ଲୀଂ–ବ୍ରାହ୍ମଣ, ଗୋପାଳ (କବି ଅଚ୍ୟୁତ ଲେଖିଛନ୍ତି–‘ବ୍ରାହ୍ମଣ ଗୋପାଳ ଏକଇ ମେଳ’) କୃ–ନାପିତ, ଷ୍ଣା–ଗୁଡ଼ିଆ, ୟ–ତାମ୍ବେଳି, ଗୋ–ତେଲି; ବି–ସୁନାରୀ, ନ୍ଦା–ପାଟରା, ୟ–ରଙ୍ଗଣୀ, ଗୋ–ସରାକ, ପୀ–ହଂସିକ, ଜ–x (ପାଠୋଦ୍ଧାର ସମ୍ଭବ ହେଲାନି) ନ–ଶ୍ରିଣୀ, ବ–ଶଂଖାରୀ, ଲ୍ଲ–କଂସାରୀ, ବା–କାଚରା, ୟ–ଦୈବିଜ୍ଞ, ନ–ମାଳି, ମଃ–ବଢ଼ାଇ । ଏହି ଅଠର ପାଟକ କୃଷ୍ଣଙ୍କର କେଉଁ କେଉଁ ଅଂଶରୁ ଜାତ ସେ ସମ୍ପର୍କରେ କବି ଅଚ୍ୟୁତାନନ୍ଦ ଲେଖିଛନ୍ତି–

 

‘‘ବଢ଼ାଇ, ଦୈବିଜ୍ଞ, ମାଳି, ଭାଟତ

।।

ଏ ଚାରି ପାଟକ ଚରଣୁ ଜାତ

।।

ହଂସୀ, ପାଟରା, ରଂଙ୍ଗଣୀ, ସରାକ

।।

ଉଦରୁ ଜାତ ଏ ଚାରି ପାଟକ

।।

ଶ୍ରେଣୀ, ଶଙ୍ଖାରୀ, କଂସାରୀ, କାଚରା

।।

ହୃଦୟ ଦେଶୁ ଏ ହେଲେ ବାହାର

।।

ସୁନାରୀ, ଗୁଡ଼ିଆ, ତେଲି, ତାମ୍ବେଳି

।।

ଚାରି ପାଟକେ ଜନ୍ମ ଶିର ସ୍ମଳି

।।

ଏଥି ଉପରେ ନାପିତ ଗୋପାଳ

।।

ବ୍ରାହ୍ମଣ ଗୋପାଳ ଏକଇ ମେଳ

।।

ଅଷ୍ଟାଦଶ ପାଟକ ଏ ଚାରି ଜାତି

।।

ଶୁଦ୍ଧ ସୁବୁଦ୍ଧି ଏହାଙ୍କର ମତି

।।

 

ବର୍ଣ୍ଣିତ ଅଠର ପାଟକ କୃଷ୍ଣଙ୍କର କେଉଁ କେଉଁ ଅଂଶରୁ ଜନ୍ମ ସେମାନଙ୍କର କି କି କାର୍ଯ୍ୟ ସେ ସମ୍ପର୍କରେ କବି ଅଚ୍ୟୁତାନନ୍ଦ ଏହି ପାଟକ ଗୀତାରେ ବର୍ଣ୍ଣନା କରିଅଛନ୍ତି । ଏହି ଅଠର ପାଟକ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଆଦି ଚାରି ଜାତିରୁ ସୃଷ୍ଟି । ବ୍ରାହ୍ମଣକୁ ଛାଡ଼ି ଅନ୍ୟ ତିନୋଟି ଜାତିରୁ ସମାନ ସମାନ ସଂଖ୍ୟକ ଉପଜାତିମାନ ସୃଷ୍ଟି ହୋଇଛନ୍ତି । ବ୍ରାହ୍ମଣ ଜାତିରୁ ଛଅଟି ଉପଜାତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳେ ।

 

ଏହି ଅଠର ପାଟକ ବର୍ଣ୍ଣନା କଲାବେଳେ କବି ଜାତି ଜାତି ମଧ୍ୟରେ ଉଚ୍ଚନୀଚ୍ଚର ପ୍ରାଚୀର ତୋଳି ନ ଥିବାର ଦେଖାଯାଏ । କବିଙ୍କ ବର୍ଣ୍ଣନାନୁସାରେ କୃଷ୍ଣଙ୍କ ଦେହରୁ ପ୍ରତ୍ୟେକ ସୃଷ୍ଟ ଓ ଗୋଟିଏ ବିଶ୍ୱପରିବାରର ପ୍ରତ୍ୟେକ ଜଣେ ଜଣେ ସନ୍ତାନ । ମନେହୁଏ କବି ସଂସ୍କୃତ ହରିବଂଶର ଭାବକୁ ଗ୍ରହଣ କରିଛନ୍ତି । ହରିବଂଶରେ ବର୍ଣ୍ଣିତ ଅଛି ଶୁନକର ପୁତ୍ରଗଣ ନିଜ ନିଜର ଗୁଣ କର୍ମାନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ।

 

ଜାତି ଜାତି ମଧ୍ୟରେ ଉଚ୍ଚ ନୀଚ୍ଚ ବର୍ଣ୍ଣନା ଏହି ଗ୍ରନ୍ଥରେ ନ ଥିଲେ ମଧ୍ୟ ଆଚରଣ ଉପରେ ଗୁରୁତ୍ୱ ଆରୋପ କରି କବି ଗୋପାଳ ଜାତିକୁ ଶ୍ରେଷ୍ଠ କରିଛନ୍ତି । ଠିକ୍ ଅନୁରୂପ ଚିନ୍ତାଧାରା ବୌଦ୍ଧ ଧର୍ମରେ ଦେଖିବାକୁ ମିଳେ । ତେଣୁ କୁହାଯାଇଛି- ‘‘ଜାତି ମାଂ ପୁଚ୍ଛ, ଚରଣଂ ପୁଚ୍ଛ ।’’ ଅର୍ଥାତ୍ ମୋର ଜାତି କ’ଣ ନ ପଚାରି, ଆଚରଣ ଦେଖ ।

 

ଏହି ଗ୍ରନ୍ଥରେ କବି ଅଚ୍ୟୁତାନନ୍ଦ ଶୂଦ୍ରମାନଙ୍କୁ ଶ୍ରେଷ୍ଠ ବୋଲି କହିଛନ୍ତି । ଶୂଦ୍ର ଓ ବ୍ରାହ୍ମଣ ମିଳି ସୃଷ୍ଟି ପାଳନ କରିଥିବାରୁ ଶୂଦ୍ରମାନେ ଶ୍ରେଷ୍ଠ । ଦେବତାଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ବ୍ରାହ୍ମଣ ଓ ଶୂଦ୍ରମାନଙ୍କର ଦାନ ଅପରିହାର୍ଯ୍ୟ । ଗୋପାଳ ଘୃତ ସଂଗ୍ରହ କରି ବ୍ରାହ୍ମଣକୁ ଯଜ୍ଞ କରିବାକୁ ଦେଲେ ଇନ୍ଦ୍ର ସନ୍ତୁଷ୍ଟ ହୋଇ ବର୍ଷାଦାନ କରି ସୃଷ୍ଟି ପାଳିବେ । ପାଟକ ଗୀତା ଅନୁଯାୟୀ ପ୍ରତ୍ୟେକ ପାଟକର ଲୋକ କୃଷ୍ଣଙ୍କ ନିମିତ୍ତ କାର୍ଯ୍ୟ କରନ୍ତି । ଯେପରି ନାପିତ ଦେବତାଙ୍କୁ ଜଳ ଚନ୍ଦନ ଦେଇ ଅଙ୍ଗ ମାର୍ଜନ କରିବ । ଗୁଡ଼ିଆ କୃଷ୍ଣଙ୍କ ନିମିତ୍ତ ମଣୋହି (ଅମୃତ) ତିଆରି କରିବ । ସୁନାରୀ କୃଷ୍ଣଙ୍କପାଇଁ ଗହଣା ନିର୍ମାଣ କରିବ ଇତ୍ୟାଦି । ବୈଷ୍ଣବମାନଙ୍କ ଅନୁଯାୟୀ ସେବାକାରୀ ପ୍ରକୃତରେ ଶ୍ରେଷ୍ଠ । ସେଥିପାଇଁ ବଳରାମ ଦାସ ଗଣେଶ ବିଭୂତି ଗୀତାରେ ଶୂଦ୍ରଙ୍କୁ ଶ୍ରେଷ୍ଠ କରି କହିଛନ୍ତି-

 

‘‘ବୈଶ୍ୟ କ୍ଷେତ୍ରି ବିପ୍ରଙ୍କୁ ସେ ସେବା କରି ଜାଣ

ଶୂଦ୍ର ଯେହୁ ତାହାର ନାମ ଗୋଟି ଶୁଣ ।

ମହିମା ତାହାର ଯେ କହିଲେ ନ ସରଇ

ଦେବଙ୍କୁ ଦୁର୍ଲ୍ଲଭ ବାବୁ ଅଗୋଚର ସେହି ।’’

 

ପ୍ରଥମେ ଅଠର ପାଟକ ସୃଷ୍ଟି ହୋଇ ଦେବତାଙ୍କ ନିମିତ୍ତ କାର୍ଯ୍ୟମାନ କରିଛନ୍ତି । ପୁଣି କାଳକ୍ରମେ ଏହି ଅଠର ପାଟକରୁ ପୁଣି ଅଠର ପାଟକ ସୃଷ୍ଟି ହୋଇଥିବା ଏହି ଗ୍ରନ୍ଥରେ କୁହାଯାଇଛି-। ଏହିପରି ସମୁଦାୟ ଛତିଶ ପାଟକ । ଏହି ନୂତନ ସୃଷ୍ଟି ହୋଇଥିବା ଅଠର ପାଟକଙ୍କର କାର୍ଯ୍ୟାବଳୀ ସମ୍ପର୍କରେ କବି କିଛି ହେଲେ କହି ନାହାନ୍ତି । ବରଂ ଏହି ୩୬ ପାଟକରୁ ପୁଣି ଅଠର ପାଟକ ସୃଷ୍ଟି ହୋଇଥିବା କଥା ଏହି ଗ୍ରନ୍ଥରେ ଦେଖିବାକୁ ମିଳେ । ଏମାନଙ୍କର ଖାଦ୍ୟ–ମଦ୍ୟ, ମାଂସ ଆଦି ଓ ଆଚରଣ ହିଂସ୍ର ହୋଇଥିବାରୁ ଏମାନଙ୍କୁ ଅନ୍ୟ ଜାତିର ଲୋକମାନେ ଅସ୍ପୃଶ୍ୟ ବୋଲି ଘୃଣା କଲେ । ଏମାନେ କୃଷ୍ଣ ନାମକୁ ଖାତିର କଲେନାହିଁ । ଏହିପରି ଭାବରେ ସର୍ବମୋଟ ଚଉବନଟି ଜାତି କଥା କୁହାଯାଇଛି ।

 

କବି ଏଭଳି ଏକ ଗ୍ରନ୍ଥ ରଚନା କରିବାର କାରଣ ଅନୁସନ୍ଧାନ କଲେ, ଅଳ୍ପ କେତୋଟି କାରଣ ଦୃଷ୍ଟିକୁ ଆସେ । ପୂର୍ବବର୍ଣ୍ଣିତ ଅନୁଯାୟୀ ‘ବ୍ରହ୍ମା ସବୁର ସୃଷ୍ଟି କର୍ତ୍ତା’ । ‘ଗଣେଶ ବିଭୂତି ଗୀତା’ରେ କୁହାଯାଇଛି-

 

‘‘ଶ୍ୟାମ ବେଦୁ ବିପ୍ର ଅଛି ହୋଇ

ଯର୍ଜୁ ବେଦ ମଧ୍ୟରୁଟି ବୈଶ୍ୟ ଉତପନ ।

ଋକ୍ ବେଦରୁଟି କ୍ଷତ୍ରି ଅଛି ହୋଇ ଜନ୍ମ

ଅଥର୍ବ ବେଦରୁ ଶୁଦ୍ର ହୋଇଲେ ନିର୍ମାଣ ।’’

 

ବଳରାମ ଦାସଙ୍କ ଅନୁଯାୟୀ ବ୍ରହ୍ମା ଚାରିଜାତିର ସୃଷ୍ଟିକର୍ତ୍ତା । ବଳରାମ ଦାସଙ୍କର ଏହି ଯୁକ୍ତି ବିପକ୍ଷରେ କବି ଅଚ୍ୟୁତାନନ୍ଦ ସ୍ୱର ଉତ୍ତୋଳନ କରିଥିବାର ଏଠାରେ ଦେଖାଯାଏ । କବି ଅଚ୍ୟୁତାନନ୍ଦ କୃଷ୍ଣଙ୍କଠାରୁ ସବୁଜାତି ସୃଷ୍ଟି ହୋଇଥିବା ବର୍ଣ୍ଣନା କରି ସମସ୍ତଙ୍କୁ ବିଷ୍ଣୁମୁଖୀ କରାଇଛନ୍ତି-। ଏହି ଗ୍ରନ୍ଥରୁ ବୈଷ୍ଣବକବିଙ୍କର ଉଦାରତା ପ୍ରକାଶ ପାଇଥାଏ । ଗୋଟିଏ ପିତାର ସନ୍ତାନ ବୋଲି କବି ଏଠାରେ ସମସ୍ତଙ୍କୁ କହିଛନ୍ତି । ତେଣୁ କୌଣସି ଜାତି ଉଚ୍ଚ ବା ନୀଚ୍ଚ ନୁହେଁ, ଘୃଣ୍ୟ ବା ଅସ୍ପୃଶ୍ୟ ନୁହେଁ । ଏହି ଗ୍ରନ୍ଥରୁ ଗୋଟିଏ ପ୍ରଧାନ ବସ୍ତୁ ଦୃଷ୍ଟିଗୋଚର ହୁଏ ଯେ କବି ଯେଉଁ ସମୟରେ ପାଟକ ଗୀତା ରଚନା କରିଛନ୍ତି ସେତେବେଳେ ହିନ୍ଦୁ ସମାଜରେ ଜାତିପ୍ରଥାର ଉତ୍କଟ ବ୍ୟାଧି ଦେଖାଦେଇଥିଲା । ତେଣୁ କବି ବୈଷ୍ଣବ ଧର୍ମର ଉଦାର ଚିନ୍ତା ଓ ଚେତନା ରଜ୍ଜୁରେ ଧର୍ମ ସମ୍ପ୍ରଦାୟଗୁଡ଼ିକୁ ସୁ-ସଂଗଠିତ କରି ବାନ୍ଧି ଧରିବାପାଇଁ ଏ ଗ୍ରନ୍ଥର ଉପାଦେୟତା ସେ ସମୟରେ ଯଥେଷ୍ଟ ବେଶି ଥିବାର ଦେଖାଯାଏ ।

 

ନିମ୍ନରେ ‘ପାଟକ ଗୀତା’ରେ ବର୍ଣ୍ଣିତ ପାଟକମାନଙ୍କ ସମ୍ପର୍କରେ ମିଳୁଥିବା ବିବରଣୀ ପ୍ରଦାନ କରାଗଲା ।

 

ଜାତି- ଜନ୍ମ (କୃଷ୍ଣଙ୍କ କେଉଁ ଅଂଶରୁ)- କର୍ମ ବା କାର୍ଯ୍ୟ ।

 

ଗୋପାଳ–ମସ୍ତକ–ଗୋପାଳନ ।

ନାପିତ–ଭୁରୁ–ସକଳ ଅଙ୍ଗ, ମାର୍ଜନ, ଦେବତାଙ୍କୁ ଜଳ ଚନ୍ଦନ ଅର୍ପଣ ।

ଗୁଡ଼ିଆ–ନୟନ–ଅମୃତ ତିଆରି ।

ତାମ୍ବେଳି–ଶ୍ରବଣ–ବୃକ୍ଷ ଲତାଦି ପାଳନ ।

ତେଲି–ଗଣ୍ଡି–ଚାଷ (ହଳଦୀ, ଅଦା, ସାରୁ...)

ସୁନାରୀ–ଗହଣା ନିର୍ମାଣ (ସୁନା ନିର୍ମିତ)

କ୍ଷତ୍ରୀ–ଦେଶରକ୍ଷାପାଇଁ ସଂଗ୍ରାମ

ପାଟରା–ପାଟସୂତ୍ରରେ ବନ୍ତ୍ର ବୟନ ।

ତନ୍ତୀ–ବନ୍ତ୍ର ବୟନ (ପାଟରା ତନ୍ତ୍ରୀ ସମାନ)

୧୦

ରଙ୍ଗଣୀ–ଉରତଳୁ–ରଙ୍ଗ ବସ୍ତ୍ର ବୟନ ।

୧୧

ବୈଶ୍ୟ–ଉଦର–ଔଷଧ ନିର୍ମାଣ, ସୁଗନ୍ଧ ଦ୍ରବ୍ୟ ପ୍ରସ୍ତୁତି ।

୧୨

ସରାକ–ବସ୍ତ୍ର ବୟନରେ ସାହାଯ୍ୟକାରୀ ।

୧୩

ଶଙ୍ଖାରୀ–କଟୀ–ଶଙ୍ଖ ତିଆରି ।

୧୪

କଂସାରୀ–କଟୀ–କଂସା ତିଆରି ।

୧୫

ଭାଟ–ଆଣ୍ଠୁ–ଦେବତାଙ୍କ ମନ୍ଦିରରେ ଦେବ ପ୍ରଶସ୍ତି

୧୬

ଦୈବଜ୍ଞ–ଆଣ୍ଠୁ–ଦେବତାଙ୍କ ସ୍ମୃତି ଗାନ ।

୧୭

ମାଳି–ପୁଷ୍ପ ଚୟନ ।

୧୮

ବଢ଼ାଇ–ଦେବତାଙ୍କ ଆଳ ନିର୍ମାଣ ।

 

ଏହି ଅଠର ପାଟକଙ୍କର କାର୍ଯ୍ୟ ପାଟକ ଗୀତାରେ ବର୍ଣ୍ଣିତ ହୋଇଛି । ମାତ୍ର ଅନ୍ୟମାନଙ୍କ ଜାତି ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କାର୍ଯ୍ୟ ବର୍ଣ୍ଣିତ ହୋଇନାହିଁ । ତେଣୁ ବିଭିନ୍ନ ଗ୍ରନ୍ଥ ଓ ସେହିଜାତି ସମ୍ପର୍କରେ ମିଳୁଥିବା ବିବରଣୀ ସହିତ ଉପସ୍ଥାପନା କରାଗଲା ।

 

ଜାତି      କାର୍ଯ୍ୟ

 

୧୯

ବଙ୍ଗାଳୀ–

୨୦

ନାୟେକ–ଗଣକ ଜାତି

୨୧

କାୟେଥ (କାୟସ୍ଥ)–କାୟସ୍ଥ (ଉଡ଼୍ର, ବେଦମୁଖୀ, ବଂଗ ଆଦି) ଏମାନଙ୍କୁ କେହି କେହି ଖଣ୍ଡାୟତ କହିଥାନ୍ତି।

୨୨

ରୋଢ଼ା–(ମନେହୁଏ ରାଢ଼, ରାଢ଼ ଓ ପରେ ରୋଢ଼ ହୋଇଛି ।) ଏମାନେ ମୟୂରଭଞ୍ଜ ମିଦାନାପୁର ଅଞ୍ଚଳରେ ଦେଖାଯାଆନ୍ତି ।

୨୩

ଛୋକାର–ଏମାନେ କୁମ୍ଭାରଜାତୀୟ ଏକ ଜାତି । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଆଜିକାଲି ବି ଅଛନ୍ତି ଏମାନେ ଆଜିକାଲି କୃଷିଜୀବୀ

୨୪

କୁମ୍ଭାର–ହାଣ୍ଡି ଗଢ଼ା ଗଢ଼ି କରୁଥିବା କାର୍ଯ୍ୟ । ଏମାନେ ଓଡ଼ିଶାର ଅଧିକାଂଶ ଅଞ୍ଚଳର ବାସିନ୍ଦା ।

୨୫

ଖଡ଼ୁ ଗଢ଼ା–ଥଟାରୀ ଜାତୀୟ ।

୨୬

ସ୍ୱପଚ–ଚଣ୍ଡାଳ ବା ହାଡ଼ୀ ।

୨୭

ଶୁଣ୍ଠୀ–ଏମାନଙ୍କର କାର୍ଯ୍ୟ ମଦ୍ୟ ବ୍ୟବସାୟ । ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏ ଜାତି ବହୁ ପରିମାଣରେ ଦେଖାଯାଆନ୍ତି ।

୨୮

ବାଉରୀ–ଓଡ଼ିଶାର ସବୁ ଜିଲାରେ ଏହି ଜାତିର ଲୋକେ ଦେଖାଯାଆନ୍ତି । ଏମାନେ କୃଷି କାର୍ଯ୍ୟ କରନ୍ତି । ଏହି ବାଉରୀ ମଧ୍ୟ ରଙ୍ଗଣୀ ବାଉରୀ ବା ତନ୍ତୀ ବାଉରୀ ଭାବରେ କେତେକ ସ୍ଥାନରେ ଦେଖିବାକୁ ମିଳନ୍ତି । Huttonଙ୍କ ଅନୁସାରେ ‘‘A caste of field labourers in Bihar and Bengal’’

୨୯

କେଳା–ଏମାନେ ତିନିପ୍ରକାର । ଯଥା-ଅହିଅ (ସଖୀନଚା), ନଳୁଆ (ନଳଧରି ଶୀକାର କରୁଥିବା), ମାଟିଆ (ମୁଣ୍ଡ ପୋତି ମାଟିରେ ଗଡ଼ି, ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଉଥିବା କେଳା-।)

୩୦

କାଳନ୍ଦୀ–(Very similar to Kullan–efficient in agriculture, expert in thieving robbery etc-Hutton)

୩୧.

ଗୋଖା–ମାଛ ଧରୁଥିବା ଲୋକ ।

୩୨.

କେନ୍ଦଡ଼ା–ସମ୍ଭବତଃ କେନ୍ଦରା ଧରି ବଜାଉଥିବା ଲୋକ ।

୩୩.

ଧୋବା–ଲୁଗା ସଫା କରୁଥିବା ଲୋକ । (Dhobis they wash dirty, particularly menstruausly defied clothes-Hutton)

୩୪.

କେଉଟ–ମାଛ ଧରୁଥିବା ଲୋକ (ଗୋଖା କେଉଟ ଏକ ଜାତି)

୩୫.

ଚୂହାଣ–ଚୌହାନ (ଖଣ୍ଡାୟତ)

୩୬.

ଭୂମିକା–ଭୂୟାଁ (ଶୂଦ୍ରଜାତି-କାର୍ଯ୍ୟ-ଚାଷ) ଏହି ଛତିଶ ପାଟକରୁ ସୃଷ୍ଟି ହୋଇଥିବା ଅସ୍ପୃଶ୍ୟ ଅଠର ପାଟକ ନିମ୍ନରେ ପ୍ରଦାନ କରାଗଲା ।

୩୭.

ଘରମା–ଏ ଜାତି ପୁରୀ ଅଞ୍ଚଳରେ ଦେଖାଯାଆନ୍ତି ।

୩୮.

ଜଙ୍ଗମ–ଏମାନେ ଭାରତର ଦକ୍ଷିଣାଞ୍ଚଳରେ ବସବାସ କରିଥାନ୍ତି (ମହୀଶୂର, ମାଡ଼୍ରାସ ଇତ୍ୟାଦି) ଏମାନେ ପୁରୋହିତ କରନ୍ତି ।

୩୯.

ପାଣ–ଏମାନେ ଓଡ଼ିଶାର ବହୁ ଅଞ୍ଚଳରେ ଦେଖାଯାଆନ୍ତି । ଏମାନେ ବାଉଁଶ ଟୋକେଇ ବୁଣିବା, ଢୋଲ ଇତ୍ୟାଦି ବାଦନ କରିବା ନିମିତ୍ତ ପ୍ରସିଦ୍ଧ । ମାଲବାରର ପାଣମାନେ ମୁଖାପିନ୍ଧି ନାଚନ୍ତି ।

୪୦.

ପଠାଣ–ପରିବର୍ତ୍ତିତ ମୁସଲମାନ

୪୧.

ଫିରିଙ୍ଗୀ–(ଫିରଙ୍ଗି ?)

୪୨.

ସାଉନ୍ତୀ–ଏମାନେ ଓଡ଼ିଶାର ପାହାଡ଼ିଆ ଅଞ୍ଚଳ ଓ ବଣଜଙ୍ଗଲରେ ବସବାସ କରି ରହିଥିବାର ଦେଖାଯାଏ । ଏମାନେ ପଶୁପକ୍ଷୀ ବଧ କରି ଜୀବିକା ନିର୍ବାହ କରନ୍ତି ।

୪୩.

କନ୍ଧ–ଏମାନେ ଆଦିବାସୀ । ଓଡ଼ିଶାର କୋରାପୁଟ, କଳାହାଣ୍ଡି, କେଉଁଝର ଜିଲ୍ଲା ଆଦିରେ ଦେଖାଯାଆନ୍ତି।

୪୪.

ଯୋଗୀ–(ଗୀତପୁଅ) କେନ୍ଦରା ବଜାଉଥିବା ଯୋଗୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଆନ୍ତି । (ଯୋଗ କରୁଥିବା ବ୍ୟକ୍ତିଙ୍କୁ ଯୋଗୀ କୁହନ୍ତି । ଏମାନେ ନାଥ ଧର୍ମାବଲମ୍ବୀ) ଏହାଛଡ଼ା ଆସାମ ଅଞ୍ଚଳରେ ଏକ ତନ୍ତୀଶ୍ରେଣୀୟ ଲୋକ ଦେଖାଯାଆନ୍ତି, ଯେଉଁମାନେ ଜାତିର ଯୋଗୀ । ଏମାନେ ସିଲକ୍ ପୋକ ପାଳନ୍ତି-Hutton

୪୫.

ରାତିଆ–...

୪୬.

ପତର–ପିନ୍ଧା ଜଙ୍ଗଲ ଲୋକ । ଆଦିବାସୀ ।

୪୭.

ଛଡ଼ଆ–

୪୮.

କୁନ୍ଦରା–

୪୯.

ଲୁଣିଆ–

୫୦.

କେଳୁଆ–ଏମାନେ ପ୍ରାୟତଃ କେଳା ।

୫୧.

କାଣ୍ଡବିନ୍ଧା–କାଣ୍ଡ ବିନ୍ଧୁଥିବା ଏକ ବଣୁଆ ଶିକାରୀ ଜାତି ।

୫୨.

ଚମାର–ଓଡ଼ିଶାରେ ଏହି ଜାତିର ଲୋକମାନେ ତାଳ, ନଡ଼ିଆ ଆଦି ଗଛରେ ଛନ୍ଦ ଦେଇ ଚଢ଼ନ୍ତି । କିନ୍ତୁ ଉତ୍ତର ଭାରତ ଓ ମଧ୍ୟ-ଭାରତରେ ଏହି ଜାତୀୟ ଲୋକମାନେ ଚମଡ଼ା କାର୍ଯ୍ୟ କରୁଥିବା ଏକ ଜାତି ବୋଲି ହୁଟନ ତାଙ୍କ ଗ୍ରନ୍ଥରେ କହିଛନ୍ତି ।

୫୩.

ଶତର–(ପ୍ରାୟତଃ ସୁତାର) ଏମାନେ ବଢ଼େଇ କାର୍ଯ୍ୟ କରନ୍ତି । ଭାରତର ଦକ୍ଷିଣାଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ଏହି ଜାତିର ଲୋକେ ବସବାସ କରୁଥିବାର ଦେଖାଯାଏ ।

୫୪.

ଥୁରିକ–ତୁରିକ–ଏମାନେ ଓଡ଼ିଶାର ଆଦିବାସୀ ଲୋକ । ଏମାନେ ଛୋଟନାଗପୁର ଅଞ୍ଚଳରେ ବିଶେଷ ଦେଖାଯାଆନ୍ତି । ଏମାନଙ୍କର କାର୍ଯ୍ୟ ଚାଷ ଓ ଏମାନେ ବାଉଁଶ ଟୋକେଇ ଆଦି ବୁଣନ୍ତି ।

 

ସହାୟକ ଗ୍ରନ୍ଥ

ଗଣେଶ ବିଭୂତି–ବଳରାମ ଦାସ (ଅପ୍ରକାଶିତ)

Castes of India–Hutton

Tribes & Castes–Rislay.

Caste system–Blunt.

Caste and Tribes of Southern India–E. Thruston

Class Caste & Tribe.

Gazzetters of Orissa.

 

***

 

ଗୋପବନ୍ଧୁଙ୍କ ସୃଷ୍ଟିରେ ଧର୍ମପଦ

ଶ୍ରୀ ରବିନାରାୟଣ ଦାଶ

 

(ପୂର୍ବ ପ୍ରକାଶିତ ଉତ୍ତାରୁ)

 

ପାଞ୍ଚବର୍ଷ ଦିନରୁ ଧର୍ମପଦର ଖଡ଼ିଛୁଆଁ ଅର୍ଥାତ୍ ବିଦ୍ୟାରମ୍ଭ ହୋଇଛି ଓ ଗାଁର ଓଝା ଏହା କରାଇଛନ୍ତି । ପିଲାମାନଙ୍କ ବିଦ୍ୟାରମ୍ଭ ଆମ ଦେଶରେ ସାଧାରଣତଃ ପାଞ୍ଚବର୍ଷ ଦିନୁ ହୋଇଥାଏ ଏବଂ ଓଝା, ଅବଧାନ, ବେବର୍ତ୍ତା କିମ୍ବା ଅନ୍ୟ ପ୍ରାଥମିକ ଶିକ୍ଷକମାନେ ଏହାର ଦାୟିତ୍ୱରେ ଥାନ୍ତି । ଅନ୍ତତଃ ଗୋପବନ୍ଧୁଙ୍କ ବାଲ୍ୟ ଜୀବନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏପରି ଥିବାର ସୂଚନା ଆମ୍ଭେମାନେ ଏଥିରୁ ପାଉ । ଧର୍ମପଦର ଶିକ୍ଷା ମଧ୍ୟ ତତ୍କାଳୀନ ଜାତୀୟ ଶିକ୍ଷାର ଦ୍ୟୋତକ । ଗୋପବନ୍ଧୁ ଧର୍ମପଦର ଶିକ୍ଷା- ଗୀତା, ଭଗବତ, ପୁରାଣ ଓ ଚରିତ ଆଦିର ଅଭ୍ୟାସରେ ହୋଇଥିବାର ଜଣାଇଛନ୍ତି । ଏହାହିଁ ତତ୍କାଳୀନ ଶିକ୍ଷା ବ୍ୟବସ୍ଥାର ପ୍ରତିଛବି ଓ ଲୋକଶିକ୍ଷାର ଛାୟା, ଦେଉଳତୋଳା, ପୋଖରୀ ଖୋଳା ଏବଂ କାଠ ପଥରରେ ମୂର୍ତ୍ତି ଗଠନ ଆଦି ଶିଳ୍ପ କୁଳର ନିତ୍ୟକର୍ମ ତଥା ଅଭ୍ୟାସର ସୂଚନା ପ୍ରକାଶ କରେ ।

 

ଧର୍ମପଦ ପିଲାଦିନରୁ ନିଜର ବାପନାମ ଶୁଣିନାହିଁ କି ବାପକୁ ଦେଖିନାହିଁ । ବାପର ନାମ ନଶୁଣି କୌଣସି ବାଳକ ଗାଁ ଗହଳରେ ବଢ଼ିବା ଟିକିଏ ଅସ୍ୱାଭିକ ଭଳି ମନେହୁଏ । ତଥାପି କିମ୍ବଦନ୍ତୀର ଧର୍ମପଦକୁ ଗୋପବନ୍ଧୁ କିମ୍ବଦନ୍ତୀ ସୃଷ୍ଟିକରି ବାପ ଥାଇ ବାପଛେଉଣ୍ଡ ଭଳି ବଢ଼ାଇଛନ୍ତି-। ଦୀର୍ଘ ବାରବର୍ଷ କାଳ ନିଜ ଗାଁରେ ରହି ଧର୍ମପଦ ବାପର ନାଁ ଶୁଣିବାକୁ ପାଇନଥିବାଦ୍ୱାରା ତାର ଅଣବାବୁଆ ଉପାଧି ସଂଗ୍ରହ କରିଛି । ସାଥି ଛାତ୍ରମାନେ ତା ସହିତ ଶିକ୍ଷାରେ ସମକକ୍ଷ ହୋଇନପାରି ଅସହିଷ୍ଣୁତା ପ୍ରକାଶ କରିଛନ୍ତି । କିନ୍ତୁ ସମସ୍ତ ଛାତ୍ର ଅସହିଷ୍ଣୁ ନୁହନ୍ତି କିମ୍ବା ନିଜର ବିଫଳତାର ସେମାନେ ସଫଳର ନିନ୍ଦା କରିବାକୁ ଉଚିତ ମନେକରି ନାହାନ୍ତି । ଏହା ଓଡ଼ିଆ ଜାତୀୟ ଚରିତ୍ରର ଏକ ସୂକ୍ଷ୍ମ ବିଶ୍ଲେଷଣ ପରି ମନେହୁଏ । ବ୍ୟର୍ଥକାମ ସାଥି ଛାତ୍ରଙ୍କ ଅସହିଷ୍ଣୁତା ଓ କେତେକଙ୍କର ଆଦର ଲାଭ କରିବା ଏକ ସଫଳ ବିଦ୍ୟାର୍ଥୀ ପକ୍ଷରେ ସ୍ୱାଭାବିକ୍ । ବାଳକ ସୁଲଭ ଚପଳତା ନେଇ ସେମାନେ ଧର୍ମପଦକୁ ଅପ୍ରତିଭା କରିବାପାଇଁ ଆଣବାବୁଆ କହିବାରେ ବିଚିତ୍ରତା କିଛି ନାହିଁ । ଧର୍ମପଦ ମଧ୍ୟ ନିଜର ବାଳକ ସୁଲଭ ଚରିତ୍ର ପ୍ରକାଶ କରି ସେଥିରେ ଅପମାନିତ ହେବାପରେ ଘରକୁ ଫେରିଆସିଛି । ଅଭିମାନୀ ଶିଶୁ ଘରକୁ ଫେରିଆସି ମା କୋଡ଼ରେ ସାନ୍ତ୍ୱନା ଖୋଜେ । ଏଠାରେ ଗୋପବନ୍ଧୁ ଧର୍ମପଦର ଚରିତ୍ରକୁ ଏକ ଚଳପ ଅଭିମାନୀ ବାଳକର ଚରିତ୍ରରୂପେ ଚିତ୍ରଣ କରିଛନ୍ତି । ଖଡ଼ି ଗଡ଼ିଯିବା ଓ ତାକୁ ଗୋଟାଇବାକୁ ଅନୁରୋଧ କରିବାରେ ସେଥିପାଇଁ ଅପମାନ ପାଇବା ଓ ଫଳସ୍ୱରୂପ ଚପଳ ବାଳକ ଆତ୍ମାଭିମାନରେ ରୁଷିବା ଆଦି ଓଡ଼ିଆ ଲୋକ କାହାଣୀର ଛାୟା ବହନ କରିଥାଏ । ମୂଷାମାଟି ତଥା ଅସ୍ୱସ୍ତିକର ପରିବେଶରେ ରୁଷିଥିବା ପିଲାମାନେ ଶୋଇ ରହିବାର ବର୍ଣ୍ଣନା ସେହି ଲୋକ କଥାମାନଙ୍କରୁ ମିଳିଥାଏ । ଧର୍ମପଦ ଚରିତ୍ରର ରୁଷା ଏବଂ ଅଭିମାନ ଏଥିରୁ ଟିକିଏ ଫରକ ହେଲେ ମଧ୍ୟ ତାହା ଜାତୀୟ ସାହିତ୍ୟର ଅନୁସରଣ କରିଅଛି । ଧର୍ମପଦ ମା’କୁ ବାପର ଠିକଣା ଓ ତା କୁଳର ଐତିହ୍ୟ ସମ୍ପର୍କରେ ପ୍ରଶ୍ନକରି ବାପର ଠିକଣା ଜାଣିବା ପରେ ଚନ୍ଦ୍ରଭାଗା ତୀର୍ଥକୁ ଯିବାପାଇଁ ଜିଦ୍ କରିଛି । ଜିଦ୍ କରିବା ପ୍ରତ୍ୟେକ ଶିଶୁର ସହଜାତ ପ୍ରକୃତି ଏବଂ ଗୋପବନ୍ଧୁ ଧର୍ମପଦ ଚରିତ୍ରରେ ଯେଉଁ ବାଲ୍ୟ ଚପଳତା, ରୁଷା, ଜିଦ୍, ଜିଜ୍ଞାସା ଓ କୌତୁହଳ ଆଦି ଫୁଟାଇଛନ୍ତି ତାହା ଶିଶୁ ଚରିତ୍ରର ଏକ ଅଭିନବ ସୃଷ୍ଟି । ଧର୍ମପଦ ଚରିତ୍ରର ପରିପୂରକ ଚରିତ୍ରରୂପେ ତା’ର ମାଆ ଚରିତ୍ରର ସୃଷ୍ଟି କରାଯାଇଛି । ଏହା ଅପତ୍ୟ ସ୍ନେହୀ ଅଳିଝଳି ପୂରଣ ତତ୍ପରା ମା’ର ଚରିତ୍ର । ସେ ପୁଅର ସମସ୍ତେ ସୁଖରେ ସୁଖୀ, ଦୁଖରେ ମ୍ରୀୟମାଣା ଏବଂ ସମ୍ମାନ ହାନିରେ ଅସହିଷ୍ଣୁ ଭାବ ପ୍ରକାଶ କରିଥାଏ । ଧର୍ମପଦ ଘରୁ ବାହାରି ଚନ୍ଦ୍ରଭାଗା ତୀର୍ଥକୁ ଯିବା ପର୍ଯ୍ୟନ୍ତ ଗୋପବନ୍ଧୁ ତାକୁ ଏକ ଚପଳ ବାଳକର ଭୂମିକାରେ ରଖିଛନ୍ତି । ଚନ୍ଦ୍ରଭାଗାରେ ଯିବା ବାଟରେ ସେ ଏକ କ୍ରୀଡ଼ାରତ ଚପଳ ବାଳକ ଏବଂ ଗୁଡ଼କଙ୍କ ପଛରେ ଧାଇଁବାରେ ତାହା ବେଶ ପ୍ରକଟିତ କରିଥାଏ । ଘରୁ ବାହାରି ଚନ୍ଦ୍ରଭାଗା ତୀର୍ଥକୁ ଯିବା କାଳରେ ସେ ଯେପରି ଏକ ସାହସୀ ବାଳକର ଭୂମିକାରେ ଅବତୀର୍ଣ୍ଣ ହୋଇଅଛି କିନ୍ତୁ ବାଲ୍ୟ ଚପଳତା ଛାଡ଼ି ପାରିନି । ଏହା ଧର୍ମପଦ ଚରିତ୍ରରେ ବିରୋଧାଭାସ ପ୍ରକଟିତ କରିଥାଏ । ବାଟ ଘାଟରେ ନିଜର ପରିଚୟ ଦେବାକୁ ଯାଇ ସେ ‘‘ଚନ୍ଦ୍ରଭାଗା ଯାତ୍ରୀ ଧର୍ମପଦ’’ ବୋଲି ବିଭିନ୍ନ ସ୍ଥାନରେ ଲେଖିଅଛି । ସେକ୍‍ସପିୟରଙ୍କ ନାଟକରେ ବାଟରେ ଥିବା ଗଛମାନଙ୍କ ଦେହରେ ଏପରି ନାମୋଲ୍ଲେଖର ବର୍ଣ୍ଣନା ଦେଖିବାକୁ ମିଳେ (As you like it) । ଗୋପବନ୍ଧୁଙ୍କ ଚିନ୍ତାରେ ଏହାର ଛାୟା ଭାରତୀୟ ସଂସ୍କୃତି ମଧ୍ୟରେ ରୂପାନ୍ତରୀତ ହୋଇ ତୀର୍ଥଯାତ୍ରୀମାନଙ୍କ ନାମ ତୀର୍ଥକ୍ଷେତ୍ରରେ ଉଲ୍ଲେଖ ରହୁଥିବାର ଚେତନା ବହନକରି ପରିବର୍ତ୍ତିତ ପରିସ୍ଥିତିରେ ରୂପ ପାଇଛି । ଏଥିରେ ଧର୍ମପଦର ଚଳପତା ଓ ଓଡ଼ିଆ ଜାତିର ଏକ ସାମାଜିକ ଧର୍ମୀୟ ଚଳଣୀ ସମାନ ଭାବରେ ପରିସ୍ଫୁଟ ହୋଇଅଛି-। ଧର୍ମପଦ ସାଥିରେ ଥିବା ବଳିଆ କୁକୁରର ଚପଳ ଆଚରଣ ଧର୍ମପଦ ଚରିତ୍ରର ଛାୟା ବହନ କରିଥାଏ ଏବଂ ତାର ଚପଳତାର ଏକ ସହରଚିତ୍ରରୂପେ ଦୃଷ୍ଟିଗୋଚର ହୁଏ । ଚନ୍ଦ୍ରଭାଗାରେ ବାରଶହ ବଢ଼େଇଙ୍କ କର୍ମ କ୍ଷେତ୍ରରେ ପହଞ୍ଚିବା ପରେ ଧର୍ମପଦ ଅଚିହ୍ନା ସ୍ଥାନର ସଂକୋଚ ଏବଂ ଲଜ୍ଜାରେ ବୁଡ଼ିଯାଇଛି । ଏହି ସାଧାରଣ ଲଜ୍ଜା ଅନୁଭବର ଫଳସ୍ୱରୂପ ସେ ଅନ୍ୟକୁ ତାର ବାପର ଠିକଣା ପଚାରିବାପାଇଁ ସଂକୁଚିତ ହୋଇଛି । ଏହା ଗୋପବନ୍ଧୁଙ୍କର ଚରିତ୍ର ସୃଷ୍ଟିରେ ଥିବା ଅନ୍ତଃଦୃଷ୍ଟି ବିଷୟରେ ସୂଚନା ଦିଏ । ପରେ ସୁଚତୁର ଧର୍ମପଦ କୋଳି ବିକିବା ବାହାନାରେ ନିଜର ପରିଚୟ ଦେବାକୁ ଚେଷ୍ଟା କରିଛି । ବାରଶହ ବଢ଼େଇଙ୍କ ମଧ୍ୟରେ କୋଳି ବିକ୍ରି କରୁଥିବା ଗୋଟିଏ ବାଳକର ତାର ପିତାଙ୍କୁ ଖୋଜି ଠାବ କରିବା ଯେପରି ଅସମ୍ଭବ ସେହିଭଳି ଏତେ ଅଧିକ କୋଳି ବହନ କରି ନିଜ ଘରଠାରୁ କେତେଦିନର ପାଦଚଲାରେ ଆସି ଚନ୍ଦ୍ରଭାଗା ତୀର୍ଥରେ ପହଞ୍ଚିବା ମଧ୍ୟ ଅନ୍ୟ ଶଂସୟ ଜନକ ବ୍ୟାପାର । ସେ ଯାହାହେଉ ବାପକୁ ଇତସ୍ତତ ହୋଇ ଖୋଜିବା ପରେ ତା’ର ବାପ ସହିତ ଭେଟ ହୋଇଅଛି । ଏଠାରୁ ଧର୍ମପଦର ବାଳକତ୍ୱ ଲୋପ ପାଇଛି ।

 

ଧର୍ମପଦ ବାପକୁ ସାକ୍ଷାତ କରିବା ପରେ ବାପ ପୁଅଙ୍କ କଥୋପକଥନ ଅତି ଅଳ୍ପ ସମୟ ପର୍ଯ୍ୟନ୍ତ ହୋଇଅଛି । ଏଥିରେ କେହି କାହାକୁ ଜାଣିବାପାଇଁ ବିଶେଷ ସମୟ ନଷ୍ଟ କରିନାହାନ୍ତି । ଗୋପବନ୍ଧୁ ଏ ବିଷୟରେ ସଚେତନ ଥାଇ ରାଜାଦେଶରେ ମନ୍ଦିର ପୂରଣପାଇଁ ଧାର୍ଯ୍ୟ ହୋଇଥିବା ଦିନ ସମ୍ପର୍କରେ ସୂଚନା ଦେଇ ଏ ସାକ୍ଷାତ୍‌କାରର କଥୋପକଥନକୁ ଅପେକ୍ଷାକୃତ ସଂକ୍ଷେପ କରିଛନ୍ତି ଏବଂ ବାପର ସେଥିପାଇଁ ଉଦ୍‌ବେଗର ସଂଯୋଜନା କରି ତାହାକୁ ଦ୍ରୁତ ଭାବରେ କ୍ଷଣସ୍ଥାୟୀ କରିଛନ୍ତି । ଗୋପବନ୍ଧୁଙ୍କ ବ୍ୟକ୍ତିଗତ ଜୀବନର ଏଭଳି କଥୋପକଥନର ଅବକାଶ ଥିବାର ପ୍ରମାଣ ପ୍ରାୟ ନ ଥିବା ହେତୁ ଏପରି ମିଳନ ମୁହୂର୍ତ୍ତର ସଂଳାପ ସଂଯୋଜନା ସୀମିତରୂପେ ପ୍ରକାଶ ପାଇଥିବାର ମନେହୁଏ । ସେଥିପାଇଁ ସେ ଅତିଶୀଘ୍ର ପରିଣାମ ଆଡ଼କୁ କାବ୍ୟର ଘଟଣା ସ୍ରୋତକୁ ଟାଣି ନେବାପାଇଁ ବ୍ୟଗ୍ର ହୋଇଛନ୍ତି। ହୁଏତ ଏଥିପାଇଁ ପଣ୍ଡିତ ନୀଳକଣ୍ଠ ଧର୍ମପଦ କାବ୍ୟରେ ନାଟକୀୟତା ନାହିଁ ବୋଲି ଆକ୍ଷେପ କରିଛନ୍ତି । ପଣ୍ଡିତ ଗୋପବନ୍ଧୁ ଧର୍ମପଦ କାବ୍ୟ ତଥା ତା’ର ଚରିତ୍ରରେ ନାଟକୀୟତାର ସନ୍ନିବେଶ କରିବାପାଇଁ ଆଗ୍ରହୀ ନ ଥିଲେ । ସେ ଧର୍ମପଦ ଚରିତ୍ର ମାଧ୍ୟମରେ ସରଳ ଜାତୀୟ ସାହିତ୍ୟର ସୃଷ୍ଟି ତଥା ଜାତୀୟ ଆଦର୍ଶର ପରିପ୍ରଚାରପାଇଁ ଉଦ୍ୟମ କରିଥିଲେ । ଏହି ଜାତୀୟ ଆଦର୍ଶ ସମସ୍ତ ମିଥ୍ୟା, ପ୍ରବଞ୍ଚନା, ଅସହିଷ୍ଣୁତା ଆଦିର ବିଲୋପ ନିମିତ୍ତ ସତ୍‌ର ଆତ୍ମତ୍ୟାଗରେ ପରିସ୍ଫୁଟ କରାଇବା ତାଙ୍କର ବାସନା ଥିଲା । ସେଥିପାଇଁ ହୁଏତ ଧର୍ମପଦରେ ନାଟକୀୟ କାବ୍ୟାଦର୍ଶର ପରାକାଷ୍ଠା ଦେଖିବାକୁ ମିଳେ ନାହିଁ । ଅନ୍ୟ ପକ୍ଷରେ ତାଙ୍କ କାବ୍ୟାଦର୍ଶ ମୁଖ୍ୟ ଚରିତ୍ର ବା ନାୟକର ଆଦର୍ଶ ଆତ୍ମ ବଳିଦାନରେହିଁ ପ୍ରକଟିତ ହୋଇଅଛି । ଗୋପବନ୍ଧୁ ପିତାପୁତ୍ରଙ୍କ ପ୍ରଥମ କଥାବାର୍ତ୍ତାରେ ଶିଳ୍ପମାନଙ୍କର ଦୁର୍ଗତି, ଧର୍ମପଦର ପିତାଙ୍କ ଦୁର୍ଗତି ବିଷୟ ଉତ୍‌ଥାପନ କରିଛନ୍ତି ଓ ତାହା ଶୁଣି ଧର୍ମପଦ ମର୍ମାହତ ହୋଇଅଛି । ଏହା ଜାତୀୟ ତଥା ବ୍ୟକ୍ତି ବିଶେଷର ପରିପୂରକ ଦୁର୍ଗତିର ସୂଚନା ପ୍ରଦାନ କରିଥାଏ । ଏହି ପରିସ୍ଥିତିରେ କାବ୍ୟର ନାୟକ ଧର୍ମପଦ କର୍ତ୍ତବ୍ୟହିଁ ଉପସ୍ଥାପିତ ହେବାର କଥା ଓ ତାହାହିଁ ପଣ୍ଡିତ ଗୋପବନ୍ଧୁ କରିଛନ୍ତି । ଏଥିରେ ଧର୍ମପଦର ବାଳକ ସୁଲଭ ନୈରାଶ୍ୟ ଆସିବା ପରିବର୍ତ୍ତେ ସେ ପ୍ରତିକାରପାଇଁ ସାହାଯ୍ୟ କରିବାକୁ ଆଗ୍ରହୀ ହୋଇ ଉଠିଛି । ସେଥିପାଇଁ ସେ ଶିଳ୍ପୀ ସମାଜର ମନ୍ତ୍ରଣା ସଭାକୁ ଯାଇ ସେଠାରେ ହେଉଥିବା ଗୂଢ଼ ଆଲୋଚନା ଶୁଣିବା ନିମିତ୍ତ ପିତାଙ୍କୁ ଅନୁରୋଧ କରିଅଛି । ପିତା ପୁତ୍ର ଉଭୟେ ଏହି ଆଲୋଚନା ସଭାରେ ଯୁକ୍ତିତର୍କ କରି ତର୍କବିତର୍କରେ ଅଂଶ ଗ୍ରହଣ କରିଛନ୍ତି । ଏଠାରେ ଧର୍ମପଦ ଓ ତା’ର ବାପ କିପରି କେଉଁ ତଥ୍ୟ ଉପରେ ଗୁରୁତ୍ୱ ଦେଇ ଆଲୋଚନାର ଭାଗନେଲେ ସେ ସମ୍ପର୍କରେ କିଛି ସୂଚନା ଧର୍ମପଦ କାବ୍ୟରେ ନାହିଁ । କେବଳ ଶିଳ୍ପୀମାନେ ରଥ ମନ୍ଦିର ନିର୍ମାଣ ଓ ଚୁମ୍ବକତତ୍ତ୍ୱର ଆଦି ଉପରେ ଶାସ୍ତ୍ର ପ୍ରମାଣ ଦର୍ଶାଇ ଆଲୋଚନା କରିଥିବାର ଉଲ୍ଲେଖ ଦେଖାଯାଏ । ଧର୍ମପଦର କୃତିତ୍ୱ ସମ୍ପର୍କରେ ପୂର୍ବ ସୂଚନା କେବଳ ତା’ର ଧୂଳିଖେଳ ଓ ସ୍ମରଣ ଶକ୍ତିର ପ୍ରଖରତା ବ୍ୟତୀତ ଅନ୍ୟ କୌଣସିଠାରେ ପ୍ରକଟିତ ହୋଇନାହିଁ । ତେଣୁ ଗୋପବନ୍ଧୁ ଧର୍ମପଦର କୃତିତ୍ୱ ସୂଚନାକୁ ଏକ ଗୌଣ ଭୂମିକାରେ ରଖିଛନ୍ତି । ଏହାର କାରଣ ଗୋପବନ୍ଧୁ କୃତିତ୍ୱ ଅପେକ୍ଷା ଭବିଷ୍ୟତର ଆତ୍ମତ୍ୟାଗପାଇଁ ଧର୍ମପଦ ଚରିତ୍ରକୁ ସୃଷ୍ଟି କରିଛନ୍ତି । ତେଣୁ ତା’ର କୃତିତ୍ୱ, ଶିଳ୍ପଶାସ୍ତ୍ର ଜ୍ଞାନର ଗଭୀରତା ଏବଂ ପିତୃ ସ୍ନେହର ଆକାଙ୍‌କ୍ଷା ଆଦି ପରିବର୍ତ୍ତେ ତା’ର ଆତ୍ମତ୍ୟାଗ, ତା’ର ଈଶ୍ୱର ଭକ୍ତି ଓ ତା’ର ଜାତୀୟ ସମ୍ମାନ ବିଶେଷ ଭାବରେ ପରିସ୍ଫୁଟ ହୋଇଅଛି । ଶିଳ୍ପୀମାନଙ୍କର ଆଲୋଚନା କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରିବାକୁ ଧର୍ମପଦ ବିନୟର ସହିତ ନିଜେ ଏ କାର୍ଯ୍ୟ ଦିନକ ମଧ୍ୟରେ କରିଦେବାପାଇଁ ଅନୁମତି ମାଗିଛି । ଏଥିରେ ଗୋପବନ୍ଧୁ କାର୍ଯ୍ୟ ନିର୍ବାହପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ତଥା ଯୁକ୍ତିତର୍କରେ କାଳାତିପାତ ଅପେକ୍ଷା ନିର୍ମାଣପାଇଁ ଆନ୍ତରିକ ପ୍ରଚେଷ୍ଟା ତଥା ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ ଦେଇଛନ୍ତି । ଶିଳ୍ପୀକୁଳ ଏହି ସବିନୟ ପ୍ରତିକ୍ରିୟା ଯେପରି ପ୍ରକାଶ କରିଛନ୍ତି ତାହା ଓଡ଼ିଆ ଜାତୀୟ ଜୀବନର ନାଡ଼ି ଚିପିଥିବା ଗୋପବନ୍ଧୁଙ୍କର ମାନବ ଚରିତ୍ର ଅଧ୍ୟୟନରେ ଥିବା ଅନ୍ତର୍ଭେଦ ଦୃଷ୍ଟିର ସୂଚନା ଦିଏ । ଏହି ଅନୁମତି ସୂଚକ ପ୍ରତିକ୍ରିୟା-ସବୁ ପ୍ରକାଶ କରିଛନ୍ତି । ଲୋକ ପ୍ରକୃତିର କେତେକ ଜାତୀୟତା ପରିପନ୍ଥି ବାସ୍ତବ ପ୍ରତିଛବି ଏଥିରେ ସ୍ପଷ୍ଟ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଏହା ଓଡ଼ିଆ ଜାତୀୟତା ଅବନତିର କାରଣ ସୂଚାଉ ଅଛି । ଏସବୁ ସତ୍ତ୍ୱେ ଦଣ୍ଡ ଭୟରେ ଜାତି ଭାଇମାନେ ଧର୍ମପଦକୁ ଦେଉଳ ମୁଦିବାପାଇଁ ଅନୁମତି ଦେଇଛନ୍ତି ଓ ସେ କାର୍ଯ୍ୟ ଶେଷ ହୋଇଛି । ମନ୍ଦିର ନିର୍ମାଣ କ୍ଷେତ୍ରରେ ଧର୍ମପଦର ଅସମାନ୍ୟ କୃତିତ୍ୱ ଏହିଠାରେହିଁ ପ୍ରକଟିତ ହୋଇଛି । କିନ୍ତୁ ଜାତି ଚରିତ୍ରର ଏକ ସ୍ୱାର୍ଥ ପ୍ରଣୋଦିତ ଜଘନ୍ୟ ମନୋବୃତ୍ତି ଦେଖା ଦେଇଛି । ଏହା ସଫଳତା ତଥା ସଫଳ କୃତିର ଅଧିକାରୀ ହେବାପାଇଁ ନାରକୀୟତାର ବାତାବରଣ ସୃଷ୍ଟି କରିଛି । ଏଭଳି ମନୋବୃତ୍ତି ବ୍ୟକ୍ତି ବିଶେଷର ଚରିତ୍ରରେ ପ୍ରକଟିତ ହେଲେ ତାହା ଦମନ କରାଯାଇ ପାରେ । ମାତ୍ର ଜାତୀୟ ଚରିତ୍ରରେ ପ୍ରକଟିତ ହେଲେ ଏହା ଏକ ଜାତୀୟ ବିଷାଦର କାରଣ ହୋଇଥାଏ । ଆଶଙ୍କା ଏବଂ ଅସହିଷ୍ଣୁତା ଜାତୀୟ ଉନ୍ନତି ପକ୍ଷରେ ଅତୀବ କ୍ଷତିକାରକ ଓ ଭୟାନକ ଏପରି ଏକ ଅବସ୍ଥାରୁ ଜାତିକୁ ରକ୍ଷାକରିବା ନିମିତ୍ତି ଧର୍ମପଦ ଆପ୍ରାଣ ଚେଷ୍ଟା କରିଛି । ନିଜର କର୍ମ ଜାତିର କର୍ମ ବୋଲି ସୂଚନା ଦେଇ ଜାତିର ନିର୍ଦ୍ଦେଶରେ ନିଜେ କାର୍ଯ୍ୟ କରିଥିବା କଥା ପ୍ରକାଶ କରିଛି । ଏଥିରେ ଜାତିଭାଇ ସନ୍ତୁଷ୍ଟ ନ ହେବାରୁ ଓ ସେମାନଙ୍କ ମୃତ୍ୟୁର ଆଶଙ୍କା ପ୍ରକାଶ କରିବାରୁ ଧର୍ମପଦ କର୍ମ କ୍ଷେତ୍ରରୁ ଦୂରକୁ ଚାଲିଯାଇ ଏ ରହସ୍ୟ ପ୍ରକାଶ ନ କରିବାକୁ ନିଜର ସଦଭିପ୍ରାୟ ଓ ଦୃଢ଼ ପ୍ରତିଶ୍ରୁତି ସେମାନଙ୍କ ନିକଟରେ ରଖିଛି । କିନ୍ତୁ ଏହା କୁଳ କାରିଗରମାନଙ୍କ ପକ୍ଷେ ଗ୍ରହଣୀୟ ହୋଇନାହିଁ । ଈର୍ଷାଜନିତ ସମାଜର ଭଲ କାର୍ଯ୍ୟର ଆଦର ଆସିବା ଏକାନ୍ତ ଅସମ୍ଭବ ଓ ଯୋଗ୍ୟତା ସମୁଚିତ ସମ୍ମାନ କରିବା ମନୋବୃତ୍ତି ପରିବର୍ତ୍ତେ ତା’ର କୁତ୍ସା ରଟନା ସହିତ ତା’ପାଇଁ ଘୃଣା ଓ ତା’ର ନିଧନ ନିମିତ୍ତ ଉଦ୍ୟମ ହେବାହିଁ ସ୍ୱାଭାବିକ୍ । ତେଣୁ ଧର୍ମପଦ ନିଜର ପ୍ରାଣ ଉତ୍ସର୍ଗ କରିବାର ଶପଥ ମନେ ମନେ ଗ୍ରହଣ କରିଅଛି । ଏହି ଶପଥର ସଂକେତ ଆମ୍ଭେମାନେ ବାପ ପୁଅଙ୍କ ଶେଷ ପର୍ଯ୍ୟାୟ କଥୋପ କଥନରେ ପାଉ ।

 

ଧର୍ମପଦ ପ୍ରାଣ ଉତ୍ସର୍ଗ କରିବାପାଇଁ ନିଶ୍ଚୟ କରି ବାପାଙ୍କଠାରୁ ଯେଉଁ ଅନୁମତି କାମନା କରିଛି ତାହା ପିତାପୁତ୍ରଙ୍କ ହୃଦୟରେ ସୃଷ୍ଟି ହେଉଥିବା ବିଭିନ୍ନ ଭାବାନ୍ତରର ସଂଘର୍ଷରେ ପ୍ରତିଫଳିତ ହୋଇଚି । ଏଥିରେ ଗୋପବନ୍ଧୁଙ୍କ ପିତୃ ହୃଦୟ ମୃତପ୍ରାୟ ଶିଶୁପାଇଁ ଅନୁଭବ କରିଥିବା ବ୍ୟଥା ଓ ତାର ବଞ୍ଚି ରହିବାର ଗୁରୁତ୍ୱ ସପକ୍ଷରେ ନିଜର ମନକୁ ସୃଷ୍ଟିକରି ପୁଣି ତାର ମୃତ୍ୟୁରେ ନିଜକୁ ସାନ୍ତ୍ୱନା ଦେବାକୁ ଯେଉଁ ସୂତ୍ର ଖୋଜିଛି ତାହା ଅନବଦ୍ୟ ସ୍ୱର୍ଗତୋକ୍ତିରେ ଭରା । ସେ ନିଜେ ନିଜର କର୍ତ୍ତବ୍ୟ, ପରପାଇଁ ଆତ୍ମତ୍ୟାଗ ଓ ସେ ଆତ୍ମତ୍ୟାଗରେ ନିଜର ତଥା ଜାତିର ଗୌରବହିଁ ଦେଖିଛନ୍ତି-। ସେଥିପାଇଁ ସେ ପ୍ରାଚୀନ ଭାରତୀୟ ଶାସ୍ତ୍ରମାନଙ୍କରେ ବ୍ୟକ୍ତ ହୋଇଥିବା ଆତ୍ମତ୍ୟାଗର ଆଦର୍ଶବାଣୀକୁ ନିଜ ଆଖି-ଆଗରେ ତଥା ଦେଶ ନିକଟରେ ରଖିଛନ୍ତି । ଏହା ତାଙ୍କ ହୃଦୟର ଏକ ପ୍ରଚ୍ଛନ୍ନ ଉକ୍ତି ଏବଂ ପ୍ରବୀଣ ଧୈର୍ଯ୍ୟବାନ ତ୍ୟାଗୀ ହୃଦୟର ଉକ୍ତରୂପେ ପ୍ରକଟିତ । ଧର୍ମପଦ ଭଳି ଏକ ଚପଳ ବାଳକ-ସୁଲଭ ଚରିତ୍ରରେ ତାହାର ସ୍ଫୁରଣ ଅସ୍ୱାଭାବିକ ମନେହୁଏ । ପଣ୍ଡିତ ଗୋପବନ୍ଧୁ ଏ ବିଷୟରେ ସଚେତନା ଥିବାର ମନେହୁଏ । ସେଥିପାଇଁ ସେ ସୃଷ୍ଟି କରିଥିବା କୃତିତ୍ୱର ସଫଳତାରେ ମହୀୟାନ, ବୀର, ତ୍ୟାଗୀ ଚରିତ୍ରଟିର ସମାନ୍ତରାଳ ଅନ୍ୟ ବାଳକ ଚରିତ୍ରମାନଙ୍କୁ ଖୋଜିଛନ୍ତି ଓ ବେଦାନ୍ତ, ଉପନିଷ୍‌ଦ, ପୁରାଣ ତଥା ବର୍ତ୍ତମାନର ସମାଜ ଆଦିରୁ ସେମାନଙ୍କୁ ଆଣି ସାକ୍ଷ୍ୟ ରୂପରେ ପାଠକମାନଙ୍କ ହୃଦ୍‌ବୋଧ କରାଇବାର ଆୟୋଜନ କରିଛନ୍ତି । ଧର୍ମପଦ କାବ୍ୟର ଭୂମିକା ଓ ଧର୍ବପଦର ପିତାଙ୍କ ପ୍ରତି ଭକ୍ତିରେ ଏହା ପ୍ରତିଫଳିତ । ଆଦର୍ଶ ନିମିତ୍ତ ନିଜର ପୁତ୍ରକୁ ବଳି ଦେବାର କାହାଣୀ ପ୍ରାଚୀନ ହିନ୍ଦୁ ଶାସ୍ତ୍ର ଆଜି ବି ଘୋଷଣା କରନ୍ତି । ପଣ୍ଡିତ ଗୋପବନ୍ଧୁଙ୍କ ନିକଟରେ ତାହାର ଛାୟା ଓ ମାୟା ଏକାଭୂତ ହୋଇଥିବା ପରିଲକ୍ଷିତ ହୁଏ । ଧର୍ମପଦ ବାପାଙ୍କଠାରୁ ଦୁଃଖପୂର୍ଣ୍ଣ ଆଶୀର୍ବାଦ ଗ୍ରହଣ କରି ନିଜକୁ ଉତ୍ସର୍ଗ କରିବାପାଇଁ ପ୍ରସ୍ତୁତ କରିଛି ଓ ସେଥିରେ ନିଜକୁ ବିଶ୍ୱ-ଚେତନାରେ ଉତ୍ସର୍ଗ କରି ସଂକୀର୍ଣ୍ଣତା ମଧ୍ୟରେ ଅସୀମତ୍ୱ ଲାଭପାଇଁ ଉଦ୍ୟମ କରିଛି । ପରିଶେଷରେ ନିଜକୁ ଜାତି ନିମିତ୍ତ ଆତ୍ମବଳି ଦେଇଛି । ଗୋପବନ୍ଧୁ ନିଜର ଜେଲ ଜୀବନ କାଳରେ ଧର୍ମପଦ ଚରିତ୍ର ସୃଷ୍ଟି କରିଛନ୍ତି । ଦେଶର ମୁକ୍ତି ନିମିତ୍ତ ନିଜର ଜୀବନ ପଣକରି ସେ ଏ କାର୍ଯ୍ୟ ସମ୍ପାଦନ କରିବାକୁ ସ୍ଥିର କରିଛନ୍ତି । ତେଣୁ ପରିଣତ ବୟସରେ ଦେଶପାଇଁ କାରାଗାର ବରଣ ଓ ସେଥିରେ ଭୋଗ କରିଥିବା ଦୁଃଖ, କଷ୍ଟ, ନିର୍ଯାତନା ତାଙ୍କର ଦେଶ ମୁକ୍ତିପାଇଁ ସଂକଳ୍ପକୁ ଆହୁରି ଦୃଢ଼ କରିଅଛି । ଦୀର୍ଘ ଜେଲ ଜୀବନ ତାଙ୍କ ମୁକ୍ତିର ଆଶାକୁ ଯେତେବେଳେ ଦୂର ପରାହତ କରିଅଛି ସେ ସେତେବେଳେ ଅଧିକ ଦେଶ ପ୍ରେମର ବହ୍ନିରେ ନିଜକୁ ଜଳାଇଛନ୍ତି । ସେଥିପାଇଁ ଜେଲ ଜୀବନ କାଳରେ ସୃଷ୍ଟି ହୋଇଥିବା ତାଙ୍କର ଦୃଢ଼ ଆତ୍ମବିଶ୍ୱାସ, ସ୍ଥିର ସିଦ୍ଧାନ୍ତ (ଦେଶପାଇଁ ଆତ୍ମବଳିଦାନର ପ୍ରତିଜ୍ଞା) ଧର୍ମପଦ ଚରିତ୍ରରେ ପ୍ରତିଫଳିତ ହୋଇଅଛି । ସେଥିପାଇଁ ଗୋପବନ୍ଧୁ ଧର୍ମପଦ କାବ୍ୟରେ ନଚିକେତା, ଧ୍ରୁବ, ପ୍ରହ୍ଲାଦ, ଦଧୀଚି, ଅଭିମନ୍ୟୁ, ଶିବ ପ୍ରଭୃତି ସାଧକ ତଥା ରାଜନ୍ୟ ବର୍ଗଙ୍କର ଉଦାହରଣ ଧର୍ମପଦ ତୁଣ୍ଡରେ ପ୍ରକାଶ କରିଛନ୍ତି । ଆତ୍ମୋତ୍ସର୍ଗର ଅର୍ଥ ଜୀବନ ବିନିମୟରେ ବହୁ ଲୋକଙ୍କର ବହୁ ଉପକାର କରିବା । ଦଧୀଚି ଚରିତ୍ରର ଏହି ଆଦର୍ଶ ଓ ବୈଶିଷ୍ଟ୍ୟ ତାଙ୍କ ଜୀବନରେ ଏପରି ରେଖାପାତ କରିଅଛି ଯେ ସେ ଧର୍ମପଦର ଉକ୍ତିରେ ଏହାର ଆଦର୍ଶ ସ୍ଥାପନ କରି କହିଛନ୍ତି–

 

‘‘ବାରଶ ବଢ଼ାଇ            ମୁହଁକୁ ଅନାଇ

ମୋ ମମତା ଏବେ ଛାଡ଼,

ଜାଣ ଏ ଦେଉଳୁଁ      ଗଡ଼ି ମରିଛି ମୁଁ

ଭାଙ୍ଗି ମଥା ବୁକୁହାଡ଼ ।’’

 

ପୁଣି ଧର୍ମପଦ କାବ୍ୟର ଅନ୍ୟତ୍ର ସେ କହିଛନ୍ତି-

 

‘‘ନଦୀ ଗିରି ବନେ            ସାଗର କାନନେ

ମିଶିଗଲା ହାଡ଼ ମାଂସ,

ଧର୍ମପଦ ନାମ            କାଳ ସିନ୍ଧୁ କଲା

ବିସ୍ମୃତି ଗରଭେ ଗ୍ରାସ ।’’

ଏହି ଉକ୍ତିର ପ୍ରତିଧ୍ୱନି ଆମ୍ଭେମାନେ ଦେଖିବାକୁ ପାଇବା ବନ୍ଦୀର ଆତ୍ମ କଥାରେ,–

 

‘‘ଦେଶର ସ୍ୱରାଜ ପଥେ ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।’’

 

ଧର୍ମପଦ ଚରିତ୍ରର ଅନ୍ୟ ଗୋଟିଏ ବିଶିଷ୍ଟ ଧାରା ହେଉଛି ତାର ତ୍ୟାଗ, ଆଦର୍ଶ ଓ ଅନୁଚିନ୍ତା । ଏଥିରେ ବିଭିନ୍ନ ଦାର୍ଶନିକ ଭାବର ସଂଯୋଜନା କରି ଗୋପବନ୍ଧୁ ଭାରତୀୟ ପ୍ରାଚୀନ ସଂସ୍କୃତି ତଥା ଦର୍ଶନକୁ ଉନ୍ନତ ଆସନରେ ଅବସ୍ଥାପିତ କରିଛନ୍ତି । ତ୍ୟାଗ ନିମିତ୍ତ ଜ୍ଞାନ ଓ ଭକ୍ତିର ସହିତ କର୍ମକୁ ଉଚ୍ଚସ୍ଥାନ ଦେଇ ଗୋପବନ୍ଧୁ ‘ଧର୍ମପଦ’ର ଷଷ୍ଠ ଅଧ୍ୟାୟରେ ଗୀତାର ଦର୍ଶନକୁ ଧର୍ମପଦର ଭକ୍ତିରେ ଅତି ସୁନ୍ଦର ଭାବରେ ବୁଝାଇଛନ୍ତି । ନିଜର କୁଳ କର୍ମରେ ନିୟୋଜିତ ଥାଇ ସେହି କର୍ମ ଭକ୍ତିର ସହିତ ସମ୍ପାଦନ କରି ଏବଂ ସେ କର୍ମ ଜନତା ବା କୁଳ ଜନାର୍ଦ୍ଦନଙ୍କ ନିମିତ୍ତ ଅର୍ପଣ କରି ଧର୍ମପଦ ନିଜର ସତ୍ତା ଲୋପ କରିବାପାଇଁ ସ୍ଥିର କରିଛି । ଏହା ମଧ୍ୟ ଗୀତାରେ ବର୍ଣ୍ଣିତ ନିଃଶ୍ୱାସ ପୁରୁଷାର୍ଥ କର୍ମ । ଏହାଦ୍ୱାରା ଜାତି ଓ କୁଳରକ୍ଷା ହେବ । କର୍ମରେ ଆତ୍ମଜ୍ଞାନ ଲୋପ ହେଲେ ତାହା ଈଶ୍ୱରଙ୍କ କର୍ମରୂପେ ଅଭିହିତ ହୋଇଥାଏ । ସେଥିପାଇଁ ଆତ୍ମତ୍ୟାଗ ଆବଶ୍ୟକ । ‘ଧର୍ମପଦ’ର ସପ୍ତମ ଅଧ୍ୟାୟରେ ଧର୍ମପଦ ଏହା ବୁଝାଇବାକୁ ଯାଇ କୁଳ ନିମିତ୍ତ ତ୍ୟାଗ ଏବଂ ସେଥିରେ ବର୍ଦ୍ଧକୀ କୁଳର ତ୍ରାଣ ବା ଉଦ୍ଧାରର ସୂଚନା ଦେଇଅଛି । ଯଜ୍ଞଫଳର ରକ୍ଷା ଓ ହିଂସା ରୂପକ ମହାପାତକରୁ ରକ୍ଷା ଓ ମାୟାମୋହ-ଅନ୍ଧକାରରୁ ରକ୍ଷା ପାଇବାପାଇଁ ତ୍ୟାଗ କରିବା କର୍ତ୍ତବ୍ୟ ବୋଲି ସେ ବ୍ୟକ୍ତ କରିଅଛି । ଗୋପବନ୍ଧୁ ଏ ବିଚାରରେ ବଂଶରକ୍ଷା ଅପେକ୍ଷା ଯଶରକ୍ଷାକୁ ଉଚ୍ଚସ୍ଥାନ ଦେଇଛନ୍ତି । ଓଡ଼ିଶାର ଶିଳ୍ପୀକୁଳ ତଥା ସମଗ୍ର ଉତ୍କଳର ଇତିହାସରେ ସ୍ୱାର୍ଥପାଇଁ ଜାତିହତ୍ୟାର କଳାଦାଗ ଯେପରି ସ୍ଥାନ ନପାଏ ତହିଁପ୍ରତି ଗୁରୁତ୍ୱ ଦେଇଛନ୍ତି । ଏଥିରେ ଓଡ଼ିଶାର ପରାଧୀନତାର କାରଣ ଉପରେ ପଣ୍ଡିତ ଗୋପବନ୍ଧୁ ଏକ ପଶ୍ଚାତ୍ ଦୃଷ୍ଟି ନିକ୍ଷେପ କରିଛନ୍ତି ଓ ବ୍ୟକ୍ତିଗତ ସ୍ୱାର୍ଥପାଇଁ ଜାତୀୟ ଦୁର୍ଯ୍ୟୋଗ ସୃଷ୍ଟି ହୋଇଥିବା କଥା ଚିନ୍ତା କରିଛନ୍ତି । ମାନବ ଧର୍ମ ନିମିତ୍ତ କର୍ମରେ ତ୍ୟାଗହିଁ ଗୋପବନ୍ଧୁଙ୍କ ତ୍ୟାଗର ମହତ୍ତ୍ୱ ଓ ଏହା ଗୀତାର ଆଦର୍ଶରେ ସମୁଜ୍ୱଳ । ତ୍ୟାଗରସ୍ୱରୂପ ଶିବି ଓ ଦଧୀଚିଙ୍କ ତ୍ୟାଗର ଆଦର୍ଶରେ ହେବାହିଁ ସର୍ବଥା ବିଧି । ଗୋପବନ୍ଧୁ ଧର୍ମପଦରେ ଏହା ପ୍ରକଟିତ କରିଛନ୍ତି ଓ ଧର୍ମପଦର ଚରିତ୍ରହିଁ ତାଙ୍କର ଏହି ଆଦର୍ଶ ପାଳନରେ ଏକ ସାର୍ଥକ ସୃଷ୍ଟି ।

 

ଗୋପବନ୍ଧୁଙ୍କ ଆଦର୍ଶ ଧର୍ମପଦ କାବ୍ୟରେ ଯେପରି ପ୍ରତିଫଳିତ ହୋଇଛି ତାହା ଅନନ୍ୟ ସାଧାରଣ । ଏହା ସତ୍ୟରକ୍ଷା, ଜାତି ଓ କୁଳ ରକ୍ଷା, ଉଚିତ କର୍ମଯୁକ୍ତ ମାନବ ଧର୍ମର ରକ୍ଷା ଓ ସେଥିରେ ପ୍ରକାଶ ପାଉଥିବା ବୀରତ୍ୱ, ଇହ ଓ ପରଲୋକରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ଚତୁର୍ବଗ ଲାଭର ଆକାଙ୍‌କ୍ଷା, ନିଜ କର୍ମଦ୍ୱାରା ଅନ୍ୟର ବା ଜାତିର ଲଜ୍ଜା ଅପମାନ ନିରାକରଣ ଆଦି ଭାବନା ବୟାନରେ ପୂର୍ଣ୍ଣ ହୋଇଛି । ସର୍ବୋପରି ବ୍ୟକ୍ତି ଏ ସମଗ୍ର ସୃଷ୍ଟିରେ ନିଜର ସତ୍ତାକୁ ମିଳାଇବାପାଇଁ ନିଜର ଚିତ୍ତବୃତ୍ତିକୁ ଆଲୋକିତ କରିବାର ଆଦର୍ଶ ମଧ୍ୟ ଅନ୍ୟତମ । ଧର୍ମପଦ ମରଣର ପୂର୍ବ ମୁହୂର୍ତ୍ତରେ ଏହି ଅମୃତମୟ ଜୀବନସତ୍ତାର ସନ୍ଧାନ ପାଇଛି । ଗୋପବନ୍ଧୁ ତାହା ବ୍ୟକ୍ତକରି ଲେଖିଛନ୍ତି ।

 

-‘‘ବାଳୁତ ହୃଦୟ            ମିଶିଗଲା ସେହି

ମହା ଅନନ୍ତ ବିତାନେ

ଅଜ ଭାବ ଭୁଲି            ମଣେ ଆପଣାକୁ

ଏକୀଭୂତ ବିଶ୍ୱପ୍ରାଣେ ।

 

ମୁହୂର୍ତ୍ତକେ ପୁଣି            ସେ କ୍ଷୁଦ୍ର ହୃଦୟେ

ସଂକୁଚିତ ବିଶ୍ୱସାରା,

ଭିତର ବାହାର            କଲା ଏକାକାର

ଅମୃତ ସଙ୍ଗୀତ ଧାରା ।

 

ସେହି ବ୍ରହ୍ମମୟ ଓ ଚୈତନ୍ୟମୟ ଜଗତ ରୂପି ଜନାର୍ଦ୍ଦନଙ୍କ ବନ୍ଦନା ଗୋପବନ୍ଧୁଙ୍କ ଆଦର୍ଶର ଅନ୍ୟ ଏକ ଦୃଶ୍ୟାନ୍ତର । ବାଳକ ଧର୍ମପଦ ସେହି ଚୈତନ୍ୟ ଉପଲବ୍‌ଧି କରିବା ପରେ ଜଗଦୀଶ ହରିଙ୍କର ବନ୍ଦନାରେ ନିଜକୁ ଉତ୍ସର୍ଗ କରିଛି । ସେ ସେଠାରେ ନିଜର ଜ୍ଞାନର ଆତ୍ମଭାବ ରହିତ ଏବଂ ମୋକ୍ଷ ଦ୍ୱାରରେ ଉପସ୍ଥିତ । ଭାରତର ଜାତୀୟ ଆଦର୍ଶ ମୋକ୍ଷ । ଏହା ଗୋପବନ୍ଧୁଙ୍କର ତଥା ତାଙ୍କ ସୃଷ୍ଟି ଆଦର୍ଶ ଚରିତ୍ର ଧର୍ମପଦର ଆଦର୍ଶରେ ରୂପାନ୍ତରୀତ ହୋଇଅଛି । ସେ ଗାଇଛି-

 

‘‘ମୋ ହୃଦୟ ସ୍ୱାମୀ            ପ୍ରଭୁ ଅନ୍ତର୍ଯ୍ୟାମୀ

ଦେଖାଇଛ ଯାହା ଥରେ

ସେ ଅମୃତ ଗତି            ଦିଅ ପ୍ରାଣପତି

ଜୟ ଜଗଦୀଶ ହରେ ।’’

 

ଗୋପବନ୍ଧୁଙ୍କ ଆଦର୍ଶର ଅନ୍ୟ ଏକ ବିଶେଷତ୍ୱ ଅଜଣାରୁ ଆସି ପୌରୁଷାର୍ଥ କର୍ମର ସାଧନ ପରେ ପୁଣି ସେହି ଅଜଣାରେ ଲୀନ ହେବା । ଏହା ମଧ୍ୟ ଧର୍ମପଦର ଚରିତ୍ରରେ ସୁସ୍ପଷ୍ଟ । ସେ ସର୍ବତୋଭାବେ କାମନା କରିଛନ୍ତି ଯେ ଓଡ଼ିଆ ଜାତି ଏ ଆଦର୍ଶରେ ଅନୁପ୍ରାଣିତ ରହି ଜାତିର ଇତିହାସରେ କୌଣସି କଳାଦାଗ ଯେପରି ନ ରଖେ ଆତ୍ମତ୍ୟାଗର ଆଦର୍ଶ ଆତ୍ମତ୍ୟାଗପାଇଁ ନୂତନ ସ୍ରଷ୍ଟାର ସୃଷ୍ଟି କରିଥାଏ । ଏହାକୁ ବ୍ୟକ୍ତ କରିବାକୁ ଯାଇ ଗୋପବନ୍ଧୁ ଲେଖିଛନ୍ତି-

 

‘‘ଏକର ବିନାଶେ ଅନେକ ପ୍ରକାଶେ

ସୃଷ୍ଟିର ଏ ନିତ୍ୟ ବିଧି,

ଏକର ଯା କ୍ଷୟ ଅନେକ ଉଦୟ

ଅନେକ ଏକର ସିଦ୍ଧି ।’’

 

ଗୋଟିଏ ଧର୍ମପଦର ଆତ୍ମବଳି ଓ ତତ୍‌ଜନିତ ଆଦର୍ଶର ସୃଷ୍ଟିରେ କୋଟିଏ ଧର୍ମପଦ ବା ଅନେକ ଆତ୍ମତ୍ୟାଗୀଙ୍କର ଆବିର୍ଭାବରେ ଜାତୀୟ ଆଦର୍ଶ ସୃଷ୍ଟି ତଥା ପ୍ରତିଷ୍ଠିତ ହେବ, ଏହି ମର୍ମରେ, ଗୋପବନ୍ଧୁ ଉତ୍କଳ ସମ୍ମିଳନୀର ସଭାପତି ଅଭିଭାଷଣରେ କହିଛନ୍ତି- ‘‘ସନ୍ୟାସୀର ସାଧନାରେ ଆମ୍ଭମାନଙ୍କର ମୁକ୍ତି ଏହାହିଁ ତାଙ୍କର ଆଦର୍ଶ ଓ ତାହା ଅଭ୍ୟାସ ତଥା ତତ୍‌ଜନିତ ଅତୀତର ଜ୍ଞାନମୟ ଅବଧୋରେହିଁ ଚିରଜାଗ୍ରତ ରହିଅଛି ।

 

ଧର୍ମପଦର ଚରିତ୍ର ଯେ କେବଳ ତ୍ୟାଗ ଓ ଆଦର୍ଶରେ ପୂର୍ଣ୍ଣ ଏପରି ନୁହେଁ । ଏହା ଏକ ବ୍ୟକ୍ତି ହୃଦୟର ଅନୁଚିନ୍ତା । ଏଥିରେ ବ୍ୟକ୍ତି ଓ ସମସ୍ତ ସ୍ୱାର୍ଥର ସଂଘର୍ଷ ଏବଂ ସେଥିରେ ନିହିତ ଥିବା ଲାଭକ୍ଷତିର ତଉଲ ଯାହାକି ଜାତୀୟ ସ୍ୱାର୍ଥର ପୃଷ୍ଠଭୂମିରେ ଆଧାରିତ । ଏ ସଂଘର୍ଷ କିନ୍ତୁ ସାଧାରାଣ ଲାଭକ୍ଷତିର ଆଶାରେ ନୁହେଁ । ଏହା ଯଶଲାଭରେ ଆତ୍ମତାନ୍ତ୍ରିକତା ଓ ପରତାନ୍ତ୍ରିକତାର ସୂକ୍ଷ୍ମ ସଂଘର୍ଷରେ ରୂପାୟିତ । ବ୍ୟକ୍ତିଗତ ସଫଳତାର ଗୌରବରେ ଆତ୍ମତୃପ୍ତି ନା ଗୌରବର ଆତ୍ମବଳିଦାନରେ ଜାତୀୟ ଆଦର୍ଶ ସୃଷ୍ଟି–କେଉଁଟି କରଣୀୟ ତାହାରି ଭାବନା ମଧ୍ୟରେହିଁ ଏ ସଂଘର୍ଷ ପରିସ୍ଫୁଟ । ଗୋପବନ୍ଧୁ ଏହାର ଉତ୍ତର ଆବିଷ୍କାର କରିବାପାଇଁ ଭାରତୀୟ ଦର୍ଶନଶାସ୍ତ୍ର ସମୁଦ୍ରର ମନ୍ଥନ କରିଛନ୍ତି ଓ ଜେଲ ଜୀବନ ଏହି କାର୍ଯ୍ୟରେ ତାଙ୍କର ସହାୟତା କରିଛି । ନିଜ ଗୌରବର ପରାକାଷ୍ଠାରେ ମୁହ୍ୟମାନ ବ୍ୟକ୍ତି କ୍ରମେ ତୁଙ୍ଗ ଆସନରୁ ନିମ୍ନଗାମୀ ହୁଏ । ସେହି ଅବକାଶରେ ଅନ୍ୟର କୃତିରେ ସେ ଅସହିଷ୍ଣୁ ହେବାହିଁ ସ୍ୱାଭାବିକ୍ । ସେଥିପାଇଁ ତାହା ଜାତୀୟ ଆଦର୍ଶ ଜ୍ଞାପନ ଧର୍ମପଦର ଚରିତ୍ରପାଇଁ ଉପଯୁକ୍ତ ନୁହେଁ । ତା’ର ସଫଳତାରେ ଚାହେ ବ୍ୟର୍ଥତାର ଶିକୁଳିରେ ବନ୍ଧା ହୋଇଥିବା ଅସହିଷ୍ଣୁ ଦୁନିଆର ମୁକ୍ତି । ଏହି ଚିନ୍ତାରେ ଗୋପବନ୍ଧୁ କେଉଁବାଟ ଗ୍ରହଣୀୟ ହେବ ତା’ର ମୀମାଂସା କରିବାକୁ ଯାଇ ନିଜକୁ ଉତ୍ସର୍ଗ କରିବାରେ ପ୍ରକୃତ ସଫଳତା ଲାଭ ହେବାର ଉପାୟ ଦେଖିଛନ୍ତି । ଅନ୍ତତଃ ଧର୍ମପଦ ଚରିତ୍ରର ଏହା ଉପଜୀବ୍ୟ ଓ ଜାତିପାଇଁ ଏହାହିଁ ଗୋପବନ୍ଧୁଙ୍କର ବାଣୀ ।

 

ଗୋପବନ୍ଧୁ ଚରିତ୍ରର ଅନୁଚିନ୍ତା ଧର୍ମପଦ ଚରିତ୍ର ମାଧ୍ୟମରେ ତଥା ତା’ର ବାପା ଓ ତା’ର ମା ଚରିତ୍ରରେ ଦେଖିବାକୁ ମିଳିଥାଏ । ଧର୍ମପଦ ଚରିତ୍ରରେ ବ୍ୟକ୍ତ ହୋଇଥିବା ଅନୁଚିନ୍ତା ଭାରତୀୟ ଦର୍ଶନର ଅନୁଚିନ୍ତା । ଏହାର ଦୃଷ୍ଟାନ୍ତ ଗୀତା, ବେଦାନ୍ତ ଓ ଉପନିଷଦରେ ଦେଖିବାକୁ ମିଳେ । ଏହା ବ୍ୟତୀତ କେତେକ ସନ୍ଦେହ ଧର୍ମପଦର ଚିନ୍ତା ରାଜ୍ୟକୁ ଆଲୋଡ଼ିତ କରିଅଛି । ଏହା ଗୋପବନ୍ଧୁଙ୍କ ଚିନ୍ତାର ଏକ ପ୍ରତିଚ୍ଛବି ବହନ କରୁଥିବା ଜଣାଯାଏ । ରାଜା ନରସିଂହ ଦେବ ବାରଶ ବଢ଼ାଇଙ୍କ ଶିର ହାଣିଦେବେ ଏଥିରେ ଧର୍ମପଦର ସଂଶୟ ରହିଛି । ସେଥିପାଇଁ ସେ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ଏ କଥାର ଗୁରୁତ୍ୱ ସୂଚାଇଛି । ଏହା ପଛରେ ରହିଛି ଓଡ଼ିଶାର ଦକ୍ଷ ତଥା କ୍ଷମତାଶାଳୀ ରାଜାମାନଙ୍କର ପ୍ରଜାଙ୍କ ହିତ ସାଧନ କରିବା । ତେଣୁ ସେମାନଙ୍କ ମୁଣ୍ଡହାଣି କୁଳଲୋପ କରିବାର ଘୋଷଣା ମିଥ୍ୟା ଭୟ ଉତ୍ପାଦକ ରାଜ ବିଜ୍ଞପ୍ତି ବୋଲି ଗୋପବନ୍ଧୁ ଭାବିଛନ୍ତି ଓ ଧର୍ମପଦର ଅନୁଚିନ୍ତା ସେଥିରେ ପ୍ରକାଶ ପାଇଛି । ରାଜାଙ୍କର ପ୍ରଜାପୀଡ଼ନ ଅଚିନ୍ତ୍ୟ । ଏହା ପରୋକ୍ଷରେ ଇଂରେଜ ଶାସନର ଏକ ପ୍ରତିବାଦ ଭଳି ମନେହୁଏ । ଆଉ ମଧ୍ୟ ଧର୍ମପଦ ଦୃଷ୍ଟିରେ ଦକ୍ଷ ଓଡ଼ିଆ କାରିଗରମାନେ ନିଶ୍ଚିନ୍ତ ଭାବରେ ଦେଉଳ ପୂରଣ କରିପାରିବେ । ଏହା ଗୋପବନ୍ଧୁଙ୍କ ଦୃଢ଼ ଧାରଣା, ଆତ୍ମବିଶ୍ୱାସ ଓ ଜାତୀୟ ଶକ୍ତିରେ ଗଭୀର ଆସ୍ଥା ଥିବାର ସୂଚନା ଦିଏ । ଏ ଅନୁଚିନ୍ତା ମଧ୍ୟ ଜାତୀୟ ଭାବରେ ଉଦ୍‌ବୁଦ୍ଧ । ଏହାର ବର୍ଣ୍ଣନା କରିବାକୁ ଯାଇ ଗୋପବନ୍ଧୁ ସତ୍ୟର ଜୟଗାନ କରିଛନ୍ତି ଏବଂ ଜାତୀୟ ଆତ୍ମବିଶ୍ୱାସ ବିଶେଷକରି ଉତ୍କଳ ଶିଳ୍ପୀର ଆତ୍ମବିଶ୍ୱାସ ଆଣିବାପାଇଁ ଲେଖିଛନ୍ତି-

 

‘ନୀଳାଚଳ ଯେବେ            ସତ୍ୟ ଜଗନ୍ନାଥ

ନ ହେବ କିଛି ଆପଦ ।

 

ଏକ୍ରାମ କାନନେ            ସତ୍ୟେ ପ୍ରତିଷ୍ଠିତ

ଯେବେ ପ୍ରଭୁ ଲିଙ୍ଗରାଜ,

ନ ସହିବ କେବେ            ନିନ୍ଦା ଅପଖ୍ୟାତି

ଉତ୍କଳ-ଶିଳ୍ପି-ସମାଜ ।

 

ଯାଗାନଳୁ ଯେବେ            ସତ୍ୟ ବେଦ ମନ୍ତ୍ରେ

ଉଠିଥିବେ ବୀରଜାଈ,

ମୁଣ୍ଡ କଟା ହୋଇ            ନ ମରିବେ ଏଥି

କେବେ ବାରଶ ବଢ଼ାଇ ।’’

(କ୍ରମଶଃ)

 

ଏକାଡେମୀ ସମାଚାର

 

ତା ୨୮।୩।୭୮ରିଖ ଅପରାହ୍ନରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଶାର ୧୦ ଜଣ ବିଶିଷ୍ଟ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ପୌରୋହିତ୍ୟ କରି ଏକାଡେମୀ ସମୂହର ସଭାପତି ତଥା ଓଡ଼ିଶାର ସାଂସ୍କୃତିକ ବ୍ୟପାର ବିଭାଗ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବୟୋଜ୍ୟେଷ୍ଠ ଲେଖକମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟକୁ ସେମାନଙ୍କର ମହାର୍ଘ ଅବଦାନପାଇଁ ଓଡ଼ିଆଜାତି ଗୌରବାନ୍ୱିତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ଉତ୍ସବ ଆରମ୍ଭରେ ଏକାଡେମୀ ସମୂହର ସମ୍ପାଦକ ଶ୍ରୀ ମନୋରଞ୍ଜନ ଦାସ ଏକାଡେମୀର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ସାସ୍କୃତିକ ବିଭାଗ ଶାସନ-ସଚିବ ଶ୍ରୀ ସୀତାକାନ୍ତ ମହାପାତ୍ର ଆଇ: ଏ: ଏସ୍‌ ଉପସ୍ଥିତ ସାହିତ୍ୟିକମାନଙ୍କୁ ଉଦ୍‌ବୋଧନ ଦେଇ ସେମାନଙ୍କ ମହତ୍‌ ଅବଦାନ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ବୋଲି କହିଥିଲେ ।

 

ସମ୍ମାନିତ ହୋଇଥିବା ସାହିତ୍ୟିକଙ୍କର ସମ୍ୟକ୍‌ ପରିଚୟ ନିମ୍ନରେ ପ୍ରଦାନ କରାଗଲା ।

 

ଅଧ୍ୟାପକ ଶ୍ରୀଧର ଦାସ

ଜନ୍ମ: ୧।୧୦।୧୯୦୨

 

ପୁରୀଜିଲ୍ଲା କାକଟପୂର ଥାନା ଅନ୍ତର୍ଗତ ଏକ କ୍ଷୁଦ୍ର ଗ୍ରାମରେ ଶ୍ରୀ ଦାସଙ୍କର ଜନ୍ମ । ପ୍ରବୀଣ ଶିକ୍ଷାବିତ୍‌ ଶ୍ରୀ ଦାସ ସାମ୍ପ୍ରତିକ ବିଶିଷ୍ଟ ସାହିତ୍ୟସେବୀ ଭାବରେ ସୁପରିଚିତ । ଜୀବନୀକାର, ଅନୁବାଦକ, ଶିଶୁସାହିତ୍ୟ ରଚୟିତା, ଅଭିଧାନକାର,ଏବଂ ସୁସମ୍ପାଦକ ଓ ସଙ୍କଳକ ଭାବରେ ଶ୍ରୀ ଦାସଙ୍କର ସାହିତ୍ୟିକ ପ୍ରତିଭା ବହୁମୂଖୀ ।

 

ଶ୍ରୀ ଦାସଙ୍କର ମୋଟ ପ୍ରକାଶିତ ପୁସ୍ତକର ସଂଖ୍ୟା ଦେଉଛି ୬୫ ।

 

ଶ୍ରୀ ଅଭିମନ୍ୟୁ ଦେବତା

ଜନ୍ମ: ୨୭।୧୦।୧୯୦୩

 

କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା କବି ଶ୍ରୀ ଅଭିମନ୍ୟୁ ଦେବତା ଅନ୍ୟୂନ ୭ ଖଣ୍ଡ ପ୍ରକାଶିତ କାବ୍ୟକବିତାଗ୍ରନ୍ଥ ଏବଂ ୬ ଖଣ୍ଡ ଅପ୍ରକାଶିତ ଗ୍ରନ୍ଥର ରଚୟିତା ।

 

ତାଙ୍କର କାବ୍ୟକବିତା ସମ୍ଭାର ସରଳ, ସୁବୋଧ୍ୟ ଏବଂ ସୁଖପାଠ୍ୟ ।

 

 

ଶ୍ରୀ ରଘୁନାଥ ପ୍ରସାଦ ବହିଦାର

ଜନ୍ମ: ୪।୮।୧୯୦୪

 

ବଲାଙ୍ଗୀର ଜିଲ୍ଲାର ଲୋଇସିଂହାଠାରେ ଜନ୍ମଗ୍ରହଣ କରିଥିବା ପ୍ରବୀଣ ଶିକ୍ଷକ ଶ୍ରୀ ବହିଦାର ବହୁ ନାଟକର ରଚୟିତା ଭାବରେ ସୁପରିଚିତ ।

 

ତାଙ୍କର ପ୍ରକାଶିତ ଅପ୍ରକାଶିତ ନାଟକଗୁଡ଼ିକର ମୋଟ ସଂଖ୍ୟା ପ୍ରାୟ ୨୫ ଖଣ୍ଡ । ନାଟକ ବ୍ୟତୀତ କ୍ଷୁଦ୍ରଗଳ୍ପ ଏବଂ କବିତା ରଚନାରେ ମଧ୍ୟ ଶ୍ରୀ ବହିଦାର ସିଦ୍ଧହସ୍ତ ।

 

ପଣ୍ଡିତ ରଘୁନାଥ ମୁର୍ମୂ

ଜନ୍ମ: ୫।୫।୧୯୦୫

ଆଧୁନିକ ସାନ୍ତାଳୀ ଲିପିର ପ୍ରବର୍ତ୍ତକ ଓ ବିଶିଷ୍ଟ ସାନ୍ତାଳୀ ନାଟ୍ୟକାର ଓ କବି ଶ୍ରୀଯୁକ୍ତ ମୁର୍ମୂ ଅନ୍ୟୂନ ୧୫ ଖଣ୍ଡ ନାଟକ, ଗୀତିକବିତା ଏବଂ ପାଠ୍ୟପୁସ୍ତକର ରଚୟିତା ।

 

ପଣ୍ଡିତ ମୁର୍ମୂଙ୍କର ଜୀବନବ୍ୟାପୀ ଶ୍ରମ ଓ ଉଦ୍ୟମ ଫଳରେ ଆଧୁନିକ ସାନ୍ତାଳୀ ଭାଷା ତା’ର ‘ଅଲ’ ଲିପି ଲାଭ କରିଛି ।

 

 

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

ଜନ୍ମ: ୧।୭।୧୯୦୮

 

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ପ୍ରାବନ୍ଧିକ, ଐତିହାସିକ, ଜୀବନୀକାର ଏବଂ ଗବେଷକ ଭାବରେ ପ୍ରତିଷ୍ଠିତ ।

 

ଅନ୍ୟୂନ ୪୦ ଖଣ୍ଡ ଉପାଦେୟ ଗ୍ରନ୍ଥର ରଚୟିତା ପଣ୍ଡିତ ସୂର୍ଯ୍ୟନାରାୟଣ ତାଙ୍କର ‘ଓଡ଼ିଆ ସାହିତ୍ୟର ଇତିହାସ’ ପୁସ୍ତକପାଇଁ ଓଡ଼ିଆ ସାହିତ୍ୟର ଏକାଡେମୀ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ।

 

ଶ୍ରୀ ଘନଶ୍ୟାମ ମହାନ୍ତି

ଜନ୍ମ: ୧୪।୭।୧୯୧୧

 

ଶ୍ରୀ ମହାନ୍ତି ଔପନ୍ୟାସିକ ଓ କବି ଭାବରେ ସୁପରିଚିତ । ୧୯୩୪ ମସିହାରୁ ଅଦ୍ୟାବଧି ସେ ଓଡ଼ିଆ ସାହିତ୍ୟର ଉନ୍ନତିକଳ୍ପେ ନିଜକୁ ନିୟୋଜିତ କରି ଆସିଅଛନ୍ତି ।

 

ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ।

 

 

ଶ୍ରୀମତୀ ଲବଙ୍ଗଲତା ଦେବୀ, ବିଦୂଷୀ

ଜନ୍ନ: ୨୨।୧୧।୧୯୧୫

 

ସୁଲେଖିକା ଶ୍ରୀମତୀ ଲବଙ୍ଗଲତା ଦେବୀଙ୍କର ଜନ୍ମ କଟକ ଜିଲ୍ଲା ଯାଜପୁର ସବ୍‌ଡ଼ିଭିଜନସ୍ଥ ହଳଦିବସନ୍ତ ଗ୍ରାମରେ । ଔପନ୍ୟାସିକା ଏବଂ ଗାଳ୍ପିକା ଭାବରେ ତାଙ୍କର ସାହିତ୍ୟିକ ପ୍ରତିଭା ବିଶେଷଭାବେ ଖ୍ୟାତିଲାଭ କରିଛି । ଶିଶୁସାହିତ୍ୟ, ଅନୁବାଦ, ନାଟକ ଏବଂ କବିତା ରଚନାରେ ମଧ୍ୟ ସେ ସିଦ୍ଧହସ୍ତା ।

ତାଙ୍କର ଏ ପର୍ଯ୍ୟନ୍ତ ପ୍ରକାଶିତ ଓ ଅପ୍ରକାଶିତ ପୁସ୍ତକ ସଂଖ୍ୟା ପ୍ରୟ ୩୦ ଖଣ୍ଡ ।

 

ଶ୍ରୀ ଶଶିଧର ପଟ୍ଟନାୟକ

ଜନ୍ମ: ୧।୨।୧୯୧୬

 

ଗଞ୍ଜାମ ଜିଲ୍ଲାର ଆଠଗଡ଼ ଶ୍ରୀ ପଟ୍ଟନାୟକଙ୍କର ଜନ୍ମସ୍ଥାନ । ଶ୍ରୀ ପଟ୍ଟନାୟକଙ୍କର ପ୍ରକାଶିତ ଏବଂ ଅପ୍ରକାଶିତ ନାଟକର ସଂଖ୍ୟା ପ୍ରାୟ ୧୫ ଖଣ୍ଡ । ନାଟକ ବ୍ୟତିତ ପ୍ରବନ୍ଧ, ଗଳ୍ପ ଏବଂ କବିତା ରଚନାରେ ମଧ୍ୟ ତାଙ୍କର ଧୁରଣୀତା ପ୍ରମାଣିତ । ସେ ଇଂରାଜୀ ଭାଷାରେ ମଧ୍ୟ କାବ୍ୟକବିତା ରଚନା କରିବାରେ ସିଦ୍ଧହସ୍ତ ଏବଂ ଏ ପର୍ଯ୍ୟନ୍ତ ଏହି ଭାଷାରେ ତାଙ୍କର ୩ ଖଣ୍ଡ କାବ୍ୟ ଏବଂ ୨ ଖଣ୍ଡ କବିତା ପୁସ୍ତକ ପ୍ରକାଶିତ । ସମ୍ପ୍ରତ୍ତି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବାପରେ ଶ୍ରୀମଦ୍‌ ଭଗବଦ୍‌ ଗୀତାର ଟୀକା ରଚନା କରିବାରେ ନିୟୋଜିତ ରହିଛନ୍ତି ।

 

ଶ୍ରୀ ପରଶୁରାମ ମୁଣ୍ଡ

ଜନ୍ମ: ୧୫।୫।୧୯୧୭

 

କଳାହାଣ୍ଡି ଜିଲ୍ଲାର ଶିକ୍ଷା, ରାଜନୀତି ଓ ସାଂସ୍କୃତିକ କ୍ଷେତ୍ର ସହିତ ବହୁଭାବରେ ଜଡ଼ିତ । ଶ୍ରୀ ପରଶୁରାମ ମୁଣ୍ଡ ଏକଧାରରେ ଔପନ୍ୟାସିକ, କବି, ନାଟ୍ୟକାର, ଗାଳ୍ପିକ ଓ ଅନୁବାଦକ । ୧୯୩୪ରୁ ଏ ଅବଧି ନିରବଚ୍ଛିନ୍ନ ଭାବରେ ସାହିତ୍ୟ ସୃଷ୍ଟିରେ ନିରତ । ଶ୍ରୀ ମୁଣ୍ଡଙ୍କର ପ୍ରକାଶିତ ଏବଂ ଅପ୍ରକାଶିତ ପୁସ୍ତକର ମୋଟ ସଂଖ୍ୟା ପ୍ରାୟ ୫୦ ଖଣ୍ଡ ।

 

ଶିକ୍ଷକ ଜୀବନରୁ ଅବସର ଗ୍ରହଣ କରି ଶ୍ରୀ ମୁଣ୍ଡ ସପ୍ରଂତି ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ।

 

ଅଧ୍ୟାପକ ଡଃ ନଟବର ସାମନ୍ତରାୟ

ଜନ୍ମ: ୨୯।୧୨।୧୯

 

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଗବେଷକ ଏବଂ ପ୍ରବନ୍ଧ ଓ ସମାଲୋଚନା ଲେଖକ ଡଃ ସାମନ୍ତରାୟ ଅନ୍ୟୂନ ୨୦ ଖଣ୍ଡ ଉଚ୍ଚକୋଟୀର ଗ୍ରନ୍ଥର ପ୍ରଣେତା ।

 

ଡଃ ସାମନ୍ତରାୟ ୧୯୭୩ରେ ପ୍ରାଧ୍ୟାପକ ପଦବୀରୁ ଅବସର ଗ୍ରହଣ କରିବାପରେ ସମ୍ପ୍ରତି ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କଦ୍ୱାରା ‘‘ଅବସର ପ୍ରାପ୍ତ କଲେଜ ଅଧ୍ୟାପକମାନଙ୍କ ସେବା ବିନିଯୋଗ’’ ଯୋଜନାରେ ‘‘ହିନ୍ଦୀ ଓ ଓଡ଼ିଆ ଯୋଗ-ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ’’ ଓ ‘‘ଓଡ଼ିଆ ସାହିତ୍ୟ ଉପରେ ଜଗନ୍ନାଥଙ୍କ ପ୍ରଭାବ’’ ବିଷୟରେ ଗବେଷଣାରତ ।

 

 

ସମ୍ପାଦକୀୟ

 

ଉତ୍କଳ ଗୌରବ ମଧୁସୂଧନ ଦାସଙ୍କର ୧୩୦ତମ ଜନ୍ମ-ବାର୍ଷିକ ତିଥି ଆଗାମୀ ଏପ୍ରିଲ ମାସ ୨୮ ତାରିଖରେ ପଡ଼ୁଛି । ଏ ଅବସରରେ ଏହି ଐତିହାସିକ ବ୍ୟକ୍ତିଙ୍କର ଉଜ୍ଜ୍ୱଳ ପ୍ରତିଭା ସମ୍ପର୍କରେ ସମ୍ୟକ୍‌ ସ୍ମୃତିଚାରଣପାଇଁ ସ୍ୱତଃ ଇଚ୍ଛା ହୁଏ ।

 

ଓଡ଼ିଆ ଜାତୀୟ ଜୀବନକୁ ଉଦ୍ଦୀପିତ, ବଳିଷ୍ଠ ଏବଂ ଉତ୍ତୋଳିତ କରି ଏକ ମହାନ୍‌ ଓଡ଼ିଆ ଜାତି ଗଠନ କରିବାର ସ୍ୱପ୍ନ ମଧୁସୂଦନ ଦେଖିଥିଲେ । ବିପ୍ଲବୋତ୍ତର ପୃଥିବୀର ‘‘ସାମ୍ୟମୈତ୍ରୀ-ସ୍ୱାଧୀନତା’’ର ଦର୍ଶନ ଏବଂ ଲୋକତନ୍ତ୍ର ଶାସନର ନିର୍ଭୀକ ପ୍ରବକ୍ତା ଭାବରେ ସ୍ୱାଧିକାର ଏବଂ ସ୍ୱାଧୀନତାପାଇଁ ସେ ନିର୍ଭୀକ ସ୍ୱର ଉତ୍ତୋଳନ କରିଥିଲେ । ଶିଳ୍ପ ପ୍ରସାର ଏବଂ କୃଷିର ଉନ୍ନତି ଜରିଆରେ ଦରିଦ୍ର ଓଡ଼ିଶାର ଆର୍ଥନୀତିକ ସ୍ୱଚ୍ଛଳତା ହାସଲପାଇଁ ମଧୁବାବୁ ଉଦ୍ୟମ କରିଥିଲେ । ଗୋଟିଏ କଥାରେ କହିବାକୁ ଗଲେ ମଧୁବାବୁଙ୍କ ପରବର୍ତ୍ତୀ ସମୟରେ ଓଡ଼ିଶାର ଅର୍ଥନୈତିକ ଏବଂ ସାମାଜିକ ଚିନ୍ତାଧାରା କ୍ଷେତ୍ରରେ ଯେଉଁ ଅଗ୍ରସରତା ପରିଲକ୍ଷିତ ହୋଇଛି ମଧୁସୂଦନହିଁ ତାହାର ଆଦି ପୁରୋଧା ।

 

ମଧୁସୂଦନ ଥିଲେ ତାଙ୍କ ସମୟର ଅପ୍ରତିନ୍ଦ୍ୱନ୍ଦୀ ବାଗ୍ମୀ । ତାଙ୍କର କବି ପ୍ରତିଭା ଥିଲା ଅତି ଉଚ୍ଚକୋଟୀର । ମଧୁସୂଦନ ତାଙ୍କର କବିତ୍ୱ ବା ବାଗ୍ମିତାକୁ କଳ୍ପନାବିଳାସ କିମ୍ବା ଅଳଙ୍କାର ବିନ୍ୟାସରେ ଶେଷ କରିଥିବାପାଇଁ ପ୍ରୟାସ କରି ନ ଥିଲେ । ଏକ ବାସ୍ତବ ଦୃଷ୍ଟିକୋଣ ଓ ଦିଗ୍‌ଦର୍ଶନ ନେଇ ସେ ତାଙ୍କର ସାହିତ୍ୟ ରଚନା କରିଥିଲେ । ସେ ତାଙ୍କର କାୟିକ, ମାନସିକ ବା ବାଚିକ ଶକ୍ତି ଓ ପ୍ରତିଭା ସମସ୍ତ ଦେଶ ଓ ଜାତିର ହିତକଳ୍ପେ ଉତ୍ସର୍ଗ କରିଥିଲେ । ନିର୍ଦ୍ଦିଷ୍ଟ କର୍ମପନ୍ଥା ଜରିଆରେ ତାଙ୍କର ଲକ୍ଷ୍ୟ ହାସଲ କରିବାପାଇଁ ସେ ସର୍ବଦା ଆଗୁସାର ହୋଇଥିଲେ । ତାଙ୍କର ଏହି ମାନସିକ ଚିନ୍ତାଧାରା ତାଙ୍କ ରଚିତ କବିତା ଗୁଡ଼ିକରେ ମୁଖ୍ୟତଃ ପ୍ରତିଫଳିତ; ତେଣୁ ତାଙ୍କର ଏହି ମାନସିକ ଚିନ୍ତାଧାରା ତାଙ୍କ ରଚିତ କବିତା ଗୁଡ଼ିକରେ ମୁଖ୍ୟତଃ ପ୍ରତିଫଳିତ; ତେଣୁ ତାଙ୍କର କବିତାର ଆଙ୍ଗିକ ଗାନ୍ଧିବେଶ ପରି ସରଳ ଏବଂ ପରିପାଟୀ ବିହୀନ ହେଲେ ମଧ୍ୟ ଗାନ୍ଧି-ବାଣୀପରି ତତ୍ତ୍ୱ-ଗୁମ୍ଫିତ ଓ କର୍ମଦ୍ୟୋତକ ହୋଇ ଉଠିଛି । ମଧୁସୂଦନଙ୍କର ରଚନାବଳୀ ସ୍ୱଳ୍ପ ହେଲେ ମଧ୍ୟ ଏହା ଯେ ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗର ଭିତ୍ତିଭୂମି ସ୍ଥାପନ କରିପାରିଥିଲା ଏହା କହିବା ବାହୁଲ୍ୟ ମଧୁବାବୁଙ୍କ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ପରିଦୃଷ୍ଟ ହୋଇଥିବା ଜାତୀୟ ଚେତନା ଏବଂ ଲୌକିକ ରଚନାଶୈଳୀ ମଧୁବାବୁଙ୍କ ସାହିତ୍ୟଦର୍ଶରେ ଅନୁପ୍ରାଣିତ ହୋଇଥିବା ସ୍ପଷ୍ଟ ଲକ୍ଷ୍ୟ କରାଯାଏ ।

 

ମଧୁବାବୁଙ୍କ ଜୀବନ ଆଧୁନିକ ଓଡ଼ିଶା ଓ ଓଡ଼ିଆ ଜାତିର ଉନ୍ମେଷପର୍ବର ଇତିହାସ । ଏହି ସିଦ୍ଧ ପୁରୁଷଙ୍କର ପିବତ୍ର ଜନ୍ମତିଥିରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଶାବାସୀ ଏହି ମହାଜନଙ୍କର ପଦଚିହ୍ନକୁ ଲକ୍ଷ୍ୟ କରୁ, ଯେତିକି ସମ୍ଭବ ଅନୁସରଣ କରୁ, ଏହାହିଁ କାମ୍ୟ ।